- ଭାରତ ପ୍ରଥମ ଇନିଂସ ୧୫୦, ଦ୍ୱିତୀୟ ଇନିଂସ ୬/୪୮୭
- ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୦୪, ଦ୍ୱିତୀୟ ଇନିଂସ ୨୩୮
- ବୁମରା ପ୍ଲେୟାର ଅଫ ଦ ମ୍ୟାଚ୍
- ୬ତାରିଖରୁ ଦ୍ୱିତୀୟ ଟେଷ୍ଟ
ଅଷ୍ଟ୍ରେଲିଆ ମାଟିରେ ଆଉ ଏକ ଟେଷ୍ଟ ଜିତି ଭାରତ ଇତିହାସ ରଚିଛି। ଅପ୍ଟସ ଷ୍ଟାଡ଼ିୟମରେ ବୁମରା ବାହିନୀ ଉଡ଼ାଇଛି ବିଜୟ ଧ୍ୱଜା। ଘରୋଇ ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ବଳରେ ଭାରତ ପୁନର୍ବାର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ପଏଣ୍ଟ ତାଲିକାର ଶୀର୍ଷକୁ ଫେରିଛି। ପର୍ଥରେ ଭାରତ ଦୀର୍ଘ ୧୬ ବର୍ଷ ପରେ କୌଣସି ଟେଷ୍ଟ ଜିତିଛି। ୨୦୦୮ରେ ଭାରତ ଶେଷ ଥର ପାଇଁ ପର୍ଥରେ କୌଣସି ଟେଷ୍ଟ ଜିତିଥିଲା। ସେତେବେଳେ ଅନିଲ କୁମ୍ବଲେ ଭାରତୀୟ ଦଳର ଅଧିନାୟକ ରହିଥିଲେ।
ସିରିଜ ଆରମ୍ଭରୁ ଏଭଳି ଆଧିପତ୍ୟ ଓ ଏକତରଫା ବିଜୟ ଭାରତୀୟ ଦଳର ମନୋବଳ ବଢ଼ାଇବାରେ ବେଶ୍ ସହାୟକ ହେବ। ପ୍ରଥମ ଇନିଂସରେ ସାମୁହିକ ବିଫଳତାକୁ ପଛରେ ଛାଡ଼ି ଭାରତୀୟ ଦଳ ନାଟକୀୟ ଭାବେ ମ୍ୟାଚ୍ର ମୋଡ଼ ଦେବା ସହ ଦଳଗତ ପ୍ରଦର୍ଶନ କରି ବିଜୟୀ ହୋଇଥିଲା। ଦ୍ୱିତୀୟ ଇନଂସରେ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ ୨୦୦୧ର ଇଡ଼େନ ଗାର୍ଡେନ ଟେଷ୍ଟକୁ ମନେ ପକାଇ ଦେଇଥିଲା। ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରି ଅଲ୍ ଆଉଟ୍ ହେବା ପରେ ଭାରତ ଏହି ମ୍ୟାଚ୍ ଜିତିବ ବୋଲି କେହି କେବେ ବିଶ୍ୱାସ କରିପାରି ନଥିଲେ। କିନ୍ତୁ ଅଧିନାୟକ ଯଶପ୍ରୀତ ବୁମରା ଘାତକ ବୋଲିଂ କରି ଭାରତକୁ ମ୍ୟାଚ ମଧ୍ୟକୁ ଫେରାଇ ଆଣିଥିଲେ। ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୈସ୍ୱାଲ ଓ ବିରାଟ କୋହଲି ଶତକ ଅର୍ଜନ କରିବା ଫଳରେ ଭାରତର ବିଜୟ ଆଶା ଉଜ୍ଜ୍ୱଳ ହୋଇଥିଲା। ଶେଷରେ ବୁମରା ବାହାନୀ ଶୃଙ୍ଖଳିତ ବୋଲିଂ କରି ଘରୋଇ ଦଳର ବ୍ୟାଟିଂ ବିଭାଗକୁ ଧ୍ୱଂସ କରିଦେଇଥିଲେ।
ବିରାଟ କୋହଲି ଫର୍ମକୁ ଫେରିବା ଥିଲା ଭାରତୀୟ ଦଳ ପାଇଁ ଶୁଭ ସଂକେତ। ସେହିପରି ଜୈସ୍ୱାଲ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଶତକ ଅର୍ଜନ କରିଥିଲେ। ଏହା ବ୍ୟତୀତ ଯୁବ ଅଲ୍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଦମ୍ଦାର ପ୍ରଦର୍ଶନ କରି ଅଗଣିତ ପ୍ରଶଂସକ ସୃଷ୍ଟି କରିବାରେ ସଫଳ ହୋଇଥିଲେ।
ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରି ଅଲ୍ ଆଉଟ୍ ହେବା ସତ୍ତ୍ୱେ ଭାରତ ୪ ଦିନ ମଧ୍ୟରେ ଭାରତ ବିଜୟ ପକ୍କା କରିଥିଲା। ବୁମରାଙ୍କ ଘାତକ ବୋଲିଂର ମୁକାବିଲା କରିପାରି ନଥିଲା ଅଷ୍ଟ୍ରେଲିଆ। ସେ ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ୍ ଅକ୍ତିଆର କରି ବିଜୟର ମୁଖ୍ୟ ନାୟକ ସାଜିଥିଲେ। ୮ଟି ଓ୍ୱିକେଟ ସଫଳତା ବୁମରା ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ ରନ୍ ମଧ୍ୟରେ ଅଲ୍ ଆଉଟ୍ କରିଥିଲା ଭାରତ। ୪୮ ରନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା ପରେ ଭାରତ ଦ୍ୱିତୀୟ ଇନିଂସରେ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ପ୍ରଥମେ ଜୈସ୍ୱାଲ ଓ କେଏଲ ରାହୁଲ ୨୦୧ ରନ୍ର ରକର୍ଡ ଓପନିଂ ଭାଗିଦାରୀ ଗଠନ କରିଥିଲେ। ମଧ୍ୟ ଭାଗରେ କୋହଲି ଖେଳିଥିଲେ ଶତକୀୟ ପାଳି। ଭାରତ ୬ୱିକେଟ ବିନିମୟେର ୪୮୭ ରନ୍ କରି ଦ୍ୱିତୀୟ ଇନିଂସ ଘୋଷଣା କରିବା ସହ ଅଷ୍ଟ୍ରେଲିଆ ସମ୍ମୁଖରେ ବିଜୟ ପାଇଁ ୫୩୪ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ଏଥର ମଧ୍ୟ ବୁମରାଙ୍କ ଘାତକ ବୋଲିଂର ମୁକାବିଲା କରିପାରି ନଥିଲା ଘରୋଇ ଦଳ। ମହମ୍ମଦ ସିରାଜ ମଧ୍ୟ ସଂହାରରେ ସାମିଲ ହୋଇଥିଲେ। ଉଭୟ ୬ଟି ଓ୍ୱିକେଟ ନେଇ ଭାରତର ବିଜୟ ପଥ ପରିସ୍କାର କରିଥିଲେ। ପ୍ରଥମ ଇନିଂସରେ ବୋଲିଂ କରିବାକୁ ସୁଯୋଗ ପାଇ ନଥିବା ୱାସିଂଟନ ସୁନ୍ଦର ୨ଟି ୱିକେଟ ନେଇଥିଲେ। ନୀତୀଶ ମଧ୍ୟ ପଦାର୍ପଣରେ ୱିକେଟ ଖାତା ଖୋଲିଥିଲେ।
ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୩୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। କେବଳ ଟ୍ରେଭିସ ହେଡ୍ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନଥିଲେ। ମିଚେଲ ମାର୍ଶ(୪୭) ଓ ଆଲେକ୍ସ କ୍ୟାରୀ କିଛି ସମୟ କ୍ରିଜରେ ତିଷ୍ଠି ରହି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ମାତ୍ର ରନ୍ର ପାହାଡ଼ ଚଢ଼ିବା ସମ୍ଭବ ହୋଇ ନଥିଲା।
ଆସନ୍ତା ମାସ ୬ ତାରିଖରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପହଞ୍ଚି ସାରିଥିବାରୁ ଆଗକୁ ସେ ଭାରତୀୟ ଦଳର ନେତୃତ୍ୱ ନେବେ।
previous article:https://purvapaksa.com/relentless-jaiswal-and-rahul-make-australia-toil-to-push-lead-over-200/