ଯଦି ବର୍ତ୍ତମାନ ପଶ୍ଚିମବଙ୍ଗରେ ରହୁଥିବା ଅବୈଧ ବାଂଲାଦେଶୀମାନେ ସ୍ୱେଚ୍ଛାକୃତ ଭାବରେ ଫେରିବାକୁ ପସନ୍ଦ କରନ୍ତି, ତେବେ ବଙ୍ଗ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରିବ ନାହିଁ । ଗୁରୁବାର ଗାନ୍ଧୀନଗରରେ ଭାଷଣ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ‘ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପଛ କଥା, ପ୍ରଥମେ ସରକାର ପ୍ରକୃତରେ ଏପରି ଅବୈଧ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ସ୍ୱଦେଶ ଫେରାଇବାରେ ସହାୟତା କରିବ।’

‘ଯେଉଁମାନେ ଅବୈଧ ସେମାନେ ନିଜେ ଚାଲିଯିବା ଟା ଠିକ୍’
କେନ୍ଦ୍ର ଗୃହମନ୍ତ୍ରୀ ଦେଶରୁ ଅବୈଧ ଅନୁପ୍ରବେଶକାରୀଙ୍କୁ ‘ପତ୍ତାପନ, ଅଟକ ଏବଂ ନିର୍ବାସନ’ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଅମିତ ଶାହ ମନ୍ତବ୍ୟ ଦେଇଥିଲେ, “ଆଜି ଖବରକାଗଜଗୁଡ଼ିକ ରିପୋର୍ଟ କରୁଛନ୍ତି ଯେ ,ଅବୈଧ ଅନୁପ୍ରବେଶକାରୀମାନେ ନିଜେ ଫେରୁଛନ୍ତି । ବଙ୍ଗ ସରକାର ଅଟକ କେନ୍ଦ୍ର ସ୍ଥାପନ କରିଛନ୍ତି…”
“…ତଥାପି, ଆମେ ସମସ୍ତେ ଆଶା କରୁଛୁ ଯେ ଅବୈଧ ଭାବରେ ପ୍ରବେଶ କରିଥିବା ଲୋକମାନେ ସ୍ୱେଚ୍ଛାକୃତ ଭାବରେ ଚାଲିଯିବେ । ଯଦି ସେମାନେ ଏପରି କରନ୍ତି, ତେବେ ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରିବେ ନାହିଁ । ବିପରୀତରେ, ଏହା ସେମାନଙ୍କୁ ସ୍ୱଦେଶ ଫେରାଇବାରେ ସାହାଯ୍ୟ କରିବ।”
— ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ
‘ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ହଟାଇବା ଆମର ସଂକଳ୍ପ’

ଏହି ଅବସରରେ, ଗୃହମନ୍ତ୍ରୀ ପୂର୍ବ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଉପରେ ଉପଯୁକ୍ତ ଯାଞ୍ଚ ବିନା ପଶ୍ଚିମବଙ୍ଗରେ ଅନୁପ୍ରବେଶ କରିବାକୁ ଅନୁମତି ଦେଇଥିବା ଅଭିଯୋଗ କରିଥିଲେ । ଗୁଜରାଟର ଗାନ୍ଧୀନଗର ଜିଲ୍ଲାର ସୋନିପୁରରେ ଏକ ସାଧାରଣ ସଭାରେ ଭାଷଣ ଦେଇ ସେ କହିଥିଲେ:
“ଆମେ ଆଶା କରୁଛୁ ଯେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅଧିକାଂଶ ଲୋକ ସେଠାରୁ ଚାଲିଯିବେ। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ହଟାଇବା ଆମ ସରକାରଙ୍କ ଦୃଢ଼ ସଂକଳ୍ପ।”
— ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ
ବଙ୍ଗଳାରେ ବାଡ଼ କାର୍ଯ୍ୟ ଆରମ୍ଭ, ପ୍ରତିଶ୍ରୁତି ପୂରଣ
- ବିଜେପି ନେତା ଉଲ୍ଲେଖ କରିଛନ୍ତି ଯେ, ବଙ୍ଗଳା ବିଧାନସଭା ନିର୍ବାଚନ ସମୟରେ, ତାଙ୍କ ଦଳ ପ୍ରତିଶ୍ରୁତି ଦେଇଥିଲା ଯେ ; ଯଦି ଲୋକମାନେ ସେମାନଙ୍କୁ କ୍ଷମତାରେ ଭୋଟ ଦିଅନ୍ତି , ତେବେ ଭାରତ-ବାଂଲାଦେଶ ସୀମାରେ ବାଡ଼ ସ୍ଥାପନ କରାଯିବ।
- ବଙ୍ଗଳାରେ ସରକାର ଦାୟିତ୍ୱ ଗ୍ରହଣ କରିବାର ମାତ୍ର ସାତ ଦିନ ମଧ୍ୟରେ ବାଡ଼ ପାଇଁ ୬୦୦ଏକର ଜମି BSFକୁ ହସ୍ତାନ୍ତର କରିବା ପାଇଁ ଗୃହମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ସିଲିଗୁଡ଼ି କରିଡର ପାଇଁ ୧୨୧ ହେକ୍ଟର ଜମି

ସେ କହିଛନ୍ତି ଯେ, ଏହା ବ୍ୟତୀତ, ରାଜ୍ୟ ସରକାର ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ସିଲିଗୁଡ଼ି କରିଡର ; ଯାହାକୁ ‘ଚିକେନ୍’ସ୍ ନେକ୍’ ଭାବରେ ମଧ୍ୟ ଜଣାଶୁଣା ତା ମଧ୍ୟରେ ୧୨୧ ହେକ୍ଟର ଜମି କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । ଏହି କରିଡର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରିବାରେ ସାହାଯ୍ୟ କରେ ।
ଏଥର ‘ଜନସଂଖ୍ୟାଗତ ପରିବର୍ତ୍ତନ’ ଉପରେ କାର୍ଯ୍ୟାନୁଷ୍ଠାନ !

- ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଅସାଧାରଣ ଜନସଂଖ୍ୟାଗତ ପରିବର୍ତ୍ତନ” ପଛରେ ଥିବା କାରଣଗୁଡ଼ିକର ତଦନ୍ତ କରିବା ପାଇଁ ଏକ ଉଚ୍ଚ-କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି । ଏହି କମିଟିକୁ ଗୋଟିଏ ବର୍ଷ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି ।
- ତାଙ୍କ ଅନୁଯାୟୀ, “କମିଟି ପ୍ରଚଳିତ ପରିସ୍ଥିତିର ଅଧ୍ୟୟନ କରିବ ଏବଂ ଅବୈଧ ଅନୁପ୍ରବେଶ ସମସ୍ୟାର ମୁକାବିଲା ପାଇଁ କୌଣସି ଆଇନଗତ ପଦକ୍ଷେପ ଆବଶ୍ୟକ କି ନାହିଁ ତାହାର ମୂଲ୍ୟାଙ୍କନ ସମେତ ସମାଧାନ ପାଇଁ ସୁପାରିଶ ପ୍ରଦାନ କରିବ।”


