ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ରାଜନୈତିକ ବିବାଦ ଏବେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି। ଦଳର ସଂଗଠନ ଏବଂ ନେତୃତ୍ବ ଉପରେ ଦାବିକୁ ନେଇ ସୃଷ୍ଟି ହୋଇଥିବା ଏହି ଘମାସାନ ମଧ୍ୟରେ ଭାରତୀୟ ନିର୍ବାଚନ କମିଶନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କମିଶନ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ଗୋଷ୍ଠୀର ନେତା ଋତବ୍ରତ ବାନାର୍ଜୀଙ୍କୁ ନୋଟିସ୍ ଜାରି କରି ଆସନ୍ତା ଜୁଲାଇ ୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
![]()
ଦଳୀୟ ସଂଗଠନ ଓ ନିର୍ବାଚନ ଚିହ୍ନ ଉପରେ ଦାବି
ସୂତ୍ର ଅନୁଯାୟୀ, ଦଳରୁ ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବରେ ଗଠିତ ଏକ ବିଦ୍ରୋହୀ ଗୋଷ୍ଠୀ ଟିଏମସିର ମୂଳ ସଂଗଠନ ଏବଂ ଦଳୀୟ ନିର୍ବାଚନ ଚିହ୍ନ ଉପରେ ନିଜର ଅଧିକାର ଜାହିର କରି ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ଆବେଦନ ଆଧାରରେ କମିଶନ ଉଭୟ ପକ୍ଷଙ୍କୁ ଆଇନଗତ ନୋଟିସ୍ ପଠାଇ ନିଜ ନିଜର ପକ୍ଷ ରଖିବାକୁ କହିଛନ୍ତି। କମିଶନ ଉଭୟଙ୍କ ଦଲିଲ୍ ଓ ଯୁକ୍ତି ଶୁଣିବା ପରେ ହିଁ ଦଳର ବାସ୍ତବ ନିୟନ୍ତ୍ରଣ କାହା ହାତରେ ରହିବ, ସେ ନେଇ ପରବର୍ତ୍ତୀ ପ୍ରକ୍ରିୟା ସ୍ଥିର କରିବେ।
ବିଦ୍ରୋହୀ ଗୋଷ୍ଠୀ ଉପରେ ବର୍ଷିଲେ ଟିଏମସି ସାଂସଦ
ଏହି ଘଟଣା ସାମ୍ନାକୁ ଆସିବା ପରେ ତୃଣମୂଳ କଂଗ୍ରେସର ନେତୃତ୍ବ ବିଦ୍ରୋହୀ ଗୋଷ୍ଠୀ ଏବଂ ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟିଏମସିର ବରିଷ୍ଠ ସାଂସଦ ସୌଗତ ରାୟ କହିଛନ୍ତି ଯେ, “ଋତବ୍ରତ ବାନାର୍ଜୀଙ୍କୁ ବହୁ ପୂର୍ବରୁ ଦଳରୁ ବହିଷ୍କାର କରାଯାଇ ସାରିଛି। ତେଣୁ ଦଳର ପ୍ରତିନିଧିତ୍ବ କରିବା କିମ୍ବା କମିଶନଙ୍କ ସାମ୍ନାରେ ଦାବି ଉପସ୍ଥାପନ କରିବାର କୌଣସି ଆଇନଗତ ଅଧିକାର ତାଙ୍କର ନାହିଁ।” ଏଥିସହିତ ‘ନିର୍ବାଚନ କମିଶନ କେଉଁ ଆଧାରରେ ଏହି ବାଗୀ ଗୋଷ୍ଠୀକୁ ଆଲୋଚନା ପାଇଁ ଅନୁମତି ଦେଲେ’?, ସେ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ଦଳର ଅନ୍ୟ ଜଣେ ସାଂସଦ ସାଗରିକା ଘୋଷ ଏହି ବିଦ୍ରୋହୀ ଗୋଷ୍ଠୀକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି କହିଛନ୍ତି, “ଏହା କୌଣସି ସ୍ବୀକୃତିପ୍ରାପ୍ତ ସଂଗଠନ ନୁହେଁ। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ କେବଳ ଦଳର ଅଧିକୃତ ପ୍ରତିନିଧି କିମ୍ବା ମନୋନୀତ ବ୍ୟକ୍ତି ହିଁ କମିଶନଙ୍କ ସହ ଯୋଗାଯୋଗ କରିପାରିବେ। ଜଣେ ବହିଷ୍କୃତ ନେତାଙ୍କ ଦଳ କଦାପି ମୂଳ ଟିଏମସିର ପ୍ରତିନିଧିତ୍ବ କରିପାରିବ ନାହିଁ।” ଏହି ହାଇପ୍ରୋଫାଇଲ୍ ରାଜନୈତିକ ବିବାଦ ଏବେ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଦେଇଛି।


