– ପୁରୁଣା ଏନ୍ସିଏ ହଟିବ, ଜୁନାଆରୀରୁ କାର୍ଯ୍ୟକ୍ଷମ ହେବ ନୂଆ ଏନ୍ସିଏ
– ନୂଆ ଏନ୍ସିଏରେ ରହିଛି ୩ ଗ୍ରାଉଣ୍ଡ୍, ୮୬ଟି ଅଭ୍ୟାସ ପିଚ୍
– ୧୬୦୦୦ ବର୍ଗ ଫୁଟ ଜିମ୍, ଆଥଲେଟିକ୍ ଟ୍ରାକ୍, ସୁଇମିଂ ପୁଲ୍
– ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ମେଡିକାଲ୍, ଲଜିଂ
– ଅଭ୍ୟାସ ପଇଁ ଇନଡୋର ନେଟ୍ସ
ବିସିସିଆଇର ଦୀର୍ଘ ବର୍ଷର ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି। କର୍ଣ୍ଣାଟକ ସରକାରଙ୍କଠାରୁ ଜମି ଅଧିଗ୍ରହଣ କରିବାର ୧୬ ବର୍ଷ ପରେ ବିସିସିଆଇ ଶେଷରେ ନୂଆ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ନିର୍ମାଣ କରିଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ଉଦୀୟମାନ ଓ ଅଭିଜ୍ଞ କ୍ରିକେଟ ଖେଳାଳି ପର୍ଯ୍ୟନ୍ତ ସମସ୍ତଙ୍କ ପଇଁ ଏଠାରେ ରହିଛି ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗ।
ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ପରିସରରେ ସମ୍ପ୍ରତି ପୁରୁଣା ଏନ୍ସିଏ କାର୍ଯ୍ୟକ୍ଷମ ରହିଛି। ମାତ୍ର ଆସନ୍ତା ବର୍ଷ ଜାନୁଆରୀରୁ ନୂଆ ଏନ୍ସିଏ କାର୍ଯ୍ୟକ୍ଷମ ହେବ। ପୁରୁଣା ଏନ୍ସିଏର ସମସ୍ତ ଉପକରଣକୁ ନୂଆ ଏନ୍ସିଏକୁ ସ୍ଥାନାନ୍ତରିତ କରାଯିବ।
ନୂଆ ଏନ୍ସିଏକୁ ବିସିସିଆଇ କ୍ରିକେଟ୍ ଉତ୍କର୍ଷ କେନ୍ଦ୍ରଭାବେ ନାମକରଣ କରିଛି। ମୋଟ୍ ୪୦ ଏକର ଜମିରେ ନିର୍ମାଣ କରାଯାଇଛି ନୂଆ ଏନ୍ସିଏ ବା ବିସିସିଆଇ କ୍ରିକେଟ୍ ଉତ୍କର୍ଷ କେନ୍ଦ୍ର। ଏଠାରେ ୩ଟି ଅନ୍ତର୍ଜାତୀୟ ମାନ(ଆଇସିସି ନିୟମ ଅଧିନସ୍ଥ)ର କ୍ରିକେଟ୍ ଗ୍ରାଉଣ୍ଡ ରହିଛି। ଯେଉଁଠାରେ ଘରୋଇ ପ୍ରଥମ ଶ୍ରେଣୀ ମ୍ୟାଚ୍ ଆୟୋଜନ କରାଯାଇପାରିବ। ଏହା ବ୍ୟତୀତ ଇନଡୋର ଅଭ୍ୟାସ ପାଇଁ ଏଠାରେ ପର୍ଯ୍ୟାପ୍ତ ପରିମାଣ ସୁବିଧା ସୁଯୋଗ ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆରୁ ଇନଡୋର ଅଭ୍ୟାସର ସମସ୍ତ କ୍ରୀଡ଼ା ଉପକରଣ (ଅଭ୍ୟାସ ଟର୍ଫ) ଅଣା ଯାଇଛି।
ଆଉଟ୍ ଡୋର ଅଭ୍ୟାସ ପଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି, ଯେଉଁଠାରେ ମୋଟ୍ (ଗ୍ରାଉଣ୍ଡ ଓ ଅଭ୍ୟାସ ସ୍ଥାନକୁ ମିଶାଇ) ୮୬ଟି ଅଭ୍ୟାସ ପିଚ୍ ଓ ନେଟ୍ସ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତିତ ସ୍ପୋର୍ଟ୍ସ ସାଇନ୍ସ ଓ ରିହାବ ସେଣ୍ଟର, ମେଡିକାଲ ସେଣ୍ଟର, ଖେଳାଳିଙ୍କ ଅବସ୍ଥାନ ପାଇଁ ଅତ୍ୟାଧୁନିକ ଲଜିଂର ବ୍ୟବସ୍ଥା ରଖାଯାଇଛି।
ଆୟୋଜନ ହେବ ଏ’ ଟୁର୍ ମ୍ୟାଚ୍
ନୂଆ ଉତ୍କର୍ଷ କେନ୍ଦ୍ରରେ ରହିଥିବା କ୍ରିକେଟ୍ ଗ୍ରାଉଣ୍ଡ(ଗ୍ରାଉଣ୍ଡ୍-ଏ)ର ବାଉଣ୍ଡାରୀ ୮୫ଗଜ ରହିଛି। ଏଥିରେ ଅତ୍ୟାଧୁନିକ ଫ୍ଲଡ୍ ଲାଇଟ୍, ସବ୍ ଏୟାର ଡ୍ରେନେଜ ସିଷ୍ଟମ ସହ ଟେଲିଭିଜନ ପ୍ରସାରଣ ପାଇଁ ସୁବିଧା, ଅଭ୍ୟାସ ପାଇଁ ୧୩ଟି ନାଲି ମାଟିରେ ପ୍ରସ୍ତୁତ ପିଚ୍ ରହିଛି। ପିଚ ନିର୍ମାଣ ପାଇଁ ମୁମ୍ବାଇରୁ ନାଲି ମାଟି ଅଣା ଯାଇଥିଲା। ଏହି ଗ୍ରାଉଣ୍ଡରେ ଖୁବ୍ଶୀଘ୍ର ଏ’ ଟୁର୍ ମ୍ୟାଚ୍ ଆୟୋଜନ କରାଯିବ ବୋଲି ଏନ୍ସିଏ ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣ ପ୍ରକାଶ କରିଛନ୍ତି।
ଗ୍ରାଉଣ୍ଡ ବି ଓ ସି’କୁ କେବଳ ଅଭ୍ୟାସ ପାଇଁ ବ୍ୟବହାର କରାଯିବ। ଯାହାର ବାଉଣ୍ଡାରୀ ୭୫ଗଜ ରହିଛି। ଉଭୟ ଗ୍ରାଉଣ୍ଡର ସମସ୍ତ ଅଭ୍ୟାସ ପିଚ୍ କଳା ମାଟିରେ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର କଳାହାଣ୍ଡି ଓ କର୍ଣ୍ଣାଟକର ଦକ୍ଷିଣ ଭାଗରୁ ଏହି କଳା ମାଟି ଅଣା ଯାଇଛି। ୩ଟି ଯାକ ଗ୍ରାଉଣ୍ଡ ବ୍ୟତିତ ସ୍ୱତନ୍ତ୍ର ଅଭ୍ୟାସ ଅଞ୍ଚଳ ରହିଛି। ଏହି ସ୍ଥାନେର ରହିଛି ୪୫ଟି ପିଚ୍। ବିଭିନ୍ନ ମାଟିରେ ଭିନ୍ନ ଭିନ୍ନ ପିଚ୍ ନିର୍ମାଣ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନେଟ୍ ଲଗା ଯାଇଛି। ଏହା ବ୍ୟତିତ ରହିଛି ୮ଟି ଇନଡୋର ଟର୍ଫ ନେଟ୍। ୟୁକେ ଓ ଅଷ୍ଟ୍ରେଲିଆରୁ ଟର୍ଫ ଅଣାଯାଇଛି।
ଉତ୍କର୍ଷ କେନ୍ଦ୍ରରେ ୪ଟି ଇନଡୋର ଓ ଆଉଟ୍ ଡୋର ଆଥଲେଟିକ୍ ଟ୍ରାକ୍ ନିର୍ମାଣ କରାଯାଇଛି। ଏହା ବାଦ୍ ୮୦ ସିଟ୍ ବିଶିଷ୍ଟ ବୈଠକଖାନା, ୨୫ମିଟର ଦେୈର୍ଘ୍ୟ ଓ ୧୨ମିଟର ପ୍ରସ୍ଥ ବିଶିଷ୍ଟ ସୁଇମିଂ ପୁଲ୍ ଓ ରିକୋଭରି ସେଣ୍ଟର ରହିଛି। ଆବଶ୍ୟକ ପଡ଼ିଲେ ଆଥ୍ଲେଟିକ୍ ଟ୍ରାକ୍, ସୁଇମିଂ ପୁଲ୍ ଓ ରିକଭରି ସେଣ୍ଟରକୁ ଅନ୍ୟ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ କାର୍ଯ୍ୟରେ ଲାଗି ପାରିବ।
ନୂଆ ଏନ୍ସିଏେର ଏତେ ସବୁ ସୁବିଧା ସୁଯୋଗ ବ୍ୟତିତ ଅବଶିଷ୍ଟ ୭ ଏକର ଜମିକୁ ଭବିଷ୍ୟତ ପାଇଁ ଖାଲି ରଖାଯାଇଛି। ସବୁ ବର୍ଗର କ୍ରିକେଟ୍ ଖେଳାଳି ନୂଆ ଏନ୍ସିଏର ସୁବିଧା ପାଇପାରିବେ ବୋଲି ଲକ୍ଷ୍ମଣ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି, ସିନିୟର (ଘରୋଇ ଓ ଅନ୍ତର୍ଜାତୀୟ) ବର୍ଗରେ ଖେଳୁଥିବା କ୍ରିକେଟ ଖେଳାଳିମାନେ ଏନ୍ସିଏରେ ଅଭ୍ୟାସ ଓ ଅନ୍ୟାନ୍ୟ ସୁବିଧାର ଲାଭ ଉଠାଉଛନ୍ତି। ଏଠାରେ କେବଳ ଖେଳାଳିମାନଙ୍କ ଚିକତ୍ସା କିମ୍ବା ଫିଟନେସରେ ଉନ୍ନତି ପଇଁ କାର୍ଯ୍ୟ କରାଯାଉନାହିଁ। ଖେଳାଳିମାନେ ଏଠାରେ ବର୍ଷସାରା ରହି ପରବର୍ତ୍ତି ଟୁର୍ଣ୍ଣାମେଣ୍ଟ ପଇଁ ପ୍ରସ୍ତୁତି କରୁଛନ୍ତି।
୧୬ ବର୍ଷର ଅପେକ୍ଷା ୧୫ ମାସରେ ଶେଷ
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ବିସିସିଆଇ ମଧ୍ୟ ଏକ ଅତ୍ୟାଧୁନିକ କ୍ରିକେଟ୍ ଏକାଡେମୀ ନିର୍ମାଣ କରିବା ପଇଁ ଆଶା ବାନ୍ଧିଥିଲା। ବେଙ୍ଗାଲୁରୁ ସହର ଥିଲା ଉପଯୁକ୍ତ ସ୍ଥାନ। କର୍ଣ୍ଣାଟକ ସରକାର ବେଙ୍ଗାଲୁରୁ ଉପକଣ୍ଠରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ଦିନ ଧରି ବିବାଦ ଓ ମାଲି ମକଦ୍ଦମା ପରେ ୨୦୨୦ରେ ବିସିସିଆଇକୁ ଉକ୍ତ ଜମିରେ ଏକାଡେମୀ ନିର୍ବାଣ କରିବାକୁ ସବୁଜ ସଂକେତ ମିଳିଥିଲା। ମାତ୍ର କୋଭିଡ୍ ଯୋଗୁଁ ନିର୍ମାଣ କାର୍ଯ୍ୟ ଅଟକି ରହିଥିଲା।
ଶେଷରେ ୨୦୨୨ ଫେବ୍ରୁଆରୀରେ ଭୁମି ପୂଜନ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୫ମାସ ମଧ୍ୟରେ ନୂଆ ଏକାଡେମୀ ପ୍ରସ୍ତୁତ କରିବାର କରିବାର ଯୋଜନା ରଖି ବିସିସିଆଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା।
ସବୁ ବର୍ଗରେ ପ୍ରଶିକ୍ଷଣ ଶିବିର
ନୂଆ ଏନ୍ସିଏ କାର୍ଯ୍ୟକ୍ଷମ ହେବା ପରେ ସବୁ ବୟସ ବର୍ଗର ଖେଳାଳିମାନେ ଏହାର ଲାଭ ଉଠାଇ ପାରିବେ। ଲକ୍ଷ୍ମଣ କହିଛନ୍ତି, ଜାତୀୟ ଚୟନ କମିଟି ପ୍ରସ୍ତୁତ କରିଥିବା ୧୫ ବର୍ଷରୁ କମ୍ ବାଳିକା ଓ ୧୬ ବର୍ଷରୁ କମ ବାଳକ ଦଳ ଏନ୍ସିଏରେ ରହି ପ୍ରଶିକ୍ଷଣ ନେଉଛନ୍ତି। ଏହା ବ୍ୟତୀତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଅନେକ ଶିବିର ଆୟୋଜନ କରାଯାଉଛି। ଗତ ୬ମାସ ମଧ୍ୟରେ ଏନ୍ସିଏ ପକ୍ଷରୁ ୩୨ଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଆମ ଖେଳାଳିମାନଙ୍କୁ ସବୁ ପ୍ରକାର ପିଚ୍ ଓ ଜଳବାୟୁରେ ଖେଳିବାର ଅଭିଜ୍ଞତା ଯୋଗାଇଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଶିବର ଆୟୋଜନ କରାଯାଉଛି। ନୂଆ ଏନ୍ସିଏ କାର୍ଯ୍ୟକ୍ଷମ ହେବା ପରେ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ମୁଖ୍ୟତଃ ୩ପ୍ରକାର ମାଟିରେ ପିଚ୍ ନିର୍ମାଣ କରାଯାଥାଏ। ନୂଆ ଏନ୍ସିଏରେ ସମସ୍ତ ପ୍ରକାର ମାଟିରେ ପିଚ୍ ପ୍ରସ୍ତୁତ ହୋଇରହିଛି। ତେଣୁ ଆମ ଖେଳାଳିମାନେ ବାହାରକୁ ନ ଯାଇ ଗୋଟିଏ ସ୍ଥାନରେ ସବୁପ୍ରକାର ଅଭ୍ୟାସ ସୁବିଧା ପାଇବେ।
Previous Articlehttps://purvapaksa.com/usa-president-election-results-2024-donald-trump-india-balance-move-detail/