ଭାରତୀୟ ପ୍ରଶାସନିକ ସେବା-ଆଇଏଏସ। ସମ୍ବିଧାନ ତାଙ୍କୁ କହୁଛି—ପବ୍ଲିକ ସର୍ଭାଣ୍ଟ, ଅର୍ଥାତ୍ ଜନସାଧାରଣଙ୍କ ଦାସ।
କିନ୍ତୁ ଓଡ଼ିଶାର ଜିଲ୍ଲାପାଳମାନଙ୍କ ଜୀବନଶୈଳୀ, ଖର୍ଚ୍ଚ ଶୈଳୀ, ଏବଂ ସରକାରୀ ତହବିଲକୁ ବ୍ୟବହାର କରିବାର ଆଡ଼ମ୍ବର ଦେଖିଲେ ଲାଗେ; ଏମାନେ ପବ୍ଲିକ ସର୍ଭାଣ୍ଟ ନୁହଁନ୍ତି, ଏମାନେ ଆଧୁନିକ ଯୁଗର ରାଜା।
କାହିଁକି ପବ୍ଲିକ ସର୍ଭାଣ୍ଟ ନାମରେ ରାଜକୀୟ ଜୀବନଶୈଳୀ?
କାହିଁକି ଜିଲ୍ଲାପାଳମାନେ ସରକାରୀ ତହବିଲକୁ ନିଜ ସଉକ ମେଣ୍ଟାଇବା ପାଇଁ ଉପଯୋଗ କରୁଛନ୍ତି?
କାହିଁକି ଜଣେ ଆମ ଗରିବ ରାଜ୍ୟର ଅଧିକାରୀ ମାତ୍ର ଶୌଚାଳୟ ମରାମତି ପାଇଁ ଲକ୍ଷେ ଲକ୍ଷେ ଟଙ୍କା ଖର୍ଚ୍ଚ କରିବେ?
କିଏ ଦେଖୁଛି ଏହି ଅନିୟମିତତା?
କିଏ ଦେଉଛି ଅନୁମତି?
କାହିଁକି ନାହିଁ ଏହି ଖର୍ଚ୍ଚ ଉପରେ କୌଣସି ଲିମିଟ?
ଏହି ସବୁ ପ୍ରଶ୍ନର ଉତ୍ତର ମିଳୁନାହିଁ।
କିନ୍ତୁ ତଥ୍ୟ ଏତେ ଭୟଙ୍କର ଯେ, ବିଧାନସଭାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଥିବା ଲିଖିତ ଉତ୍ତର ଦେଖିଲେ ଗୋଟିଏ କଥା ସ୍ପଷ୍ଟ- ଓଡ଼ିଶାରେ ଜିଲ୍ଲାପାଳମାନଙ୍କ ଦୁର୍ନୀତି ଟଏଲେଟ୍ରେ ଲୁଚିଛି।

ଶୌଚାଳୟ ମରାମତି କି ରାଜମହଲ ପୁନଃନିର୍ମାଣ?
ଓଡ଼ିଶାରେ ନିମ୍ନ ମଧ୍ୟବିତ୍ତ ପରିବାରରେ ଥାଏ ମାତ୍ର ଗୋଟିଏ ଶୌଚାଳୟ।
କୋରାପୁଟ–ମାଲକାନଗିରି–ନବରଙ୍ଗପୁରର ଗାଁରେ କେଉଁଠି ଏପର୍ଯ୍ୟନ୍ତ ଲୋକଙ୍କ ପାଇଁ ଶୌଚାଳୟ ହୋଇନାହିଁ।
କିନ୍ତୁ ଜିଲ୍ଲାପାଳଙ୍କ ବାସଭବନରେ ରହୁଛି ୭ରୁ ୧୦ଟି ଶୌଚାଳୟ, ଏବଂ ମରାମତିରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା।
ଏହା କି ମରାମତି?
ନା କିଏ ନୂଆ ରାଜପ୍ରସାଦ ତିଆରି କରୁଛନ୍ତି?
ଶୌଚାଳୟ କିମ୍ବା ସିଂହାସନ ଘର?
ମନ୍ତ୍ରୀ ମହାପାତ୍ରଙ୍କ ତଥ୍ୟ ଆଶ୍ଚର୍ଯ୍ୟର ସୀମା ନୁହେଁ, ଏହା କ୍ରୋଧ ପ୍ରଜ୍ୱଳିତ କରେ।
ତଥ୍ୟ ତ କାହାଣୀଠୁ ବି ଭୟଙ୍କର
-ଜଗତସିଂହପୁର ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୭ଟି ଶୌଚାଳୟ, ୬୬.୭୯ ଲକ୍ଷ ବିନିଯୋଗ ହୋଇଛି ମରାମତିରେ। ହାରାହାରି ପ୍ରତି ଶୌଚାଳୟ ପିଛା ୯.୬୮ ଲକ୍ଷ ଟଙ୍କା!
ଏତେ ଟଙ୍କାରେ ଗରିବ ଲୋକଙ୍କ ୩ଟି ଘର ହୋଇଯିବ।
-ନୟାଗଡ଼ ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୩ଟି ଶୌଚାଳୟ, ମରାମତି ଖର୍ଚ୍ଚ ୧୬.୩୭ ଲକ୍ଷ ଟଙ୍କା। ପ୍ରାୟ ୫.୪ ଲକ୍ଷ ପ୍ରତି ଶୌଚାଳୟରେ ଖର୍ଚ୍ଚ ହୋଇଛି।
ଏହା କି ଶୌଚାଳୟ ନା ସିଲିକନ୍–କୋଟେଡ୍ ଷ୍ଟାର ହୋଟେଲ୍ର ସ୍ପା?
-ବାଲେଶ୍ୱର ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୧୦ଟି ଶୌଚାଳୟ, ୨୪ ଲକ୍ଷ ଟଙ୍କା ମରାମତିରେ ଖର୍ଚ୍ଚ।
ମାନନୀୟ ଜିଲ୍ଲାପାଳଙ୍କ ପାଇଁ ୧୦ଟି ଶୌଚାଳୟ କି କାମରେ ଲାଗୁଛି। ଏହା କ’ଣ ଗେଷ୍ଟହାଉସ୍? ନା ବାବୁତନ୍ତ୍ରର ପ୍ରାଇଭେଟ୍ ରେସର୍ଟ?
-ବଲାଙ୍ଗୀର ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୪ଟି ଶୌଚାଳୟ, ୨୦.୫୧ ଲକ୍ଷ ମରାମତି ବାବଦରେ ଖର୍ଚ୍ଚ ହୋଇଛି। ଶୌଚାଳୟ ପିଚ୍ଛା ୫ ଲକ୍ଷରୁ ଅଧିକ!
ସୋନପୁର ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୪ଟି ଶୌଚାଳୟ, ମରାମତି ଖର୍ଚ୍ଚ ୧୩.୭୮ ଲକ୍ଷ ଟଙ୍କା।
-ରାଜ୍ୟର ଅତ୍ୟନ୍ତ ପଛୁଆ ଜିଲ୍ଲା ମାଲକାନଗିରିରେ ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୫ଟି ଶୌଚାଳୟ, ମରାମତି ବାବଦରେ ଖର୍ଚ୍ଚ ହୋଇଛି ୪୧.୧୨ ଲକ୍ଷ। ପ୍ରତି ଶୌଚାଳୟ ପିଛା ମରାମତି ଖର୍ଚ୍ଚ ସେଢ଼େ ଆଠ ଲକ୍ଷ ଟଙ୍କା।
ମାଲକାନଗିରିରେ ଲୋକ ଅସୁସ୍ଥ ହେଲେ ହସପିଟାଲକୁ ପହଁଚିବାକୁ ୨–୩ ଘଣ୍ଟା ନୌକା ଯାତ୍ରା କରନ୍ତି। କିନ୍ତୁ ଜିଲ୍ଲାପାଳଙ୍କ ସ୍ୱପ୍ନର ଶୌଚାଳୟ ମରାମତି ପାଇଁ ୪୧ ୧୨ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ!
ଏହା ଅପରାଧ ନୁହେଁ କି?
-କୋରାପୁଟ ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୧୦ଟି ଶୌଚାଳୟ, ମରାମତି ବାବଦରେ ଖର୍ଚ୍ଚ ହୋଇଛି ୨୦.୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
-ରାୟଗଡ଼ା ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୯ଟି ଶୌଚାଳୟ, ମରାମତି ବାବଦରେ ଖର୍ଚ୍ଚ ହୋଇଛି୧୭.୨୧ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି

ଖୋର୍ଦ୍ଧା, କଟକ, ପୁରୀ — ଉଚ୍ଚ ପ୍ରଶାସନର ଉଡ଼ାଣୀ ଖର୍ଚ୍ଚ
ପୁରୀ ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୬ଟି ଶୌଚାଳୟ, ମରାମତି ବାବଦରେ ଖର୍ଚ୍ଚ ହୋଇଛି୧୮.୮୧ ଲକ୍ଷ ଟଙ୍କା ମାତ୍ର ୩ ବର୍ଷରେ!
ପୁରୀର ଜିଲ୍ଲାପାଳ କ’ଣ ଲୋକ ନା ମହାରାଜା?
ସେ କ’ଣ ଏକାଧିକ ଶୌଚାଳୟର କଲେକ୍ଟର?
୩ ବର୍ଷରେ ଶୌଚାଳୟ ମରାମତି ପାଇଁ୧୮.୮୧ ଲକ୍ଷ ଖର୍ଚ୍ଚ । ଏହାକୁ ଯଦି ଅନୁପାତରେ ଗଣନା କରାଯାଏ, ୧୦ ବର୍ଷରେ ୬୦ ଲକ୍ଷ ଉପରେ ଯିବ।
-ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୪ଟି ଶୌଚାଳୟ, ମରାମତି ବାବଦରେ ୩ବର୍ଷରେ ଖର୍ଚ୍ଚ ହୋଇଛି୧୩.୭୪ ଲକ୍ଷ ଟଙ୍କା।
-କଟକ ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୫ଟି ଶୌଚାଳୟ, ମରାମତି ବାବଦରେ ୩ବର୍ଷରେ ଖର୍ଚ୍ଚ ହୋଇଛି ୫.୩୭ ଲକ୍ଷ ଟଙ୍କା।
କଟକ ଯେପରି ଯୁକ୍ତିଯୁକ୍ତ ଓ ତଥ୍ୟାଧିକ ସ୍ଥିର ରହିଛି, ଏଠି ମଧ୍ୟ ୫ ଲକ୍ଷ ଶୌଚାଳୟରେ ଯାଇଛି।

ଏହା କେବଳ ‘ମରାମତି’ ନୁହେଁ — ଏହା ବ୍ୟବସ୍ଥିତ ଦୁର୍ନୀତି
– ଶୌଚାଳୟ ମରାମତି ପାଇଁ କୋଣସି ଲିମିଟ୍ କାହିଁକି ନାହିଁ?
– ଜିଲ୍ଲାପାଳ ନିଜେ ଅନୁମୋଦନ କରନ୍ତି, ନିଜ ଘର ପାଇଁ। ଏହାକୁ କହାଯାଏ- କନଫ୍ଳିକ୍ଟ ଅଫ୍ ଇଣ୍ଟ୍ରେଷ୍ଟ, କିନ୍ତୁ ଓଡ଼ିଶାରେ ଏହା ସାଧାରଣ କଥା।
– ବାସଭବନର ନିର୍ମାଣ ଓ ମରାମତି ପାଇଁ ଇ-ଟେଣ୍ଡର କାହିଁକି କରାଯାଉ ନାହିଁ?
– ଅଡିଟ୍ ଆପତ୍ତି କାହିଁକି ହେଉନାହିଁ?
– ଜିଲ୍ଲାପାଳଙ୍କ ଜୀବନଶୈଳୀ ଉପରେ ଆରଟିଆଇ ପ୍ରଶ୍ନ ଆସିଲେ ତାକୁ “Seସୁରକ୍ଷା ପ୍ରସଙ୍ଗ” କୁହି ଅଟକାଯାଏ କାହିଁକି?
– ଜଣେ ଅଫିସରଙ୍କ ଶୌଚାଳୟ ମରାମତି ୪୦ ଲକ୍ଷ ହେବାକୁ ଲୋକତନ୍ତ୍ର କାହିଁକି ଅନୁମତି ଦେଉଛି?
ଏହି ପ୍ରଶ୍ନର ଉତ୍ତର କେବଳ ଗୋଟିଏ- ରାଜ୍ୟରେ ବାବୁତନ୍ତ୍ର ଅନିୟନ୍ତ୍ରିତ।
ଶୌଚାଳୟରେ ଯେଉଁଠି ଅପଚୟ, ସେଠି ରାଜ୍ୟରେ ଉନ୍ନତି କିପରି ହେବ?
ଓଡ଼ିଶାର ବୃହତ୍ତମ ସମସ୍ୟା:
1. ଗାଁଗୁଡ଼ିକରେ ପିଇବା ପାଣି ସଂକଟ ଜାରି ରହିଛି।
2. ଗ୍ରାମାଞ୍ଚଳରେ ଡାକ୍ତରଖାନାର ଅଭାବ।
3. ସ୍କୁଲ୍ରେ ଶୌଚାଳୟ ନାହିଁ।
4. ରୋଡ଼–କନେକ୍ଟିଭିଟି ଖରାପ।
5. ଜଳବନ୍ଧୁ, ମହାନଦୀ ଅଭିଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳ ହୋଇପାରୁନାହିଁ।
କିନ୍ତୁ…ଜିଲ୍ଲାପାଳଙ୍କ ଶୌଚାଳୟ ମରାମତି ପାଇଁ- ୯ ଲକ୍ଷ, ୧୦ ଲକ୍ଷ, ୧୨ ଲକ୍ଷ, ୪୦ ଲକ୍ଷ ଖର୍ଚ୍ଚ।
ଏହି ରାଜ୍ୟର ଦୁଃଖ ଏଇଆ- ଉନ୍ନତି କାମରେ ନୁହେଁ, ବାବୁମାନଙ୍କ ଶୌଚାଳୟରେ ଟଙ୍କା ଡୁବୁଛି।
କିଏ ଦାୟୀ?
୧. ଅଫିସରମାନଙ୍କ ଦୁର୍ନୀତି ସେମାନଙ୍କ ଚେତନାରୁ ହୁଏ।
ଲଜ୍ଜା ନଥିବାରୁ ହୁଏ।
ସେମାନେ ଜାଣନ୍ତି—କେହି କିଛି ପଚାରିବେ ନାହିଁ କି ସରକାର ସେମାନଙ୍କର କିଛି କରିପାରିବା ସ୍ଥିତିରେ ନାହାନ୍ତି ।
୨. ଶାସନ ତନ୍ତ୍ର ପାଇଁ ଖର୍ଚ୍ଚ କରିବାର ସୀମା ନିର୍ଦ୍ଧାରଣ କରାଯାଇନାହିଁ।
– ଏହାକୁ ନିରୀକ୍ଷଣ କରାଯାଉ ନାହିଁ।
– ସଂସ୍କାର ମଧ୍ୟ ନାହିଁ।
୩. ବିଧାନସଭାରେ କେବଳ ପ୍ରଶ୍ନ ପଚାରାପଚରି ବ୍ୟତୀତ କୌଣସି ପଦକ୍ଷେପ ନିଆଯାଉ ନାହିଁ।
୪. ଜନସାଧାରଣ କୌଣସି ପ୍ରଶ୍ନ ପଚାରୁନାହୁଁ।
ଯେତେବେଳେ ଜନତା ନିରବ, ସେତେବେଳେ ଦୁର୍ନୀତିକାରୀମାନେ ଶକ୍ତିଶାଳୀ ହୋଇ ଏହାକୁ କରିବା ପାଇଁ ଶକ୍ତି ପାଉଛନ୍ତି।

“ଶୌଚାଳୟ ମରାମତି” — ଅସଲରେ କଣ ଘଟୁଛି?
ଏହାରେ ଦୁର୍ନୀତିର ସାଧାରଣ ପ୍ରକ୍ରିୟା:
(1) ପ୍ରାୟୋଗିକ ଆବଶ୍ୟକତାକୁ ୧୦ଗୁଣ ବଢ଼ାଇ ଦେବା।
“ଭଙ୍ଗା ଟାଇଲ୍ସ”, “ଆଧୁନିକୀକରଣ”, “ପଲମ୍ବିଂ ମରାମତି” ନାମରେ ଖର୍ଚ୍ଚ ଆକଳନ ବଢ଼ାଇ ଅଧିକାରୀଙ୍କୁ ପଠାଇବା।
(2) ସ୍ଥାନୀୟ ଠିକାଦାରଙ୍କ ସହିତ ଗୁପ୍ତ ଚୁକ୍ତି ହେଲା-
– ଅଧିକ ଟଙ୍କାର ଖର୍ଚ୍ଚ ଆକଳନ
– କମ୍ ମାଟେରିଆଲ୍
– ବଡ଼ ଭାଗବଣ୍ଟା
(3) ନକଲି ମାପ ବହିର ପ୍ରଚଳନ। କରାଯାଇଥିବା ଓ ଦେଖାଇଥିବା କାମ ସମାନ ନୁହେଁ।
(4) ତୃତୀୟ ପକ୍ଷଦ୍ୱାରା ସମୀକ୍ଷା ନାହିଁ।
(5) ଅଡିଟ ରିପୋର୍ଟ ଚାପି ଦିଆଯାଉଛି।
ଏପରି ପରିସ୍ଥିତିରେ ଜିଲ୍ଲାପାଳଙ୍କ “ଶୌଚାଳୟ” କୋଠାଘରର ସର୍ବଶ୍ରେଷ୍ଠ ଦୁର୍ନୀତି ପୋଷାଘର।
ଖର୍ଚ୍ଚସୀମା କାହିଁକି ନିର୍ଦ୍ଧାରଣ ହେଉନାହିଁ?
ଯେପରି-
– ବିଧାୟକ ହାତପାଣ୍ଠି ଖର୍ଚ୍ଚ → ଦୁଇ ବର୍ଷକୁ ଲିମିଟ୍
– ସାଂସଦ ହାତପାଣ୍ଠି ଖର୍ଚ୍ଚ → ଲିମିଟ୍
– ପଞ୍ଚାୟତ/ୟୁଏଲବି ଖର୍ଚ୍ଚ → କଠୋର ନିୟମାବଳୀ ରହିଛି
ତେବେ ଆଇଏଏସ ଅଫିସରଙ୍କ ପାଇଁ ଖର୍ଚ୍ଚରେ ଜିରୋ ଲିମିଟ କାହିଁକି?
କାହିଁକି ଜିଲ୍ଲାପାଳନଙ୍କ ପାଇଁ ବାର୍ଷିକ ଆବାସିକ ରକ୍ଷଣାବେକ୍ଷଣ କ୍ୟାପିଂ ଅର୍ଥାତ୍ ପ୍ରତିବର୍ଷ ୧–୨ ଲକ୍ଷ ଲିମିଟ ରଖାଯାଉନାହିଁ?
କିଏ ବ୍ୟତିକ୍ରମ କରୁଛନ୍ତି?
କାହିଁକି ଫାଇଲ ଫେରାଯାଉନାହିଁ?
କାହିଁକି ଭିଜିଲାନ୍ସ ତଦନ୍ତ ହୁଏନାହିଁ?
ଏହି ପ୍ରଶ୍ନ ସରକାର ଏଡ଼ାଇ ଯିବା ଉଚିତ ନୁହେଁ।
ଜନସାଧାରଣଙ୍କ ଟଙ୍କାରେ ବିଳାସୀ ଜୀବନ — ନୈତିକତାର ପରାଜୟ
ଜିଲ୍ଲାପାଳମାନେ ସେହି ଲୋକ, ଯାହାଙ୍କ ହାତରେ-
– ଡିଏମଏଫ୍ ଫଣ୍ଡ
– ଜିଲ୍ଲା ଯୋଜନା ଫଣ୍ଡ
– ସିଆରଏଫ
– ଏସଡିଆରଏଫ
– ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନ
– ଜମି ଆବଣ୍ଟନ
– ଖଣି ପ୍ରକଳ୍ପ ମଞ୍ଜୁରୀ
– ଶିଳ୍ପ ଅନୁମତି ଭଳି ପ୍ରାୟ ସବୁ ଟଙ୍କା ଏବଂ ସବୁ ଅଧିକାର ରହିଛି।
ଯଦି ଏମାନଙ୍କ ନୈତିକତା ଏହି ଶୌଚାଳୟ ମରାମତିରେ ଦେଖାଯାଏ, ତେବେ ଅନ୍ୟ ସବୁ ଫଣ୍ଡର ଅବସ୍ଥା କେମିତି ଥିବ?
ଶୌଚାଳୟରେ ଯଦି ୪୦ ଲକ୍ଷ ଯାଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର, ରାସ୍ତା, ଜଳ ପ୍ରକଳ୍ପ- କେତେ ଟଙ୍କା ଯାଉଛି?
ଏହି ପ୍ରଶ୍ନ ଭୟଙ୍କର।
ଏହା ଉତ୍ତର ଆଗରେ ଶାସନତନ୍ତ୍ରର ଦୁର୍ବଳତା ଖୋଲିଯିବ।
ଓଡ଼ିଶାରେ ପ୍ରଶାସନିକ ସୁଧାରର ସମୟ
1. ଜିଲ୍ଲାପାଳ ପାଇଁ ପ୍ରତିବର୍ଷ ବାସଭବନ ରକ୍ଷଣାବେକ୍ଷଣ ଖର୍ଚ୍ଚ ସୀମା ନିର୍ଦ୍ଧାରଣ:
ଅଧିକତମ ୨ ଲକ୍ଷ ରହିବା ଉଚିତ।
2. କୌଣସି ମରାମତି/ନବୀକରଣ ମାନୁଆଲ୍ ଟେଣ୍ଡର ପରିବର୍ତ୍ତେ ଇ-ଟେଣ୍ଡର ବାଧ୍ୟତାମୂଳକ କରାଯାଉ।
3. ଡିଏମଏଫ, ସିଏଜି ଭଳି ସ୍ୱାଧୀନ ସଂସ୍ଥା ଦ୍ୱାରା ଅଡିଟ କରାଯାଉ।
4. ପ୍ରତ୍ୟେକ ଜିଲ୍ଲାପାଳଙ୍କ ଘରରେ ବର୍ଷରେ ମରାମତି ବାବଦକୁ କେତେ ଖର୍ଚ୍ଚ ସରକାରୀ ପୋର୍ଟାଲରେ ସୂଚନା ଦିଆଯାଉ।
5. ନିଜ ବାସଭବନ ମରାମତି ନିଜେ ଅନୁମୋଦନ କରିବାର ଦିଆନଯାଉ।
6. ସବୁ କାମର ଭିଜିଲାନ୍ସ ତଦନ୍ତ କରାଯାଉ।
ଏବେ ପ୍ରଶ୍ନ — ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କିଏ ଉଠାଇବ?
ବିଧାନସଭା?
ଅପେକ୍ଷା କରିବାକୁ ସମୟ ନାହିଁ।
ଲୋକମାନେ?
ଚୁପ୍ ରହିଲେ ଦୁର୍ନୀତି ଅବିରତ ଚାଲିବ।
ମିଡିଆ?
ଲାଲାଚ କିମ୍ବା ଚାପ ଏଡ଼ାଇ ଯାଉଛି।
ଆରଟିଆଇରେ ସୂଚନା ମାଗୁଥିବା କର୍ମୀ?
ତାଙ୍କୁ ଚାପ ଦିଆଯାଉଛି।
ତେବେ ନୀତିମୂଳକ ପ୍ରଶ୍ନ- ଯନ୍ତ୍ରଣା କେଉଁଠି? ନ୍ୟାୟ କେଉଁଠି? ଖର୍ଚ୍ଚ ଲିମିଟ୍ କେଉଁଠି?
ଏହା ସାଧାରଣ ଦୁର୍ନୀତି ନୁହେଁ, ଏହା ହାଇ ଲେଭେଲର ଦୁର୍ନୀତି
ଯେଉଁ ଜିଲ୍ଲାରେ ଶୌଚାଳୟ ନାହିଁ, ସେଠାରେ କଲେକ୍ଟରଙ୍କ ପାଇଁ ୪୦ ଲକ୍ଷର ଶୌଚାଳୟ- ଏହା କେବଳ ଦୁର୍ନୀତି ନୁହେଁ, ଏହା ନୀତି, ନିୟମ ଓ ଲୋକଶାହୀର ପରାଜୟ।
ସରକାରୀ ତହବିଲ ଲୋକଙ୍କ ପାଇଁ।
ପବ୍ଲିକ ସର୍ଭାଣ୍ଟ ଲୋକଙ୍କ ପାଇଁ।
ସରକାର ଲୋକଙ୍କ ପାଇଁ।
କିନ୍ତୁ ଦେଖାଯାଉଛି- ଲୋକଙ୍କ ପାଇଁ ଟଙ୍କା, ଅଫିସରଙ୍କ ପାଇଁ ଶୌଚାଳୟରେ ଉଡ଼ୁଛି।
ଆଜି ଓଡ଼ିଶାରେ ପ୍ରଶ୍ନ ଗୋଟିଏ-ଜିଲ୍ଲାପାଳମାନେ ପବ୍ଲିକ ସର୍ଭାଣ୍ଟ ନା ରାଜା?
ଲୋକତନ୍ତ୍ରର ଦାୟିତ୍ୱ- ଏହି ଦୁର୍ନୀତିକୁ ଅଟକାଇବା, ଅଫିସରମାନଙ୍କ ଶୌଚାଳୟ–ଦୁର୍ନୀତିକୁ ପ୍ରକାଶ କରିବା ଏବଂ ଟଙ୍କାକୁ ଲୋକଙ୍କ ଲାଭରେ ବ୍ୟୟ କରାଇବା।
ଏହା କେବଳ ଖବରନୁହେଁ- ଏହା ଗୋଟିଏ ଚେତାବନୀ।
ଯେପରି ମନ୍ତ୍ରୀଙ୍କ ତଥ୍ୟ ଦେଖାଇଦେଲା- ସତ୍ୟ ଟଏଲେଟ୍ରେ ଲୁଚି ରହିଥିଲା। ଆଜି ସେହି ସତ୍ୟ ପଦାକୁ ଆସିଛି।
ଏବେ ଜନସାଧାରଣର କର୍ତ୍ତବ୍ୟ- ପଚାରିବା, ପ୍ରତିବାଦ କରିବା, ଦାବି କରିବା।
ନହେଲେ ଆସନ୍ତାକାଲି ଶୌଚାଳୟ ନୁହେଁ, କୋଠା, କାର, ହେଲିପ୍ୟାଡ୍, ଅତିଥି ଭବନ ସବୁଠାରେ ଲକ୍ଷ ଲକ୍ଷ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ଅପଚୟ ହେବ।
ଏହି ଦେଶର ଟଙ୍କା ଲୋକଙ୍କର। ବାବୁମାନଙ୍କର ନୁହେଁ।
ଯେତେବେଳେ ଆମେ ଚୁପ୍, ସେତେବେଳେ ତାଙ୍କ ଶୌଚାଳୟ ବଡ଼।

AlsoRead; https://purvapaksa.com/nda-demands-ed-probe-after-lalus-house-shifting-plan/

