- ଭାରତୀୟ ଖେଳାଳିଙ୍କ ଉପରେ ସ୍ୱତନ୍ତ୍ର ସଂଖ୍ୟା
- ଜୈସ୍ୱାଲ ନୂଆ କିଙ୍ଗ୍
ଆସନ୍ତା ୨୨ ତାରିଖରୁ ପର୍ଥରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ। ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ସେପଟେ ଘରୋଇ ଦଳର ସଦସ୍ୟମନେ ସେଫିଲ୍ଡ ସିଲ୍ଡ ଟୁର୍ଣ୍ଣାମେଣ୍ଟ ଓ ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳି ଭାରତ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଅଷ୍ଟ୍ରେଲିଆ ଗଣମାଧ୍ୟମ ମଧ୍ୟ ବାଦ ଯାଇନାହିଁ। ବର୍ଡର-ଗାଭାସ୍କର ଟ୍ରଫିର ଖବର ପ୍ରକାଶନ ପାଇଁ ଅଷ୍ଟ୍ରେଲିଆ ମିଡ଼ିଆ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆରେ ବହୁଳ ପ୍ରକାଶିତ ଦୈନିକ ‘ଦ ଡେଲି ଟେଲିଗ୍ରାଫ୍’ରେ ଭାରତୀୟ କ୍ରିକେଟରଙ୍କ ଉପରେ ୮ ପୃଷ୍ଠାର ସ୍ୱତନ୍ତ୍ର ସଂଖ୍ୟାକୁ ଦେଖି କ୍ରିକେଟେପ୍ରେମୀ ଚକିତ ହୋଇଛନ୍ତି । ପ୍ରଥମ ଥର ଏଭଳି ଦେଖିବାକୁ ମିଳିଛି ।
ଇଂରାଜୀ ଭାଷାରେ ପ୍ରକାଶିତ ଏହି ଖବର କାଗଜରେ ହିନ୍ଦୀ ଓ ପଞ୍ଜାବୀ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି। ଷ୍ଟାର ବ୍ୟାଟର ବିରାଟ କୋହଲି ପ୍ରଚ୍ଛଦ ପୃଷ୍ଠାରେ ରହିଛନ୍ତି । ହିନ୍ଦୀରେ ତାଙ୍କ ଉପରେ ଉଲ୍ଲେଖ ହୋଇଛି । ଶୀର୍ଷକ ରହିଛି ‘ଯୁଗ ପାଇଁ ଲଢ଼େଇ’ । ସେମିତି ପଛ ପୃଷ୍ଠାରେ ରହିଛନ୍ତି ଯଶସ୍ୱୀ ଜୈସ୍ୱାଲ । ତାଙ୍କ ବିଷୟରେ ପଞ୍ଜାବୀ ଭାଷାରେ ରିପୋର୍ଟ ଲେଖା ହୋଇଛି । ଶୀର୍ଷକ ରହିଛି ‘ଦ ନ୍ୟୁ କିଙ୍ଗ୍’ ବା ଭାରତୀୟ କ୍ରିକେଟ୍ର ନୂଆ ରାଜା। ଅନ୍ୟ ପୃଷ୍ଠାଗୁଡ଼ିକରେ ଯଶପ୍ରୀତ ବୁମରା ଓ ଅନ୍ୟ ଖେଳାଳିଙ୍କ ଉପରେ ସ୍ୱତନ୍ତ୍ର ରିପୋର୍ଟ ରହିଛି । ଅଷ୍ଟ୍ରେଲିଆ-ଭାରତ ମହାମୁକାବିଲା ପୂର୍ବରୁ ଦ ଡେଲି ଟେଲିଗ୍ରାଫ୍’ର ସ୍ୱତନ୍ତ୍ର ସଂଖ୍ୟା କ୍ରିକେଟ ପ୍ରେମୀଙ୍କୁ ମତୁଆଲା କରିଛି ।