
ଡ. ସମନ୍ୱୟ ନନ୍ଦ
ଦେଶର ଜନଜାତୀୟ ସଂସ୍କୃତିକୁ ଯଦି କାହା ଠାରୁ ସବୁଠାରୁ ଅଧିକ ବିପଦ ରହିଛି ତେବେ ତାହା ହେଉଛି କନଭର୍ଜନ କରାଉଥିବା ଖ୍ରୀଷ୍ଚିଆନ ମିଶନାରୀ ମାନଙ୍କ ଠାରୁ । କାରଣ ଖ୍ରୀଷ୍ଟିଆନ ମିଶନାରୀ ମାନେ ଜନଜାତି ବର୍ଗର ଲୋକ ମାନଙ୍କୁ କନଭର୍ଜନ କରିବା ଦ୍ୱାରା ସେମାନେ ନିଜର ପୂର୍ବପୁରୁଷ, ପରମ୍ପରା, ନିଜର ଦେବୀ ଦେବତା ଓ ପ୍ରକୃତି ଠାରୁ କଟି ଯାଇଥାନ୍ତି । କନଭର୍ଟ ହୋଇଯାଉଥିବା ଲୋକ ମାନେ ସେମାନଙ୍କର ସମାଜର ପରମ୍ପରାକୁ ଘୃଣା କରିଥାନ୍ତି । ସେମାନେ ନିଜର ପୂର୍ବପୁରୁଷଙ୍କ ପରମ୍ପରାକୁ ଘୃଣା କରିବା ସହ ବିଦେଶୀ ପରମ୍ପରାକୁ ଆପଣାଇଥାନ୍ତି ଯଦ୍ୱାରା ସେମାନଙ୍କର ସମାଜରେ ସାମାଜିକ ବୈମନସ୍ୟ ବିବାଦ ଆଦି ଦେଖା ଦେଇଥାଏ । କନଭର୍ଜନ ଦ୍ୱାରା ଜନଜାତୀୟ ସମାଜ ଭାଗ ଭାଗ ହୋଇ ଯାଇଥାଏ । କନଭର୍ଜନ ଭାଇ- ଭାଇକୁ ଅଲଗା କରି ଦେଇଥାଏ । ଛତିଶଗଡ଼ର ବସ୍ତର ଅଂଚଳର ଜନଜାତୀୟ ସମାଜ ଏବେ କନଭର୍ଜନ ଦ୍ୱାରା କିଭଳି ସମାଜରେ ବିଷ ମଂଜି ପୋତା ଯାଉଛି ତାକୁ ହୃଦୟଙ୍ଗମ କରିଛନ୍ତି ଓ ସାମ୍ବିଧାନିକ ଉପାୟରେ ଏହାକୁ ରୋକିବା ପାଇଁ ରାସ୍ତା ତିଆରି କରିଛନ୍ତି ।

ଭାରତରେ ବିଦେଶୀ ଅର୍ଥରେ ପରିଚାଳିତ କନଭର୍ଜନ ଲବି ସର୍ବଦା ଶକ୍ତିଶାଳୀ ରହି ଆସିଛି । ମହାତ୍ମା ଗାନ୍ଧୀଙ୍କ ପରି ମନିଷୀଙ୍କ ଚେତାବନୀ ସତ୍ୱେ ଭାରତରେ ବିଭିନ୍ନ ବେଆଇନ ଉପାୟରେ କନଭର୍ଜନର ଧନ୍ଦା ଲଗାତାର ଚାଲି ଆସିଛି । ମହାତ୍ମା ଗାନ୍ଧୀଙ୍କ ନାମ ସବୁବେଳେ ଜପୁଥିବା ରାଜନୈତିକ ଦଳ ମାନେ ଭାରତରେ କନଭର୍ଜନକୁ ବନ୍ଦ କରିବା ଦିଗରେ ଚେଷ୍ଟିତ ଥିବା ଭଳି ଲାଗେ ନାହିଁ । ତେବେ ଛତିଶଗଡରେ ଏବେ କିଛି ଦିନ ତଳେ ଏକ ଗୁରୁତ୍ୱପୂର୍ଣ ଘଟଣା ଘଟିଛି । ଛତିଶଗଡର କିଛି ଜନଜାତୀୟ ଗାଁରେ ବିଭିନ୍ନ ବେଆଇନ ଉପାୟରେ କନଭର୍ଜନ କରାଯାଉଥିବା ପ୍ରଚେଷ୍ଟାକୁ ରୋକିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଗ୍ରାମସଭା ଜରିଆରେ ପ୍ରସ୍ତାବ ପାରିତ କରିଥିଲେ । ଏହି ପ୍ରସ୍ତାବରେ କୁହା ଯାଇଥିଲା ଯେ ସେମାନଙ୍କର ଗାଁରେ ପାଷ୍ଟର ଓ ପାଦରୀ ମାନଙ୍କର କନଭର୍ଜନ କାର୍ଯ୍ୟକଳାପ ଏଠାରେ ନିଷିଦ୍ଧ । ଏହି ପ୍ରସ୍ତାବ ପାରିତ ହେବା ପରେ ଗାଁର ସୀମାରେ ହୋର୍ଡିଂ ଲଗା ଯାଇଥିଲା ଓ ସେଠାରେ ମଧ୍ୟ ସେହି ସମାନ କଥା ଉଲ୍ଲେଖ କରାଯାଇଥିଲା ।
ଏହାର ଶୀର୍ଷକରେ ଲେଖା ଯାଇଥିଲା ଯେ “ଗାଁରେ ପାଷ୍ଟର ମାନଙ୍କର କନଭର୍ଜନ କାର୍ଯ୍ୟକଳାପ ଏଠାରେ ନିଷିଦ୍ଧ” । ଏହା ପରେ ଲେଖା ଯାଇଥିଲା, “ଭାରତର ସମ୍ବିଧାନ ଅନୁସାରେ ଆମ ଗାଁରେ ପେସା ଆଇନ ଲାଗୁ ଅଛି । ଏହି ଆଇନର ନିୟମ ୪ (ଘ) ଅନୁସାରେ ଗାଁର ସାଂସ୍କୃତିକ ପରିଚୟ ଓ ସଂସ୍କୃତିକୁ ସଂରକ୍ଷଣ ପ୍ରଦାନ କରିବାର ଅଧିକାର ରହିଛି । ଗାଁର ଆଦିବାସୀ ଲୋକ ମାନଙ୍କୁ ପ୍ରଲୋଭନ ଦ୍ୱାରା କନଭର୍ଟ କରିବା ଆମ ସଂସ୍କୃତି ଓ ପରିଚୟ ଉପରେ ଆକ୍ରମଣ ସଦୃଶ ଓ ଏହା ଦ୍ୱାରା ଆମର ଆଦିମ ସଂସ୍କୃତି ବିପଦରେ ପଡିବାର ଆଶଙ୍କା ରହିଛି । ତେଣୁ ଆମେ ଗ୍ରାମ ସଭାରେ ପାରିତ ପ୍ରସ୍ତାବ ଅନୁସାରେ ଆମ ଗାଁରେ ଖ୍ରୀଷ୍ଟ ଧର୍ମର ପାଷ୍ଟର ଓ ପାଦ୍ରୀ ସମେତ ଅନ୍ୟ ଗାଁର ଧର୍ମାନ୍ତରିତ ବ୍ୟକ୍ତି ମାନଙ୍କର ଦ୍ୱାରା ଧାର୍ମିକ ଆୟୋଜନ କରିବା ଉଦ୍ଦେଶ୍ୟରେ ପ୍ରବେଶ ଉପରେ ରୋକ ଲଗାଉଛୁ ।
:max_bytes(150000):strip_icc()/GettyImages-163600181-589d55785f9b58819cd846dd.jpg)
ଗ୍ରାମ ସଭା ଦ୍ୱାରା ଏହି ପ୍ରସ୍ତାବ ପାରିତ କରାଗଲା ବେଳେ ସ୍ଥାନୀୟ ଜନଜାତୀୟ ଲୋକ ମାନେ ଏହାକୁ ସ୍ୱତଃସ୍ପୂର୍ତ ଭାବେ ସମର୍ଥନ କରିଥିଲେ । ଏହାର କାରଣ ହେଲା ଯେ ସେମାନେ ଅନେକ ଗାଁରେ ଦେଖିଥିଲେ ଯେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କ ଦ୍ୱାରା କନଭର୍ଜନ କାର୍ଯ୍ୟକଳାପ ନିକଟରେ ବଢିଛି । ଲୋକ ମାନଙ୍କର ଦାରିଦ୍ର୍ୟର ଲାଭ ନେଇ ସେମାନଙ୍କୁ କନଭର୍ଟ କରାଯାଉଛି । ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର କନଭର୍ଜନ କାର୍ଯ୍ୟକଳାପ ଯୋଗୁ ଗାଁରେ ଅଶାନ୍ତି ବଢିଛି । ବିଭିନ୍ନ ପ୍ରସଙ୍ଗରେ ବିଶେଷ ଭାବେ ପାରମ୍ପାରିକ ପୂଜା ପଦ୍ଧତିକୁ ନେଇ ମୂଳ ଜନଜାତିର ଲୋକ ଓ କନଭର୍ଟ ହୋଇଯାଇଥିବା ଜନଜାତି ବର୍ଗର ଲୋକ ମାନଙ୍କ ବିବାଦ ଦେଖା ଦେଇଛି । ତେଣୁ ଏଭଳି ବିବାଦ ଓ ଅଶାନ୍ତିରୁ ଗାଁ ଓ ସମାଜକୁ ରକ୍ଷା କରିବା ପାଇଁ ପାଦ୍ରୀ ମାନଙ୍କର ରିଲିଜିୟସ କାର୍ଯକ୍ରମ ପାଇଁ ଗାଁରେ ପ୍ରବେଶ ଉପରେ କଟକଣାକୁ ସେମାନେ ସମର୍ଥନ କରିଛନ୍ତି ।
ଏଭଳି ହୋର୍ଡିଂ ଗୋଟିଏ ଗାଁରେ ନୁହେଁ ଛତିଶଗଡର ଜନଜାତି ବହୁଳ ଅନେକ ଗାଁରେ ଗ୍ରାମ ସଭା ଦ୍ୱାରା ପାରିତ ହେବା ପରେ ଲାଗିଛି । ତେବେ ଏହାକୁ କନଭର୍ଜନ ଲବି କିଭଳି ବା ସହ୍ୟ କରି ପାରନ୍ତା, କାରଣ ଭାରତର ପ୍ରତ୍ୟେକ ବ୍ୟକ୍ତିର ଗଳାରେ କ୍ରସ ଝୁଲାଇବାକୁ ସେମାନେ ନିରନ୍ତର ଚେଷ୍ଟିତ ଅଛନ୍ତି । ତେଣୁ ସଙ୍ଗେ ସଙ୍ଗେ ସେମାନେ ଛତିଶଗଡ ହାଇକୋର୍ଟର ଦ୍ୱାରସ୍ଥ ହେଲେ ତଥା ଆବେଦନ ପ୍ରଦାନ କଲେ ଯେ ଏଭଳି ହୋର୍ଡିଂ ଲଗାଯିବା ଅଣ ସାମ୍ବିଧାନିକ । ଏ ସମ୍ପର୍କରେ ଛତିଶଗଡରେ ଦିଆଯାଇଥିବା ଆବେଦନରେ କୁହା ଯାଇଥିଲା ଖ୍ରିଷ୍ଟିଆନ ପାଷ୍ଟର ମାନଙ୍କୁ ରିଲିଜିୟସ କାର୍ଯ୍ୟକ୍ରମ ପାଇଁ ଗାଁରେ ପ୍ରବେଶକୁ ଅନୁମତି ନ ଦେବା ସେମାନଙ୍କର ସମାନତାର ଅଧିକାରକୁ କ୍ଷୁର୍ଣ କରୁଛି । ତେଣୁ ଏଭଳି ହୋର୍ଡିଂକୁ ହଟାଇବାକୁ କୋର୍ଟ ଗ୍ରାମ ସଭା ଗୁଡିକୁ ନିର୍ଦେଶ ଦିଅନ୍ତୁ ।
ନ୍ୟାୟାଳୟରେ ଛତିଶଗଡ ସରକାର ଏହି ପ୍ରସଙ୍ଗରେ ଗ୍ରାମ ସଭା ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସମର୍ଥନ କରିଥିଲେ । ନ୍ୟାୟାଳୟରେ ସରକାରଙ୍କ ଓକିଲ କହିଥିଲେ ଯେ, ସିଡ୍ୟୁଲଡ ଏରିଆରେ ପେସା ଆଇନ ଅନୁସାରେ ଗ୍ରାମ ସଭା ଗୁଡିକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି । ଏହି ଅଧିକାରଗୁଡିକ ମଧ୍ୟରେ ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ପାରମ୍ପାରିକ ସମ୍ବଳର ରକ୍ଷା ପାଇଁ ଅଧିକାରର ବ୍ୟବସ୍ଥା ରହିଛି । ପେସା ଆଇନର ଧାରା ୪(ଡି) ଓ ୪ (ଏମ) ଅନୁସାରେ ଗ୍ରାମ ସଭା ଗୁଡିକୁ ପରମ୍ପରା, ରୀତି- ନୀତି, ସାଂସ୍କୃତିକ ପରିଚୟକୁ ରକ୍ଷା କରିବାର ଅଧିକାର ରହିଛି ।
ଗ୍ରାମସଭା ଦ୍ୱାରା ଯେଉଁ ହୋର୍ଡିଂ ଲଗା ଯାଇଛି ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ବେଆଇନ ଭାବେ ଧର୍ମାନ୍ତରୀକରଣ ଉଦ୍ଦେଶ୍ୟରେ ଆସୁଥିବା ଖ୍ରୀଷ୍ଟିଆନ ପାଦ୍ରୀ ଓ ପାଷ୍ଟର ମାନଙ୍କର ପ୍ରବେଶ ଉପରେ କଟକଣା ରହିଛି । ଲୋଭ ଓ ଅନ୍ୟାନ୍ୟ ଅସାଧୁ ଉପାୟରେ କନଭର୍ଜନ କରାଯିବା ଛତିଶଗଡ ସରକାରଙ୍କ ଫ୍ରିଡମ ଅଫ ରିଲିଜିୟନ ଆକ୍ଟ( ସଂଶୋଧିତ) ଅନୁସାରେ ବେଆଇନ । ତେଣୁ ଗ୍ରାମ ସଭା ମାନେ ଯେଉଁ ହୋର୍ଡିଂ ଲଗାଇଛନ୍ତି ସେଥିରେ କୌଣସି ଅସୁବିଧା ନାହିଁ ।
ଛତିଶଗଡ ସରକାରଙ୍କ ଓକିଲ କନଭର୍ଜନ କାରଣରୁ ନାରାୟଣପୁର ଜିଲ୍ଲାରେ ଘଟିଥିବା ହିଂସା ବିଷୟକୁ ମଧ୍ୟ ଉଲ୍ଲେଖ କରି କୋର୍ଟକୁ ଅବଗତ କରିଥିଲେ । ୨୦୨୩ ମସିହାରେ କନଭର୍ଜନ କାରଣରୁ କନଭର୍ଟେଟ ଓ ମୂଳ ଜନଜାତି ଲୋକ ମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ପୋଲିସକର୍ମୀ ସହ ଅନେକ ଲୋକ ଆହତ ହୋଇଥିଲେ । ତେଣୁ ଏଭଳି କୌଣସି ଅପ୍ରୀତିକର ପରିସ୍ଥିତିକୁ ରୋକିବା ତଥା ଜନଜାତି ସଂସ୍କୃତିର ପରିଚୟକୁ ବଜାୟ ରଖିବା ପାଇଁ ଗ୍ରାମସଭା ଏଭଳି ନିଷ୍ପତି ନେଇ ପାରିବେ ।
ଏହି ମାମଲାର ଶୁଣାଣୀ କରି ଛତିଶଗଡ ହାଇକୋର୍ଟ ତାଙ୍କର ରାୟରେ କହିଛନ୍ତି, ବଳ ପୂର୍ବକ କନଭର୍ଜନକୁ ରୋକିବାକୁ ଛତିଶଗଡର ବିଭିନ୍ନ ଗ୍ରାମସଭା ଦ୍ୱାରା ପ୍ରସ୍ତାବ ପାରିତ କରି ପାଦ୍ରୀ ମାନଙ୍କୁ ଗାଁ ମଧ୍ୟକୁ ପ୍ରବେଶ ନ ଦେବା ସମ୍ପର୍କିତ ହୋର୍ଡିଂ ଲଗାଇବାକୁ ଅସାମ୍ବିଧାନିକ ବୋଲି କୁହାଯାଇ ପାରିବ ନାହିଁ । ଦଶ ପୃଷ୍ଠା ସମ୍ବଳିତ ଏହି ଅର୍ଡରରେ କୋର୍ଟ କହିଛନ୍ତି ଯେ ଜନଜାତି ବର୍ଗର ଲୋକ ମାନଙ୍କର ମୂଳ ସଂସ୍କୃତି ଓ ଐତିହ୍ୟକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଗ୍ରାମ ସଭା ଗୁଡିକ ଦ୍ୱାରା ଏହି ହୋର୍ଡିଂ ଲଗାଯାଇଥିବା ପ୍ରତୀତ ହେଉଛି ।
ହାଇକୋର୍ଟ ତାଙ୍କର ଅର୍ଡରରେ ସୁପ୍ରିମକୋର୍ଟର ପୁରୁଣା ରାୟକୁ ଉଦ୍ଧୃତ କରିଛନ୍ତି ଯେଉଁଥିରେ କୁହା ଯାଇଥିଲା ଯେ କମ୍ୟୁନିଟିକୁ ନିଜର ବିଶିଷ୍ଟ ସାମାଜିକ ଓ ସାଂସ୍କୃତିକ ପରିଚୟ ବଜାୟ ରଖିବାର ଅଧିକାର ରହିଛି, ଯେପର୍ଯ୍ୟନ୍ତ ଏଭଳି କୌଣସି ପଦକ୍ଷେପ କୌଣସି ବ୍ୟକ୍ତିର ମୌଳିକ ଅଧିକାରର ଆଇନଗତ ସଂରକ୍ଷଣର ଉଲ୍ଲଂଘନ ନ ହୋଇଛି । ନ୍ୟାୟାଳୟ ଆହୁରି କହିଛନ୍ତି ଯେ ଭାରତର ଆଇନଗତ ସଂରଚନା ପୂର୍ବରୁ ହିଁ ବଳପୂର୍ବକ, ପ୍ରଲୋଭନ କିମ୍ବା ଛଳ ଦ୍ୱାରା କାହାକୁ କନଭର୍ଟ କରିବାକୁ ପ୍ରତିବନ୍ଧିତ କରିଥାଏ । ତେଣୁ ଗାଁ ଲୋକ ମାନଙ୍କ ଦ୍ୱାରା ବାହାର ଅଂଚଳର ଲୋକ ମାନଙ୍କର ଏପରି କାର୍ଯ୍ୟ ପ୍ରତି ସାବଧାନ କରିବାର ପ୍ରୟାସକୁ ପ୍ରଥମତଃ ଭେଦଭାବପୂର୍ଣ ନୁହେଁ କିମ୍ବା ଏହା ହେଟ ସ୍ପିଚ ଅନ୍ତର୍ଗତ ମଧ୍ୟ ଆସୁ ନାହିଁ ।
ନ୍ୟାୟାଳୟ ତାଙ୍କ ଆଦେଶରେ କହିଛନ୍ତି ଯେ, “ପ୍ରଲୋଭନ କିମ୍ବା ଛଳ ଦ୍ୱାରା ବଳପୂର୍ବକ କନଭର୍ଜନକୁ ରୋକିବା ଉଦ୍ଦେଶ୍ୟରେ ଲଗା ଯାଇଥିବା ହୋର୍ଡିଂ ଗୁଡିକୁ ଅସମ୍ବାଧିନକ ବୋଲି କୁହାଯାଇ ପାରିବ ନାହିଁ । “
ସଂସ୍କୃତି ଉପରେ ବିଦେଶୀ ଶକ୍ତି ମାନଙ୍କର ଲଗାତାର ଆକ୍ରମଣ ପରିପ୍ରେକ୍ଷୀରେ ଛତିଶଗଡର ଜନଜାତୀୟ ସମାଜ ସାମ୍ବିଧାନିକ ଉପାୟରେ ସଂସ୍କୃତିର ରକ୍ଷା ପାଇଁ ପ୍ରୟାସ କରିଛନ୍ତି । ଆଉ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା ଯେ ଭାରତର ନ୍ୟାୟପାଳିକା ଠାରୁ ମଧ୍ୟ ସମର୍ଥନ ମିଳିଛି, ଯାହାକୁ ସ୍ୱାଗତ କରାଯିବା ଉଚିତ ।
also read https://purvapaksa.com/westbengal-news/


