ସମ୍ବେଦନଶୀଳ ସ୍ଥାନରେ ନୂଆ ଥାନା ପ୍ରସ୍ତାବ
ପ୍ରବର୍ତ୍ତନ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଥାନା ପ୍ରତିଷ୍ଠା କରିବାକୁ ଯୋଜନା କରୁଛି।ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨୦୧ଟି ଅବକାରୀ ଥାନା ରହିଛି। ୩୧୪ଟି ବ୍ଲକରେ ଗୋଟିଏ ଲେଖାଏଁ ଥାନା ପ୍ରତିଷ୍ଠା ପାଇଁ ବିଭାଗ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛି। ରାଜ୍ୟର ୨୫ଟି ସମ୍ବେଦନଶୀଳ ସ୍ଥାନରେ ନୂଆ ଥାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ନୂଆ ଥାନାଗୁଡ଼ିକରେ ୮ରୁ ୧୦ ଜଣ ଲେଖାଏଁ କର୍ମଚାରୀ ରହିବାର ଯୋଜନା କରାଯାଉଛି। ବର୍ତ୍ତମାନ ବିଭାଗରେ ୨୬୦୦ରୁ ଅଧିକ ମାନବ ସମ୍ବଳ ନିଯୁକ୍ତି ପାଇଁ ମଞ୍ଜୁର ହୋଇଛି।
ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ମାନବ ସମ୍ବଳ ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏଗୁଡ଼ିକ ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି ଏବଂ ଖୁବଶୀଘ୍ର ଏହାକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନୂଆ ଥାନା ଗଠନ କରିବା ସହ ମାମଲାଗୁଡ଼ିକର ତଦନ୍ତକୁ ବଢ଼ାଇବା ପାଇଁ ଏକ ନ୍ୟାୟିକ ଟିମ ଗଠନ କରିବା ସହ ମାମଲାର ବିଚାର ପ୍ରକ୍ରିୟା ଯେପରି ଶୀଘ୍ର ଶେଷ ହେବ ତାହା ସୁନିଶ୍ଚିତ କରିବାକୁ ବିଭାଗ ସରକାରଙ୍କୁ ଅନୁରୋଧ କରିଛି।
ଆଗାମୀ ମାସରେ ଉପରୋକ୍ତ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ ହେବାର ସମ୍ଭାବନା ଥିବା ବେଳେ ପାଟ୍ରୋଲିଂ, ଚେକିଂ ଓ ଅନ୍ୟାନ୍ୟ ପ୍ରବର୍ତ୍ତନ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବର୍ତ୍ତମାନର ଅବକାରୀ ଥାନାକୁ ୧୬୩ଟି ଗାଡ଼ି ଯୋଗାଇଦେବାକୁ ରାଜି ହୋଇଛନ୍ତି। ପୂର୍ବରୁ ମାତ୍ର ୩୩ଟି ଥାନାକୁ ଗୋଟିଏ ଲେଖାଏଁ ଗାଡ଼ି ଯୋଗାଇ ଦିଆଯାଇଥିଲା। ତେବେ ଏବେ ରାଜ୍ୟର ଅବଶିଷ୍ଟ ଥାନାକୁ ଗାଡ଼ି ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଦାହରଣ ସ୍ୱରୂପ କଟକରେ ୬ରୁ ଅଧିକ ଅବକାରୀ ଥାନା ରହିଛି। ମାତ୍ର ମାତ୍ର ଗୋଟିଏ ଥାନାକୁ ଗାଡ଼ି ଯୋଗାଇ ଦିଆଯାଇଥିଲା। ତେଣୁ ପ୍ରବର୍ତ୍ତନ କାର୍ଯ୍ୟ କରିବାରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଅଧିକ ଗାଡ଼ି ଯୋଡିଲେ ସାରା ରାଜ୍ୟରେ ଏନଫୋର୍ସମେଣ୍ଟ କାର୍ଯ୍ୟ ଆହୁରି ଜୋରଦାର କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
ସେପଟେ ନିଶା ବେପାରୀ ଓ ବେଆଇନ ମଦ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଏତଦ୍ ବ୍ୟତୀତ ମଦ ଦୋକାନ/ବାର୍ ଗୁଡ଼ିକ ବ୍ୟବସାୟ କରିବାର ମାର୍ଗଦର୍ଶିକା ଓ ନିୟମରୁ ବିଚ୍ୟୁତ ନ ହେବାକୁ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
previous article: https://purvapaksa.com/6-crore-amount-nonveg-selled-on-chhadakhai/