୨୦୦୮ ମସିହା ନଭେମ୍ବର ୨୬ ତାରିଖ। ମୁମ୍ବାଇ ସହର ଉପରେ ହୋଇଥିବା ସେହି ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣକୁ ଭାରତବାସୀ କେବେହେଲେ ଭୁଲିପାରିବେ ନାହିଁ। ଭାରତର ଆର୍ଥିକ ରାଜଧାନୀକୁ ରକ୍ତରଞ୍ଜିତ କରିବାର ସେହି ପାକିସ୍ତାନୀ କ୍ରୂରତା କେବଳ ଏକ ସାଧାରଣ ଆତଙ୍କବାଦୀ ହମଲା ନଥିଲା। ଏହା ପଛରେ ଲୁଚି ରହିଥିଲା ଏକ ବିରାଟ, ଗଭୀର ଏବଂ ବିପଜ୍ଜନକ ଆନ୍ତର୍ଜାତୀକ ଷଡ଼ଯନ୍ତ୍ର। ଏକ ଏଭଳି ଷଡ଼ଯନ୍ତ୍ର, ଯାହାର ଉଦ୍ଦେଶ୍ୟ ଥିଲା ଭାରତର ବହୁସଂଖ୍ୟକ ହିନ୍ଦୁ ସମାଜ ଏବଂ ଏକ ନିର୍ଦ୍ଦିଷ୍ଟ ସାଂସ୍କୃତିକ ସଂଗଠନକୁ ସାରା ବିଶ୍ୱ ଦରବାରରେ ‘ଆତଙ୍କବାଦୀ’ ବୋଲି ପ୍ରମାଣିତ କରିବା। ଏହି ଷଡ଼ଯନ୍ତ୍ର ସୀମା ପାର୍ରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (LeT) ମିଶି ରଚିଥିଲେ। କିନ୍ତୁ ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି, ଭାରତ ଭିତରେ ଥିବା କିଛି ତତ୍କାଳୀନ ରାଜନୈତିକ ମହତ୍ତ୍ୱାକାଂକ୍ଷା ଏବଂ ଭୋଟ୍-ବ୍ୟାଙ୍କ ରାଜନୀତି, ଜାଣତରେ ହେଉ କିମ୍ବା ଅଜାଣତରେ, ଏହି ପାକିସ୍ତାନୀ ଏଜେଣ୍ଡାକୁ ଅକ୍ସିଜେନ୍ ଯୋଗାଇବାର କାମ କରିଥିଲା। ଆଜି ‘ଦେଶଦର୍ପଣ’ର ଏହି ସ୍ୱତନ୍ତ୍ର ବିଶ୍ଳେଷଣରେ ଆମେ ସେହି ଲୁକ୍କାୟିତ ସତ୍ୟକୁ ପଦାରେ ପକାଇବୁ, ଯାହାକୁ ଇତିହାସର ପୃଷ୍ଠାରେ ଚାପି ଦେବାକୁ ଚେଷ୍ଟା କରାଯାଇଛି।
ଏହି ପୂରା ବିଷୟର ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆ। ସେ ତାଙ୍କ ଆତ୍ମଜୀବନୀ ‘Let Me Say It Now’ ରେ ଲେଖିଛନ୍ତି ଯେ, ପାକିସ୍ତାନ ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ‘ହିନ୍ଦୁ ଉଗ୍ରବାଦ’ କିମ୍ବା ‘ସାଫ୍ରନ୍ ଟେରର୍’ (Safrom Terror) ର ରୂପ ଦେବାକୁ ଚାହୁଁଥିଲା। ଏଥିପାଇଁ ଲସ୍କରର ଆକାମାନେ ଏକ ବଡ଼ ଲଜିଷ୍ଟିକ୍ସ ଏବଂ ଆଇଡେଣ୍ଟିଟି ପ୍ଲାନ୍ (Identity Plan) ପ୍ରସ୍ତୁତ କରିଥିଲେ।
ଆକ୍ରମଣ ପାଇଁ ଆସିଥିବା ସମସ୍ତ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହିନ୍ଦୁ ପରିଚୟ ଦିଆଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଜୀବନ୍ତ ଧରାପଡ଼ିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ ଆମିର କସାବ ପାଖରୁ ହାଇଦ୍ରାବାଦର ଏକ କଲେଜର ନକଲି ପରିଚୟ ପତ୍ର ମିଳିଥିଲା। ସେହି ଆଇଡି କାର୍ଡରେ କସାବର ନାମ ଲେଖାଯାଇଥିଲା ‘ସମୀର ଦିନେଶ ଚୌଧୁରୀ’। କେବଳ ସେତିକି ନୁହେଁ, ସେହି ସମସ୍ତ ୧୦ ଜଣ ଆତଙ୍କବାଦୀଙ୍କ ହାତରେ ହିନ୍ଦୁମାନଙ୍କର ପବିତ୍ର ଲାଲ୍ ସୂତା ବା ‘କଲାବା’ ବନ୍ଧା ହୋଇଥିଲା।
ଏହି ସାଜିଶ୍ର ଅସଲ ଉଦ୍ଦେଶ୍ୟ କ’ଣ ଥିଲା, ତାହାକୁ ଟିକେ ଗଭୀରତାର ସହ ବୁଝନ୍ତୁ। ଯଦି ମୁମ୍ବାଇ ଏନକାଉଣ୍ଟରରେ ସମସ୍ତ ୧୦ଜଣ ଯାକ ଆତଙ୍କବାଦୀ ମାରିଦିଆଯାଇଥାନ୍ତେ, ତେବେ ସେମାନଙ୍କ ଶରୀରରୁ ମିଳିଥିବା ସେହି ଲାଲ୍ ସୂତା ଏବଂ ନକଲି ହିନ୍ଦୁ ପରିଚୟ ପତ୍ର ଆଧାରରେ ପାକିସ୍ତାନ ସାରାବିଶ୍ୱ ଆଗରେ ଚିତ୍କାର କରି କହିଥାନ୍ତା ଯେ, ମୁମ୍ବାଇ ଆକ୍ରମଣ ପଛରେ ଭାରତୀୟ ହିନ୍ଦୁ ଏବଂ RSS ର ହାତ ରହିଛି। ଏହା ସହିତ ଆକ୍ରମଣ ସମୟରେ ‘ଡେକାନ୍ ମୁଜାହିଦ୍ଦିନ୍’ ନାମକ ଏକ କାଳ୍ପନିକ, ନକଲି ସଂଗଠନ ଜରିଆରେ ଇମେଲ୍ ପଠାଯାଇଥିଲା, ଯଦ୍ୱାରା ଏହା ପ୍ରମାଣିତ କରାଯାଇପାରିବ ଯେ ଏହା ଭାରତର ଏକ ଆଭ୍ୟନ୍ତରୀଣ ମାମଲା ଏବଂ ଏଥିରେ ପାକିସ୍ତାନର କୌଣସି ସମ୍ପୃକ୍ତି ନାହିଁ। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISI ଯେଉଁ ନେରେଟିଭ୍କୁ ସୀମା ସେପାରିରୁ ଭାରତ ଉପରେ ଲଦିବାକୁ ଚାହୁଁଥିଲା, ଦୁର୍ଭାଗ୍ୟବଶତଃ ଭାରତ ଭିତରେ ଥିବା କିଛି ରାଜନୈତିକ ଦଳ ଏବଂ ନେତା ନିଜର ସଂକୀର୍ଣ୍ଣ ରାଜନୀତି ପାଇଁ ସେହି ନେରେଟିଭ୍କୁ ଏକ ବୈଧାନିକ ରୂପ ଦେବାକୁ ଆରମ୍ଭ କରିଦେଇଥିଲେ।
୨୦୦୮ମସିହା ପରଠାରୁ ହିଁ କଂଗ୍ରେସ ଏବଂ ତତ୍କାଳୀନ UPA ସରକାର ଭିତରୁ ‘ହିନ୍ଦୁ ଆତଙ୍କବାଦ’ କିମ୍ବା ‘ଗୈରିକ ଆତଙ୍କବାଦ’ (Saffron Terror) ଶବ୍ଦକୁ ପ୍ରତିଷ୍ଠିତ କରିବା ପାଇଁ ସଚେତନ ପ୍ରୟାସ ଆରମ୍ଭ ହୋଇଥିଲା। ୨୦୧୦ ମସିହାରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ ଦେଶର ଗୁପ୍ତଚର ଏବଂ ସୁରକ୍ଷା ମୁଖ୍ୟମାନଙ୍କର ଏକ ସରକାରୀ ବୈଠକରେ ପ୍ରଥମ ଥର ପାଇଁ ଦେଶ ଆଗରେ ‘ଗୈରିକ ଆତଙ୍କବାଦ’ର ଏକ ଭୟ ଆଣି ଠିଆ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏଥିପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
କେବଳ ସେତିକି ନୁହେଁ, ୨୦୧୦ ମସିହାରେ ୱିକିଲିକ୍ସ (WikiLeaks) ଦ୍ୱାରା ଲିକ୍ ହୋଇଥିବା ଆମେରିକୀୟ ଦୂତାବାସର ଏକ ଗୋପନୀୟ ଦସ୍ତାବିଜ୍ରୁ ଜଣାପଡ଼ିଥିଲା ଯେ, ୨୦୦୯ ମସିହାରେ ରାହୁଲ ଗାନ୍ଧୀ ଭାରତରେ ଥିବା ଆମେରିକାର ରାଜଦୂତ ତିମୋଥି ରୋମରଙ୍କୁ କହିଥିଲେ ଯେ, ଭାରତକୁ ଲସ୍କର-ଇ-ତୋଇବା ଭଳି ଇସଲାମିକ ସଂଗଠନଗୁଡ଼ିକ ଅପେକ୍ଷା ଦେଶରେ ଗଢ଼ି ଉଠୁଥିବା କଟ୍ଟର ହିନ୍ଦୁ ସଂଗଠନଗୁଡ଼ିକ ପ୍ରତି ଅଧିକ ବିପଦ ରହିଛି।
ଏହି ରାଜନୈତିକ ଖେଳ ଏତିକିରେ ଅଟକି ନଥିଲା। କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ମୁମ୍ବାଇ ଆକ୍ରମଣରେ ଶହୀଦ ହୋଇଥିବା ATS ମୁଖ୍ୟ ହେମନ୍ତ କରକରେଙ୍କ ବଳିଦାନକୁ RSS ସହିତ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ସେ ଅଜିଜ୍ ବର୍ଣ୍ଣିଙ୍କ ଏକ ବିବାଦୀୟ ବହି “26/11 RSS Ki Saazish” କୁ ଏକ ସାଧାରଣ ମଞ୍ଚରୁ ଉନ୍ମୋଚନ କରିଥିଲେ। ଏହି ବହିଟି ପାକିସ୍ତାନର ମିଛ ପ୍ରୋପାଗାଣ୍ଡାକୁ ସିଧାସଳଖ ଭାରତ ଭିତରେ ଏକ ରାଜନୈତିକ ଢାଲ ଯୋଗାଇ ଦେଇଥିଲା।
ଏହି ନେରେଟିଭ୍ର ସବୁଠାରୁ ବିପଜ୍ଜନକ ରୂପ ଦେଖିବାକୁ ମିଳିଥିଲା ୨୦୧୩ ମସିହା ଜାନୁଆରୀରେ ଜୟପୁରଠାରେ ଆୟୋଜିତ କଂଗ୍ରେସର ଚିନ୍ତନ ଶିବିରରେ। ସେଠାରେ ଭାରତର ତତ୍କାଳୀନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ଦେଶର ସର୍ବୋଚ୍ଚ ଗୃହମନ୍ତ୍ରୀ ପଦରେ ଥାଇ ଏକ ଅତ୍ୟନ୍ତ ଦାୟିତ୍ୱହୀନ ବୟାନ ଦେଇ କହିଥିଲେ ଯେ– “ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ RSS ହେଉ କିମ୍ବା BJP, ଏମାନଙ୍କ ଟ୍ରେନିଂ କ୍ୟାମ୍ପଗୁଡ଼ିକ ହିନ୍ଦୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି। ଏହି ଲୋକମାନେ ସେଠାରେ ବୋମା ପ୍ଲାଣ୍ଟ କରୁଛନ୍ତି ଏବଂ ପରେ ସଂଖ୍ୟାଲଘୁମାନଙ୍କ ଉପରେ ଦୋଷ ଲଦି ଦେଉଛନ୍ତି।” ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ସର୍ବୋଚ୍ଚ ଅଧିକାରୀଙ୍କ ଏହି ବୟାନ ସିଧାସଳଖ ଭାରତର ବହୁସଂଖ୍ୟକ ଆବାଦୀ ଏବଂ ମୁଖ୍ୟ ବିରୋଧୀ ଦଳ ଉପରେ ଆତଙ୍କବାଦର ପରିଚୟ ଲଗାଇବା ସଦୃଶ ଥିଲା।
ଚତୁର୍ଦ୍ଦିଗରୁ ତୀବ୍ର ରାଜନୈତିକ ଏବଂ ସାମାଜିକ ଚାପ ପରେ ୨୦୧୩ ଫେବୃଆରୀରେ ସିନ୍ଦେଙ୍କୁ ସଂସଦରେ ବଜେଟ୍ ଅଧିବେଶନ ସୁଚାରୁରୂପେ ଚଲାଇବା ପାଇଁ ଲିଖିତ ଭାବେ ଦୁଃଖ ପ୍ରକାଶ କରିବାକୁ ପଡ଼ିଥିଲା। କିନ୍ତୁ ଯେଉଁ କ୍ଷତି ହେବାର ଥିଲା, ତାହା ସେତେବେଳକୁ ହୋଇସାରିଥିଲା। ଭାରତୀୟ ନେତା ଏବଂ ମନ୍ତ୍ରୀମାନଙ୍କର ଏହି ବୟାନଗୁଡ଼ିକର ସବୁଠାରୁ ବଡ଼ ସୁଯୋଗ ନେଲା ପାକିସ୍ତାନ। ବିଶ୍ୱ ଦରବାରରେ ଏକଘରକିଆ ହେଉଥିବା ପାକିସ୍ତାନକୁ ଏକ ବଡ଼ କୂଟନୈତିକ ସୁରକ୍ଷା କବଚ ମିଳିଗଲା। ଯେତେବେଳେ ବି ଭାରତ ମିଳିତ ଜାତିସଂଘ (UN) କିମ୍ବା ଅନ୍ୟାନ୍ୟ ଆନ୍ତର୍ଜାତୀକ ମଞ୍ଚରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ, ଯେପରିକି ଲସ୍କର ଏବଂ ଜୈଶ-ଇ-ମହମ୍ମଦ ବିରୋଧରେ ପ୍ରମାଣ ରଖୁଥିଲା, ପାକିସ୍ତାନ ଓଲଟା ସୁଶୀଲ କୁମାର ସିନ୍ଦେ, ପି. ଚିଦାମ୍ବରମ ଏବଂ ଦିଗ୍ବିଜୟ ସିଂହଙ୍କ ବୟାନକୁ ନିଜର ଆତ୍ମରକ୍ଷାର ଅସ୍ତ୍ର ବନାଉଥିଲା। ପାକିସ୍ତାନର ସିଧାସଳଖ ଯୁକ୍ତି ଥିଲା ଯେ, ଆତଙ୍କବାଦ ଆମର ରପ୍ତାନି ନୁହେଁ; ବରଂ ନିଜେ ଭାରତର ଗୃହମନ୍ତ୍ରୀ କହୁଛନ୍ତି ଯେ ସେମାନଙ୍କ ଦେଶରେ ହିନ୍ଦୁ ଆତଙ୍କବାଦର କ୍ୟାମ୍ପ ଚାଲିଛି।
କିନ୍ତୁ ଏହି ପୂରା ଆନ୍ତର୍ଜାତୀକ ଏବଂ ଘରୋଇ ସାଜିଶ୍ କେବଳ ଜଣେ ବୀର ଭାରତୀୟ ସୈନିକଙ୍କ ଅଦମ୍ୟ ସାହସ ଏବଂ ସର୍ବୋଚ୍ଚ ବଳିଦାନ ଯୋଗୁଁ ଧୂଳିସାତ୍ ହୋଇଗଲା। ସେ ହେଉଛନ୍ତି ମୁମ୍ବାଇ ପୋଲିସର ସହକାରୀ ଉପ-ନିରୀକ୍ଷକ (ASI) ତୁକାରାମ ଓମ୍ବଲେ। ଚୌପାଟୀଠାରେ ତୁକାରାମ ଓମ୍ବଲେ ନିଜ ଜୀବନକୁ ବାଜି ଲଗାଇ କସାବର ଆସଲ୍ଟ ରାଇଫଲ୍ (Assault Rifle) ର ବ୍ୟାରେଲକୁ ନିଜ ହାତରେ ଜାବୁଡ଼ି ଧରିଥିଲେ। ସେ ନିଜ ଛାତିରେ କସାବର ଗୁଳିଗୁଡ଼ିକୁ ସହିଗଲେ, କିନ୍ତୁ ତାକୁ ଜୀବନ୍ତ ଧରାଇବାରେ ସଫଳ ହେଲେ। କସାବ ଜୀବନ୍ତ ଧରାପଡ଼ିବା ହିଁ ଏହି ସମ୍ପୂର୍ଣ୍ଣ ମିଛ ଥିଓରୀର ସବୁଠାରୁ ବଡ଼ ଟର୍ନିଂ ପଏଣ୍ଟ (Turning Point) ସାବ୍ୟସ୍ତ ହେଲା।
ଯଦି କସାବ ସେଦିନ ଜୀବନ୍ତ ଧରାପଡ଼ି ନଥାନ୍ତା, ତେବେ ସେ ସମୀର ଚୌଧୁରୀ ହୋଇ ମରିଥାନ୍ତା ଏବଂ ପାକିସ୍ତାନ ସହିତ ଭାରତର କିଛି ରାଜନୈତିକ ଦଳ ଦେଶର ବହୁସଂଖ୍ୟକ ସମାଜ ମୁଣ୍ଡରେ ସବୁଦିନ ପାଇଁ ୨୬/୧୧ ର କଳଙ୍କ ଲଗାଇ ଦେଇଥାନ୍ତେ। କସାବ ଜୀବନ୍ତ ରହିବା ଯୋଗୁଁ ତାର ପାକିସ୍ତାନୀ ନାଗରିକତା (ଫରିଦକୋଟ୍ ବାସିନ୍ଦା) ହେବାର ଅକାଟ୍ୟ ପ୍ରମାଣ, ତାର ସ୍ୱୀକାରୋକ୍ତି ଏବଂ ISI ର ହ୍ୟାଣ୍ଡଲର୍ସମାନଙ୍କ ଭଏସ୍ ସାମ୍ପଲ୍ ସାରା ବିଶ୍ୱ ଆଗକୁ ଆସିଗଲା। କସାବର ଏହି ବୟାନ ସୀମା ପାର୍ର ଆକାମାନଙ୍କ ମିଛକୁ ତ ପଦାରେ ପକାଇଲା, ତା’ ସହିତ ଭାରତ ଭିତରେ ଭୋଟ୍ ବ୍ୟାଙ୍କ ପାଇଁ ‘ହିନ୍ଦୁ ଆତଙ୍କବାଦ’ର ନେରେଟିଭ୍ ତିଆରି କରୁଥିବା ରାଜନୈତିକ ଚେହେରାଗୁଡ଼ିକୁ ମଧ୍ୟ ଇତିହାସର କାଠଗଡ଼ାରେ ଠିଆ କରିଦେଲା।
ଏହା ହେଉଛି ସେହି ସତ୍ୟ, ଯାହାକୁ ବହୁ ସମୟରେ ଆମ ସାମ୍ନାକୁ ଆସିବାକୁ ଦିଆଯାଏ ନାହିଁ। ଭାରତର ସୁରକ୍ଷା ଏବଂ ସଂସ୍କୃତିକୁ ରାଜନୀତିର ଦାଉରୁ ରକ୍ଷା କରିବା ପାଇଁ ଏହି ସତ୍ୟକୁ ଜାଣିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିହାତି ଜରୁରୀ।
AlsoRead; https://purvapaksa.com/is-it-the-divine-right-of-the-gandhi-nehru-family-to-rule-india/


