ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ। ଦେଶକୁ ଏକଜୁଟ କରିବା ପାଇଁ ତାଙ୍କ ଅବଦାନ ଥିଲା ଅତୁଳନୀୟ। ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଜଣେ ପ୍ରେରଣାଦାୟୀ ନେତା, ଯାହାଙ୍କ ପରମ୍ପରା ଭବିଷ୍ୟତରେ ଲୋକଙ୍କୁ ପ୍ରେରଣା ଯୋଗାଇବ।
ଜାତୀୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ୧୨୫ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଷ୍ଟ୍ରପତି ହରେକୃଷ୍ଣ ମହତାବଙ୍କ କାଳଜୟୀ ସଂଗ୍ରାମ ଉପରେ ଆଲୋକପାତ କରିଛନ୍ତି । ରାଷ୍ଟ୍ରପତି ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ସମ୍ବୋଧନ କରିଥିଲେ । ରାଷ୍ଟ୍ରପତି କହିଛନ୍ତି, ଭାରତକୁ ଯୋଡ଼ି ରଖିବାକୁ ହରେକୃଷ୍ଣ ମହତାବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ହୀରାକୁଦ ବନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ନୂଆ ରାଜଧାନୀଭାବରେ ଭୁବନେଶ୍ୱର ପ୍ରତିଷ୍ଠା କରିବା, ବିଧାନସଭା, ରାଜ୍ୟ ସଚିବାଳୟ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ତାଙ୍କର ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ଅବଦାନ ରହିଛି । ଏହା ସହିତ ତାଙ୍କ ଦ୍ୱାରା ନିର୍ମିତ ହୋଇଥିବା ବାରବାଟୀ ଷ୍ଟାଡିୟମ୍ ଓଡ଼ିଶାର କ୍ରୀଡ଼ା ଜଗତକୁ ଉଚ୍ଚ ସ୍ତରରେ ପହଁଚାଇଥିଲା । ସେହିପରି ଡ. ହରେକୃଷ୍ଣ ମହତାବ ଜଣେ ରାଷ୍ଟ୍ରବାଦୀ ନେତା ଥିଲା । ନିଜର ଲେଖା ମାଧ୍ୟମରେ ରାଷ୍ଟ୍ରବାଦୀ ବିଚାରରେ ଦେଶୀବାସୀଙ୍କୁ ପ୍ରେରିତ କରୁଥିଲେ ।
୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ପୁଣି ଅନ୍ୟ ଜାତୀୟତାବାଦୀ ନେତାଙ୍କ ସହ ଜେଲ ଯାଇଥିଲେ। ଅହମ୍ମଦନଗର ଫୋର୍ଟ ଜେଲରେ ମହତାବ ଏବଂ ଅନ୍ୟ ନେତାମାନେ ଜେଲକୁ ଏକ ଶିକ୍ଷଣ କେନ୍ଦ୍ରରେ ପରିଣତ କରିଥିଲେ ବୋଲି ମୁର୍ମୁ କହିଛନ୍ତି।
ଏହାସହ ଡାକ୍ତର ହରେକୃଷ୍ଣ ମହତାବ ୧୨୫ତମ ଜନ୍ମ ବାର୍ଷିକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ ଦେଇ କହିଛନ୍ତି ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ । ମହାନ ରାଷ୍ଟ୍ରନେତା, ସ୍ୱାଧୀନତା ସଂଗ୍ରାମୀଭାବେ ଅବଦାନ ଅତୁଳନୀୟ । ବିଗତ ଦିନରେ କେବଳ ଗୋଟିଏ ପରିବାରକୁ ଗୁରୁତ୍ୱ ମିଳି ଆସୁଥିଲା । ଏହା ସହ ୧୯୩୮ରେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ । ୧୯୭୫ ଜରୁରୀକାଳୀନ ପରିସ୍ଥିତବେଳେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ସେ ଇନ୍ଦିରା ଗାନ୍ଧିଙ୍କ ଶାସନରେ ଅତିଷ୍ଠ ହୋଇ କଂଗ୍ରେସ ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ମଧ୍ୟ କହିଛନ୍ତି ହରେକୃଷ୍ଣ ମହତାବଙ୍କ ହୀରାକୁଦ ଡ୍ୟାମ୍ ଓ ଓଡ଼ିଶା ଭାଷା ପ୍ରତି ଅବଦାନକୁ ଭୁଲି ହେବ ନାହିଁ ।ସେ ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠା କରି ସାମ୍ବାଦିକତା ବି ସୃଷ୍ଟି କରିଥିଲେ ।
ସୂଚନଯୋଗ୍ୟ; “ଉତ୍କଳ କେଶରୀ” ନାମରେ ପରିଚିତ ଡ. ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ। ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କଲେଜ ଜୀବନରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ସେ ଏକାଧିକ ଥର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଏକ ସ୍ଵତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯାଇଛି । ଏହା ସହିତ ଓଡ଼ିଆରେ ମୋନୋଗ୍ରାଫ୍, ପ୍ରଜାତନ୍ତ୍ରରେ ତାଙ୍କ ସ୍ତମ୍ଭ ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଛି ।
ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ରାଜ୍ଯର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ତାଙ୍କର ଅନ୍ୟନ୍ୟ କୃତି ପାଇଁ ସେ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉପସ୍ଥିତ ଥିଲେ। କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Also readhttps://purvapaksa.com/3-artistes-from-odisha-to-receive-ustad-bismillah-khan-yuva-puraskar/
