୩୬୦ ଦିନ ପରେ ଗ୍ରାଉଣ୍ଡକୁ ଫେରିଲେ
ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତର ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ଫିଟ୍ ହୋଇ ଖେଳ ଆରମ୍ଭ କରିଛନ୍ତି। ବେଙ୍ଗଲ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏଲିଟ ଗ୍ରୁପ-ସି ରଣଜୀ ଟ୍ରଫି ମୁକାବିଲାରେ ସାମି ଖେଳୁଛନ୍ତି। ତାଙ୍କୁ ବେଙ୍ଗଲ ଏକଦଶରେ ସ୍ଥାନ ମିଳିଛି। ବେଙ୍ଗଲ ବ୍ୟାଟିଂ କରୁଥିବାରୁ ସାମି ଏପର୍ଯ୍ୟନ୍ତ ଗ୍ରାଉଣ୍ଡକୁ ଓହ୍ଲାଇ ନାହାନ୍ତି।
ଗତ ଦିନିକିଆ ବିଶ୍ୱକପ ସମୟରେ ସେ ଆହତ ହୋଇଥିଲେ। ପରେ ତାଙ୍କ ଡାହଣ ପାଦ ଗଣ୍ଠି ଅଞ୍ଚଳରେ ଅସ୍ତ୍ରୋପଚାର କରାଯାଇଥିଲା। ଫିଟ ହେବା ପାଇଁ ତାଙ୍କୁ ପାଖା ପାଖି ବର୍ଷେ କାଳ ସମୟ ଲାଗିଥିଲା। ଦୀର୍ଘ ୩୬୦ଦିନ ପରେ ସେ ଘରୋଇ କ୍ରିକେଟ ଜରିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତାଙ୍କ ଖେଳିବା ଖବର ସମ୍ପ୍ରତି କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ବଢାଇ ଦେଇଛି ।
ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ୪ଟି ମ୍ୟାଚରୁ ୮ ପଏଣ୍ଟ ଅର୍ଜନ କରିଛି । ଗ୍ରୁପ-ସି ପଏଣ୍ଟ ତାଲିକାରେ ବେଙ୍ଗଲ୍ ପଞ୍ଚମ ସ୍ଥାନରେ ରହିଛି ।
ସାମି ସୋସିାଲ ମିଡ଼ିଆାରେ ରଣଜୀ ଟ୍ରଫି ଖେଳିବାକୁ ଯାଉଥିବା ଖବର ଜଣାଇଥିଲେ । ରଣଜୀ ଟ୍ରଫି ଜରିଆରେ ଫିଟନେସ୍ ପ୍ରମାଣ ଦେଇ ସେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ମଧ୍ୟ ଲକ୍ଷ୍ୟ ରଖିଥିବା ଜଣାଇଛନ୍ତି ।
୨୨ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏହା ପୂର୍ବରୁ ରଣଜୀ ଟ୍ରଫିର ଗୋଟିଏ ମ୍ୟାଚ୍ ଖେଳି ପାରିବେ । ଏହାପରେ ରଣଜୀ ଟ୍ରଫିକୁ ସ୍ଥଗିତ ରଖାଯାଇ ୨୩ତାରିଖରୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳାଯିବ । ଜାନୁଆରୀ ୨୩ରୁ ରଣଜୀ ଟ୍ରଫିର ପରବର୍ତ୍ତୀ ରାଉଣ୍ଡ ଆରମ୍ଭ ହେବ ।
ବର୍ଡର-ଗାଭାସ୍କର ଟ୍ରଫି ଦଳରେ ସାମିଙ୍କୁ ସ୍ଥାନ ମିଳି ନାହିଁ । ତଥାପି ତାଙ୍କୁ ଦଳରେ ସାମିଲ କରାଯାଇପାରିବ । ବର୍ତ୍ତମାନ ଟେଷ୍ଟ ଦଳରେ ପେସ୍ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣା ରହିଛନ୍ତି । ସେହିପରି ମୁକେଶ କୁମାର, ନବଦୀପ ସାଇନି ଓ ଖଲିଲ ଅହମ୍ମଦଙ୍କୁ ରିଜର୍ଭ ଭାବେ ସ୍ଥାନ ମିଳିଛି ।
Previous article : https://purvapaksa.com/officials-to-pay-from-salary-top-court-guidelines-on-bulldozer-justice/