ଓଡ଼ିଶା ରାଜନୀତିରେ ‘ବିଜୁ ଜନତା ଦଳ’ (ବିଜେଡି) ଏକ ଆଞ୍ଚଳିକ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ହେଁ, ଦଳ ଭିତରେ ଗଣତନ୍ତ୍ର ଓ ନେତାଙ୍କ ସ୍ୱାଭିମାନକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମ୍ପ୍ରତିକ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏହି ସନ୍ଦେହକୁ ଆହୁରି ଦୃଢ଼ କରିଛି। ରାଜନୈତିକ ମହଲରେ ଏବେ ଏକ ଚର୍ଚ୍ଚା ଜୋର୍ ଧରିଛି- “ବିଜେଡି ବିଧାୟକଙ୍କର ସ୍ୱାଭିମାନ ଅଛି କି?” କିଛି ସମାଲୋଚକ ତ ଏହାକୁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ମାଲିକାନାରେ ଚାଲୁଥିବା ଏକ ‘ଜମିଦାରୀ’ ଏବଂ ବିଧାୟକମାନଙ୍କୁ ତାଙ୍କର ‘ଗୋତି ଶ୍ରମିକ’ ବୋଲି କହିବାକୁ ପଛାଉ ନାହାନ୍ତି। ଅବଶ୍ୟ ଗତ ନିର୍ବାଚନ ସମୟରେ ଗୋତି ଶ୍ରମିକ ହେବା ପାଇଁ ବିଜେଡିର ପ୍ରଭାବଶାଳୀ ବିଧାୟକ ନେତାମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ତାହା ଏବେ ପ୍ରଥାରେ ପରିଣତ ହୋଇଛି।

ଯେଉଁ ଦଳ ନିଜକୁ ଆଞ୍ଚଳିକ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ବୋଲି କୁହେ, ସେହି ଦଳର ବିଧାୟକମାନଙ୍କର ନିଜସ୍ୱ ସ୍ୱାଭିମାନ ବୋଲି କିଛି ଅଛି କି? ଆମେ ବିଶ୍ଳେଷଣ କରିବା ବିଜେଡି ଭିତରେ ଚାଲିଥିବା ‘ଜମିଦାରୀ’ ଶାସନ ଏବଂ ବିଧାୟକମାନଙ୍କର ‘ଗୋତି ଶ୍ରମିକ’ ସାଜିବାର କରୁଣ କାହାଣୀ ।
ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ମନଇଛା ଗୋଟିଏ ବର୍ଗର ଦୁଇ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି। ଏଥିରୁ ଜଣାପଡ଼ୁଛି ବିଧାୟକ ତଥା ପଲଟିକାଲ ଆଫେୟାର କମିଟିରେ ବିନା ଆଲୋଚନାରେ ଏହି ପ୍ରାର୍ଥୀ ଚୟନ କରାଯାଇଛି। ଯଦି ଏପରି ହୋଇଥାଏ ତେବେ ବିଜେଡି ବିଧାୟକଙ୍କର ସ୍ୱାଭିମାନ ଅଛି କି ବୋଲି ରାଜନୀତିକ ମହଲରେ ଆଲୋଚନା ଆରମ୍ଭ ହେଲାଣି। କିଛି ଲୋକ ବିଜେଡିକୁ ନବୀନ ବ୍ୟକ୍ତିଗତ ମାଲିକାନାର ରାଜନୈତିକ ଦଳ ବୋଲି କହୁଥିବାବେଳେ ବିଧାୟକମାନଙ୍କୁ ତାଙ୍କର ଗୋତିଶ୍ରମିକ ବୋଲି କହିବା ଆରମ୍ଭ କଲେଣି।

ଇତିହାସ ସାକ୍ଷୀ ଅଛି, ଯେଉଁ ଶ୍ରମିକମାନେ ଜମିଦାରଙ୍କ ପାଖରେ କାମ କରନ୍ତି, ସେମାନଙ୍କର ପ୍ରତିବାଦ କରିବାର ଶକ୍ତି ନ ଥାଏ। ବିଜେଡିରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ଯିଏ ନବୀନ ବା ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ବିରୋଧ କରିଛି, ତାଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ପ୍ରଫୁଲ୍ଲ ଘଡ଼େଇ, ଡାକ୍ତର ଦାମୋଦର ରାଉତ, ପ୍ରଦୀପ ପାଣିଗ୍ରାହୀ, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପରି ଟାଣୁଆ ନେତାମାନେ ଏହାର ଜ୍ୱଳନ୍ତ ଉଦାହରଣ। ଏହି ଭୟରେ ବର୍ତ୍ତମାନର ବିଧାୟକ ଓ ନେତାମାନେ କେବଳ ‘ହଁ’ରେ ‘ହଁ’ ମିଳାଇ ଚାଲିଛନ୍ତି। ଏଭଳି ଅନ୍ୟାୟ ବିରୋଧରେ ଅନ୍ୟନେତାମାନେ ପାଟି ଫିଟାଇବା ତ ଦୂରର କଥା, ସ୍ୱାଭିମାନକୁ ବାଜି ଲଗାଇ ଗୋତି ଶ୍ରମିକ ସାଜିବାରେ ସେମାନେ ଏବେ ଗୌରବ ମଣୁଛନ୍ତି ।
ଦଳରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁଙ୍କ ପରି ନେତାମାନେ ସବୁବେଳେ ସାମାଜିକ ନ୍ୟାୟ ଆନ୍ଦୋଳନର ଡିଣ୍ଡିମ ପିଟନ୍ତି। କିନ୍ତୁ ଚଳିତ ଥର ଚୟନ ହୋଇଥିବା ଦୁଇଜଣ ଯାକ ପ୍ରାର୍ଥୀ ବ୍ରାହ୍ମଣ ବର୍ଗର। କିନ୍ତୁ ଦଳରେ ସାମାଜିକ ନ୍ୟାୟ ଆନ୍ଦୋଳନ କଥା ବାରମ୍ବାର କହୁଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଏ ବାବଦରେ ପାଟି ଫିଟାଇବାକୁ ସାହାସ କରିନାହାନ୍ତି। ଯେତେବେଳେ ସମାଜର ଅନ୍ୟ ବର୍ଗ ବା ପଛୁଆ ଶ୍ରେଣୀକୁ ପ୍ରତିନିଧିତ୍ୱ ଦେବାର ସୁଯୋଗ ଆସିଲା, ସେତେବେଳେ ଏହି ନେତାମାନଙ୍କ ସ୍ୱର କୁଆଡ଼େ ଗଲା? ସେମାନଙ୍କ ନୀରବତା ପ୍ରମାଣ କରୁଛି ଯେ ସାମାଜିକ ନ୍ୟାୟ କଥା କେବଳ ଏକ ରାଜନୈତିକ ଧୂଆଁବାଣ। କିନ୍ତୁ ସଂତୃପ୍ତ ମିଶ୍ରଙ୍କ ଭଳି ନୂଆ ନେତା ଏବଂ ଦଳର ସଦସ୍ୟ ନଥିବା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଟିକେଟ୍ ମିଳିଲା ବେଳେ ବରିଷ୍ଠ ନେତାଙ୍କ ସ୍ୱାଭିମାନ କେଉଁ କୋଣରେ ଲୁଚିଥିଲା?

ପ୍ରାର୍ଥୀ ଚୟନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ଯେଉଁ ନେତା ଦଳ ପାଇଁ ନିରନ୍ତର କାମ କରିଥିବ ତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯିବା ଉଚିତ। କିନ୍ତୁ ଯେଉଁ ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ସଂତୃପ୍ତ ମିଶ୍ର ଗତ ନିର୍ବାଚନ ପୂର୍ବରୁ ଦଳରେ ଯୋଗ ଦେଇ ଅଦୃଶ୍ୟ କାରଣ ହେତୁ କଟକ ଭଳି ଲୋକସଭା ଆସନରେ ପ୍ରାର୍ଥୀ ହୋଇ ପରାଜିତ ହେବା ପରେ ପୁଣି ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କୁ ପୁଣିଥରେ ଉପହାର ସ୍ୱରୂପ ରାଜ୍ୟସଭା ଟିକେଟ୍ ଦିଆଯାଇଛି। ଡାକ୍ତର ଦତ୍ତେଶ୍ୱର ହୋତା ଏବେ; ବି ଦଳର ସଦସ୍ୟ ନୁହଁନ୍ତି। ଏଭଳି ପ୍ରାର୍ଥୀ ଚୟନ ବରିଷ୍ଠ ନେତାଙ୍କ ତ୍ୟାଗ ଓ ନିରନ୍ତର କାମକୁ ଅପମାନିତ କରୁନାହିଁ କି? ଏହି ଦୁଇଜଣଙ୍କ ନାଁ ଘୋଷଣା ପରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କିମ୍ବା ଅନ୍ୟ କୌଣସି ବରିଷ୍ଠ ନେତା ମୁହଁ ଖୋଲିଥିବାର ଶୁଣିବାକୁ ମିଳି ନାହିଁ।
/odishatv/media/post_attachments/uploadimage/library/16_9/16_9_0/recent_photo_1756376096.webp)
ବିଜୁ ଜନତା ମହିଳାମାନଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବାରେ ଅଗ୍ରଣୀ ଭୂମିକା ନେଇଛି। ଦଳ ଗଠନ ହେବା ପରଠାରୁ ୨୦୦୨ରେ ପ୍ରମିଳା ବହିଦାର, ସୁଶ୍ରୀ ଦେବୀ, ୨୦୦୮ରେ ରେଣୁବାଳା ପ୍ରଧାନ, ୨୦୧୪ରେ ସରୋଜିନୀ ହେମ୍ବ୍ରମ, ୨୦୨୦ରେ ମମତା ମହାନ୍ତ, ୨୦୨୨ରେ ସୁଲତା ଦେଓଙ୍କ ଭଳି ନାରୀ ନେତ୍ରୀଙ୍କୁ ରାଜ୍ୟସଭାକୁ ପଠାଇଛି। କିନ୍ତୁ ଚଳିତ ନିର୍ବାଚନରେ କୌଣସି ନାରି ନେତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରି ନାହିଁ। ଏହାପରେ ଦଳର ମୁଖା ନାରୀ ନେତ୍ରୀ ପ୍ରମିଳା ମଲ୍ଲିକ, ବିଜୁ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମୁହଁରୁ ପଦୁଟିଏ ପ୍ରତିବାଦ ଶୁଣିବାକୁ ମିଳି ନାହିଁ।
ପ୍ରାର୍ଥୀ ଚୟନ ସମୟରେ ପଶ୍ଚିମ, ଦକ୍ଷିଣ କିମ୍ବା ଉତ୍ତର ଓଡ଼ିଶାର ଆଞ୍ଚଳିକ ପ୍ରଭାବକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି। ପୂର୍ବ ନିର୍ବାଚନମାନଙ୍କରେ ଆଞ୍ଚଳିକ ସନ୍ତୁଳନ ରକ୍ଷା କରାଯାଉଥିଲା, ଯାହା ଏଥର ଦେଖିବାକୁ ମିଳିନାହିଁ। ଏହା ସତ୍ତ୍ୱେ ସେହି ଅଞ୍ଚଳର ବିଧାୟକ ତଥା ନେତାମାନେ ନିରବ ରହିବା ସେମାନଙ୍କ ସ୍ୱାଭିମାନ ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।
ତେଣୁ ଏଥିରୁ ଜଣାପଡ଼ୁଛି ଯେ ଦଳୀୟ ନେତା ଓ ବିଧାୟକମାନେ ବିଜେଡି ଜମିଦାର ନବୀନ ପଟ୍ଟନାୟକ ଓ ଛୋଟ ସରକାର ପାଣ୍ଡିଆନଙ୍କ ଗୋତି ଶ୍ରମିକ ପାଲଟି ଯାଇଛନ୍ତି। ବିଜେଡି ଜମିଦାର ନବୀନ ପଟ୍ଟନାୟକ ଓ ଛୋଟ ସରକାର ପାଣ୍ଡିଆନ ଯେତେ ଭୁଲ କଲେ ବି ଏମାନଙ୍କ ମୁହଁରୁ ପଦୁଟିଏ ପ୍ରତିବାଦ ବାହାରିବ ନାହିଁ। କାରଣ ଏମାନଙ୍କର ସ୍ୱାଭିମାନ ନାହିଁ।
ଓଡ଼ିଶା ରାଜନୀତିରେ ବିଜେଡି ଏବେ ଏକ ନିର୍ଦ୍ଦିଷ୍ଟ ଶକ୍ତିକେନ୍ଦ୍ରର କବ୍ଜାରେ। ବିଜେଡି ଜମିଦାର ନବୀନ ପଟ୍ଟନାୟକ ଓ ‘ଛୋଟ ସରକାର’ କୁହାଯାଉଥିବା ପାଣ୍ଡିଆନ ଯେତେ ଭୁଲ ନିଷ୍ପତ୍ତି ନେଲେ ବି, ଦଳୀୟ ନେତାମାନେ ପ୍ରତିବାଦ କରିବାକୁ ସାହସ କରିପାରୁନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବର୍ତ୍ତମାନର ବିଜେଡି ନେତା ଓ ବିଧାୟକମାନେ ନିଜର ସ୍ୱାଭିମାନ ବିକ୍ରି କରି ଗୋତି ଶ୍ରମିକ ସାଜିବାକୁ ଶ୍ରେୟସ୍କର ମଣୁଛନ୍ତି। କାରଣ ସେମାନେ ନିଜର ସ୍ୱାଭିମାନ ବିକ୍ରି କରିସାରିଛନ୍ତି ।
AlsoRead; https://purvapaksa.com/rebellion-in-bjd-over-datteswara/
ଦତ୍ତେଶ୍ୱରଙ୍କୁ ନେଇ ବିଜେଡିରେ ବିଦ୍ରୋହ! || Rebellion in BJD over Datteswara!


