ଭାରତୀୟ ଗଣତନ୍ତ୍ରରେ ରାଜନୈତିକ ପ୍ରଭାବ ସବୁଠୁ ଅଧିକ ସ୍ପର୍ଶକାତର ମାନବୀୟ କ୍ଷେତ୍ରଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ ପ୍ରଶାସନ ମଧ୍ୟରେ ପ୍ରବେଶ କରିବାକୁ ଚାହୁଁଛି। ଏହା ଦେଶର ସାମ୍ବିଧାନିକ ସ୍ୱାସ୍ଥ୍ୟ ପାଇଁ ଯେତେ ସତର୍କ ସଙ୍କେତ ତିଆରି କରେ, ତାହା ଅନ୍ୟକିଛି କରେ ନାହିଁ। ଶିକ୍ଷକ ବଦଳି ଘଟଣାକୁ ନେଇ ହାଇକୋର୍ଟର ତାଜା ରାୟ ତାହାର ଜ୍ୱଳନ୍ତ ଉଦାହରଣ। ଏହା ନେତାମାନଙ୍କୁ ମାତ୍ର ଆଇନଗତ ନୁହେଁ, ନୈତିକ ପାଠ ମଧ୍ୟ ଦେଇଛି। ରାଜନୈତିକ ଅଙ୍ଗୁଳି ଯେଉଁଠି ପହଞ୍ଚିବା ଉଚିତ ନୁହେଁ, ସେଠି ତାହା ପହଞ୍ଚିଲେ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ବିକୃତ ହେବା ନିଶ୍ଚିତ।
୧.‘ମାତ୍ର ସୁପାରିଶ’ ନୁହେଁ, ସ୍ପଷ୍ଟ ଅଙ୍କୁଶ
ରାଜ୍ୟ ସରକାର ଅଦାଲତରେ କହିଲେ- “ସାଂସଦ ଓ ବିଧାୟକଙ୍କ ପତ୍ରଗୁଡ଼ିକ କେବଳ ସୁପାରିଶ, କୌଣସି ବାଧ୍ୟବାଧକତା ନାହିଁ।”
କିନ୍ତୁ ହାଇକୋର୍ଟ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଦେଲେ।
କୋର୍ଟ ଦେଖିଲେ- ପ୍ରାୟ ସମସ୍ତ ସ୍ଥାନାନ୍ତର ଆଦେଶରେ ସରକାରୀ ନିୟମ, ମାନଦଣ୍ଡ, ଆବଶ୍ୟକତା- କୌଣସିଟି ମଧ୍ୟ ଦେଖାଯାଇନଥିଲା; ବଦଳି ମାତ୍ର ନେତାଙ୍କ ପତ୍ରକୁ ଆଧାର କରି ହୋଇଥିଲା।
ଏହା ନେତାମାନଙ୍କ ‘ସୁପାରିଶ’ ନୁହେଁ, ସଫେଦ କାଗଜରେ ଲେଖା କଳା ଆଦେଶ ଥିଲା।
ଜଣେ ସାଂସଦ କିମ୍ବା ବିଧାୟକ ଶିକ୍ଷକଙ୍କ ବଦଳି ପାଇଁ ‘ପ୍ରାର୍ଥନା’ କଲେ- କମିଟିର ଅଧିକାରୀ ତାହାକୁ ପରାମର୍ଶ ଭାବେ ନୁହେଁ, ନିର୍ଦ୍ଦେଶ ଭାବେ ପଢ଼ିଥାନ୍ତି।
ହାଇକୋର୍ଟର ମତ- “ଏପରି ବଦଳି ଆଦେଶଗୁଡ଼ିକ ବାହ୍ୟ ପ୍ରଭାବରେ କଳୁଷିତ, ଆଇନଗତ ଭାବେ ଚାଲିପାରିବ ନାହିଁ।”
ଏହା ମାତ୍ର ଏକ ଆଇନଗତ ନିଷ୍ପତ୍ତି ନୁହେଁ, ପ୍ରଶାସନିକ ଶୁଚିତା ପାଇଁ ଗଣତନ୍ତ୍ରର ଏକ ସଫା ସଂକେତ।
୨. ସର୍କୁଲାରକୁ ବାତିଲ୍: ରାଜନୈତିକ-ଶିକ୍ଷକ ନେକ୍ସସକୁ କଠୋର ଚେତାବନୀ
ହାଇକୋର୍ଟ ମାତ୍ର ବଦଳି ଆଦେଶକୁ ଅବୈଧ ଘୋଷଣା କରି ତାତ୍କାଳିକ ଭାବେ ସାଂସଦ/ବିଧାୟକଙ୍କୁ ସୁପାରିଶ କରିବାକୁ ଅନୁମତି ଦେଇଥିବା ସର୍କୁଲାରକୁ ମଧ୍ୟ ରଦ୍ଦ କରିଦେଲେ।
କୋର୍ଟଙ୍କ ମୂଳ ବିଚାର ହେଲା- ଏଠି କଥା ସାଧାରଣ ବଦଳି ନୁହେଁ; ଏଠି କଥା ଭବିଷ୍ୟତ ପିଢ଼ିର ଗଠନ, ସ୍କୁଲ ପରିବେଶର ପରିସ୍କାର କରିବା ଏବଂ ଶିକ୍ଷକଙ୍କ ସ୍ୱାଧୀନତାର।
ସାଂସଦ-ବିଧାୟକଙ୍କ ଅଧିକାର ଅଛି- ବିକାଶ ସମଓ୍ୟା କହିବାକୁ, ଜନସମସ୍ୟା ଉଠାଇବାକୁ, ସଂସଦ ଓ ବିଧାନସଭାରେ ସ୍ୱର ଉତ୍ତୋଳନ କରିବାକୁ।
କିନ୍ତୁ ଶିକ୍ଷକ ବଦଳି? ସେ ପ୍ରସଙ୍ଗ କେବେଠାରୁ ତାଙ୍କ ଅଧିକାରରେ ଆସିଲା?
କୋର୍ଟ ସଫା ଶବ୍ଦରେ କହିଦେଲେ- “ଏହି ବ୍ୟବସ୍ଥା ରାଜନୀତି ଓ ଶିକ୍ଷକ ସମ୍ପ୍ରଦାୟ ମଧ୍ୟରେ ଅସୁସ୍ଥ, ଅନୁଚିତ, ଅସମ୍ମତିଜନକ ସମ୍ପର୍କ ଗଢ଼ିବାକୁ ବଳ ଦେଇଥାଏ।”
୩. ନିର୍ବାଚନୀ ଦାୟିତ୍ୱ ଓ ଶିକ୍ଷକଙ୍କ ଭୂମିକାର ସନ୍ତୁଳନ
ହାଇକୋର୍ଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇଛନ୍ତି; ନିର୍ବାଚନ ସମୟରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଡ୍ୟୁଟି କରନ୍ତି। ସରକାର ଏହାକୁ ଜୁଷ୍ଟିଫାଇ କରି କହିଥିଲା- “ଦାୟିତ୍ୱ ଭଲ ହେବା ପାଇଁ ନେତାମାନେ କାହାକୁ କାହିଁକି ସୁପାରିଶ କରିବେନି?”
କୋର୍ଟ ଏଠାରେ ପ୍ରଶାସନିକ ମନୋବିଜ୍ଞାନର ବହୁତ ଭଲ ଅର୍ଥ ବ୍ୟାଖ୍ୟା କରି କହିଛନ୍ତି ଯେଉଁ ଶିକ୍ଷକଙ୍କ ବଦଳି ଉପରେ ରାଜନୈତିକ ଅଙ୍କୁଶ ରହିଲା, ସେ ନିର୍ବାଚନ ସମୟରେ ସେଇ ଦଳ, ସେଇ ନେତାଙ୍କ ପ୍ରତି କେତେ ନିର୍ପେକ୍ଷ ରହିପାରିବେ?
ଏହା ଏକ ବିଷାକ୍ତ ପ୍ରଶ୍ନ, ଯାହାକୁ ଉତ୍ତର ଦେବା ପାଇଁ କୌଣସି ବଡ଼ ଗବେଷଣା ଦରକାର ନାହିଁ।
କୋର୍ଟ କହିଦେଲେ- “ବିଷାକ୍ତ ଗଛର ବିଷାକ୍ତ ଫଳ- ଏହାକୁ ଦେଖିବାକୁ ତଥ୍ୟ ଖୋଜିବା ଦରକାର ନାହିଁ।”
ଏହି ବାକ୍ୟ ସାଧାରଣ ନ୍ୟାୟାଳୟ ଭାଷା ନୁହେଁ- ଏହା ଏକ ସାମାଜିକ ଚେତାବନୀ।
ଶିକ୍ଷକମାନଙ୍କ ପାଇଁ ସ୍ୱାଧୀନତା କାହିଁକି ଆବଶ୍ୟକ?
ଶିକ୍ଷକଙ୍କ ସ୍ଥାନ କେବଳ ଏକ ସରକାରୀ କର୍ମଚାରୀ ନୁହେଁ।
ସେମାନେ —
• ଜ୍ଞାନର ବାହକ,
• ଭବିଷ୍ୟତ ନାଗରିକଙ୍କ ଗୁରୁ,
• ମାନସିକ ଓ ନୈତିକ ଗଠନକାରୀ।
ଯଦି ଏହି ବର୍ଗମାନଙ୍କ ଉପରେ ରାଜନୀତି ଏକ ସିଧାସଳଖ ଅଙ୍କୁଶ ରଖିବ, ତେବେ ଭବିଷ୍ୟତ ପିଢ଼ି ସ୍ୱାଧୀନ ହୋଇପାରିବ କି?
ବିଶ୍ୱର ସମସ୍ତ ଗବେଷଣା କହେ- ଶିକ୍ଷକଙ୍କ ପେଶାଗତ ସ୍ୱାଧୀନତା ନ ଥିଲେ, ଶିକ୍ଷା ଭୁଲ ମାର୍ଗକୁ ଯାଏ।
ନେତାମାନେ ଯଦି ନିସ୍ତେଜ ମନ୍ତ୍ରୀସଭା ଉପରେ ଯେପରି ଅଙ୍କୁଶ ରଖନ୍ତି, ସେପରି ଶିକ୍ଷକ ସ୍ଥାନାନ୍ତର ଉପରେ ରଖିବା ଆରମ୍ଭ କରିଦିଲେ, ତାହେଲେ ଶିକ୍ଷା କ୍ଷେତ୍ର ରାଜନୈତିକ କ୍ୟାଡରର ନିଜସ୍ୱ ହିତକ୍ଷେତ୍ରରେ ପରିଣତ ହୋଇପଡ଼ିବ।
ଏହା କେବଳ ମୂଲ୍ୟବୋଧର ନଷ୍ଟ ନୁହେଁ – ଏହା ଏକ ପିଢ଼ିଗତ ଅପରାଧ।
ରାଜ୍ୟ ସରକାର ପାଇଁ ସ୍ୱଚ୍ଛ ମେସେଜ୍: ‘ଚିକିତ୍ସା ଆରମ୍ଭ କରନ୍ତୁ’
ହାଇକୋର୍ଟ ରାୟକୁ ଯେପରି ଦେଖାଯାଏ, ଏହା କେବଳ ବଦଳି ବିବାଦ ନୁହେଁ, ସମସ୍ତ ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ଡାକ୍ତରୀ ପ୍ରେସ୍କିପ୍ସନ- ଚିକିତ୍ସା ଦରକାର।
ସରକାରଙ୍କ ‘ମାତ୍ର ସୁପାରିଶ’ କେବଳ ଏକ ବାକ୍ୟ ନୁହେଁ; ଏହା ରାଜନୈତିକ ହସ୍ତକ୍ଷେପର ନୂତନ ଶବ୍ଦକୋଷ।
ଏହି ରାୟ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି –
• ଶିକ୍ଷା ପ୍ରଣାଳୀକୁ ରାଜନୈତିକ ହସ୍ତକ୍ଷେପରୁ ବାହାର କର।
• ପ୍ରଶାସନକୁ ଆଦେଶଦାତା ନେତାମାନଙ୍କ ରିମୋଟ୍ କଣ୍ଟ୍ରୋଲଠାରୁ ମୁକ୍ତ କର।
• ନିୟମକୁ ଫାଇଲରେ ଲେଖି ରଖିବା ନୁହେଁ; କାର୍ଯ୍ୟାଳୟରେ ପ୍ରୟୋଗ କର।
ରାଜନୀତି–ଶିକ୍ଷା ସମ୍ପର୍କର ବିପଦ: ଭବିଷ୍ୟତର ସବୁଠାରୁ ଅନ୍ଧାର ଛାୟା
ଯଦି ଶିକ୍ଷକମାନେ ପ୍ରତ୍ୟକ୍ଷ/ପରୋକ୍ଷ ଭାବେ ନେତାଙ୍କ ପାଖରେ ଦାୟୀ ହେବେ; ତେବେ ତାହାର କୁପରିଣାମ ହେବା ସ୍ୱାଭାବିକ:
(୧) ରାଜନୈତିକ ନିଷ୍ଠା ବଦଳିଲେ ‘ଗୁରୁଧର୍ମ’, ଶିକ୍ଷକ କ୍ଷୟତନ୍ତ୍ରର ନୈତିକ ମାନଦଣ୍ଡ ଧସିଯିବ।
(୨) ଶିକ୍ଷାରେ ରାଜନୀତି ପଣିଲେ ସ୍କୁଲ ହେବ ଗୋଷ୍ଟୀବିବାଦର ମୂଳକେନ୍ଦ୍ର, ଭୋଟ ସମୀକରଣ, ଦଳୀୟ ଦବାବର ମଞ୍ଚ।
(୩) ରାଜନୀତିକ ରଙ୍ଗ ଲାଗିଥିବା ଶିକ୍ଷକ କେବେ ମଧ୍ୟ ନିରପେକ୍ଷ ଶିକ୍ଷା ଦେଇପାରିବେନି।
(୪) ସମାଜରେ ନୈତିକ ଅବନତି ହେବ। ଶିକ୍ଷାଳୟ ଯଦି ବିକୃତ ହେଲା, ସମାଜ ଦେହ ଧୀରେ ଧୀରେ ପୋକ ଲାଗିଯିବ।
ଏହି ରାୟ ଗଣତନ୍ତ୍ରକୁ କ’ଣ ଶିଖାଇଲା?
ହାଇକୋର୍ଟର ଏହି ଐତିହାସିକ ରାୟ କେବଳ ଆଜିର ବଦଳିକୁ ବନ୍ଦ କଲା ତାହା ନୁହେଁ, ଏହା ଆଗାମୀ ଦଶକରେ ଶିକ୍ଷା ପ୍ରଣାଳୀକୁ ରାଜନୀତିଠାରୁ ସୁରକ୍ଷିତ କରିବାକୁ ଦରକାରି ୩ଟି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଲା:
(୧) ଗଣତନ୍ତ୍ରରେ ସେମାନଙ୍କ ପାଇଁ ସୀମା ବାଧ୍ୟତାମୂଳକ, ସାଂସଦ/ବିଧାୟକଙ୍କ ଶକ୍ତି ଅସୀମ ନୁହେଁ।
(୨) ପ୍ରଶାସନିକ ସ୍ୱାଧୀନତା ଗଣତନ୍ତ୍ରର ମେରୁଦଣ୍ଡ। ପ୍ରଶାସନ ଯଦି ରାଜନୈତିକ ନେତାଙ୍କ ଛୋଟ ଛୋଟ ସୁପାରିଶରେ ଚାଲିବ, ତେବେ ଆଇନ ମୃତ।
(୩) ଶିକ୍ଷାକୁ ‘ନିର୍ଦ୍ଦଳୀୟ’ ରଖିବା ମୂଳ ସର୍ତ୍ତ। ଶିକ୍ଷକଙ୍କ ମନରେ ରାଜନୀତି ଯଦି ପ୍ରବେଶ କଲା ସେଠାରୁ ପିଢ଼ି ପରେ ପିଢ଼ି ନଷ୍ଟ ହେବ।
ନେତାଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ‘ହାଇ’ ଚେତାବନୀ
ହାଇକୋର୍ଟ ସଫା କହିଦେଲେ; ଶିକ୍ଷକ ବଦଳିରେ ରାଜନୀତିକ ହସ୍ତକ୍ଷେପ ଗଣତନ୍ତ୍ରିକ ସ୍ୱଚ୍ଛତାକୁ ବିରୋଧ କରେ। ନିର୍ବାଚିତ ପ୍ରତିନିଧିମାନେ ଦେଶ ଗଢ଼ନ୍ତୁ, ଶିକ୍ଷକଙ୍କ ପୋଷ୍ଟିଂ ନୁହେଁ।
ଏହି ରାୟ ନେତାମାନଙ୍କ ପାଇଁ ଏକ ସ୍ପଷ୍ଟ ‘ହାଇ ଝଟକା’।
— ଶିକ୍ଷା ଭୂମିକା ତାଙ୍କ ରାଜନୈତିକ ପ୍ରଭାବର ଖେଳଘର ନୁହେଁ।
— ଶିକ୍ଷକମାନଙ୍କୁ ‘ପ୍ରତିବଦ୍ଧ’ କରି ରଖିବା ପାଇଁ ବଦଳି ନାମକ ହତିଆର ନିଷିଦ୍ଧ।
— ସମାଜ ଓ ଗଣତନ୍ତ୍ର ଉଭୟକୁ ବଞ୍ଚାଇବାକୁ ଶିକ୍ଷାକୁ ସ୍ୱାଧୀନ ଏବଂ ନିରପେକ୍ଷ ରଖିବା ଅନିବାର୍ଯ୍ୟ।
ଗଣତନ୍ତ୍ରର ଶକ୍ତି କେବଳ ଭୋଟରେ ନୁହେଁ – ସ୍ୱାଧୀନ ଶିକ୍ଷକଙ୍କ ହସ୍ତରେ ଗଢ଼ା ହେଉଥିବା ଭବିଷ୍ୟତରେ।
also read https://purvapaksa.com/oas-officers-family-allegedly-ostracised-over-inter-caste-marriage-in-odisha/


