ରାତି ପାହିଲେ ଏକ ସ୍ୱତନ୍ତ୍ର ଜନ୍ମଦିନ। ଏମିତି ଜଣେ ବ୍ୟକ୍ତିଙ୍କ ଜନ୍ମଦିନ, ଯିଏ ଦିନେ ଓଡ଼ିଶା ରାଜନୀତିର ସବୁଠାରୁ ଶକ୍ତିଶାଳୀ କେନ୍ଦ୍ରବିନ୍ଦୁ ଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ସବୁଠାରୁ ପ୍ରିୟ, ଦଳର ତଥାକଥିତ ଚାଣକ୍ୟ ତଥା ଓଡ଼ିଶାର ଚର୍ଚ୍ଚିତ ଚେହେରା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜନ୍ମଦିନ।
କିନ୍ତୁ ଆଜି ସମୟ ବଦଳି ଯାଇଛି। ସମୟର ଚକ ଏମିତି ଘୂରିଛି ଯେ, ଦିନେ ଯାହାଙ୍କ ଗୋଟିଏ ନିର୍ଦ୍ଦେଶରେ ସାରା ଓଡ଼ିଶାର ପ୍ରଶାସନ ଓ ରାଜନୀତି ଉଠୁଥିଲା ବସୁଥିଲା, ଆଜି ସେ କ୍ଷମତାର ଅନ୍ଧାର ଗଳିରେ ହଜିଯାଇଛନ୍ତି। ଆଜି ଦଳ କ୍ଷମତାରେ ନାହିଁ, ଶାସନର ମହୁଘର ହାତଛଡ଼ା ହୋଇସାରିଛି ଏବଂ ସବୁଠାରୁ ବଡ଼ କଥା ହେଲା ନିଜ ଦଳ ଭିତରେ ହିଁ ପାଣ୍ଡିଆନଙ୍କ ବିରୋଧରେ ବିଦ୍ରୋହର ନିଆଁ ଚରମ ସୀମାରେ ପହଞ୍ଚିଛି।

ଆଉ ଏହି ସ୍ଥିତିରେ, ଜନ୍ମଦିନର ସେହି ପୁରୁଣା ଜାକଜମକ, ସେହି ବଡ଼ ବଡ଼ ହୋର୍ଡିଂ, ସେହି ଶୋଭାଯାତ୍ରା ଆଉ ପ୍ରକାଶ୍ୟରେ ସମ୍ଭବ ନୁହେଁ। ତେଣୁ ଏବେ ପ୍ରସ୍ତୁତ ହୋଇଛି ଏକ ନୂଆ ବ୍ଲୁ-ପ୍ରିଣ୍ଟ। ରାଜ୍ୟର ଭୋଟରମାନଙ୍କୁ ପୁଣିଥରେ ଭ୍ରମିତ କରିବା ପାଇଁ, ନିଜର ହଜିଯାଇଥିବା ଭୂମିକୁ ଫେରିପାଇବା ପାଇଁ ଆରମ୍ଭ ହୋଇଛି ଏକ ‘ଡିଜିଟାଲ୍ ଡ୍ରାମା’।
ଦଳରେ ନବନିଯୁକ୍ତ ସୋସିଆଲ ମିଡିଆ ଇନ୍ଫ୍ଲୁଏନସରମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି ସୋସିଆଲ ମିଡିଆରେ ବିଧବା ବିଳାପ କର, ପାଣ୍ଡିଆନଙ୍କ ଗୁଣଗାନ କର
ଏବଂ ଓଡ଼ିଶାବାସୀଙ୍କୁ ବୋକା ବନାଅ। ପୁଣିଥରେ ଗରମ ହେଉଛି ଓଡ଼ିଶା ରାଜନୀତି।
ରାତି ପାହିଲେ ବିଜେଡିର ପୂର୍ବତନ ଶକ୍ତିକେନ୍ଦ୍ର ଭାବେ ଚର୍ଚ୍ଚିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର ଜନ୍ମଦିନ। କିନ୍ତୁ ଏଥରର ଜନ୍ମଦିନ ଆଗର ଭଳି ନୁହେଁ। କାରଣ ପୂର୍ବରୁ ଦଳ ଥିଲା କ୍ଷମତାରେ। ଥିଲା ସରକାରୀ ପ୍ରଭାବ। ଥିଲା ନେତାଙ୍କ ଲମ୍ବା ଲାଇନ୍। ଆଉ ଥିଲା ଦଳୀୟ କର୍ମୀଙ୍କ ଅତ୍ୟଧିକ ଉତ୍ସାହ।
କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ବିଜେଡି କ୍ଷମତାରେ ନାହିଁ। ଦଳ ଭିତରେ ଅସନ୍ତୋଷ ଖୋଲାଖୋଲି ସାମ୍ନାକୁ ଆସୁଛି। ଅନେକ ପୁରୁଣା ନେତା ପାଣ୍ଡିଆନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

କିଏ କହୁଛି… ଦଳର ସଂଗଠନ ଭାଙ୍ଗିବାର ମୂଳ କାରଣ ହେଲେ ପାଣ୍ଡିଆନ। କିଏ କହୁଛି… ମୂଳ ବିଜେଡି କର୍ମୀଙ୍କୁ ପଛକୁ ଠେଲି ଦିଆଯାଇଥିଲା। ଆଉ କିଏ କହୁଛି ଗୋଟିଏ ଅଫିସରଙ୍କ ହାତରେ ଦଳ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଥିଲା। ଯେଉଁ ନେତାମାନେ ଦିନେ ପାଣ୍ଡିଆନଙ୍କ ଆଗରେ ମୁଣ୍ଡ ନୁଆଁଇ ଠିଆ ହେଉଥିଲେ, ସେମାନେ ଏବେ ସିଧାସଳଖ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇଲେଣି। ଦଳ ହାରିବା ପଛର ଏକମାତ୍ର କାରଣ ଭାବେ ପାଣ୍ଡିଆନଙ୍କ ‘ଅହଂକାର’ ଓ ‘ଅଣ-ଓଡ଼ିଆ’ କାର୍ଡକୁ ଦାୟୀ କରାଯାଉଛି। ତେଣୁ ଏବେ ପ୍ରଶ୍ନ ଉଠୁଛି ଏମିତି ସମୟରେ ହଠାତ୍ କାହିଁକି ପୁଣି ପାଣ୍ଡିଆନ ଚର୍ଚ୍ଚା ?
ଗତ କିଛି ଦିନ ଧରି ସୋସିଆଲ ମିଡିଆକୁ ଧ୍ୟାନ ଦେଲେ ଆପଣମାନେ ଗୋଟିଏ ନ୍ୟାରେଟିଭକୁ ଲକ୍ଷ୍ୟ କରିଥିବେ। ହଠାତ୍ କେତେକ ଫେସବୁକ୍ ପେଜ୍ କେତେକ ୟୁଟ୍ୟୁବ୍ ଚ୍ୟାନେଲ୍ କେତେକ ଫେସବୁକ୍ ଆକାଉଣ୍ଟ ଏକ ଧରଣର ଭାବନାପୂର୍ଣ୍ଣ ପୋଷ୍ଟ କରିବା ଆରମ୍ଭ କରିଛନ୍ତି। “ପାଣ୍ଡିଆନ ଫେରିଆସ…” “ତୁମ ବିନା ଓଡ଼ିଶା ଅନ୍ଧାର…” “ତୁମେ ନଥିବାରୁ ବ୍ୟବସ୍ଥା ଭାଙ୍ଗିଗଲା…”
ଏହା କେବଳ ସାଧାରଣ ସମର୍ଥକଙ୍କ ଭାବନା ? ନା ଏହା ପଛରେ ରହିଛି ଗୋଟିଏ ସଂଗଠିତ କ୍ୟାମ୍ପେନ୍ ? ରାଜନୀତିରେ ନ୍ୟାରେଟିଭ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜିର ଦିନରେ ରାସ୍ତାର ରାଜନୀତିଠାରୁ ବେଶି ପ୍ରଭାବ ପକାଏ ସୋସିଆଲ ମିଡିଆ। ଯେଉଁଠାରେ ଭାବନା ବିକ୍ରି ହୁଏ। ଇମେଜ୍ ତିଆରି ହୁଏ। ଆଉ ଲୋକମତକୁ ପ୍ରଭାବିତ କରିବାର ଚେଷ୍ଟା ହୁଏ। ଏବେ ଅଭିଯୋଗ ହେଉଛି… ପାଣ୍ଡିଆନଙ୍କ ଜନ୍ମଦିନକୁ କେନ୍ଦ୍ର କରି ପୁଣିଥରେ ତାଙ୍କର ଇମେଜ୍ ରିବିଲ୍ଡିଂ କରାଯାଉଛି। ଏକ ପ୍ରକାର “ମିସ୍ ୟୁ ପାଣ୍ଡିଆନ” କ୍ୟାମ୍ପେନ୍ ଚାଲିଛି।

ବିଜେଡି ଭିତରେ ଯାହା ଚାଲିଛି ତାହା ଏବେ ଆଉ କାହାରୁ ଲୁଚି ନାହିଁ। ଦଳ ହାରିବା ପରେ ଅନେକ ନେତା ପ୍ରଥମଥର ପାଇଁ ଖୋଲାଖୋଲି କଥା କହିବା ଆରମ୍ଭ କଲେ। କିଏ ସିଧାସଳଖ କହିଲେ ନାହିଁ କିନ୍ତୁ ଇସାରାରେ ସବୁ କହିଦେଲେ। କିଏ କହିଲେ ଦଳରେ ସାଂଗଠନିକ ନେତୃତ୍ୱ ଦୁର୍ବଳ ହୋଇଯାଇଥିଲା। କିଏ କହିଲେ ଜିଲ୍ଲାସ୍ତରୀୟ ନେତାଙ୍କୁ ଗୁରୁତ୍ୱ ମିଳୁନଥିଲା। କିଏ କହିଲେ ନିଷ୍ପତ୍ତି ନେଉଥିଲେ କେବଳ କେତେକ ଲୋକ। ଏବେ ସେହି ଦଳରେ ପୁଣି ପାଣ୍ଡିଆନଙ୍କ ନାଁକୁ ଆଗକୁ ଆଣିବାର ଚେଷ୍ଟା ହେଉଛି ବୋଲି ଚର୍ଚ୍ଚା। ଏହାକୁ ନେଇ ଅନେକ ପୁରୁଣା କର୍ମୀ ମଧ୍ୟ ଅସନ୍ତୁଷ୍ଟ ବୋଲି କୁହାଯାଉଛି। କାରଣ ତାଙ୍କର ଯୁକ୍ତି ସ୍ପଷ୍ଟ। ଯଦି ଜନତା ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହେଲେ ଦଳ କ’ଣ ଆତ୍ମସମୀକ୍ଷା କରିବ ? ନା ପୁଣି ସେହି ପୁରୁଣା ମଡେଲ୍କୁ ଫେରିବ ?
ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ସବୁଠାରୁ ବଡ଼ ରହସ୍ୟ ହେଉଛି ନବୀନ ପଟ୍ଟନାୟକଙ୍କ ନୀରବତା। ସେ ସିଧାସଳଖ କିଛି କହୁନାହାନ୍ତି। କିନ୍ତୁ ତାଙ୍କ ଚାରିପାଖରେ ଚାଲୁଥିବା ରାଜନୀତିକୁ ନେଇ ଚର୍ଚ୍ଚା ଥମୁନାହିଁ। ବିଜେଡିର ଅନେକ କର୍ମୀ ଏବେ ମଧ୍ୟ ନବୀନଙ୍କୁ ଦଳର ଏକମାତ୍ର ମୁହଁ ଭାବେ ଦେଖନ୍ତି। କିନ୍ତୁ ପ୍ରଶ୍ନ ହେଉଛି… ସେହି ନବୀନ ବ୍ରାଣ୍ଡ୍ ପଛରେ ପୁଣି ପାଣ୍ଡିଆନଙ୍କୁ ଆଗକୁ ଆଣାଯାଉଛି କି ? ରାଜନୀତିରେ ସିଧାସଳଖ ଘୋଷଣା ସବୁବେଳେ ହୁଏନାହିଁ। କେବେ କେବେ ସଙ୍କେତ ଦିଆଯାଏ। କେବେ କେବେ ପରୀକ୍ଷା କରାଯାଏ। ଆଉ କେବେ କେବେ ସୋସିଆଲ ମିଡିଆ ମାଧ୍ୟମରେ ଲୋକମତର ତାପମାତ୍ରା ମାପାଯାଏ। ତେଣୁ ଏବେ ପ୍ରଶ୍ନ… ଏହି ଜନ୍ମଦିନ କ୍ୟାମ୍ପେନ୍ କ’ଣ ସେହି ପରୀକ୍ଷାର ଗୋଟିଏ ଅଂଶ ?

ସବୁଠାରୁ ବଡ଼ କଥା ହେଉଛି ଜନତା କଣ ଚାହୁଁଛନ୍ତି ? ସୋସିଆଲ ମିଡିଆରେ କେତେକ ପୋଷ୍ଟ ଭାଇରାଲ୍ ହେଲେ ତାହାକୁ କ’ଣ ଜନମତ କୁହାଯାଇପାରିବ ? ଆଜିର ଦିନରେ ଟ୍ରେଣ୍ଡ୍ ତିଆରି କରାଯାଇପାରେ। ହ୍ୟାସଟ୍ୟାଗ୍ ଚଲାଯାଇପାରେ। ଭାବନାପୂର୍ଣ୍ଣ ଭିଡିଓ ବନାଯାଇପାରେ। କିନ୍ତୁ ଭୋଟବକ୍ସରେ ଯାହା ହୁଏ ସେହି ହେଉଛି ଅସଲି ପରୀକ୍ଷା।
ଓଡ଼ିଶାର ଜନତା ଏଥର ପରିବର୍ତ୍ତନ ପାଇଁ ଭୋଟ୍ ଦେଇଛନ୍ତି। ତାହାର ଅର୍ଥ ହେଉଛି ଲୋକମାନେ ନୂଆ କିଛି ଚାହୁଁଛନ୍ତି। ତେଣୁ ଏବେ ପ୍ରଶ୍ନ ବିଜେଡି କି ସେହି ସଂକେତ ବୁଝିଛି ? ନା ସେ ଏବେ ମଧ୍ୟ ପୁରୁଣା ରାଜନୀତିରେ ଅଟକି ରହିଛି ?
ଆଜିର ରାଜନୀତିରେ ଗୋଟିଏ ନୂଆ ଶବ୍ଦ ବହୁତ ଶୁଣିବାକୁ ମିଳୁଛି। “ଇନ୍ଫ୍ଲୁଏନସର ପଲିଟିକ୍ସ।” ଆଗରେ ନେତା ମଞ୍ଚରୁ ଭାଷଣ ଦେଉଥିଲେ। ଏବେ ନ୍ୟାରେଟିଭ୍ ତିଆରି ହୁଏ ରିଲ୍ରେ। ସର୍ଟ ଭିଡିଓରେ। ଫେସବୁକ୍ ପୋଷ୍ଟରେ। ୟୁଟ୍ୟୁବ୍ କ୍ଲିପ୍ରେ। ଯାହାର ସୋସିଆଲ ମିଡିଆ ଶକ୍ତିଶାଳୀ ସେହି ଲୋକମତକୁ ପ୍ରଭାବିତ କରିବାର ଚେଷ୍ଟା କରେ। ତେଣୁ ଏବେ ଅଭିଯୋଗ ହେଉଛି କେତେକ ଇନ୍ଫ୍ଲୁଏନସରଙ୍କୁ ଏକ ନିର୍ଦ୍ଦିଷ୍ଟ ନ୍ୟାରେଟିଭ୍ ଚଲାଇବାକୁ ଉତ୍ସାହିତ କରାଯାଉଛି। ଏଠି ପ୍ରଶ୍ନ ହେଉଛି
ଏହା ସାଧାରଣ ରାଜନୈତିକ ପ୍ରଚାର ? ନା ଲୋକମନଙ୍କ ଭାବନାକୁ ମ୍ୟାନେଜ୍ କରିବାର ଅପଚେଷ୍ଟା ?

ପାଣ୍ଡିଆନଙ୍କୁ ନେଇ ମତ ଦୁଇ ଭାଗରେ ବିଭକ୍ତ। ଗୋଟିଏ ପକ୍ଷ କହେ ସେ ଦକ୍ଷ ଆଡମିନିଷ୍ଟ୍ରେଟର୍ ଥିଲେ। ଦ୍ରୁତ ନିଷ୍ପତ୍ତି ନେଉଥିଲେ। ଅନେକ ପ୍ରକଳ୍ପକୁ ଗତି ଦେଇଥିଲେ।
ଅନ୍ୟ ପକ୍ଷ କହେ ଶାସନ ଅତ୍ୟଧିକ କେନ୍ଦ୍ରୀକରଣ ହୋଇଯାଇଥିଲା। ଦଳର ପୁରୁଣା ନେତାଙ୍କ ଗୁରୁତ୍ୱ କମିଯାଇଥିଲା। ଆଉ ସରକାର ଓ ଦଳ ମଧ୍ୟର ସୀମା ଧୀରେଧୀରେ ଧୁସର ହୋଇଯାଇଥିଲା। ତେଣୁ ପାଣ୍ଡିଆନଙ୍କ ଜନ୍ମଦିନ କେବଳ ଜନ୍ମଦିନ ନୁହେଁ। ଏହା ଅସଲରେ ଓଡ଼ିଶା ରାଜନୀତିରେ ତାଙ୍କର ଭୂମିକାକୁ ନେଇ ପୁଣିଥରେ ଆରମ୍ଭ ହୋଇଥିବା ବିତର୍କ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ଆଗକୁ କଣ ? ବିଜେଡି କ’ଣ ନୂଆ ମୁହଁ ତିଆରି କରିବ ? ନା ପୁଣି ପୁରୁଣା ଚେହେରାକୁ ନେଇ ରାଜନୀତି କରିବ ? ପାଣ୍ଡିଆନ କ’ଣ ପୁଣି ସକ୍ରିୟ ରାଜନୀତିକୁ ଫେରିବେ ? ନା ସେ ପଛରୁ ନ୍ୟାରେଟିଭ୍ ମ୍ୟାନେଜ୍ କରିବେ ? ଏହି ସବୁ ପ୍ରଶ୍ନର ଉତ୍ତର ଆସନ୍ତା ଦିନରେ ମିଳିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ।
ଓଡ଼ିଶାର ରାଜନୀତିରେ ପାଣ୍ଡିଆନ ଫ୍ୟାକ୍ଟର୍ ଏବେ ମଧ୍ୟ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ।
ତେବେ ଆପଣଙ୍କ ମତ କଣ ? ପାଣ୍ଡିଆନଙ୍କ ଜନ୍ମଦିନକୁ ନେଇ ଚାଲିଥିବା ସୋସିଆଲ ମିଡିଆ କ୍ୟାମ୍ପେନ୍ କ’ଣ ସାଧାରଣ ସମର୍ଥକଙ୍କ ଭାବନା ? ନା ଏହା ପଛରେ ରହିଛି ଗୋଟିଏ ବଡ଼ ରାଜନୈତିକ ଯୋଜନା ?


