ଭାରତର ପ୍ରସିଦ୍ଧ ଏବଂ ସମୃଦ୍ଧ ସନାତନ ତୀର୍ଥକ୍ଷେତ୍ରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଅର୍ପଣ କରାଯାଉଥିବା କୋଟି କୋଟି ଟଙ୍କାର ଦାନ, ସୁନା, ରୁପା ଏବଂ ମନ୍ଦିର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନାକୁ ନେଇ ସମ୍ପ୍ରତି ସାରା ଦେଶରେ ଏକ ବଡ଼ ବିତର୍କ ସୃଷ୍ଟି ହୋଇଛି। ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆର୍ଥିକ କାରବାରଠାରୁ ଆରମ୍ଭ କରି କେରଳର ଶବରୀମାଳା, ଆନ୍ଧ୍ରପ୍ରଦେଶର ତିରୁମଲା , ଉତ୍ତରାଖଣ୍ଡର ବଦ୍ରୀନାଥ-କେଦାରନାଥ ଏବଂ ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଦାନ ବ୍ୟବସ୍ଥାରେ ଅନିୟମିତତା, ଚୋରି ଏବଂ ପ୍ରଶାସନିକ ତ୍ରୁଟି ସାମ୍ନାକୁ ଆସିଛି। ଏହି ସମ୍ବେଦନଶୀଳ ମାମଲାଗୁଡ଼ିକର ଯାଞ୍ଚ ଏବେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି , ସିଆଇଡି ଏବଂ ସ୍ଥାନୀୟ ପୋଲିସ ଦ୍ୱାରା କରାଯାଉଛି। ଏହା ଧାର୍ମିକ ଅନୁଷ୍ଠାନଗୁଡ଼ିକର ଆର୍ଥିକ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
![]()
ବଦ୍ରୀନାଥ-କେଦାରନାଥ: କୋଟି କୋଟିର ଚଢ଼ାଉ ଏବଂ ଏସଆଇଟି ତଦନ୍ତ
ଉତ୍ତରାଖଣ୍ଡର ଗଢ଼ୱାଲ ହିମାଳୟର ସୁଉଚ୍ଚ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଚାରିଧାମ ମଧ୍ୟରୁ ଦୁଇ ପ୍ରମୁଖ ଧାମ ବଦ୍ରୀନାଥ ଓ କେଦାରନାଥ ହେଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର। ଚଳିତ ଯାତ୍ରା ଋତୁରେ ଏହି ଦୁଇ ଧାମରେ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥିବା ବେଳେ ପାଖାପାଖି ୭୦ କୋଟି ଟଙ୍କାର ଦାନ ମିଳିଛି। ସାଧାରଣତଃ ପ୍ରତିବର୍ଷ ଏହି ମନ୍ଦିରଗୁଡ଼ିକୁ ୫୦ ରୁ ୮୦ କୋଟି ଟଙ୍କାର ଚଢ଼ାଉ ଆସିଥାଏ। ତେବେ ଗତ ଜୁଲାଇ ୩ ତାରିଖରେ ଭୈରବ ସେନାର ପ୍ରତିଷ୍ଠାତା ସନ୍ଦୀପ ଖତ୍ରୀ ବଦ୍ରୀ-କେଦାର ମନ୍ଦିର ସମିତିର ଜଣେ କର୍ମଚାରୀ ପ୍ରମୋଦ ନୌଟିୟାଲଙ୍କ ବିରୋଧରେ ଦାନ ଟଙ୍କା ହେରଫେର କରିଥିବା ଅଭିଯୋଗ ଆଣିଥିଲେ। ୨୦୨୩ ମସିହାରେ ମନ୍ଦିର ବାହାରେ ଲଗାଯାଇଥିବା କ୍ୟୁଆର କୋଡ୍ ଜରିଆରେ ଆସିଥିବା ଦାନ ଅର୍ଥ କେଉଁ ଆକାଉଣ୍ଟକୁ ଗଲା, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ପ୍ରାଥମିକ ତଦନ୍ତ ପରେ ଉତ୍ତରାଖଣ୍ଡ ସରକାର ଅଭିଯୁକ୍ତ ପ୍ରମୋଦଙ୍କୁ ନିଲମ୍ବିତ କରିବା ସହ ୪୦ ଦିନର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପାଇଁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଗଠନ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର: କୋଟି କୋଟିର ସମ୍ପତ୍ତି ଏବଂ ଦାନ ବାକ୍ସରୁ ଚୋରି
ଓଡ଼ିଶାର ପୁରୀସ୍ଥିତ ୧୨ଶତାବ୍ଦୀର ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିର ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଚାରିଧାମ ମଧ୍ୟରୁ ଅନ୍ୟତମ ଏହି ମନ୍ଦିରକୁ ପ୍ରତିବର୍ଷ ପ୍ରାୟ ୧ କୋଟି ଭକ୍ତଙ୍କ ଆଗମନ ହୋଇଥାଏ। ସରକାରୀ ରେକର୍ଡ ଅନୁଯାୟୀ, ଗତ ୧୩ ବର୍ଷ ମଧ୍ୟରେ ମନ୍ଦିରକୁ ୩୦୪.୬ କୋଟି ଟଙ୍କାର ଦାନ ଏବଂ ଗତ ୪୩ ବର୍ଷ ମଧ୍ୟରେ ପ୍ରାୟ ୫୮ କିଲୋଗ୍ରାମ ସୁନା ମିଳିଛି। କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ମନ୍ଦିରର ହୁଣ୍ଡିରୁ ୧୮.୬ କୋଟି ଟଙ୍କା ନଗଦ ଏବଂ ୩.୪ କିଲୋଗ୍ରାମ ସୁନା ମିଳିଛି।

ତେବେ ଏତେ ବଡ଼ ଆର୍ଥିକ ସାମ୍ରାଜ୍ୟ ଥାଇ ମଧ୍ୟ ଗତ ୨୫ ବର୍ଷ ମଧ୍ୟରେ ମନ୍ଦିର ପରିସରରେ ନଗଦ ଟଙ୍କା, ଅଳଙ୍କାର ଏବଂ ପ୍ରାଚୀନ ମୂର୍ତ୍ତି ଚୋରି ହେବାର ଅତିକମରେ ୭ଟି ମାମଲା ସାମ୍ନାକୁ ଆସିଛି। ଗତ ୭ ଫେବୃଆରୀ ୨୦୨୪ରେ ମନ୍ଦିରର ଜଣେ କିରାଣି ପ୍ରଦୀପ କୁମାର ମହାପାତ୍ର ଦାନ ଟଙ୍କା ଗଣତି ସମୟରେ ୩୧,୯୪୦ ଟଙ୍କା ନିଜ ପକେଟରେ ଲୁଚାଉଥିବା ବେଳେ ସିସିଟିଭିରେ ଧରାପଡ଼ି ଗିରଫ ହୋଇଥିଲେ। ସେହିପରି ୨୦୨୩ ମସିହା ଜୁଲାଇ ମାସରେ ଜଣେ ପିଅନ ୮୦୦ ଟଙ୍କା ଚୋରି କରିବା ଏବଂ ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟ୍ କରିବା ଅଭିଯୋଗରେ ଦୁଇଜଣ ବାହାର ଲୋକଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ୨୦୧୬ ଏବଂ ୨୦୧୯ ମସିହାରେ ମଧ୍ୟ ଗଣତି କର୍ମଚାରୀଙ୍କ ଦ୍ୱାରା ଟଙ୍କା ଚୋରି ଏବଂ ରାମ ମନ୍ଦିର ଉପ-ମନ୍ଦିରରୁ ଟଙ୍କା ଗାଏବ ହେବା ଭଳି ଘଟଣା ଘଟିଛି। କେବଳ ନଗଦ ଟଙ୍କା ନୁହେଁ, ୨୦୧୧ ମସିହାରେ ବାଟ ଗଣେଶ ମନ୍ଦିରରୁ ରୁପା ଅଳଙ୍କାର ଏବଂ ପୁରାତନ ମୂର୍ତ୍ତି ଚୋରିର ଇତିହାସ ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥାର ତ୍ରୁଟିକୁ ଦର୍ଶାଉଛି।
କିଭଳି ହୁଏ ଗଣତି ଏବଂ କେଉଁଠି ରହୁଛି ତ୍ରୁଟି ?

ତିରୁପତି, ଅଯୋଧ୍ୟା କିମ୍ବା ପୁରୀ ଭଳି ବଡ଼ ବଡ଼ ମନ୍ଦିରରେ ଦାନ ଗଣତି ପାଇଁ ଏକ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପ୍ରକୋଷ୍ଠ ଥାଏ, ଯାହା ସମ୍ପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରହିଥାଏ। ଏଥିରେ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ପ୍ରତିନିଧି ଏବଂ ସେବାୟତମାନେ ସାମିଲ ହୁଅନ୍ତି। ବର୍ତ୍ତମାନ ଟଙ୍କା ଗଣିବା ପାଇଁ ଆଧୁନିକ ମେସିନର ବ୍ୟବହାର ମଧ୍ୟ କରାଯାଉଛି। ଏସବୁ ସତ୍ତ୍ୱେ ଯେତେବେଳେ କର୍ମଚାରୀମାନେ ନିଜ ପକେଟରେ ଟଙ୍କା ଲୁଚାନ୍ତି କିମ୍ବା ମନ୍ଦିର ବାହାରେ ବେଆଇନ କ୍ୟୁଆର କୋଡ୍ ଲଗାଇ ଭକ୍ତଙ୍କ ଆସ୍ଥା ସହ ଖେଳାଯାଏ, ସେତେବେଳେ ସମଗ୍ର ବ୍ୟବସ୍ଥା ଫେଲ୍ ମାରିଥାଏ। ବିଶେଷଜ୍ଞଙ୍କ ମତରେ, କେବଳ ସିସିଟିଭି କ୍ୟାମେରା ଲଗାଇଦେଲେ ଦୁର୍ନୀତି ରୋକାଯାଇପାରିବ ନାହିଁ, ବରଂ ଲାଇଭ୍ ମନିଟରିଂ, କଡ଼ା ପ୍ରଶାସନିକ ଯାଞ୍ଚ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ଭକ୍ତମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ରତିଟି ପଇସାର ସଦୁପଯୋଗ ଠାକୁରଙ୍କ ସେବାରେ ହୋଇପାରିବ।


