ଆୟୋ ଗୋର୍ଖାଲି, ଜୟ ମହାକାଲୀ। ଏହି ଯୁଦ୍ଧଘୋଷ ଶୁଣିଲେ ଶତ୍ରୁ ସୈନିକଙ୍କ ରକ୍ତ ପାଣି ହୋଇଯାଏ। ପାକିସ୍ତାନୀ ସେନା ଗୋର୍ଖା ସୈନିକଙ୍କ ସାହସ ଓ ବିରତ୍ୱକୁ କାରଗିଲର ପାହଡିଆ ଭୁଇଁରୁ ପଞ୍ଜାବର ମୈଦାନ ସବୁଠି ଦେଖିଛି। ଗୋର୍ଖା ସୈନିକ ନିଜ ବିରତା ଓ ସଚ୍ଚୋଟତା ପାଇଁ ପରିଚିତ। ଗୋର୍ଖା ସୈନିକ ବ୍ରିଟିଶ ଅମଳରୁ ଭାରତୀୟ ସେନାରେ ସାମିଲ ହୋଇ ଆସୁଛନ୍ତି। କିନ୍ତୁ ଗତ ତିନିବର୍ଷ ମଧ୍ୟରେ ଜଣେ ମଧ୍ୟ ନୂଆ ଗୋର୍ଖା ସୈନିକ ଭାରତୀୟ ସେନାରେ ସାମିଲ ହୋଇନାହାନ୍ତି। ଗତ ତିନିବର୍ଷ ମଧ୍ୟରେ ଗୋର୍ଖା ରେଜିମେଣ୍ଟରେ ପ୍ରାୟ ୧୨ ହଜାର ସୈନିକ ଅବସର ନେଇଥିଲେ ମଧ୍ୟ ଜଣେ ବି ନୂଆ ଗୁର୍ଖା ସୈନିକ ଭାରତୀୟ ସେନାରେ ଯୋଗ ଦେଇନାହାନ୍ତି ।
ତେବେ କ’ଣ ପାଇଁ ? ବାସ୍ତବରେ ନେପାଳ ସରକାର ନିଜେ ଏହି ପଦକ୍ଷେପ ନେଇଛନ୍ତି। କୂଟନୈତିକ ଉତ୍ତେଜନା କାରଣରୁ ନେପାଳ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଗୁରଖାମାନଙ୍କୁ ପଠାଇବା ବନ୍ଦ କରିଦେଇଛି। ବାସ୍ତବରେ ନେପାଳ ସରକାର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ କ୍ଷୁବ୍ଧ ଅଛନ୍ତି। ଏଇଠି ପ୍ରଶ୍ନ ଉଠୁଛି ଭାରତୀୟ ସେନାରେ ନିଯୁକ୍ତି ନେଇ ଭାରତ ଓ ନେପାଳ ମଧ୍ୟରେ କ’ଣ ଚୁକ୍ତି ରହିଛି ? ଗୁର୍ଖା ସୈନିକମାନେ ଭାରତ ଆସିବା ବନ୍ଦ କରିବା ପରେ ଏବେ କୁଆଡ଼େ ଯାଉଛନ୍ତି? କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟରେ ଏହାର ଯଥେଷ୍ଟ ପ୍ରଭାବ ପଡୁଛି, ସୈନିକଙ୍କ ଅଭାବ ରହିଛି।
ଭାରତୀୟ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଆସନ୍ତା ସପ୍ତାହରେ ନେପାଳ ଗସ୍ତରେ ଯାଉଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଷ୍ୟ ହେଉଛି ନେପାଳର ଗୁର୍ଖା ସୈନିକଙ୍କୁ ଭାରତୀୟ ସେନାରେ ସାମିଲା କରିବା ପାଇଁ ବାଟ ବାହାର କରିବା। ଜୁନ୍ ୨୦୨୨ରେ ଅଗ୍ନିପଥ ଯୋଜନା ଆରମ୍ଭ ହେବା ପରଠାରୁ ନେପାଳରୁ ଜଣେ ବି ଗୋର୍ଖା ସୈନିକ ଭାରତୀୟ ସେନାରେ ସାମିଲ ହୋଇନାହାନ୍ତି । ଭାରତୀୟ ସେନାର ଗୌରବ କୁହାଯାଉଥିବା ଗୋର୍ଖା ରେଜିମେଣ୍ଟକୁ ଏହା ସ୍ପଷ୍ଟଭାବେ ପ୍ରଭାବିତ କରୁଛି। ଯେଉଁ ରେଜିମେଣ୍ଟରେ ବୀରତ୍ୱର ଅନେକ କାହାଣୀ ରହିଛି।
ଅଗ୍ନିପଥ ଯୋଜନାକୁ ନେଇ ନେପାଳ କାହିଁକି ଅସନ୍ତୁଷ୍ଟ ?
ବାସ୍ତବରେ ନେପାଳ ସରକାର ୧୯୪୭ ମସିହାର ତ୍ରିପାକ୍ଷିକ ଚୁକ୍ତିସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ତିନି ଦେଶ ଭାରତ,ନେପାଳ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ ନେପାଳୀ ଗୁର୍ଖା ସୈନିକ ଉଭୟ ଭାରତଏବଂ ବ୍ରିଟେନ ସେନାରେ ସାମିଲ ହୋଇପାରିବେ। ଏହି ତ୍ରିପାକ୍ଷିକ ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଅଟେ। ଏହା ସୁନିଶ୍ଚିତ କରିଥିଲା ଯେ ଭାରତର ସ୍ୱାଧୀନତା ପରେ ମଧ୍ୟ ନେପାଳୀ ଗୁର୍ଖା ସୈନିକମାନଙ୍କୁ ନିରବଚ୍ଛିନ୍ନ ଭାବରେ ଭାରତ ଏବଂ ବ୍ରିଟିଶ ସେନାରେ ନିଯୁକ୍ତି ଦିଆଯିବ। ନେପାଳ କହୁଛି ଯେ ଅଗ୍ନିବୀର ଯୋଜନା ୧୯୪୭ର ତ୍ରିପାକ୍ଷିକ ଚୁକ୍ତିର ଉଲ୍ଲଂଘନ କରୁଛି ଯାହା ବିଦେଶୀ ସେନାରେ କାର୍ଯ୍ୟରତ ନେପାଳୀ ସୈନିକମାନଙ୍କ ପାଇଁ ପେନସନ ଏବଂ ଚାକିରି ନିରାପତ୍ତା ସମେତ ସମାନ ବ୍ୟବହାର ଏବଂ ସର୍ତ୍ତସୁନିଶ୍ଚିତ କରେ ।
ଗୁର୍ଖାମାନେ କେବେଠାରୁ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?
ଉନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଇଂରେଜମାନେ ଗୁର୍ଖାମାନଙ୍କୁ ନିଯୁକ୍ତି ଦେଇ ଆସୁଛନ୍ତି। ବିଶେଷ କରି ଆଙ୍ଗ୍ଲୋ-ନେପାଳ ଯୁଦ୍ଧ ପରେ ସେମାନଙ୍କୁ ବିଭିନ୍ନ ସାମରିକ ବାହିନୀରେ ସାମିଲ କରାଯାଇଥିଲା।
ଇଂରେଜମାନେ ୧୮୧୫ର ସୁଗୌଲି ଚୁକ୍ତି ମାଧ୍ୟମରେ ଗୁର୍ଖା ସୈନିକମାନଙ୍କୁ ବ୍ରିଟିଶ ସେନାରେ ସାମିଲ କରିବା ଆରମ୍ଭ କରିଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିବା ପୂର୍ବରୁ ଗୁର୍ଖାମାନେ ସମସ୍ତ ଦେଶୀୟ ରାଜ୍ୟର ସୈନ୍ୟବାହିନୀରେ ମୁତୟନ ଥିଲେ। ମହାରାଜା ରଣଜିତ ସିଂହ ୧୮୦୯ରୁ ୧୮୧୪ ପର୍ଯ୍ୟନ୍ତ ଶିଖ ସେନାରେ ଏକ ଗୁର୍ଖା ବାଟାଲିୟନ ଗଠନ କରିଥିଲେ।
ଭାରତ ସ୍ୱାଧୀନହେବା ପରେ ଚୁକ୍ତି ଅନୁଯାୟୀ ବର୍ତ୍ତମାନର ଗୁର୍ଖା ରେଜିମେଣ୍ଟକୁ ବ୍ରିଟିଶ ଏବଂ ଭାରତୀୟ ସେନା ମଧ୍ୟରେ ବିଭକ୍ତ କରାଯାଇଥିଲା । ସେତେବେଳେ ୧୦ଟି ଗୋର୍ଖା ରେଜିମେଣ୍ଟ ଥିଲା, ସେଥିମଧ୍ୟରୁ ୪ଟି ରେଜିମେଣ୍ଟ ବ୍ରିଟିଶ ଆର୍ମିକୁ ଦିଆଯାଇଥିବାବେଳେ ୬ଟି ଭାରତୀୟ ସେନାରେ ରହିଥିଲା। ପରବର୍ତ୍ତୀ ସମୟରେ ଭାରତୀୟ ସେନାରେ ତାଙ୍କ ରେଜିମେଣ୍ଟକୁ ୦୬ରୁ ୦୭କୁ ବୃଦ୍ଧି କରାଯାଇଥିଲା। ଏଥିରେ ନେପାଳରୁ ପଠାଯାଇଥିବା ଗୁର୍ଖାମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଗୁର୍ଖା ସୈନିକଙ୍କ ସେବା ସର୍ତ୍ତ କ’ଣ ଥିଲା?
ଏହି ଚୁକ୍ତି ସୁନିଶ୍ଚିତ କରିଥିଲା ଯେ ଉଭୟ ସେନାରେ କାର୍ଯ୍ୟରତ ଗୁର୍ଖାମାନଙ୍କୁ ବ୍ରିଟିଶ ଏବଂ ଭାରତୀୟ ସୈନିକମାନଙ୍କ ପରି ସମାନ ସେବା ର ସର୍ତ୍ତାବଳୀ ଅର୍ଥାତ୍ ସମାନ ଦରମା, ସୁବିଧା ଏବଂ ପେନସନ ଯୋଜନା ମିଳିବ । ଏହି ଚୁକ୍ତି ଦ୍ୱାରା ଉଭୟ ସେନାରେ ନେପାଳୀ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା ଏବଂ ସେମାନଙ୍କୁ ବିଦେଶରେ ନିଯୁକ୍ତି ସୁଯୋଗ ମିଳିଥିଲା ।
ତେବେ ଏବେ କ’ଣ ହେଲା?
ଯେତେବେଳେ ଭାରତ ଅଗ୍ନିବୀର ଯୋଜନା ଲାଗୁ କଲା ସେତେବେଳେ ଏହି ଚୁକ୍ତି ପ୍ରଭାବିତ ହୋଇଥିଲା । ଏହି ପରିବର୍ତ୍ତନ ତ୍ରିପାକ୍ଷିକ ଚୁକ୍ତି ଅଧୀନରେ ଦିଆଯାଇଥିବା ଅଧିକାର ଏବଂ ସର୍ତ୍ତାବଳୀକୁ ପ୍ରଭାବିତ କରୁଛି ବୋଲି ନେପାଳ ଚିନ୍ତା ପ୍ରକଟ କରିଛି। ନେପାଳର ଚିନ୍ତା ହେଉଛି ଅଗ୍ନିପଥ ଯୋଜନାର ସ୍ଥିତି ଯୋଗୁଁ ଏହାର ସାର୍ବଭୌମତ୍ୱ ଏବଂ ନିରାପତ୍ତା ପ୍ରଭାବିତ ହେଉଛି। ସାମରିକ ନିଯୁକ୍ତି ଯୋଜନାରେ ସୀମିତ ସ୍ଥାୟୀ ପଦବୀ ସହିତ ମାତ୍ର ୪ ବର୍ଷର ଚୁକ୍ତି ରହିଛି।
କ’ଣ ରହିଛି ଅଗ୍ନିପଥ ଯୋଜନା ବିବାଦ?
ଅଗ୍ନିପଥ ଯୋଜନାକୁ ସ୍ୱଳ୍ପ କାଳୀନ ଭିତ୍ତିରେ ସୈନିକମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ମାତ୍ର ୨୫ ପ୍ରତିଶତ ନିଯୁକ୍ତି ୪ ବର୍ଷ ପରେ ବଜାୟ ରଖାଯାଇଥିଲା। ଏହି ଯୋଜନା ସୈନିକଙ୍କ ଚାକିରି ନିରାପତ୍ତାକୁ ନେଇ ଚିନ୍ତା ବଢ଼ାଇଥିବାରୁ ଏହି ମଡେଲକୁ ନେପାଳର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁର୍ଖାମାନଙ୍କର ପାରମ୍ପରିକ ନିଯୁକ୍ତି ପ୍ରଥାକୁ ପ୍ରତିରୋଧ କରେ।
ଗୋର୍ଖା ରେଜିମେଣ୍ଟ ଉପରେ ଏହାର ପ୍ରଭାବ କ’ଣ?
ନେପାଳରୁ ନୂଆ ନିଯୁକ୍ତି ନ ମିଳିବା ରୁ ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟରେ ମାନବ ସମ୍ବଳର ଅଭାବ ଦେଖାଦେଇଛି । ୨୦୨୧ ରୁ ପ୍ରାୟ ୧୨ ହଜାର ଗୁର୍ଖା ସୈନିକ ଅବସର ନେଇଛନ୍ତି।
ନେପାଳର ଗୁର୍ଖାମାନେ ଭାରତୀୟ ସେନାରେ ବାର୍ଷିକ ୧୫୦୦ରୁ ୧୮୦୦ ନିଯୁକ୍ତି ଦେଉଥିଲେ। ଆକଳନ ଅନୁଯାୟୀ, ଯଦି ନିଯୁକ୍ତି ବନ୍ଦ ହୁଏ, ତେବେ ୭ ବର୍ଷ ମଧ୍ୟରେ ଗୋର୍ଖା ବାଟାଲିୟନର ସଂଖ୍ୟା ଅଧା ହୋଇଯିବ ଏବଂ ୨୦୩୭ ସୁଦ୍ଧା ଭାରତୀୟ ସେନାରୁ ଗୁର୍ଖା ସୈନିକ ଗାଏବ ହୋଇଯିବେ। ବ୍ରିଟିଶ ସେନାରେ ପ୍ରତିବର୍ଷ ୩୦୦ ଗୁର୍ଖା ସୈନିକ ଙ୍କୁ ନିଯୁକ୍ତି ଦିଆଯାଏ।
ଏହାର ପ୍ରଭାବ ନେପାଳ ଉପରେ ମଧ୍ୟ ପଡ଼ିଛି
ନେପାଳବାସୀଙ୍କ ପାଇଁ ଭାରତରେ ସେନା ସେବା ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଏହା ସେମାନଙ୍କ ଜୀବିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗୁର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଥିଲେ ଏବଂ ପୂର୍ଣ୍ଣ ଚାକିରି ପରେ ଅବସର ସୁବିଧା ପାଇବାକୁ ହକଦାର ଥିଲେ, ଯେଉଁଥିରେ ମୁଖ୍ୟତଃ ପେନସନ ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଅଗ୍ନିବୀରଙ୍କ କାରଣରୁ ନେପାଳ ଅନୁଭବ କରୁଛି ଯେ ଏହାର ଲୋକମାନଙ୍କୁ ଭାରତ ପଠାଇବା ଆଉ ସେମାନଙ୍କସ୍ଥାୟୀ ସେନା ଚାକିରିର ଗ୍ୟାରେଣ୍ଟି ଦେଉନାହିଁ। ଏହା ଦ୍ୱାରା ନେପାଳରେ ବେକାରୀ ଓ ଅର୍ଥନୈତିକ ସମସ୍ୟା ବୃଦ୍ଧି ପାଇବ।
ନେପାଳ ସରକାର ଚିନ୍ତିତ ଯେ ଅଗ୍ନିପଥ ଚୁକ୍ତିର ସ୍ୱଳ୍ପକାଳୀନ ପ୍ରକୃତି ପ୍ରଶିକ୍ଷିତ ସୈନିକଙ୍କ ଅତ୍ୟଧିକ ପ୍ରଚୁରତା ସୃଷ୍ଟି କରିପାରେ, ଯେଉଁମାନେ ସେମାନଙ୍କ ଚାକିରି ଶେଷ ହେବା ପରେ ବେକାର ହୋଇପାରନ୍ତି ଏବଂ ବିଦ୍ରୋହୀ ଗୋଷ୍ଠୀ କିମ୍ବା ବିଦେଶୀ ଭଡ଼ା ସୈନିକଙ୍କ ଦ୍ୱାରା ନିଯୁକ୍ତି ପାଇଲେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ।
ଗୁର୍ଖା ସୈନିକମାନେ ଏବେ କୁଆଡ଼େ ଯାଉଛନ୍ତି ?
ଗୁର୍ଖା ସୈନିକମାନେ ଏବେ ଚୀନ୍ ଓ ରୁଷସେନା ଆଡକୁ ମୁହାଁଇବେ। ଯଦି ଗୁର୍ଖାମାନେ ଭାରତ ନ ଆସନ୍ତି ତେବେ ନେପାଳ ସରକାର ସେମାନଙ୍କୁ ଚୀନ୍ ସେନାରେ ଯୋଗ ଦେବାକୁ ଅନୁମତି ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଗୁର୍ଖା ସୈନିକମାନେ ବଡ଼ ଧରଣରେ ରୁଷିଆ ଆଡ଼କୁ ଅଗ୍ରସର ହେଉଥିବା ମଧ୍ୟ ସୂଚନା ମିଳିଛି।
ନେପାଳର ପାଖାପାଖି ୧୫,୦୦୦ ଗୋର୍ଖା ସୈନିକ ଋଷ ତରଫରୁ ୟୁକ୍ରେନ ସହ ଯୁଦ୍ଧ ଲଢ଼ୁଛନ୍ତି। ନିକଟରେ ୟୁରେସିଆନ୍ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ରୁଷ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ପ୍ୟାକେଜ୍ ଘୋଷଣା କରାଯିବା ପରେ ସେନାରେ ଯୋଗ ଦେଉଥିବା ଗୁର୍ଖା ସୈନିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ରିପୋର୍ଟରେ କୁହାଯାଇଛି। ସେମାନଙ୍କ ତରଫରୁ ଲଢୁଥିବା ସୈନିକମାନଙ୍କୁ ମାସିକ ୨୦ ଡଲାର (୧୬୭,୦୨୦ ଟଙ୍କା) ଦରମା ସହିତ ରୁଷିଆର ନାଗରିକତା ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ମିଳିବ ବୋଲି ରୁଷିଆ ଘୋଷଣା କରିଥିଲା।
କୌଣସି ବିକଳ୍ପ ଅଛି କି ?
ନେପାଳରୁ ନିଯୁକ୍ତି ବନ୍ଦ ହେବା ପରେ ଭାରତୀୟ ସେନା ଭିତରେ ଭାରତୀୟ ବଂଶୋଦ୍ଭବ ଗୁର୍ଖା, ବିଶେଷ କରି ଉତ୍ତରବଙ୍ଗ ଓ ଉତ୍ତରାଖଣ୍ଡ ଭଳି ଅଞ୍ଚଳରୁ ନିଯୁକ୍ତି ବୃଦ୍ଧି ପାଇଁ ଆଲୋଚନା ଚାଲିଛି। ତେବେ ଐତିହାସିକ ଭାବେ ଗୁର୍ଖା ବ୍ରିଗେଡର ମୁଖ୍ୟ ଅଂଶ ହୋଇଥିବା ବରିଷ୍ଠ ନେପାଳୀ ସୈନିକଙ୍କ କ୍ଷତିକୁ ଏହି ପରିବର୍ତ୍ତନ ସମ୍ପୂର୍ଣ୍ଣଭାବେ ଭରଣା କରିପାରିବ ନାହିଁ।
ଦୁନିଆର ସବୁଠାରୁ ବିପଜ୍ଜନକ ଯୋଦ୍ଧା
ଭାରତୀୟ ସେନାର ପୂର୍ବତନ ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ସାମ୍ ମାନେକ୍ସା ଏକଦା କହିଥିଲେ ଯେ, ଯଦି କେହି କୁହେ ଯେ ସେ ମୃତ୍ୟୁକୁ ଭୟ କରେନାହିଁ, ତେବେ ସେ ମିଛ କହୁଛନ୍ତି କିମ୍ବା ସେ ଗୁର୍ଖା ହୋଇପାରନ୍ତି।
ଗୁର୍ଖାମାନେ ନିଜର ସାହସ ଏବଂ ନିଷ୍ଠା ପାଇଁ ଜଣାଶୁଣା । ସେମାନେ ଶାରୀରିକ ଓ ମାନସିକ ସ୍ତରରେ ବହୁତ ଶକ୍ତିଶାଳୀ ଅଟନ୍ତି । ଗୋର୍ଖା ସୈନିକଙ୍କ ପରିଚୟ ହେଉଛି ସେମାନଙ୍କର ସ୍ୱତନ୍ତ୍ର ପାରମ୍ପରିକ ଅସ୍ତ୍ର ଖୁକ୍ରି । ଏହା ପାଖାପାଖି ୧୮ ଇଞ୍ଚର ଏକ ଧାରୁଆ ଛୁରୀ ଭଳି । ଏକ କଥା ଅଛି ଯେ, ଖୁକରୀ ଥରେ ବାହାରକୁ ଆସିବା ପରେ ପ୍ରତ୍ୟେକ ପରିସ୍ଥିତିରେ ଶତ୍ରୁର ରକ୍ତ ଦରକାର କରେ । ଯଦି ଶତ୍ରୁ ରକ୍ତ ନ ମିଳେ ତେବେ ମିଆନକୁ ଯିବା ପୂର୍ବରୁ ମାଲିକକୁ ରକ୍ତ ଦେବାକୁ ପଡ଼େ।
