ଆତଙ୍କବାଦ ମୁକାବିଲା ରହିବ ମୁଖ୍ୟ ପ୍ରସଙ୍ଗ
ଚଳିତ ମାସ ୨୯ତାରିଖରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଡିଜି ଓ ଆଇଜିସ୍ତରୀୟ ସମ୍ମିଳନୀ। ଏହି ସମ୍ମିଳନୀରେ ଆତଙ୍କବାଦ ଓ ସଂଗଠିତ ଅପରାଧ ଏଜେଣ୍ଡାରେ ଶୀର୍ଷରେ ରହିବ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଦେଶରେ ସଂଗଠିତ ଅପରାଧ ଏବଂ ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ନେଟୱାର୍କ ଉପରେ ଆଲୋଚନା ହେବ । ନିକଟରେ ନୂଆଦିଲ୍ଲୀରେ ଶେଷ ହୋଇଥିବା ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ପଞ୍ଜାବ ପୁଲିସ ଆତଙ୍କବାଦୀ ସଂଗଠନ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଲିଙ୍କ୍ ପ୍ରସଙ୍ଗ ଉଠାଇଥିଲା। ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ସମ୍ମିଳନୀରେ ଏ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ଏହି ସମ୍ମିଳନୀରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଏବଂ ଉଗ୍ରବାଦୀ ଖଲିସ୍ତାନୀ ତତ୍ତ୍ୱ ଉପରେ ମଧ୍ୟ ଆଲୋଚନା ହୋଇପାରେ। ଜାତୀୟ, ଆଭ୍ୟନ୍ତରୀଣ ନିରାପତ୍ତା, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲ୍ୟୁଇ), ଉଦୀୟମାନ ସାଇବର ବିପଦ, ଏଆଇ ଉପକରଣ ଏବଂ ପୁଲିସିଂରେ ଟେକ୍ନୋଲୋଜି ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ଭଳି ପ୍ରସଙ୍ଗକୁ ସମଗ୍ର ଭାରତ ପ୍ଲାଟଫର୍ମରେ ଉପସ୍ଥାପନ କରାଯିବ । ଏହି ବୈଠକରେ ତିନୋଟି ନୂଆ ଅପରାଧୀକ ଆଇନ, ଜେଲ ସଂସ୍କାର, ଆର୍ଥିକ ଠକେଇ, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧ,ତଦନ୍ତ ଉପରେ ଆଲୋଚନା ହେବ। ଯେଉଁଥିରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଡିଜି, ଆଇଜି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ର ମୁଖ୍ୟମାନେ ଯୋଗଦେବେ।
ଏହି ବୈଠକର କାର୍ଯ୍ୟସୂଚୀ ଗୁଇନ୍ଦା ବ୍ୟୁରୋ (ଆଇବି) ସ୍ଥିର କରିଛି। ଏହି ସମ୍ମିଳନୀରେ ଠୋସ୍ ଆକ୍ସନ ପଏଣ୍ଟ ଚିହ୍ନଟ କରିବା ଏବଂ ଏହାର ଅଗ୍ରଗତି ଉପରେ ନଜର ରଖିବାର ସୁଯୋଗ ମିଳିବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ପୁଲିସ ଓ ଗୁଇନ୍ଦା ଅଧିକାରୀଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ଏହି ସମ୍ମିଳନୀରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ସର୍ବୋତ୍ତମ ଅଭ୍ୟାସ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ମୋଦି ଏଭଳି ସମ୍ମିଳନୀ ପାଇଁ ଗଭୀର ଆଗ୍ରହ ଦେଖାଉଛନ୍ତି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
privious article: https://purvapaksa.com/tigress-ganga-in-similipal/