ଓଡ଼ିଆ ଜାତିର ଅସ୍ମିତା, ବିଶ୍ୱବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ଭାବବେଗର କେନ୍ଦ୍ର । ଦେଶ-ବିଦେଶରେ ଥିବା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ନିଜର ଆଧ୍ୟାତ୍ମିକ ଆଶ୍ରୟସ୍ଥଳୀ ମାନନ୍ତି । କିନ୍ତୁ ବିଗତ କିଛି ଦଶନ୍ଧି ଧରି ଏହି ପବିତ୍ର ପୀଠର ପରିଚାଳନା ପଦ୍ଧତିକୁ ନେଇ ଯେଉଁଭଳି ବିତର୍କ ସୃଷ୍ଟି ହୋଇଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ମୁଖ୍ୟ ପ୍ରଶାସକଙ୍କ ଭୂମିକା ଏବେ ସନ୍ଦେହ ଘେରରେ। ପ୍ରଶ୍ନ ଉଠୁଛି ଏହି ପ୍ରଶାସନିକ ବ୍ୟବସ୍ଥା କାହା ପାଇଁ କାମ କରୁଛି? ଭକ୍ତଙ୍କ ପାଇଁ ନା ନିଜର ସୁବିଧା ପାଇଁ? ଯେତେବେଳେ ପ୍ରଶାସନ ନିଜର ଦାୟିତ୍ୱ ଭୁଲିଯାଏ, ସେତେବେଳେ ନ୍ୟାୟପାଳିକାକୁ ହସ୍ତକ୍ଷେପ କରିବାକୁ ପଡ଼େ । ଶ୍ରୀମନ୍ଦିର କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଛି । ଶ୍ରୀମନ୍ଦିରର ସଂସ୍କାରଠାରୁ ଆରମ୍ଭ କରି ରତ୍ନଭଣ୍ଡାରର ସୁରକ୍ଷା ପର୍ଯ୍ୟନ୍ତ, ସବୁଥିରେ କୋର୍ଟଙ୍କ ତାଗିଦ୍ ପରେ ହିଁ ପ୍ରଶାସନର ‘କୁମ୍ଭକର୍ଣ୍ଣ ନିଦ୍ରା’ ଭାଙ୍ଗୁଥିବା ପରିଲକ୍ଷିତ ହେଉଛି।
:max_bytes(150000):strip_icc()/_DSC0713_Snapseed_Darkroom-819d0b229974460e8141622c4494e2ed.jpg)
କିନ୍ତୁ ଆଜି ଯେଉଁ ପ୍ରଶ୍ନଟି ସବୁଠାରୁ ଗୁରୁତର ଭାବେ ଉଠୁଛି, ସେହି ପ୍ରଶ୍ନ ହେଉଛି-ଶ୍ରୀଜଗନ୍ନାଥଙ୍କ ମନ୍ଦିର କାହା ପାଇଁ ଚାଲୁଛି? ଭକ୍ତଙ୍କ ପାଇଁ? ଦେବତାଙ୍କ ସେବା ପାଇଁ? ନା ସରକାରୀ ପ୍ରଶାସନ, ଅଧିକାରୀ ଓ ରାଜନୈତିକ ସୁବିଧା ପାଇଁ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଆମକୁ ବାରମ୍ବାର ଆଇନା ଦେଖାଉଛନ୍ତି—ଭାରତର ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟ।
ଟାଳଟୁଳ ନୀତି: ରତ୍ନଭଣ୍ଡାର ଓ ରାଜ୍ୟର ନୀରବତା
ରତ୍ନଭଣ୍ଡାର—ଏହି ଗୋଟିଏ ଶବ୍ଦ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଦୁର୍ବଳତାକୁ ଲଙ୍ଗଳା କରିଦେଉଛି। ଦଶନ୍ଧି ଦଶନ୍ଧି ଧରି ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାରର ଗଣତି–ମଣତି ହେବ ବୋଲି କଥା ହେଉଛି। କିନ୍ତୁ ପ୍ରତ୍ୟେକ ସରକାର, ପ୍ରତ୍ୟେକ ପରିଚାଳନା କମିଟି, ପ୍ରତ୍ୟେକ ମୁଖ୍ୟପ୍ରଶାସକ—ଏହାକୁ ଆଗକୁ ବଢ଼ାଇବା ପରିବର୍ତ୍ତେ ଏସଓପି, ପ୍ରକ୍ରିୟା, ପରମ୍ପରା ଓ ଆସ୍ଥାର ଆଳରେ ଗଡ଼ାଇ ଚାଲିଛନ୍ତି। ବିଜେଡି ସରକାର ସମୟରେ ଟାଳଟୁଳ ନୀତି ଚାଲୁଥିଲା।
ବିଜେପି ସରକାର ଆସିଲା ପରେ ମଧ୍ୟ ସେହି ଟାଳଟୁଳ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ପାର୍ଥକ୍ୟ କେବଳ ଏତିକି—ଏବେ ଟାଳଟୁଳ ନୀତି ଉପରେ ଏବେ ହାଇକୋର୍ଟର ନଜର ପଡ଼ିଛି ।
ଗତ ମଙ୍ଗଳବାର ହାଇକୋର୍ଟରେ ମାମଲା ଶୁଣାଣି ହେବା ପରେ ହଠାତ୍ ଶ୍ରୀମନ୍ଦିର ପ୍ରଶାସନର “ନିଦ ଭାଙ୍ଗିଲା”। ୨୭ ତାରିଖରେ ଏସଓପି ପ୍ରସ୍ତୁତ ହେବ ବୋଲି ଘୋଷଣା ହୋଇଛି । କିନ୍ତୁ ପ୍ରଶ୍ନ ହେଉଛି— ଏସଓପି ପ୍ରସ୍ତୁତ ହେଲେ କ’ଣ ହେବ? ଗଣତି କେବେ? ଅନୁଭବ କହୁଛି—କୋର୍ଟ ଆଉ ଥରେ ନିର୍ଦ୍ଦେଶ ନ ଦେଲେ କି ଭର୍ତ୍ସନା ନ କଲେ ଗଣତି ମଣତି କାମ ହେବ ନାହିଁ।
ନ୍ୟାୟିକ ହସ୍ତକ୍ଷେପର ପୃଷ୍ଠଭୂମି: ମୃଣାଳିନୀ ପାଢ଼ୀ ମାମଲା
ଶ୍ରୀଜଗନ୍ନାଥ ମନ୍ଦିରର କୁପରିଚାଳନା ଏବଂ ସେବାୟତଙ୍କ ଦ୍ୱାରା ଭକ୍ତଙ୍କୁ ହଇରାଣ କରାଯିବା ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୧୮ ମସିହାରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲା ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ମୋଡ଼ ଆଣିଥିଲା।
ଆବେଦନକାରୀ ଦର୍ଶାଇଥିଲେ ଯେ:-
• ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନରୁ ବଞ୍ଚିତ କରାଯାଉଛି।
• ସେବାୟତମାନେ ବେଆଇନ ଭାବେ ଅର୍ଥ ଦାବି କରୁଛନ୍ତି।
• ମନ୍ଦିରର ସମ୍ପତ୍ତି ଓ ରତ୍ନଭଣ୍ଡାରର ଚାବି ହଜିବା ଭଳି ଗମ୍ଭୀର ଅବହେଳା ପ୍ରଦର୍ଶିତ ହୋଇଛି।
ସୁପ୍ରିମକୋର୍ଟଙ୍କ ୨୨ଟି ନିର୍ଦ୍ଦେଶାବଳୀ

୪ ନଭେମ୍ବର ୨୦୧୯ରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟରେ ଶ୍ରୀମନ୍ଦିର ପ୍ରଶାସନକୁ ୨୨ଟି ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶଗୁଡ଼ିକ ମଧ୍ୟରେ ଥିଲା:-
• ଭକ୍ତଙ୍କ ସୁବିଧା ଦେବା ପାଇଁ ଶ୍ରୀମନ୍ଦିର ବେଢ଼ା ବାହାରେ ଆଧୁନିକ ଶୌଚାଳୟ, ପୋଷାକ ବଦଳାଇବା ଘର ଏବଂ ବିଶ୍ରାମାଗାର ନିର୍ମାଣ। ଏହା ହିଁ ପରବର୍ତ୍ତୀ ସମୟରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଭିତ୍ତିଭୂମି ସାଜିଥିଲା।
• ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକଙ୍କ ନିଯୁକ୍ତିକୁ ବାଧ୍ୟତାମୂଳକ କରାଗଲା, ଯେପରି ଶ୍ରୀମନ୍ଦିରର ଦୈନିକ କାର୍ଯ୍ୟାବଳୀ ସୁରୁଖୁରୁରେ ଚାଲିପାରିବ। କିନ୍ତୁ ତାହା ଅଦ୍ୟାବଧି ହୋଇପାରୁନାହିଁ। ସରକାର ମନଇଚ୍ଛା ନିଯୁକ୍ତି ଓ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି। କିମ୍ବା ଅସ୍ଥାୟୀ ଅତିରିକ୍ତ ଦାୟିତ୍ୱ ଦେଇ କାମ ଚଳାଉଛନ୍ତି।
• ପୂଜାର୍ଚ୍ଚନାରେ ବିଭ୍ରାଟ ସୃଷ୍ଟି କରୁଥିବା ବା ଭକ୍ତଙ୍କୁ ହଇରାଣ କରୁଥିବା ସେବାୟତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଶ୍ରୀମନ୍ଦିର ପ୍ରଶାସନ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରୁ ନାହିଁ।
ମନ୍ଦିର ପ୍ରଶାସନର ‘ଟାଟୁଳ ନୀତି’ ଓ ଅପାରଗତା
ବିଡ଼ମ୍ବନାର ବିଷୟ ହେଉଛି, ଏତେ ସବୁ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପରିଚାଳନା କମିଟି ନିଜ ଆଡୁ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଛି। ସମାଜରେ ମତ ପ୍ରକାଶ ପାଉଛି ଯେ, ପ୍ରଶାସନିକ ଅଧିକାରୀମାନେ କେବଳ କୋର୍ଟଙ୍କୁ ଉତ୍ତର ରଖିବା ପାଇଁ ‘ଫର୍ମାଲିଟି’ ପାଳନ କରୁଛନ୍ତି। ଶ୍ରୀମନ୍ଦିରର ସ୍ୱଚ୍ଛତା, ବିଶେଷ କରି ମହାପ୍ରସାଦ ବିକ୍ରି ହେଉଥିବା ଆନନ୍ଦ ବଜାରର ପରିମଳ ବ୍ୟବସ୍ଥା ଆଜି ମଧ୍ୟ ସନ୍ତୋଷଜନକ ନୁହେଁ। ମେ ୨୦୨୩ରେ ସୁପ୍ରିମକୋର୍ଟ ମାମଲାଟିକୁ ବନ୍ଦ କରି କହିଲେ ଯେ, ଯେକୌଣସି ନୂତନ ଅଭିଯୋଗ କିମ୍ବା ବାକି ଥିବା ଅନୁପାଳନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ଦାୟିତ୍ୱ ଦିଆଗଲା। ଏହା ସୂଚାଉଛି ଯେ, ନ୍ୟାୟପାଳିକା ମଧ୍ୟ ଅନୁଭବ କରୁଛି ଯେ ଶ୍ରୀମନ୍ଦିର ପ୍ରଶାସନ ଉପରେ ସବୁବେଳେ ଏକ ‘ୱାଚ୍ଡଗ୍’ ବା ପ୍ରହରୀର ଆବଶ୍ୟକତା ରହିଛି।
ରତ୍ନଭଣ୍ଡାର ଓ ସମ୍ପତ୍ତି ସୁରକ୍ଷା: ହାଇକୋର୍ଟଙ୍କ ଦୃଢ଼ ପଦକ୍ଷେପ

ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବଳ ଏକ କୋଷାଧ୍ୟାକ୍ଷ ନୁହେଁ, ଏହା ଓଡ଼ିଶାର ଗର୍ବ ଓ ଗୌରବ। ରତ୍ନଭଣ୍ଡାର ଚାବି ହଜିବା ଏବଂ ଏହାର ଗଣତି-ମଣତି ନ ହେବା ସାରାରାଜ୍ୟରେ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିଥିଲା। ସମୀର ମହାନ୍ତିଙ୍କ ଦ୍ୱାରା ହୋଇଥିବା ପୃଥକ୍ ପିଆଇଏଲ୍ ଆଧାରରେ ଓଡ଼ିଶା ହାଇକୋର୍ଟ ସେପ୍ଟେମ୍ବର ୨୦୨୩ରେ ଐତିହାସିକ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବା ଓ ଏହାର ମରାମତି ପାଇଁ ବାଟ ଫିଟାଇଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଯଦି ହାଇକୋର୍ଟ ହସ୍ତକ୍ଷେପ କରିନଥାନ୍ତେ, ତେବେ ହୁଏତ ରତ୍ନଭଣ୍ଡାର ପ୍ରସଙ୍ଗ ଚାପି ହୋଇ ରହିଯାଇଥାନ୍ତା।
“ଅମୃତମଣୋହୀ” ଜମି ଓ ଜବରଦଖଲ ବିରୋଧରେ ଲଢ଼େଇ
ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଣେ “ଚଳନ୍ତି ପ୍ରତିମା” ଏବଂ ଆଇନ ଅନୁଯାୟୀ ସେ ଏକ “ନାବାଳକ ବ୍ୟକ୍ତି” ଯାହାଙ୍କର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବା ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦାୟିତ୍ୱ। କିନ୍ତୁ ହଜାର ହଜାର ଏକର ଶ୍ରୀମନ୍ଦିର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି। ତାହାକୁ ଜବରଦଖଲ ମୁକ୍ତ କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଚାହୁଁ ନାହାନ୍ତି।
ସେପ୍ଟେମ୍ବର ୨୦୨୪ରେ ଓଡ଼ିଶା ହାଇକୋର୍ଟ ଏକ ଯୁଗାନ୍ତକାରୀ ରାୟ ଦେଇଛନ୍ତି:-
• ଆଧାର/ଭୋଟର କାର୍ଡ ମାଲିକାନା ନୁହେଁ। ତେଣୁ କେବଳ ପରିଚୟ ପତ୍ର ଥିଲେ ଜଣେ ଜବରଦଖଲକାରୀ ମନ୍ଦିର ଜମି ଉପରେ ଅଧିକାର ଦାବି କରିପାରିବେ ନାହିଁ।
• ଅମୃତମଣୋହୀ ଜମିର ସୁରକ୍ଷା ଦୃଷ୍ଟିରୁ ୧୯୫୫ ମସିହାର ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ, ଦେବତାଙ୍କ ଜମି ବିକ୍ରୟ କରାଯାଇପାରିବ ନାହିଁ।
• ସମସ୍ତ ଜମି ରେକର୍ଡକୁ ଡିଜିଟାଲ୍ ରୂପ ଦେବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପରିଚାଳନା କମିଟି କାହାପାଇଁ କାମ କରୁଛି?
ଏହି ପ୍ରଶ୍ନଟି ଅସୁବିଧାଜନକ। କିନ୍ତୁ ଆବଶ୍ୟକ। ମନ୍ଦିର ପରିଚାଳନା କମିଟି ଭକ୍ତଙ୍କ ପାଇଁ ନା ସରକାର ପାଇଁ?
ନା କିଛି ପ୍ରଭାବଶାଳୀ ଗୋଷ୍ଠୀ ପାଇଁ? ଯେତେବେଳେ କୋର୍ଟ ନିର୍ଦ୍ଦେଶ ଦିଏ, ସେତେବେଳେ କାମ ହୁଏ।
ଯେତେବେଳେ କୋର୍ଟ ଚୁପ୍, ସେତେବେଳେ ଫାଇଲ୍ ବନ୍ଦ ହୋଇ ରହିଥାଏ। ଏହା ଶାସନ ନୁହେଁ—ଏହା ଟାଳଟୁଳ ନୀତି।
କେବେ ମିଳିବ ସ୍ଥାୟୀ ସମାଧାନ?

ଶ୍ରୀମନ୍ଦିର ପ୍ରଶାସନର ବିଫଳତା ଯୋଗୁଁ ଆଜି ସାଧାରଣରେ ଏହି ମତ ପ୍ରକାଶ ପାଇଲାଣି ଯେ, ଶ୍ରୀମନ୍ଦିରର ପରିଚାଳନା ସରକାରଙ୍କ ପରିବର୍ତ୍ତେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବା ଉଚିତ। ଜଣେ ଜର୍ଣ୍ଣାଲିଷ୍ଟ ଭାବେ ଏତିକି କୁହାଯାଇପାରେ ଯେ, କେବଳ କୋଠାବାଡ଼ି ନିର୍ମାଣ ବା କରିଡର ପ୍ରକଳ୍ପ ଦ୍ୱାରା ସଂସ୍କାର ଆସିବ ନାହିଁ। ପ୍ରକୃତ ସଂସ୍କାର ତେବେ ଆସିବ, ଯେତେବେଳେ:
୧. ପ୍ରଶାସନ ନିଜ ଆଡ଼ୁ ସ୍ୱଚ୍ଛତା ଓ ନିଷ୍ଠାର ସହ କାର୍ଯ୍ୟ କରିବ।
୨. ଭକ୍ତମାନେ ଶୋଷଣରୁ ମୁକ୍ତି ପାଇବେ।
୩. ମହାପ୍ରଭୁଙ୍କ ରତ୍ନ ଓ ସମ୍ପତ୍ତିର ସଠିକ୍ ହିସାବ ସାର୍ବଜନୀନ ହେବ।
ଶ୍ରୀମନ୍ଦିର ପ୍ରଶାସନ ନିଜର “ଟାଟୁଳ ନୀତି” ତ୍ୟାଗ କରିବା ଉଚିତ। ନଚେତ୍ ଇତିହାସ ସାକ୍ଷୀ ରହିବ ଯେ, ମହାପ୍ରଭୁଙ୍କ ସେବା ପାଇଁ ନିଯୁକ୍ତ ବ୍ୟକ୍ତିମାନେ ନିଜର କର୍ତ୍ତବ୍ୟରେ ଅବହେଳା କରି କେବଳ କୋର୍ଟଙ୍କ ତାଗିଦ୍ ଶୁଣିବାରେ ହିଁ ସମୟ ଅତିବାହିତ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର କେବଳ ଏକ ଅନୁଷ୍ଠାନ ନୁହେଁ, ଏହା କୋଟି କୋଟି ଓଡ଼ିଆଙ୍କ ହୃଦୟ। ଏହାର ସୁରକ୍ଷା ଓ ସଂସ୍କାର ପାଇଁ ନ୍ୟାୟପାଳିକା, ସରକାର ଏବଂ ସେବାୟତଙ୍କ ମଧ୍ୟରେ ଏକ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି।
ଶ୍ରୀଜଗନ୍ନାଥ କୌଣସି ସରକାରର ନୁହେଁ।
ଶ୍ରୀଜଗନ୍ନାଥ କୌଣସି ଅଧିକାରୀଙ୍କ ଫାଇଲ୍ ନୁହେଁ।
ଶ୍ରୀଜଗନ୍ନାଥ କୌଣସି ପରିଚାଳନା କମିଟିର ସମ୍ପତ୍ତି ନୁହେଁ।
ଶ୍ରୀଜଗନ୍ନାଥ ଭକ୍ତଙ୍କର—–
ଯଦି ପ୍ରଶାସନ ଏହି ସତ୍ୟକୁ ବୁଝିପାରୁନାହିଁ,
ତେବେ ଇତିହାସ ଲେଖିବ-
ଶ୍ରୀଜଗନ୍ନାଥ ମନ୍ଦିରକୁ ବଞ୍ଚାଇବାକୁ ଆଇନ ଆଗକୁ ଆସିଥିଲା,
କିନ୍ତୁ ଯେଉଁମାନଙ୍କ ଉପରେ ଦାୟିତ୍ୱ ଥିଲା, ସେମାନେ ନୀରବ ଥିଲେ।
also read https://purvapaksa.com/the-2029-elections-are-far-away-but-politics-is-close/
https://purvapaksa.com/the-2029-elections-are-far-away-but-politics-is-close/


