ଆପଣମାନେ ପିଲାଦିନେ ଗାଁ ଗହଳିରେ, ଆଈ ମା’ ମୁହଁରୁ ‘ମିଛୁଆ ରାଧୁଆ’ର ଉପାଖ୍ୟାନ ନିଶ୍ଚୟ ଶୁଣିଥିବେ। ସେହି ରାଧୁଆ କଥା ମନେ ଅଛି ନା? ଯିଏ ବଣକୁ ଗୋରୁ ଚରାଇବାକୁ ଯାଇ କେବଳ ମଜା ଦେଖିବା ପାଇଁ, ନିଜର ଆତ୍ମସନ୍ତୋଷ ପାଇଁ ବାରମ୍ବାର ମିଛ କହି ଗାଁ ଲୋକଙ୍କୁ ଡାକୁଥିଲା— “ବାଘ ଆସିଲା… ବାଘ ଆସିଲା!” ଗାଁ ଲୋକେ ନିଜ ହାତର କାମଛାଡ଼ି ଦୌଡ଼ି ଆସୁଥିଲେ ତାକୁ ବଞ୍ଚାଇବା ପାଇଁ, ହେଲେ ଶେଷରେ ଜାଣିବାକୁ ପାଉଥିଲେ ଯେ ରାଧୁଆ ସେମାନଙ୍କୁ ଭୂଆଁ ବୁଲାଇଛି। କିନ୍ତୁ ଦିନେ ସତସତ ତା’ ଉପରକୁ ବିପଦ ଆସିଲା, ସତରେ ବାଘ ବାହାରିଲା। ରାଧୁଆ ଚିତ୍କାର କଲା, କାନ୍ଦିଲା, ନେହୁରା ହେଲା, ହେଲେ ଗାଁ ଲୋକେ ଭାବିଲେ— ଏ ସେହି ମିଛୁଆ ରାଧୁଆ, ସେ ପୁଣିଥରେ ମିଛ କହୁଛି! ଶେଷରେ କେହି ତାକୁ ବିଶ୍ୱାସ କଲେ ନାହିଁ ଏବଂ ତା’ର ପରିଣତି କ’ଣ ହେଲା, ତାହା ଆପଣ ସମସ୍ତେ ଜାଣନ୍ତି।
ଆଜି ଓଡ଼ିଶା ରାଜନୀତିର ଚିତ୍ରପଟକୁ ଦେଖିଲେ ଠିକ୍ ସେଭଳି ଏକ ଅଜବ ସ୍ଥିତି ସୃଷ୍ଟି ହୋଇଛି ବୋଲି ଅନୁଭବ ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ କୌଣସି ବିରୋଧୀ ଦଳ ଶାସକ ଦଳକୁ ଏଭଳି ଆକ୍ଷେପ କରୁନାହାନ୍ତି, ବରଂ ଶାସକ ବିଜେପି ଦଳର ନେତା, ମନ୍ତ୍ରୀ ଏବଂ ରାଜ୍ୟ ପ୍ରଭାରୀମାନଙ୍କର ଗୋଟିଏ ପରେ ଗୋଟିଏ କାର୍ଯ୍ୟକଳାପ, ଗୋଟିଏ ପରେ ଗୋଟିଏ ବୟାନବାଜିକୁ ଦେଖି ଏବେ ଓଡ଼ିଶାର ସାଧାରଣ ଜନତା ଏବଂ ନିଜ ଦଳର ଦିନରାତି ଖଟୁଥିବା ତୃଣମୂଳ ସ୍ତରର କର୍ମୀମାନେ ମଧ୍ୟ ଏହି ନେତାମାନଙ୍କୁ ‘ମିଛୁଆ ରାଧୁଆ’ ସହିତ ତୁଳନା କରିବା ଆରମ୍ଭ କଲେଣି।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ— ପ୍ରତିମାସରେ, ପ୍ରତି ସପ୍ତାହରେ କେବଳ ବଡ଼ ବଡ଼ ବୟାନବାଜି ଚାଲିଛି। ତାରିଖ ପରେ ତାରିଖ ବଦଳୁଛି, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରାଯାଉଛି, କିନ୍ତୁ ବାସ୍ତବ ଗ୍ରାଉଣ୍ଡ ଜିରୋରେ କୌଣସି କାର୍ଯ୍ୟ ହେଉନାହିଁ।
ରାଜ୍ୟର ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଚାଲିଥିବା ମହାଭାରତ ବିଷୟରେ। ଗତକାଲି ରାଜ୍ୟର ସମ୍ମାନିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ଆଗରେ ବଡ଼ ଗର୍ବର ସହ, ଅତି ଆତ୍ମବିଶ୍ୱାସର ସହ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ଚଳିତ ମାସରେ ହିଁ ସମସ୍ତ ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ।”
କିନ୍ତୁ ଓଡ଼ିଶାର ଜନସାଧାରଣ ଏବଂ ନିଜେ ବିଜେପିର ଆଶାୟୀ ନେତାମାନେ ପ୍ରଶ୍ନ କରୁଛନ୍ତି— ଏହା କ’ଣ ପ୍ରଥମ ଥର ପାଇଁ କୁହାଯାଉଛି? ବିଲକୁଲ୍ ନୁହେଁ। ଏହା ପୂର୍ବରୁ ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଓଡ଼ିଶା ଆସି ସମାନ କଥା କହିଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ବାରମ୍ବାର ଦିଲ୍ଲୀରୁ ଫେରି ଏହି ସମାନ ଆଶ୍ୱାସନା ଦେଇଛନ୍ତି। ଆଉ ବରିଷ୍ଠ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ସାରିଛନ୍ତି।
ପ୍ରତିଥର କ୍ୟାମେରା ସାମ୍ନାକୁ ଆସିଲେ ଏହି ଶୀର୍ଷ ନେତୃତ୍ୱ କୁହନ୍ତି— “ଏହି ମାସରେ ହେବ, ଆସନ୍ତା ସପ୍ତାହରେ ପକ୍କା ହେବ, ଖାଲି ତାଲିକା ଆସିବା ବାକି ଅଛି।” କିନ୍ତୁ ଜନସାଧାରଣ ପଚାରୁଛନ୍ତି, ସେହି ଶୁଭ ସପ୍ତାହ କିମ୍ବା ସେହି ଭାଗ୍ୟଶାଳୀ ମାସ ଓଡ଼ିଶା କ୍ୟାଲେଣ୍ଡରକୁ କେବେ ଆସିବ? ଦଳ ପାଇଁ ନିଜର ରକ୍ତ ଓ ଝାଳ ବୁହାଇ, ଖରା-ବର୍ଷାକୁ ଖାତିର ନକରି ଦିନରାତି କାମ କରୁଥିବା ଆଶାୟୀ ନେତା ଓ କର୍ମୀମାନେ ଏବେ ଘୋର ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ମନ୍ତ୍ରୀ ଓ ପ୍ରଭାରୀମାନଙ୍କର ଏହି ବାରମ୍ବାର ତାରିଖ ବଦଳାଇବା ନୀତି ଯୋଗୁଁ ଏବେ ଦଳ ଭିତରେ ହିଁ ବିଦ୍ରୋହ ଓ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ କଲାଣି। ନିଜ କର୍ମୀମାନେ ହିଁ ଆଜି ନିଜ ନେତାମାନଙ୍କ ପଛରେ ସେମାନଙ୍କୁ ‘ମିଛୁଆ ରାଧୁଆ’ ବୋଲି ଆକ୍ଷେପ କରିବାକୁ ପଛାଉ ନାହାନ୍ତି।
ରାଜ୍ୟର ଅତି ପ୍ରଭାବଶାଳୀ ଅବକାରୀ, ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଟ୍ରାକ୍ ରେକର୍ଡ। ସରକାରୀ ସ୍ତରରେ ବଡ଼ ବଡ଼ ଘୋଷଣା କରିବାରେ ଏବଂ ତାହାକୁ ବାସ୍ତବରେ କାର୍ଯ୍ୟକାରୀ ନ କରିବାରେ ବୋଧହୁଏ ମନ୍ତ୍ରୀ ମହୋଦୟ ସବୁଠାରୁ ଆଗରେ ଅଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥାକୁ ଉଚ୍ଛେଦ କରିବା କିମ୍ବା ଶୃଙ୍ଖଳିତ କରିବା ନେଇ ସେ କେତେଥର ଯେ ବୟାନ ଦେଇଛନ୍ତି ଏବଂ ତାରିଖ ବଦଳାଇଛନ୍ତି, ତାର କୌଣସି ସଠିକ୍ ହିସାବ ସାଧାରଣ ଜନତାଙ୍କ ପାଖରେ ନାହିଁ।
ଠିକ୍ ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନଅଳଙ୍କାର ଗଣତିମଣତି ପ୍ରସଙ୍ଗକୁ ଦେଖନ୍ତୁ। ମନ୍ତ୍ରୀ ପ୍ରତି ସପ୍ତାହରେ ନୂଆ ନୂଆ ତାରିଖ ଦେଉଥିଲେ। ଆଜି ହେବ, କାଲି ହେବ, କମିଟି ବସିବ। ଓଡ଼ିଶାର ଜନସାଧାରଣ ଜାଣନ୍ତି, ଯଦି ଓଡ଼ିଶା ହାଇକୋର୍ଟ ଏହି ସମ୍ବେଦନଶୀଳ ମାମଲାରେ ସ୍ପଷ୍ଟ ହସ୍ତକ୍ଷେପ କରିନଥାନ୍ତେ, ତେବେ ମନ୍ତ୍ରୀଙ୍କର ଏହି ତାରିଖ ବଦଳାଇବା ଖେଳ ଯୋଗୁଁ ରତ୍ନଭଣ୍ଡାର ଆଜି ସୁଦ୍ଧା ଖୋଲିପାରିନଥାନ୍ତା କି ଅଳଙ୍କାର ଗଣତି ପ୍ରକ୍ରିୟା ଆଗକୁ ବଢ଼ିପାରିନଥାନ୍ତା।
କେବଳ ଏତିକି ନୁହେଁ, ଆଇନ ଶୃଙ୍ଖଳା ଓ ଅବକାରୀ ବିଭାଗର ସଫଳତା ଦେଖନ୍ତୁ— ଗଞ୍ଜାମ ଜିଲ୍ଲାର ଚିକିଟିରେ ଘଟିଥିବା ବହୁ ଚର୍ଚ୍ଚିତ ମଦମୃତ୍ୟୁ ମାମଲାକୁ ନେଇ ମନ୍ତ୍ରୀ ହରିଚନ୍ଦନ ଗଣମାଧ୍ୟମ ଆଗରେ ଛାତି ଫୁଲାଇ ବଡ଼ ବଡ଼ ବକ୍ତବ୍ୟ ଦେଇଥିଲେ। ସେ ସାରା ଓଡ଼ିଶାକୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ହେବ ଏବଂ ଦୋଷୀଙ୍କୁ ଏଭଳି କଡ଼ା ସଜା ମିଳିବ ଯେଉଁଥିରେ ଆଗକୁ କେହି ଏମିତି ଅପରାଧ କରିବାକୁ ସାହସ କରିବେନି। କିନ୍ତୁ ବାସ୍ତବତା କ’ଣ ଜାଣନ୍ତି? ଆଜି ପର୍ଯ୍ୟନ୍ତ ସେହି ଉଚ୍ଚସ୍ତରୀୟ ତଦନ୍ତର ରିପୋର୍ଟ ତ ଦୂରର କଥା, ତଦନ୍ତ କୁଆଡ଼େ ସଠିକ୍ ଭାବେ ଆରମ୍ଭ ହିଁ ହୋଇପାରିନାହିଁ। ପ୍ରଶ୍ନ ଉଠୁଛି, ଏହା କ’ଣ ଓଡ଼ିଶାର ଜନସାଧାରଣଙ୍କ ଆଖିରେ ଧୂଳି ଦେବା ଭଳି ନୁହେଁ? ଏହା କ’ଣ ‘ମିଛୁଆ ରାଧୁଆ’ର ରାଜନୈତିକ ସଂସ୍କରଣ ନୁହେଁ?
ଆଜ୍ଞା, କଥା ଏତିକିରେ ସରିନାହିଁ। ଆମ ସରକାରରେ ଆଉ ଜଣେ ବଡ଼ କୁହାଳିଆ ମନ୍ତ୍ରୀ ଅଛନ୍ତି, ସେ ହେଉଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀମାନଙ୍କ ସମସ୍ୟା ଏବଂ ମଣ୍ଡିରୁ ଧାନ ଉଠାଇବା ନେଇ ସେ ପ୍ରତିଦିନ ସକାଳେ ଓ ସଞ୍ଜରେ ଗଣମାଧ୍ୟମ ସାମ୍ନାକୁ ଆସି ବଡ଼ ବଡ଼ ବିବୃତି ଦେଉଛନ୍ତି। ହେଲେ ବାସ୍ତବ ଚିତ୍ର ଦେଖିଲେ ଆପଣଙ୍କ ଆଖିରୁ ଲୁହ ଚାଲିଆସିବ। ମଣ୍ଡିରେ ଆଜି ବି ଓଡ଼ିଶାର ଗରିବ ଚାଷୀ ଶୀତ, କାକର ଓ ଖରାରେ ହନ୍ତସନ୍ତ ହେଉଛି। ଧାନ ଠିକ୍ ସମୟରେ ଉଠିପାରୁ ନାହିଁ, ମିଲରମାନଙ୍କ ଦାଦାଗିରି ଚାଲିଛି।
ସେହିପରି ନୂଆ ରାସନ କାର୍ଡ ପ୍ରସଙ୍ଗକୁ ଦେଖନ୍ତୁ। ରାସନ କାର୍ଡ ତନଖି ପ୍ରକ୍ରିୟା ଶେଷ ହେଲାଣି କି ନାହିଁ, କେତେ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଲେ ଏବଂ କେତେ ଯୋଗ୍ୟ ଗରିବ ଲୋକଙ୍କୁ ନୂଆ କାର୍ଡ ମିଳିଲା, ତାର କୌଣସି ସଠିକ୍ ଓ ସ୍ପଷ୍ଟ ହିସାବ ଆଜି ପର୍ଯ୍ୟନ୍ତ ନିଜେ ମନ୍ତ୍ରୀଙ୍କ ବିଭାଗ ପାଖରେ ମଧ୍ୟ ନାହିଁ। କେବଳ ଅନ୍ଧାରରେ ବାଡ଼ି ବୁଲା ଚାଲିଛି।
କିନ୍ତୁ ସବୁଠାରୁ ହାସ୍ୟାସ୍ପଦ ଏବଂ ଚର୍ଚ୍ଚିତ କଥା ହେଉଛି ଓଡ଼ିଶାର ‘ଆଳୁ ସଙ୍କଟ’। ଓଡ଼ିଶାରେ ଯେତେବେଳେ ଆଳୁ ଦର ଆକାଶଛୁଆଁ ହେଲା, ସେତେବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାରମ୍ବାର କହିଥିଲେ ଯେ ଓଡ଼ିଶାବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ, ଶସ୍ତାରେ ଆଳୁ ଯୋଗାଇ ଦେବା ପାଇଁ ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ‘ସ୍ୱତନ୍ତ୍ର ଟ୍ରେନ୍’ ଯୋଗେ ଆଳୁ ଓଡ଼ିଶା ଅଣାଯିବ। ମାସ ପରେ ମାସ ବିତିଗଲା, ଓଡ଼ିଶାର ଜନତା ଭାତ ସାଙ୍ଗକୁ ଆଳୁ ଟିକେ ଖାଇବାକୁ ଚାହିଁ ବସିଲେ, କିନ୍ତୁ ମନ୍ତ୍ରୀଙ୍କ ସେହି ଭର୍ତ୍ତି ଆଳୁ ବୋଝେଇ ଟ୍ରେନ୍ ଆଜି ପର୍ଯ୍ୟନ୍ତ ଓଡ଼ିଶା ଷ୍ଟେସନରେ ପହଞ୍ଚିପାରିଲା ନାହିଁ। ଏବେ ଓଡ଼ିଶାର ସାଧାରଣ ଲୋକେ ହସୁଛନ୍ତି ଏବଂ ବଜାରରେ ପରିବା କିଣିବା ବେଳେ ପରସ୍ପରକୁ ବ୍ୟଙ୍ଗ କରି ପଚାରୁଛନ୍ତି— “ମନ୍ତ୍ରୀ ମହୋଦୟ, ସେହି ଆଳୁ ଟ୍ରେନ୍ଟି ବୋଧହୁଏ ବାଟରେ କେଉଁଠି ଅଟକି ଯାଇଛି କିମ୍ବା ଲାଇନ୍ ଚ୍ୟୁତ ହୋଇ କେଉଁଆଡ଼େ ଚାଲିଯାଇଛି?”
ଓଡ଼ିଶାର ଭବିଷ୍ୟତ ଅର୍ଥାତ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ବିଷୟରେ, ଯାହା ସବୁଠାରୁ ଚିନ୍ତାଜନକ। ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ପିଲାମାନଙ୍କୁ ଶିକ୍ଷିତ କରିବା ପରିବର୍ତ୍ତେ ବୋଧହୁଏ ଭ୍ରମିତ ଓ ମୂର୍ଖ କରିବାକୁ ବସିଛନ୍ତି। ନିକଟରେ ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍ ଥିବା ସାମ୍ନାକୁ ଆସିଥିଲା। ଏହାକୁ ନେଇ ସ୍ୱୟଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତା ପ୍ରକାଶ କରି କହିଲେ ଯେ, ସେହି ଭୁଲ୍ ଥିବା ବହିଗୁଡ଼ିକୁ ତୁରନ୍ତ ବଜାର ଓ ସ୍କୁଲରୁ ପ୍ରତ୍ୟାହାର କରାଯିବ।
କିନ୍ତୁ ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ସେହି ସରକାରର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମ ଆଗରେ କହୁଛନ୍ତି ଯେ ବହି ପ୍ରତ୍ୟାହାର ହେବ ନାହିଁ! ଓଡ଼ିଶାବାସୀ ବୁଝିପାରୁ ନାହାନ୍ତି, ସରକାରଙ୍କ ଭିତରେ ଏଭଳି ଦ୍ୱନ୍ଦ୍ୱ କାହିଁକି? ମୁଖ୍ୟମନ୍ତ୍ରୀଙ୍କ କଥା ବଡ଼ ନା ସ୍କୁଲ ଗଣଶିକ୍ଷା ମନ୍ତ୍ରୀଙ୍କ କଥା ବଡ଼? ଏହି ଇଗୋ ଏବଂ ଦ୍ୱନ୍ଦ୍ୱ ଯୋଗୁଁ ରାଜ୍ୟର କୋଟି କୋଟି କୋମଳମତି ଶିଶୁ ଭୁଲ୍ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସମନ୍ୱୟହୀନ ମନ୍ତ୍ରୀଙ୍କ ଯୋଗୁଁ ଆମ ଶିକ୍ଷା ବ୍ୟବସ୍ଥା ଆଜି ରସାତଳକୁ ଯାଉଛି।
ଏସବୁ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚାରେ ଅଛନ୍ତି ରାଜ୍ୟର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗୋଟିଏ ପଟେ ରାଜ୍ୟ ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନା ପାଇଁ ପାଣ୍ଠିର ଅଭାବ ଦେଖାଉଛନ୍ତି, ଋଣ କରୁଛନ୍ତି। କିନ୍ତୁ ଅନ୍ୟପଟେ ଗତ ମାର୍ଚ୍ଚ ୨୦ ତାରିଖରେ ମନ୍ତ୍ରୀ, ଅଫିସର ଏବଂ ନିଜ ପସନ୍ଦର ସାମ୍ବାଦିକମାନଙ୍କୁ କେବଳ ପଖାଳ ଖୋଇବା ନାଁରେ ଉପମୁଖ୍ୟମନ୍ତ୍ରୀ ମହୋଦୟା ରାଜକୋଷରୁ, ଅର୍ଥାତ୍ ଓଡ଼ିଶା ଜନସାଧାରଣଙ୍କ ପକେଟରୁ ୨ କୋଟି ୩୨ ଲକ୍ଷ ଟଙ୍କା ଉଡ଼ାଇ ଦେଇଛନ୍ତି!
ଓଡ଼ିଶାର ଗରିବ ଜନସାଧାରଣଙ୍କ ଝାଳବୁହା ଟଙ୍କାରେ ଏଭଳି ବିଳାସ କେତେଦୂର ଯୁକ୍ତିଯୁକ୍ତ? ଯେଉଁ ସରକାରର ମନ୍ତ୍ରୀମାନେ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି, ବହି ଭୁଲ୍ ପଢ଼ାନ୍ତି, ଆଳୁ ଟ୍ରେନ୍ ବାଟରେ ହଜାଇ ଦିଅନ୍ତି ଏବଂ ପଖାଳ ଖାଇ କୋଟି କୋଟି ଟଙ୍କା ଉଡ଼ାନ୍ତି, ସେମାନେ ଓଡ଼ିଶାର କି ପ୍ରକାର ବିକାଶ ଓ ଉନ୍ନତି କରିବେ, ତାହା ଆପଣମାନେ ସହଜରେ ଅନୁମାନ କରିପାରୁଥିବେ।
AlsoRead; https://purvapaksa.com/cor-mandatory-for-opening-new-schools-check-rules/


