ଓଡ଼ିଶାର ରାଜନୀତିରେ ଚାଷୀ କେବେ ମଧ୍ୟ ଦୟାର ପାତ୍ର ନୁହେଁ- ସେ ହେଉଛି ଶାସନର ମୂଳ ଆଧାର। ଏହି ରାଜ୍ୟରେ ଯେଉଁ ଦଳ ଚାଷୀଙ୍କୁ ଭରସା ଦେଇଛି, ସେ ଶାସନ କରିଛି; ଯେଉଁ ଦଳ ଚାଷୀଙ୍କୁ ଠକିଛି, ସେ ଇତିହାସରେ ଶିକ୍ଷା ନେଇଛି। ଏହା କୌଣସି ରାଜନୈତିକ ଧାରଣା ନୁହେଁ- ଏହା ଓଡ଼ିଶାର ଭୋଟ ଗଣିତ।
ଗତ ସାଧାରଣ ନିର୍ବାଚନରେ ଧାନର ସହାୟକମୂଲ୍ୟ ସହ ବୋନସ ମିଶାଇ ୩୧୦୦ ଟଙ୍କା ଦେବା ଆଶ୍ୱାସନ ହେଉଥିଲା ବିଜେପିର ମୁଖ୍ୟ ନିର୍ବାଚନୀ ପ୍ରଚାର। ଏହି ଆଶାରେ ଚାଷୀମାନେ ବହୁସଂଖ୍ୟାରେ ସମର୍ଥନ ଦେଇ ବିଜେପିକୁ ଶାସନ କ୍ଷମତାକୁ ଆଣିଥିଲେ। ସେତେବେଳେ ଚାଷୀ ଭାବିଥିଲେ- “ଏଥର ଧାନ ବିକିବାକୁ ସରକାର ଆମକୁ ରାସ୍ତାରେ ବସାଇବ ନାହିଁ।”
କିନ୍ତୁ ଆଜି ସେଇ ଚାଷୀ ଧାନ ଧରି ବିକିବା ଆଶାରେ ମଣ୍ଡିରେ ଶୀତ କାକରରେ ବସିଛି- ଭୋଟ ଦେଇଥିବା ହାତ ଖାଲି, ଧାନ ଥିବା ମଣ୍ଡି ଧାନ ବସ୍ତାରେ ପରିପୂର୍ଣ୍ଣ।
ସରକାରଙ୍କୁ ଚାଷୀମାନେ ନିଜ ସମସ୍ୟା ଯେତେ କହିଲେ ବି ଯୋଗାଣ ମନ୍ତ୍ରୀ କାଲ ହୋଇଯାଇଛନ୍ତି। ତେଣୁ ଚାଷୀମାନେ କହିଲେଣି ବିଜେପିକୁ ହରାଇବାକୁ ଯୋଗାଣମନ୍ତ୍ରୀଙ୍କ ଶପଥ ନେଇଛନ୍ତି।

ଆଶ୍ୱାସନର ରାଜନୀତି, ଅବ୍ୟବସ୍ଥାର ପ୍ରଶାସନ
ରାଜ୍ୟ ସରକାର କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ସହାୟତା ଘୋଷଣା କରି ଧାନର ଦରକୁ ୩୧୦୦ ଟଙ୍କା କରିଛନ୍ତି—ଏହା କାଗଜରେ ଆକର୍ଷଣୀୟ, ମଞ୍ଚରେ ତାଳିଯୋଗ୍ୟ, କିନ୍ତୁ ମଣ୍ଡିରେ ଚାଷୀ ପାଇଁ ଅଦୃଶ୍ୟ। ଏହି ଆଶ୍ୱାସନରେ ଭରସା କରି ଚାଷୀମାନେ ଚଳିତବର୍ଷ ରେକର୍ଡ ପରିମାଣର ଧାନ ଉତ୍ପାଦନ କଲେ। ତଥାପି- ଧାନ ଅଛି, ଉଠାଣ ନାହିଁ; ମଣ୍ଡି ଅଛି, ମିଲର ନାହାନ୍ତି; ଟୋକନ ଅଛି, ତାରିଖ ନାହିଁ।
ଏହା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ—ଏହା ପ୍ରଶାସନିକ ଓ ରାଜନୈତିକ ବିଫଳତା।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବିଭାଗୀୟ ନିରବତା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରମ୍ବାର ସମୀକ୍ଷା ବୈଠକ କରୁଛନ୍ତି—ଧାନ ଠିକଣା ସମୟରେ ଉଠାଣ, ଅର୍ଥ ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ମଣ୍ଡି ଓ ଗ୍ରାମାଞ୍ଚଳରେ ଚିତ୍ର ଭିନ୍ନ। ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ମଣ୍ଡିରେ ଧାନ ପଡ଼ିରହିଛି; ଉପକୂଳ ଅଞ୍ଚଳରେ ବି ସମାନ ଅବସ୍ଥା। କିଛି ଚାଷୀଙ୍କ ନିକଟକୁ ଏଯାଏଁ ଟୋକନ ଆସିନାହିଁ।
ଧାନ ଉଠାଣର ତଦାରଖ ଯୋଗାଣ ବିଭାଗର—କିନ୍ତୁ ବିଭାଗୀୟ କଥାକୁ ମିଲରମାନେ ଖାତିର କରୁନାହାନ୍ତି। ପ୍ରଶ୍ନ ଉଠୁଛି—ମିଲର ଶକ୍ତିଶାଳୀ, ନା ସରକାର ଦୁର୍ବଳ?
ଯୋଗାଣ ମନ୍ତ୍ରୀଙ୍କୁ ଘେରାଉ—ଗପ ନା ରାଜନୈତିକ ସତର୍କବାଣୀ?
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିକଟରେ ଜିଲ୍ଲା ଗସ୍ତ ସମୟରେ ଚାଷୀମାନେ ତାଙ୍କୁ ଘେରାଉ କରି ତୁରନ୍ତ ଧାନ ଉଠାଣ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜନୈତିକ ମହଲରେ ଗୋଟିଏ କଥା ଆଲୋଚନା- ଆଗାମୀ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଯୋଗାଣ ମନ୍ତ୍ରୀ “ସୁପାରି” ନେଇଛନ୍ତି କି! ଏହା ଅଭିଯୋଗ ହେଉ କି ଗପ- ସତ୍ୟତା ଯାଞ୍ଚ ହେବ; କିନ୍ତୁ ଧାରଣାଟି ଯେ ଚାଷୀଙ୍କ ମନରେ ଘର କରିଗଲାଣି ତାହା ସରକାର ଓ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
କାଉ ଉଡୁଥିବା ମଣ୍ଡି, କଟ୍ନି–ଛଟ୍ନିର ଅଭିଯୋଗ
ବହୁ ସ୍ଥାନରେ ଆଡ଼ମ୍ବରରେ ଖୋଲିଲା ମଣ୍ଡି—ଆଜି ସେଠି ଚାଷୀ ଧାନ ଧରି ବସିଛନ୍ତି, କିନ୍ତୁ ଧାନ କିଣିବାକୁ ମିଲର ନାହାନ୍ତି; କାଉ ଉଡୁଛି। ମିଲର ଦେଖାଦର୍ଶନ ନାହିଁ; ସମବାୟ ସମିତି ଧାନ ସଂଗ୍ରହ କରୁନାହାନ୍ତି। ଯେଉଁଠାରେ ସଂଗ୍ରହ ହେଉଛି, ସେଠାରେ କଟ୍ନି–ଛଟ୍ନି ଅଭିଯୋଗ। ଏହା କ’ଣ ଶାସନର ଆଇନ? ନା ମିଲର ମାଫିଆର ଦାଦାଗିରି?

ବିରୋଧୀଙ୍କ ଅସ୍ତ୍ର, ଶାସକଙ୍କ ଅସୁବିଧା
ଆସନ୍ତା ବର୍ଷ ପଞ୍ଚାୟତ ଓ ବିଧାନସଭା ନିର୍ବାଚନ- ବିରୋଧୀ ଦଳଗୁଡ଼ିକ ଏବେଠାରୁ ପ୍ରସ୍ତୁତ ହେଲେଣି। ଧାନ ବିକ୍ରି ସମସ୍ୟା ତାଙ୍କ ହାତରେ ବଡ଼ ଅସ୍ତ୍ର। ବିରୋଧୀ ବିଧାୟକମାନେ ମଣ୍ଡି ବୁଲୁଛନ୍ତି; ଶାସକ ଦଳର ବିଧାୟକମାନେ ଚାଷୀଙ୍କ ପ୍ରଶ୍ନବାଣର ଭୟରେ ଦୂରରେ।
ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଲେ, ୩୧୦୦ ଟଙ୍କାର ଆଶ୍ୱାସନ କାଗଜରେ ରହିଯିବ। ଯୋଗାଣ ବିଭାଗ ଯଦି ଏବେ ବି ମିଲରଙ୍କ ଉପରେ ଲଗାମ ନ ଦେଉଛି, ତେବେ ଏହାର ମୂଲ୍ୟ ନିର୍ବାଚନରେ ଦେବାକୁ ପଡ଼ିବ।
ଭୋଟ ନେଇ ସତ୍ତା ମିଳେ, କିନ୍ତୁ ଭୋଟ ଭାଙ୍ଗିଲେ ସତ୍ତା ଯାଏ।
ଧାନ ମଣ୍ଡିରେ ଯେଉଁ ଚାଷୀ ଆଜି ଚିନ୍ତାରେ ବସିଛି- ସେ ଆଗାମୀ ନିର୍ବାଚନରେ ଭୋଟ ବକ୍ସରେ ଉତ୍ତର ଦେବ ଏବଂ ସେ ଉତ୍ତର- କେବେ ମାଫ କରେନାହିଁ।
AlsoRead; https://purvapaksa.com/is-the-prisoner-not-safe-in-jail-how-was-the-body-found/
https://purvapaksa.com/is-the-prisoner-not-safe-in-jail-how-was-the-body-found/

