କାର୍ଯ୍ୟପାଳିକା ନ୍ୟାୟପାଳିକାର ଭୂମିକା ନେଇ ପାରିବନି
ବୁଲଡୋଜର ନ୍ୟାୟ ଗ୍ରହଣଯୋଗ୍ୟ ନୁହେଁ। କେବଳ ଅଭିଯୋଗ ଆଧାରରେ ଭଙ୍ଗା ଯାଇପାରିବନି ଘର। ଘର ଭାଙ୍ଗିବା ମୌଳିକ ଅଧିକାରକୁ କ୍ଷୂଣ୍ଣ କରୁଛି। ଜଷ୍ଟିସ୍ ଗବାଇ କବି ପ୍ରଦୀପଙ୍କ ଏକ କବିତାକୁ ଉଦ୍ଧୃତ କରି କହିଛନ୍ତି ଯେ ଘର ହେଉଛି ସ୍ୱପ୍ନ। ଯାହା କେବେ କେହି ଭାଙ୍ଗିପାରିବେ ନାହିଁ । ବିଚାରପତି ଆହୁରି କହିଛନ୍ତି ଯେ ଅପରାଧୀର ଦଣ୍ଡ ଘର ଭାଙ୍ଗିବା ନୁହେଁ । ସରକାରୀ କ୍ଷମତାର ମନମାନି ଚଳିବ ନାହିଁ। ବୁଲଡୋଜର ଆକ୍ସନକୁ ନେଇ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଉ ସରକାର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ କୋର୍ଟ। ଏଥିସହ ଏକ ଗାଇଡ୍ଲାଇନ୍ ମଧ୍ୟ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦୁଇ ବିଚାରପତି ବି ଆର ଗବାଇ ଓ କେ ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଘରଗୁଡ଼ିକୁ ମନଇଚ୍ଛା ଭାଙ୍ଗିବା ଆଇନର ଉଲ୍ଲଂଘନ ବୋଲି କହିଛନ୍ତି। ଏ ମାମଲାରେ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମାମଲାରେ ଗାଇଡଲାଇନ୍ ଜାରି କରି ସୁପ୍ରିମକୋର୍ଟ ହିଛନ୍ତି କାର୍ଯ୍ୟପାଳିକା ନ୍ୟାୟପାଳିକାର ଭୂମିକା ନେଇପାରିବନି। କୋର୍ଟ କହିଛନ୍ତି, ଜଣେ ଅଭିଯୁକ୍ତଙ୍କ ବିରୋଧରେ କେବଳ ଏତଲା ଆଧାରରେ ତାଙ୍କ ଘର ଭଙ୍ଗା ଯାଇ ପାରିବନି। ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଭାଙ୍ଗିବା ବେଆଇନ୍। ଜଣଙ୍କ ପାଇଁ ପୂରା ପରିବାର କାହିଁକି ଦଣ୍ଡ ପାଇବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ସରକାରୀ ଅଧିକାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଯଦି ପ୍ରଶାସନ ମନଇଚ୍ଛା ଘର ଭାଙ୍ଗେ, ତା’ହେଲେ ଅଧିକାରୀମାନଙ୍କୁ ଏଥିପାଇଁ ଜବାବ ଦେବାକୁ ପଡ଼ିବ। ଅପରାଧ ପାଇଁ ଦଣ୍ଡ ଦେବା କୋର୍ଟର କାମ ପ୍ରଶାସନର ନୁହେଁ। ଅଧିକାରୀମାନେ ଅଦାଲତ ଭଳି କାମ କରିପାରିବେ ନାହିଁ। କାହାର ବି ମୁଣ୍ଡ ଉପରୁ ଛାତ ଛଡ଼ାଇ ନେବା ଠିକ୍ ନୁହେଁ। ଅଭିଯୁକ୍ତ ଏବଂ ଦୋଷୀଙ୍କର ମଧ୍ୟ କିଛି ଅଧିକାର ରହିଛି। କେବଳ ଅଭିଯୁକ୍ତ ଦର୍ଶାଇ ତାଙ୍କ ଘର ଭାଙ୍ଗିବା ଆଇନର ଉଲ୍ଲଂଘନ ଅଟେ ବୋଲି ଅଦାଲତ କହିଛନ୍ତି।
ବୁଲଡୋଜର ଆକ୍ସନ ପୂର୍ବରୁ ଅଭିଯୁକ୍ତଙ୍କ ପକ୍ଷ ଶୁଣିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ନିୟମ ଅନୁଯାୟୀ ନୋଟିସ୍ ଜାରି କରାଯିବା ଜରୁରୀ। ପଞ୍ଜିକୃତ ପୋଷ୍ଟ ମାଧ୍ୟମରେ ନୋଟିସ୍ ପଠାଯାଇ ଘରେ ପୋଷ୍ଟର ମାରାଯିବା ଉଚିତ୍। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ୧୫ ଦିନ ସମୟ ଦିଆଯିବା ଉଚିତ। ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନୋଟିସ ସମ୍ପର୍କରେ ସୂଚନା ଦିଆଯିବା। ଭାଙ୍ଗିବା ବେଳେ ଭିଡିଓଗ୍ରାଫି ହେବ। ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ବେଆଇନ ନିର୍ମାଣକୁ ହଟାଇବା ପାଇଁ ଅଭିଯୁକ୍ତଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।
ତେବେ ଏହି ନିର୍ଦ୍ଦେଶାମା ସାର୍ବଜନୀନ ସଡ଼କ, ରେଳ ଲାଇନ ପରି ସ୍ଥାନରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା କୋଠା ପାଇଁ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ଜଣେ ବିଚାରପତି ହୋଇପାରିବେ ନାହିଁ ଏବଂ ଜଣେ ଅଭିଯୁକ୍ତକୁ ଦୋଷୀ ଘୋଷଣା କରିପାରିବେ ନାହିଁ କି ତାଙ୍କ ଘର ଭାଙ୍ଗି ପାରିବେ ନାହିଁ। ସଂରଚନାଗୁଡିକ ଅନଧିକୃତ ହୋଇଥିଲେ ହିଁ ବୁଲ୍ଡୋଜର୍ କାର୍ଯ୍ୟାନୁଷ୍ଠାନ ଲାଗୁ ହେବ। ନିର୍ଦ୍ଦେଶଗୁଡିକର ଉଲ୍ଲଂଘନ ଅବମାନନା କିମ୍ବା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଯଦି ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହୁଏ ତେବେ ଅଧିକାରୀମାନେ ଦାୟୀ ରହିବେ।
Previous article :https://purvapaksa.com/m-4-rifle-danger-for-kashmir/