ଏପ୍ରିଲ ପହିଲା, ଓଡ଼ିଶା ପ୍ରଦେଶ ଗଠନର ଏକ ଗୌରବମୟ ଦିବସ। ସମଗ୍ର ରାଜ୍ୟ ଯେତେବେଳେ ଉତ୍କଳ ଦିବସର ଶୁଭେଚ୍ଛାରେ ମଗ୍ନ ଥିଲା, ଠିକ୍ ସେହି ସମୟରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଏକ ଅଜବ ‘ଉପହାର’ ପ୍ରଦାନ କରିଛନ୍ତି। ରାଜ୍ୟରେ ମଦର ପ୍ରସାର ଓ ରାଜସ୍ୱ ବୃଦ୍ଧିକୁ ପ୍ରାଥମିକତା ଦେଇ ସରକାର ଏକ ନୂତନ ଅବକାରୀ ନୀତି ଘୋଷଣା କରିଛନ୍ତି। ପର୍ଯ୍ୟଟନର ବିକାଶ ଆଳରେ ଏବେ ଓଡ଼ିଶାର ଶାନ୍ତ ବେଳାଭୂମି, ନଦୀ ପଠା ଏବଂ ଜଳଭଣ୍ଡାର କୂଳରେ ‘ମଦ କୁଡ଼ିଆ’ ବା ବିଚ୍ ସାକ୍ସ (Beach Shacks) ଖୋଲିବାକୁ ସବୁଜ ସଙ୍କେତ ମିଳିଛି। ତେବେ ଏହି ନିଷ୍ପତ୍ତିରେ ସରକାର ଯେଉଁ ଚାଲାକି କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପୁରୀକୁ ବାଦ୍, ବାକି ଓଡ଼ିଶାରେ ‘କୁଡ଼ିଆ’ କ୍ରାନ୍ତି

ଗତବର୍ଷ ଯେତେବେଳେ ସରକାର ବେଳାଭୂମିରେ ମଦ କୁଡ଼ିଆ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ପୁରୀ ଭଳି ଆଧ୍ୟାତ୍ମିକ କ୍ଷେତ୍ରରେ ଏହାର ତୀବ୍ର ବିରୋଧ ହୋଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପବିତ୍ର ବେଳାଭୂମିରେ ମଦର ପ୍ରଚଳନକୁ ରାଜ୍ୟବାସୀ ଗ୍ରହଣ କରିନଥିଲେ। ଏଥର କିନ୍ତୁ ସରକାର ଜନବିରୋଧକୁ ଏଡ଼ାଇବା ପାଇଁ ଏକ ନୂଆ ରଣନୀତି ଆପଣେଇଛନ୍ତି। କେବଳ ପୁରୀ ମ୍ୟୁନିସିପାଲିଟି ଅଞ୍ଚଳକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ସମସ୍ତ ସମୁଦ୍ର କୂଳ, ହ୍ରଦ ଏବଂ ଡ୍ୟାମ୍ ପାର୍ଶ୍ୱରେ ମଦ କୁଡ଼ିଆ ଖୋଲିବାକୁ ଅନୁମତି ଦିଆଯାଇଛି। ଅର୍ଥାତ୍ ଗୋପାଳପୁର ଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ସବୁଠି ଏବେ ମଦର ଆସର ଜମିବ।
ଓଟିଡିସିର କାନ୍ଧରେ ମଦ ବିକ୍ରିର ବୋଝ

ନୂଆ ନୀତି ଅନୁଯାୟୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଏବଂ ଆଇଟିଡିସି (ITDC) କୁ ଏହି କ୍ଷେତ୍ରରେ ବିଶେଷ ସୁବିଧା ପ୍ରଦାନ କରାଯାଇଛି। ମାତ୍ର ଅଧା ଲାଇସେନ୍ସ ଫି’ରେ ଏହି ନିଗମଗୁଡ଼ିକୁ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ। ଏପରିକି ଇକୋ-ରିଟ୍ରିଟ୍ ଭଳି ପ୍ରତିଷ୍ଠିତ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ଅସ୍ଥାୟୀ ଲାଇସେନ୍ସ ଜରିଆରେ ମଦ ବିକ୍ରି କରାଯାଇପାରିବ। ସବୁଠୁ ରୋଚକ କଥା ହେଉଛି, ଓଟିଡିସି ନିଜେ ମଦ କୁଡ଼ିଆ ନଚଲାଇ କୌଣସି ଘରୋଇ ସଂସ୍ଥାକୁ ମଧ୍ୟ ଏହାର ଦାୟିତ୍ୱ ହସ୍ତାନ୍ତର କରିପାରିବ। ଏଥିପାଇଁ ବାର୍ଷିକ ଲାଇସେନ୍ସ ଫି’ ମାତ୍ର ୭୫ ହଜାର ଟଙ୍କା ରଖାଯାଇଛି, ଯାହା ମଦ ମାଫିଆଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ଭିତ୍ତିଭୂମି ସରକାରଙ୍କର, ମଜା ମଦୁଆଙ୍କର

ମଦ କୁଡ଼ିଆ ଖୋଲିବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ଯଥା ବିଜୁଳି, ପାଣି, ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଓଟିଡିସି ଦାୟୀ ରହିବ। ଏହି କୁଡ଼ିଆଗୁଡ଼ିକୁ ‘ଅନ୍ ରେଷ୍ଟୁରାଣ୍ଟ’ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଜଳବାୟୁର ସ୍ଥିତି ଏବଂ ପର୍ଯ୍ୟଟକଙ୍କ ଆଗମନକୁ ଦେଖି ପର୍ଯ୍ୟଟନ ବିଭାଗ ନିଜେ ସ୍ଥିର କରିବ ଯେ ବର୍ଷକୁ କେତେଦିନ ଏହି କୁଡ଼ିଆଗୁଡ଼ିକ ଖୋଲା ରହିବ। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟର ଅବକାରୀ ରାଜସ୍ୱ ବହୁମାତ୍ରାରେ ବୃଦ୍ଧି ପାଇବ ବୋଲି ସରକାର ଆଶା ରଖିଛନ୍ତି।
ପର୍ଯ୍ୟଟନର ବିକାଶ ନା ସଂସ୍କୃତିର ବିନାଶ?

ସରକାରଙ୍କ ଯୁକ୍ତି ହେଉଛି, ଗୋଆ ଭଳି ଓଡ଼ିଶା ବେଳାଭୂମିରେ ମଦ କୁଡ଼ିଆ ଖୋଲିଲେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ମାତ୍ର ବିଜ୍ଞ ମହଲରେ ଏହାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। ଓଡ଼ିଶାର ବେଳାଭୂମିଗୁଡ଼ିକ ସାଧାରଣତଃ ପାରିବାରିକ ପର୍ଯ୍ୟଟନ ପାଇଁ ପରିଚିତ। ସେଠାରେ ଖୋଲାଖୋଲି ମଦ ବିକ୍ରି ଓ ସେବନ ଦ୍ୱାରା ପରିବେଶ କଳୁଷିତ ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ବିଶେଷ କରି ମହିଳା ଓ ଶିଶୁମାନେ ବେଳାଭୂମିକୁ ଯିବାକୁ କୁଣ୍ଠାବୋଧ କରିବେ।

ରାଜସ୍ୱ ନିଶାରେ ମସଗୁଲ ଅବକାରୀ ବିଭାଗ ହୁଏତ ସରକାରୀ ଖଜାନା ଭରିବା ପାଇଁ ଏହି ମାଧ୍ୟମକୁ ବାଛିଛି, କିନ୍ତୁ ଏହାର ସାମାଜିକ ପ୍ରଭାବ ଅତ୍ୟନ୍ତ ଭୟଙ୍କର ହୋଇପାରେ। ପୁରୀକୁ ବାଦ୍ ଦେଇ ସରକାର ହୁଏତ ନିଜକୁ ସୁରକ୍ଷିତ ମଣୁଛନ୍ତି, କିନ୍ତୁ ଓଡ଼ିଶାର ଅନ୍ୟ ବେଳାଭୂମିର ଶାନ୍ତି ଓ ପବିତ୍ରତା ନଷ୍ଟ ହେଲେ ଜନସାଧାରଣଙ୍କ ଅସନ୍ତୋଷ ସରକାରଙ୍କ ପାଇଁ ମହଙ୍ଗା ପଡ଼ିପାରେ। ପର୍ଯ୍ୟଟନର ଅଭିବୃଦ୍ଧି ମଦ ଦ୍ୱାରା ନୁହେଁ, ବରଂ ଉନ୍ନତ ଭିତ୍ତିଭୂମି ଏବଂ ସୁରକ୍ଷା ଦ୍ୱାରା ହେବା ଆବଶ୍ୟକ।


