ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା କେନ୍ଦୁଝର। ଯେଉଁ ମାଟିରୁ ଜଣେ ଜନପ୍ରତିନିଧି ରାଜ୍ୟର ସର୍ବୋଚ୍ଚ ଆସନରେ ବସିଛନ୍ତି, ସେହି ମାଟିର ଏକ ନିପଟ ମଫସଲ ଗାଁ ‘ମଲ୍ଲୀପଶି’ରୁ ଆସିଥିବା ଚିତ୍ରଟି ସଭ୍ୟ ସମାଜକୁ ଆଜି ଲଜ୍ଜିତ କରିଛି । ଏହା କେବଳ ଏକ ଘଟଣା ନୁହେଁ, ବରଂ ଆମ ପ୍ରଶାସନିକ ବ୍ୟବସ୍ଥା, ବ୍ୟାଙ୍କିଙ୍ଗ୍ ନିୟମ ଏବଂ ମାନବିକତାର ସାମୂହିକ ବିଫଳତାର ଏକ ଜ୍ୱଳନ୍ତ ଉଦାହରଣ।

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡା। ଜଣେ ଗରିବ, ଅଶିକ୍ଷିତ ଏବଂ ଅସହାୟ ବ୍ୟକ୍ତି। ଦୁଇ ମାସ ତଳେ ତାଙ୍କ ଭଉଣୀ କାଲରା ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଭଉଣୀର ସଞ୍ଚିତ ସ୍ୱଳ୍ପ ପୁଞ୍ଜି ୧୯,୩୦୦ ଟଙ୍କା ବ୍ୟାଙ୍କରେ ଥିଲା । ଏହି ଟଙ୍କା ଜିତୁଙ୍କ ପାଇଁ ହୁଏତ ବହୁତ ବଡ଼ ସମ୍ବଳ ଥିଲା। କିନ୍ତୁ ସେ ଜାଣି ନଥିଲେ ଯେ, ସେହି ଟଙ୍କା ଉଠାଇବା ପାଇଁ ତାଙ୍କୁ କେଉଁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ।
ବାରମ୍ବାର ବ୍ୟାଙ୍କକୁ ଦୌଡ଼ିବା ପରେ ମଧ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଗୋଟିଏ ଜବାବ ଥିଲା , “ଖାତାଧାରୀ ନ ଆସିଲେ ଟଙ୍କା ମିଳିବନି।” ଜିତୁ ଚିତ୍କାର କରି କହିଲେ, “ସେ ମରିଗଲାଣି”, କିନ୍ତୁ ନିୟମର ପାଠ ପଢ଼ିଥିବା ବାବୁମାନଙ୍କ କାନରେ ସେହି କରୁଣ ସ୍ୱର ପହଞ୍ଚି ପାରିଲା ନାହିଁ । ଶେଷରେ ଜଣେ ମତିଭ୍ରମ ମଣିଷ ପରି, ନିରୁପାୟ ହୋଇ ଜିତୁ ନିଜ ଭଉଣୀର ଦୁଇ ମାସର ପୁରୁଣା କଙ୍କାଳସାର ଶବକୁ ଖୋଳି ବ୍ୟାଙ୍କକୁ ନେଇ ଆସିଥିଲେ।

ଜଣେ ଅଶିକ୍ଷିତ ଲୋକ ଯେତେବେଳେ ବ୍ୟାଙ୍କକୁ ଆସେ, ସେଠାରେ ବସିଥିବା ଶିକ୍ଷିତ କର୍ମଚାରୀଙ୍କ ଦାୟିତ୍ୱ କେବଳ ଟଙ୍କା ଗଣିବା ନୁହେଁ, ବରଂ ଗ୍ରାହକଙ୍କୁ ସଠିକ୍ ପରାମର୍ଶ ଦେବା। ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କ ନୋମିନି (Nominee) ବା ଉତ୍ତରାଧିକାରୀ କିପରି ଟଙ୍କା ପାଇବେ, ସେଥିପାଇଁ ଅନେକ ଆଇନଗତ ବ୍ୟବସ୍ଥା ଅଛି। ଡେଥ୍ ସାର୍ଟିଫିକେଟ୍ ବା ସ୍ଥାନୀୟ ସରପଞ୍ଚଙ୍କ ଚିଠି ମାଧ୍ୟମରେ ଏହା ସମାଧାନ ହୋଇପାରିଥାନ୍ତା। କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ ଜିତୁଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନିୟମର ଦ୍ୱାହି ଦେଇ ତାଙ୍କୁ ଅପମାନିତ କଲେ।
ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି, ଯେତେବେଳେ ସେ ଶବ ଧରି ପହଞ୍ଚିଲେ, ବ୍ୟାଙ୍କ କର୍ମଚାରୀମାନେ ଗ୍ରୀଲରେ ତାଲା ପକାଇ ପୋଲିସକୁ ଡାକିଲେ। ସେଠାରେ ଉପସ୍ଥିତ ଲୋକମାନେ ଜିତୁଙ୍କ ଅବସ୍ଥା ଦେଖି ସମବେଦନା ଜଣାଇବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ କରି ତାଙ୍କୁ ଥଟ୍ଟାମଜା କଲେ। ଏହା ଆମ ସମାଜର ମାନସିକ ଦେବାଳିଆପଣକୁ ଦର୍ଶାଉଛି।

କେନ୍ଦୁଝର ଏକ ଖଣିଜ ସମ୍ପଦ ଭରା ଜିଲ୍ଲା। ଏଠାରେ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ହୁଏ। କିନ୍ତୁ ସେହି ଜିଲ୍ଲାର ଜଣେ ଆଦିବାସୀ ମଣିଷ ନିଜ ହକର ଟଙ୍କା ପାଇଁ ଶବ ବୋହିବା, ସାରା ରାଜ୍ୟ ପାଇଁ ଏକ କଳଙ୍କ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁବେଳେ ଜନସାଧାରଣଙ୍କ ସରକାର ବୋଲି କହୁଛନ୍ତି, କିନ୍ତୁ ତୃଣମୂଳ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସେହି ସେବା ମନୋଭାବର ଅଭାବ ପରିଲକ୍ଷିତ ହେଉଛି।
୧. ଅସନ୍ତୁଳିତ ନିୟମ: ଯେତେବେଳେ ବଡ଼ ବଡ଼ ଶିଳ୍ପପତି କୋଟି କୋଟି ଟଙ୍କାର ଋଣ ଫାଙ୍କି ଦିଅନ୍ତି, ସେତେବେଳେ ନିୟମ କୁଆଡ଼େ ଯାଏ? ଜଣେ ଗରିବର ୧୯ ହଜାର ଟଙ୍କା ପାଇଁ କଙ୍କାଳ ଆଣିବାକୁ ପଡ଼ୁଛି କାହିଁକି?
୨. ସାମାଜିକ ଦାୟିତ୍ୱ: ଶିକ୍ଷିତ ସମାଜ କ’ଣ ଏତେ କଠୋର ହୋଇଯାଇଛି ଯେ ଜଣେ ଅସହାୟ ବ୍ୟକ୍ତିର କାନ୍ଦ ତାଙ୍କୁ ଥଟ୍ଟା ପରି ଲାଗୁଛି?
୩. ପ୍ରଶାସନିକ ଉତ୍ତରଦାୟିତ୍ୱ: ସ୍ଥାନୀୟ ବ୍ଲକ ପ୍ରଶାସନ ବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ?

ଜିତୁ ମୁଣ୍ଡାଙ୍କ ଏହି ଦୁଃଖଦ ଚିତ୍ର ବ୍ୟବସ୍ଥାରେ ଥିବା ପୋକକୁ ସ୍ପଷ୍ଟ କରୁଛି। ସରକାରୀ ନିୟମ ଲୋକଙ୍କ ସୁବିଧା ପାଇଁ ହେବା ଉଚିତ୍, ଲୋକଙ୍କୁ ମାନସିକ ନିର୍ଯାତନା ଦେବା ପାଇଁ ନୁହେଁ। ଯଦି ଜଣେ ଅଶିକ୍ଷିତ ମଣିଷ ବ୍ୟବସ୍ଥାକୁ ବୁଝିପାରୁ ନାହିଁ, ତେବେ ଶିକ୍ଷିତ ବାବୁମାନଙ୍କର କର୍ତ୍ତବ୍ୟ ହେଉଛି ତାଙ୍କୁ ବୁଝାଇବା ଏବଂ ସାହାଯ୍ୟ କରିବା।
ଆଜିର ଏହି ଘଟଣା ପ୍ରମାଣ କରୁଛି ଯେ, ଆମେ ପ୍ରଯୁକ୍ତିବିଦ୍ୟାରେ ଆଗେଇ ଯାଇଛୁ ସତ, କିନ୍ତୁ ମାନବିକତା କ୍ଷେତ୍ରରେ ବହୁତ ପଛରେ ରହିଯାଇଛୁ। ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ହେବ, ଯେମିତି ଆଉ କେଉଁ ‘ଜିତୁ’କୁ ନିଜ ପ୍ରିୟଜନଙ୍କ କଙ୍କାଳ ବୋହିବାକୁ ନପଡ଼େ।


