-
ଅଷ୍ଟ୍ରେଲିଆ ଗସ୍ତ ନିଶ୍ଚିତ ହୋଇନି
-
ବୁମରା ନେବେ ନେତୃତ୍ତ୍ୱ
ଆଉ ମାତ୍ର ସପ୍ତାହେ ସମୟ। ୨୨ ତାରିଖରୁ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯାତ୍ରା କରିନାହାନ୍ତି । ଏପର୍ଯ୍ୟନ୍ତ ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ ରୋହିତ ବିଶ୍ରାମ ନନେଇ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେ ନିୟମିତ ଭାବେ ଉଭୟ ୱାଙ୍ଖଡ଼େ ଷ୍ଟାଡ଼ିୟମ ଓ ରିଲାଏନ୍ସ କର୍ପୋରେଟ ପାର୍କରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ନିକଟରେ ସେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ମଧ୍ୟ ଅଭ୍ୟାସ କରିଥିଲେ ।
ରୋହିତଙ୍କ ପତ୍ନୀ ଋତିକା ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବାରୁ ରୋହିତ ପ୍ରଥମ ଟେଷ୍ଟରେ ଅନୁପସ୍ଥିତ ରହିବେ ବୋଲି ପୂର୍ବରୁ ବିସିସିଆଇକୁ ଅବଗତ କରାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇନାହିଁ । ଏପରିକି ରୋହିତ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅନୁପସ୍ଥିତ ରହିପାରନ୍ତି । ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ନେତୃତ୍ୱ ନେବେ ବୋଲି ମୁଖ୍ୟ କୋଚ ଗୌତମ ଗମ୍ଭୀର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।
ଭାରତୀୟ ଦଳ ୨ଟି ପର୍ଯ୍ୟାୟରେ ଯଥାକ୍ରମେ ୧୦ ଓ ୧୧ ତାରିଖରେ ଅଷ୍ଟ୍ରେଲିଆ ଯାତ୍ରା କରିଥିଲେ । ରୋହିତଙ୍କୁ ଛାଡ଼ି ବାକି ସବୁ ଖେଳାଳି ସମ୍ପ୍ରତି ପର୍ଥରେ ଅଭ୍ୟାସ ଚଳାଇଛନ୍ତି। ୱାକା ଗ୍ରାଉଣ୍ଡରେ ଗତ ୪ଦିନ ହେଲା ଭାରତୀୟ ଦଳ ଅଭ୍ୟାସ କରୁଛି। ରବିବାର ପର୍ଯ୍ୟନ୍ତ ଦଳ ସେଠାରେ ଅଭ୍ୟାସ କରିବା ପରେ ନିକଟସ୍ଥ ଅପ୍ଟସ କ୍ରିକେଟ ଗ୍ରାଉଣ୍ଡ ଅଭିମୂଖେ ଯାତ୍ରା କରିବ। ସୋମବାରଠୁ ଗୁରୁବାର ପର୍ଯ୍ୟନ୍ତ ସେଠାରେ ଦଳ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାରଠୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ।
୨୨ରୁ ୨୬ ତାରିଖ ମଧ୍ୟରେ ଅପ୍ଟସ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳାଯିବ । ୱାକା ଠାରୁ ଅପ୍ଟସ ଷ୍ଟାଡ଼ିୟମର ଦୂରତା ମାତ୍ର ୩ କିଲୋ ମିଟର । ଉଭୟ ଷ୍ଟାଡ଼ିୟମ ମଝିରେ ସ୍ୱାନ ନଦୀ ବହି ଯାଇଛି। ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ମଝିରେ ୯ ଦିନର ବ୍ୟବଧାନ ରହିଛି। ଏହି ସମୟ ମଧ୍ୟରେ ଭାରତ ଏକ ୨ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଆଡିଲେଡ୍ ଟେଷ୍ଟ ଦିବା ରାତ୍ର ହୋଇଥିବାରୁ ଅଭ୍ୟାସ ମ୍ୟାଚ ମଧ୍ୟ ଫ୍ଲଡ୍ ଲାଇଟରେ ଖେଳାଯିବ ।
previous article: https://purvapaksa.com/trial-by-australian-media/