ଶପଥପାଠ କରାଇଲେ ରାଷ୍ଟ୍ରପତି
ସୁପ୍ରିମକୋର୍ଟର ୫୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉପରାଷ୍ଟ୍ରପତି ଜଗଦୀପ ଧନଙ୍କର ଓ ପୂର୍ବତନ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥଲେ। ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ସୁପାରିସକ୍ରମେ ଜଷ୍ଟିସ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଅକ୍ଟୋବର ୨୪ରେ ନିଯୁକ୍ତି ଦିଆଯାଇଥିଲା।
ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୫ ମେ ୧୩ ତାରିଖରେ ଶେଷ ହେବ। ଜଷ୍ଟିସ ଖାନ୍ନା ୨୦୧୯ ଜାନୁଆରିରୁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ସୁପ୍ରିମକୋର୍ଟର ବିଭିନ୍ନ ପୀଠର ସଦସ୍ୟ ଭାବେ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟରେ ରହିଛି ଇଭିଏମ୍ର ବୈଧତା, ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ରଦ୍ଦ କରିବା, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଜଷ୍ଟିସ ଖାନ୍ନା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦେବରାଜ ଖାନ୍ନାଙ୍କ ପୁଅ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଚଆର ଖାନ୍ନାଙ୍କ ପୁତୁରା।
୧୯୬୦ ମେ’ ୧୪ ତାରିଖ ତାରିଖରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଜନ୍ମ ଗ୍ରହଣ କରିଥିଲେ । ପାଠପଢ଼ା ସରିବା ପରେ ୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ ହଜାରୀ କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ଏହାପରେ ହାଇକୋର୍ଟରେ ଓକିଲାତି କରିଥିଲେ। ଦିଲ୍ଲୀ ଆୟକର ବିଭାଗର ସିନିୟର ଷ୍ଟାଣ୍ଟିଂ କାଉନସେଲ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ପରେ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ। ଏହାପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ। ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସିନାଲ ଜଜ୍ ହୋଇଥିଲେ। ୨୦୦୬ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟିକ ଆଇନ ଓ ପରିବେଶ ଆଇନ ଉପରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି । ୨୦୧୯ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଆଜି ଶପଥ ପାଠ ପରେ ପରେ ସୁପ୍ରିମକୋର୍ଟ ଓ୍ୱେବସାଇଟ ପ୍ରୋଫାଇଲରେ ତାଙ୍କ ନାମ ସିଜେଆଇ ଦେଖାଇବା ସହ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ପୂର୍ବତନ ମୁଖ୍ୟ ବିଚାରପତି ବୋଲି ପ୍ରଦର୍ଶନ କରିଛି।
Previous post :https://purvapaksa.com/mango-kernel-deaths-a-bitter-cost-of-hunger-and-failing-governance/
1 Comment
Pingback: ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼