ଭାରତର ଶିକ୍ଷା ବ୍ୟବସ୍ଥା କେବଳ ପାଠପଢ଼ାର ମଞ୍ଚ ନୁହେଁ ; ଏହା ସଦାସର୍ବଦା ରାଜନୀତି, ସମାଜ ଓ ଶକ୍ତି ସମୀକରଣର ଏକ ସଜୀବ ପ୍ରତିବିମ୍ବ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ କ’ଣ ପଢ଼ାଯାଉଛି ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ—କେହି କିପରି ବଞ୍ଚୁଛି, କେହି କିପରି ଦମିତ, କେହି କିପରି ସୁରକ୍ଷିତ ଓ କେହି କିପରି ଅସୁରକ୍ଷିତ ? ୟୁଜିସିର ନୂତନ ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ–୨୦୨୬’ ଏହି ସତ୍ୟକୁ ପୁଣିଥରେ ସାମ୍ନାକୁ ଆଣିଦେଇଛି—କିନ୍ତୁ ଏହା ଏକ ଭୟଙ୍କର ରାଜନୈତିକ ଓ ସାମାଜିକ ଦ୍ୱନ୍ଦ୍ୱର ରୂପ ନେଇଛି।

ନିୟମ ଆସିବା ସହିତ ଦେଶର ଉତ୍ତର ଭାଗରେ ଉଚ୍ଚଜାତି, ବିଶେଷ କରି ବ୍ରାହ୍ମଣ ଓ ଉଚ୍ଚଜାତି ସମ୍ପ୍ରଦାୟ ମଧ୍ୟରେ ଯେପରି ରୋଷ, ଆଶଙ୍କା ଓ ଆତଙ୍କ ସୃଷ୍ଟି ହୋଇଛି, ସେଥିରୁ ପ୍ରମାଣିତ ହେଉଛି ଯେ ଏହି ନିୟମ କେବଳ ପ୍ରଶାସନିକ ସୁଧାର ନୁହେଁ—ଏହା ଭାରତୀୟ ସମାଜର ଗଭୀର ଜାତିଗତ ମନୋବୃତ୍ତିକୁ ଛୁଇଁଛି । ଏକ ପକ୍ଷରେ ପଛୁଆ ବର୍ଗ, ଦଳିତ ଓ ଆଦିବାସୀ ସମ୍ପ୍ରଦାୟ ଏହାକୁ ଦେଖୁଛନ୍ତି ଦୀର୍ଘଦିନର ଅଣଦେଖାର ପ୍ରତିକାର ଭାବେ; ଅନ୍ୟ ପକ୍ଷରେ ସାଧାରଣ ବର୍ଗର ଏକ ଅଂଶ ଏହାକୁ ଦେଖୁଛନ୍ତି ଏକ ନୂଆ ଆଇନଗତ ଆତଙ୍କ ଭାବରେ ।
ନିୟମର ପୃଷ୍ଠଭୂମି: ଆତ୍ମହତ୍ୟା, ଅପମାନ ଓ ସୁପ୍ରିମକୋର୍ଟ
ୟୁଜିସି ୨୦୨୬ ନିୟମ ଆକାଶରୁ ଛିଡ଼ି ପଡ଼ିନାହିଁ । ଏହାର ପଛରେ ଅଛି ଦୁଇଟି ନାମ, ଯାହା ଭାରତୀୟ ଉଚ୍ଚଶିକ୍ଷା ବ୍ୟବସ୍ଥାର ମାଥାରେ କଳଙ୍କ ଭାବେ ଲେଖାହୋଇ ରହିବ—ରୋହିତ ଭେମୁଲା ଓ ପାୟଲ ତଡଭି । ଏହି ଦୁଇ ଆତ୍ମହତ୍ୟା କେବଳ ବ୍ୟକ୍ତିଗତ ଦୁଃଖଦ ଘଟଣା ନୁହେଁ ; ଏହା କ୍ୟାମ୍ପସ ମଧ୍ୟରେ ଚାଲୁଥିବା ଅଦୃଶ୍ୟ ହିଂସା, ଉପେକ୍ଷା ଓ ଜାତିଗତ ଅପମାନର ପ୍ରତୀକ ।
ଏହି ମାମଲାଗୁଡ଼ିକ ସୁପ୍ରିମକୋର୍ଟର ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିଥିଲା । ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ କରିଦେଲେ—କେବଳ ଆଇନ କିମ୍ବା ଦଣ୍ଡ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ । ଆବଶ୍ୟକ ହେଉଛି ଏମିତି ଏକ ସଂସ୍ଥାଗତ ବ୍ୟବସ୍ଥା , ଯେଉଁଠାରେ ପଛୁଆ ଗୋଷ୍ଠୀର ଛାତ୍ର, ଶିକ୍ଷକ ଓ କର୍ମଚାରୀମାନେ ଭୟ ବିନା ନିଜ ଅଭିଯୋଗ ରଖିପାରିବେ ।
ସେହି ନ୍ୟାୟିକ ଚାପରୁ ଜନ୍ମ ନେଲା—ସମାନ ସୁଯୋଗ କେନ୍ଦ୍ର ଧାରଣା ।
ନୂତନ ୟୁଜିସି ନିୟମ କ’ଣ କହୁଛି ?
ନୂତନ ୟୁଜିସି ନିୟମାବଳୀ ଅନୁଯାୟୀ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସମାନ ସୁଯୋଗ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପଡ଼ିବ ଏବଂ ନାଗରିକ ସମାଜ ଗୋଷ୍ଠୀ, ଜିଲ୍ଲା ପ୍ରଶାସନ, ଅଧ୍ୟାପକ, କର୍ମଚାରୀ, ସ୍ଥାନୀୟ ଗଣମାଧ୍ୟମ ଏବଂ ପୋଲିସ ସହିତ ସମନ୍ୱୟ ସ୍ଥାପନ କରିବାକୁ ପଡ଼ିବ । ଏହି କେନ୍ଦ୍ର ଆଇନଗତ ସହାୟତାକୁ ସହଜ କରିବା ପାଇଁ ଜିଲ୍ଲା ଏବଂ ରାଜ୍ୟ ଆଇନଗତ ସେବା କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ସ୍ଥାପନ କରିବ । ଅନୁସୂଚିତ ଜାତି (SC) ଅନୁସୂଚିତ ଜନଜାତି (ST), ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC)କୁ ଜାତିଗତ ବୈଷମ୍ୟର ପରିଭାଷାରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାକୁ ଉଚ୍ଚ ଜାତି ସମ୍ପ୍ରଦାୟ ବିରୋଧ କରୁଛନ୍ତି । ଏହି ସମୟରେ, ପଛୁଆ ସମ୍ପ୍ରଦାୟ ଏହି ବିକାଶରେ ଖୁସି ଏବଂ ସୋସିଆଲ ମିଡିଆରେ ଏହାକୁ ନେଇ ବିତର୍କ ତୀବ୍ର ହୋଇଛି । ନିୟମର ସବୁଠାରୁ ସଂବେଦନଶୀଳ ଦିଗ ହେଉଛି—ଜାତି-ଭିତ୍ତିକ ବୈଷମ୍ୟର ପରିଭାଷା । ଏଠାରେ ସ୍ପଷ୍ଟ କରାଯାଇଛି ଯେ ଏସସି, ଏସଟି ଓ ଓବିସି ସଦସ୍ୟଙ୍କ ବିରୁଦ୍ଧରେ ଜାତି ଆଧାରରେ ହୋଇଥିବା ଭେଦଭାବକୁ ଜାତିଗତ ବୈଷମ୍ୟ ଭାବେ ଗଣାଯିବ । ଏହି ପରିଭାଷା ଉପରେ ହିଁ ସବୁଠାରୁ ଅଧିକ ବିରୋଧ ଓ ବିତର୍କ ।

ଉଚ୍ଚଜାତିର ଭୟ ଓ ସୋସିଆଲ ମିଡିଆ ରୋଷ
ଏହି ସମୟରେ ନୂତନ ୟୁଜିସି ନିୟମ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି, ୟୁଜିସି ନିୟମରେ “ଜାତି-ଭିତ୍ତିକ ବୈଷମ୍ୟ” ଶବ୍ଦର ପରିଭାଷା ଉପରେ କ୍ଷୋଭ ପ୍ରକାଶ ପାଇଛି । ୟୁଜିସି ନିୟମରେ କୁହାଯାଇଛି ଯେ ଜାତିଭିତ୍ତିକ ବୈଷମ୍ୟ ଅର୍ଥ ହେଉଛି କେବଳ ଜାତି କିମ୍ବା ଜନଜାତି ଆଧାରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ସଦସ୍ୟମାନଙ୍କ ବିରୁଦ୍ଧରେ ବୈଷମ୍ୟ । ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ X ରେ ସବୁଠାରୁ ଲୋକପ୍ରିୟ ଟ୍ରେଣ୍ଡ ମଧ୍ୟରୁ ଗୋଟିଏ ହେଉଛି ୟୁଜିସି, କାରଣ ନେଟିଜେନମାନେ ନୂତନ ୟୁଜିସି ନିୟମକୁ ସମାଲୋଚନା କରୁଛନ୍ତି ଏବଂ ସେଗୁଡ଼ିକୁ ସାଧାରଣ ବର୍ଗର ଆଇନ ବିରୁଦ୍ଧରେ କହୁଛନ୍ତି। କେବଳ ସେତିକି ନୁହେଁ ଜାତୀୟସ୍ତରର ଗଣମାଧ୍ୟମ ଖାସ୍ କରି ଯେଉଁମାନେ ହିନ୍ଦୁତ୍ୱର ସମର୍ଥକଭାବେ ଜଣାଶୁଣା ସେମାନେ ମଧ୍ୟ ଏହି ୟୁଜିସି ନିୟମକୁ ବିରୋଧ କରିବାରେ ଲାଗିଛନ୍ତି। ଏପରିକି ଏମାନେ ଯୁକ୍ତି କରୁଛନ୍ତି ଯେ ବିଶ୍ୱବିଦ୍ୟାଳୟମାନଙ୍କରେ ଯେଉଁ ଜାତିଗତ ହିଂସା ହେଉଛି ତାର ୮୦ ପ୍ରତିଶତ ଓବିସିମାନଙ୍କ ଦ୍ୱାରା ଦଳିତଙ୍କ ଉପରେ କରାଯାଉଛି। ଏହି ଉଚ୍ଚଜାତିର ମତଦାତାଙ୍କ ମଧ୍ୟରୁ ୮୭ ପ୍ରତିଶତ ବିଜେପିର ସମର୍ଥକ।
ବାରମ୍ବାର ଉଠୁଛି ବିଷ୍ଣୁ ତିୱାରୀ ମାମଲା
ଏହି ଭୟର ପଛରେ ଏକ ଗଭୀର ମନୋବୃତ୍ତି କାମ କରୁଛି—ଆଇନ ଦୁର୍ବ୍ୟବହାର ହେବାର ଆଶଙ୍କା। ଏହି ସନ୍ଦର୍ଭରେ ବାରମ୍ବାର ଉଠୁଛି ବିଷ୍ଣୁ ତିୱାରୀ ମାମଲା। ଧରନ୍ତୁ ଆପଣମାନେ କୌଣସି ଅପରାଧ କରିନାହାଁନ୍ତି, କିନ୍ତୁ ଆପଣକୁ ଅଭିଯୁକ୍ତ କରାଯାଇ ଜେଲ ପଠାଯାଇଛି। ବର୍ଷ ବର୍ଷ ପରେ, କୋର୍ଟ ଆପଣକୁ ନିର୍ଦ୍ଦୋଷ ଘୋଷଣା କରନ୍ତି। ତା’ହେଲେ କଣ ? ନିର୍ଦ୍ଦୋଷୀ କ’ଣ ସେ ତାଙ୍କ ଜେଲ ଯିବାର ସମୟ ଫେରିପାଇବ ? ନା, ସେ ଫେରିପାଇବେ ନାହିଁ।
ଉତ୍ତର ପ୍ରଦେଶର ଲଳିତପୁରରେ ବିଷ୍ଣୁ ତିୱାରୀ ମାମଲା ଏକ ପ୍ରମୁଖ ଉଦାହରଣ। ତାଙ୍କ ବିରୁଦ୍ଧରେ ମାମଲା ମିଥ୍ୟା ବୋଲି ଜଣାପଡ଼ିଲା, କିନ୍ତୁ ଯେଉଁମାନେ ବିଷ୍ଣୁ ତିୱାରୀଙ୍କୁ ଜେଲ ପଠାଇ ଦେଇଥିଲେ ଏବଂ ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ଦାୟର କରିଥିଲେ ସେମାନେ ମୁକ୍ତ ହୋଇଗଲେ।

ଏବେ, ଶିକ୍ଷାବିତମାନେ ମଧ୍ୟ ଏହି ନୂତନ ୟୁଜିସି ଆଇନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଉଦାହରଣ ଦେଇ ଉଚ୍ଚଜାତି ମଧ୍ୟରେ ଭୟ ସୃଷ୍ଟି କରାଯାଉଛି ଯେ ନୂତନ ୟୁଜିସି ନିୟମ ମଧ୍ୟ ଏପରି ଦୁର୍ବ୍ୟବହାରର ଦ୍ୱାର ଖୋଲିଦେବ। ନୂତନ ୟୁଜିସି ନିୟମକୁ ରାଉଲାଟ ଆଇନ ସହିତ ତୁଳନା କରି ବରେଲି ସିଟି ମାଜିଷ୍ଟ୍ରେଟ ଅଳଙ୍କାର ଅଗ୍ନିହୋତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।
ତଥ୍ୟ ଯାହା ଅସୁବିଧାଜନକ ସତ୍ୟ କହେ
ବିଗତ ୫ ବର୍ଷ ମଧ୍ୟରେ ଜାତିଗତ ବୈଷମ୍ୟ ଅଭିଯୋଗ ୧୧୮% ବୃଦ୍ଧି ପାଇଛି। ଏକ ରିପୋର୍ଟ ଅନୁଯାୟୀ, ୧୯୯୦ ମସିହାରୁ ବିଶ୍ୱବିଦ୍ୟାଳୟ ପ୍ରବେଶରେ ଓବିସି ଏବଂ ୨୦୧୦ ମସିହାରୁ ଅଧ୍ୟାପକ ନିଯୁକ୍ତିରେ ସଂରକ୍ଷଣ ପ୍ରଦାନ କରାଯାଇଛି। ଏହା ସତ୍ତ୍ୱେ, ପଛୁଆ ବର୍ଗର ଅଂଶଗ୍ରହଣ ଏପର୍ଯ୍ୟନ୍ତ ୧୫ ପ୍ରତିଶତ ଅତିକ୍ରମ କରିନାହିଁ। ୧୯୮୯ ମସିହାର ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ କାର୍ଯ୍ୟକାରୀ ହେବାର ୩୬ ବର୍ଷ ପରେ ମଧ୍ୟ ଦଳିତ ନିର୍ଯାତନା ଘଟଣା ବୃଦ୍ଧି ପାଉଛି।
ସଂସଦୀୟ କମିଟି ଏବଂ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ୟୁଜିସି ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ପାଞ୍ଚବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଜାତିଗତ ବୈଷମ୍ୟ ଅଭିଯୋଗ ୧୧୮.୪ ପ୍ରତିଶତ ବୃଦ୍ଧି ପାଇଛି।
ୟୁଜିସି ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ୧୭୩ ଅଭିଯୋଗ ଥିବାବେଳେ, ୨୦୨୩-୨୪ ମସିହାରେ ଏହି ସଂଖ୍ୟା ୩୭୮କୁ ବୃଦ୍ଧି ପାଇଛି। ୨୦୧୯-୨୦ ବର୍ଷରୁ ୨୦୨୩-୨୪ ବର୍ଷ ମଧ୍ୟରେ, ୭୦୪ଟି ବିଶ୍ୱବିଦ୍ୟାଳୟ ଏବଂ ୧୫୫୩ଟି କଲେଜରୁ ୟୁଜିସିକୁ ମୋଟ ୧୧୬୦ଟି ଅଭିଯୋଗ ମିଳିଛି। ଏହି ସଂଖ୍ୟାଗୁଡ଼ିକ ଏକ ପ୍ରଶ୍ନ ଉଠାଏ—ଯଦି ବୈଷମ୍ୟ ନାହିଁ, ତେବେ ଅଭିଯୋଗ କାହିଁକି ବଢ଼ୁଛି? ୩୬ ବର୍ଷ ଧରି ଏସସି/ଏସଟି ଅତ୍ୟାଚାର ନିବାରଣ ଆଇନ ଚାଲୁ ଥିବା ସତ୍ତ୍ୱେ ଯଦି ଦଳିତ ଓ ଆଦିବାସୀ ନିର୍ଯାତନା କମୁନାହିଁ, ତେବେ ସମସ୍ୟା ଆଇନର ନା ସମାଜର?
ଧର୍ମେନ୍ଦ୍ର ପ୍ରଧାନଙ୍କ ନୀରବତାର ରାଜନୀତି

ଏହି ସମଗ୍ର ବିବାଦରେ ସବୁଠାରୁ ଚିନ୍ତାଜନକ କଥା ହେଉଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀରବତା। ନିୟମ ତାଙ୍କ ବିଭାଗରୁ ଜାରି, କିନ୍ତୁ ସଂସଦରେ, ମିଡିଆରେ କିମ୍ବା ସାର୍ବଜନିକ ମଞ୍ଚରେ ସେ ଏପର୍ଯ୍ୟନ୍ତ ସ୍ପଷ୍ଟ ମତ ରଖିନାହାନ୍ତି। ଏହି ନୀରବତା ଅନେକ ପ୍ରଶ୍ନ ଉଠାଏ—କ’ଣ ଏହା ଦଳୀୟ ଚାପ? କ’ଣ ଏହା ଆଗାମୀ ରାଜନୈତିକ ହିସାବ ନିକାଶ ? କିମ୍ବା କ’ଣ ନିଷ୍ପତ୍ତି ତାଙ୍କୁ ନ ଜଣାଇ ଆଉ କେହି ଉପରୁ ନେଇଛନ୍ତି?
ଡ୍ୟାମେଜ କଣ୍ଟ୍ରୋଲ ଓ ରାଜନୈତିକ ବାର୍ତ୍ତା
ବିବାଦ ତୀବ୍ର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି। ବ୍ରାହ୍ମଣ ସାଂସଦ ନିଶିକାନ୍ତ ଦୁବେଙ୍କୁ ଆଗକୁ ଆଣି ବିଜେପି ତାରସ୍ଥିତି ସ୍ପଷ୍ଟ କରିଛି, ଦଳ ଉଚ୍ଚଜାତି ବିରୋଧୀ ନୁହେଁ, ଇଡବ୍ଲ୍ୟୁଏସ ଆରକ୍ଷଣ ତାହାର ପ୍ରମାଣ। କିନ୍ତୁ ଇଡବ୍ଲ୍ୟୁଏସ କ’ଣ ଜାତିଗତ ଅପମାନ, ଅଦୃଶ୍ୟ ବୈଷମ୍ୟ ଓ କ୍ୟାମ୍ପସ ହିଂସାର ଉତ୍ତର ହୋଇପାରିବ?
ସମାନତା ଏକ ଆଇନ ନୁହେଁ, ଏକ ପରୀକ୍ଷା
ୟୁଜିସି ‘ସମାନତା’ ନିୟମ ୨୦୨୬ ଏକ ଆଇନଗତ ଦଲିଲଠାରୁ ଅଧିକ—ଏହା ଭାରତୀୟ ସମାଜ ପାଇଁ ଏକ ପରୀକ୍ଷା। ଏହା ପଚାରୁଛି—ଆମେ ସତରେ ସମାନତାକୁ ମାନିବାକୁ ପ୍ରସ୍ତୁତ କି, ନା କେବଳ ନିଜ ସୁବିଧା ଯାଏଁ? ଯଦି ବୈଷମ୍ୟ ନାହିଁ, ତେବେ ସୁରକ୍ଷାରୁ ଭୟ କାହିଁକି ? ଯଦି ଭୁଲ ଅଭିଯୋଗର ଆଶଙ୍କା ଅଛି, ତେବେ ସେଥିପାଇଁ ଯାଞ୍ଚ ଓ ସୁଧାର ହେଉ—କିନ୍ତୁ ସମସ୍ୟାକୁ ଅସ୍ୱୀକାର କରିଦେବା କି ସମାଧାନ? ଇତିହାସ ସବୁବେଳେ ଏହି ପ୍ରଶ୍ନର ଉତ୍ତର ଦେଇଥାଏ—ନୀରବତା ଦ୍ୱାରା ନୁହେଁ, ସ୍ୱୀକୃତି ଓ ସଂଶୋଧନ ଦ୍ୱାରା।
also read https://purvapaksa.com/gas-cylinder-bursts/

