କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଜାଉ ଖାଇଥିବା ଦୁଇଜଣ ମହିଳାଙ୍କ ମୃତ୍ୟୁ ହେପାଟାଇଟିସ୍ ହେତୁ ହୋଇଥାଇପାରେ ବୋଲି ଓଡ଼ିଶା ସରକାର କହିଛନ୍ତି।
ଗତ ଗୁରୁବାର ଦିନ ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ମଣ୍ଡିପଙ୍କା ଗ୍ରାମର ରୁନି ମାଝୀ (୩୦) ଓ ରାଣୀତା ପଟାମାଝୀ (୨୮)ଙ୍କ ଆମ୍ବ ଟାକୁଆରେ ତିଆରି ଜାଉ ଖାଇ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଶବ ବ୍ୟବଚ୍ଛେଦ ଓ ଖାଦ୍ୟ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଥିଲେ ହେଁ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଅନ୍ୟ ଦୁଇଜଣ ରୋଗୀ ଫଙ୍ଗଲ ସଂକ୍ରମଣ ଯୋଗୁଁ ପଲମୋନାରୀ ହେପାଟିକ୍ ଫେଲ୍ ହୋଇଥିବା ଜଣାପଡ଼ିଛି। ମଲ୍ଟି ଅର୍ଗାନ ଫେଲୁଅର ପାଇଁ ସେମାନଙ୍କୁ ଚିକିତ୍ସା କରାଯାଉଛି। ସେଥିପାଇଁ ଫୁଲମିନାଣ୍ଟ ହେପାଟାଇଟିସ୍ କାରଣରୁ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଡାକ୍ତର ମିଶ୍ର କହିଛନ୍ତି ଯେ ଫୁଲମିନାଣ୍ଟ ହେପାଟାଇଟିସ୍ ହେଉଛି ଏକ ଗମ୍ଭୀର ପ୍ରକାରର ତୀବ୍ର ଯକୃତ ବିଫଳତା ଯାହା ପୂର୍ବରୁ ଯକୃତ ସମସ୍ୟା କିମ୍ବା କ୍ରନିକ୍ ହେପାଟାଇଟିସ୍ ନ ଥିବା ଲୋକଙ୍କଠାରେ ଦେଖାଯାଏ। ଏହାର ପ୍ରସ୍ତୁତିର ଦୁଇ ତିନିଦିନ ପରେ ଯେଉଁମାନେ ଆମ୍ବ ଟାକୁଆ ଜାଉ ଖାଇଥିଲେ ସେମାନଙ୍କଠାରେ ଏହା ବିକଶିତ ହୋଇଥିଲା। ଆମ୍ବ ଟାକୁଆ ଜାଉକୁ ଉପଯୁକ୍ତ ସଂରକ୍ଷଣ ବିନା ରଖାଯାଇଥିଲା ଏବଂ ଏହା ବିଷାକ୍ତ ହୋଇଯାଇଥିଲା ଯାହା ଫଳରେ ଏହାକୁ ଖାଉଥିବା ଲୋକଙ୍କ ମଧ୍ୟରେ ଫଙ୍ଗଲ ବୃଦ୍ଧି ପାଇଥିଲା।
ସ୍ୱାସ୍ଥ୍ୟ ସେବା ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି ଯେ, ଏସସିବି ଏମସିଏଚର ମେଡିସିନ୍ ଆଇସିୟୁରେ ଟୁନି ମାଝୀ (୩୦) ଓ ଜିତା ମାଝୀ (୩୦) ନାମକ ଦୁଇ ଜଣ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ବାକି ୪ ଜଣଙ୍କ ଅବସ୍ଥା ସ୍ଥିର ରହିଛି।
ପୂର୍ବରୁ ରାଜ୍ୟ ସରକାର ଆମ୍ବ ଟାକୁଆ ଜାଉ ଖାଇବା କାରଣରୁ ହେଉଥିବା ଫୁଡ୍ ପଏଜନିଂ ଯୋଗୁଁ ମୃତ୍ୟୁ ଘଟିଥିବା ଦର୍ଶାଇଥିଲେ। ଏଭଳି ଜିନିଷର ବିଷାକ୍ତ ପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆଦିବାସୀ ଗ୍ରାମରେ ସଚେତନତା ଅଭିଯାନକୁ ଜୋରଦାର କରାଯାଇଛି।
