ରାଜ୍ୟରେ ଉପ ନିର୍ବାଚନ ନୂଆ ନୁହେଁ କିନ୍ତୁ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ଉପ ନିର୍ବାଚନ ଯାହାକୁ ବିଜେପି ଶାସନର ତନ୍ତ୍ର- ଯନ୍ତ୍ର- ମନ୍ତ୍ର ଦ୍ୱାରା ପରିଚାଳନା କରାଯାଉଛି। ଏଥିରେ ତିନିଟି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଉପସ୍ଥିତ ରହିଛନ୍ତି। ସମୁଦାୟ ଭୋଟ ତନ୍ତ୍ରଟି ଏବେ ନୂଆପଡ଼ା ଭିତର ଏବଂ ବାହାରି ନେତାଙ୍କ ଦ୍ୱାରା କ୍ରିୟାଶୀଳ ହୋଇଛି। ପ୍ରତିଦିନ କୌଣସି ନା କୌଣସି କୋଣରେ ବଡ଼ ମଞ୍ଚରୁ ବଡ଼ ନେତା ଭାଷଣ ଦେଉଛନ୍ତି ଆଉ ଗଳି କନ୍ଦିରେ କେତେବେଳେ ଯୁବକମାନଙ୍କ ବାଇକ ରାଲି ତ ମହିଳାମଣ୍ଡଳିଙ୍କ ଶୋଭାଯାତ୍ରା ଅଥବା ପ୍ରାର୍ଥୀଙ୍କ ଭୋଟ ଭିକ୍ଷା ଦେଖିବାକୁ ମିଳୁଛି।
୨୦୨୪ରେ ପାଣ୍ଡିଆନବାଦ୍କୁ ସମର୍ଥନ କରିଥିଲା ନୂଆପଡ଼ା
ନୂଆପଡ଼ାରେ ଗତ ନିର୍ବାଚନ ବେଶ ରୋଚକ ଥିଲା। ସରକାରରେ ଥିବା ବିଜେଡିକୁ ଏହି ନିର୍ବାଚନ ବିଧାନସଭାରେ ସଙ୍କୁଚିତ କରି ବିରୋଧୀ ଦଳ ଆସନରେ ବସାଇଥିଲା। ଏହି ମୋଡ଼ ପରିବର୍ତ୍ତନକାରୀ ସନ୍ଧିକ୍ଷଣରେ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ କାର୍ଯ୍ୟକଳାପ। ଅନେକ ବିଜେଡି ନେତା, କର୍ମୀ ଓ ସାଧାରଣ ଜନତାଙ୍କ ଭାଷାରେ ଯଦି ପାଣ୍ଡିଆନ୍ ପ୍ରଚାର ଭାର ନେଇ ନ ଥାଆନ୍ତେ ତେବେ ବିଜେଡି ଆଜି ଲଗାତାର ଷଷ୍ଠଥର ଲାଗି ସରକାରରେ ଥାଆନ୍ତା। ଅର୍ଥାତ୍ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ପରଦା ଉପରେ ଭିଲେନ୍ ସାଜିଥିଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍। ଆଜି ପର୍ଦ୍ଦା ଉପରେ ପାଣ୍ଡିଆନ୍ ନାହାନ୍ତି କିନ୍ତୁ ତାଙ୍କରି ଦ୍ୱାରା ନିୟନ୍ତ୍ରଣ ନେଇ ଚାଲିଥିବା ବାବଦୀୟ ଚର୍ଚ୍ଚାର ଅନ୍ତ ହୋଇନାହିଁ। ଏହା ନୂଆପଡ଼ାର ପ୍ରତିଟି ଅଞ୍ଚଳରେ ଭୋଟରଙ୍କ ଆଲୋଚନା, ଚର୍ଚ୍ଚା ଓ ଖଟିରେ ରହିଛି। କିନ୍ତୁ ଗତ ନିର୍ବାଚନରେ ନୂଆପଡ଼ାବାସୀ ଏ ଚର୍ଚ୍ଚାର ବିପକ୍ଷରେ ଯାଇ ଭୋଟ ଦେଇଥିଲେ। ବିଜେଡିର ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଜିତାଇଥିଲେ।
ବିଜେଡିର ଭୋଟ ବିଭାଜନ
ଆଜି ରାଜେନ୍ଦ୍ରଙ୍କ ଅବର୍ତ୍ତମାନରେ ପୁଣିଥରେ ନିର୍ବାଚନ ହେଉଛି। ଏଥିରେ ତାଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି କିନ୍ତୁ ବିଜେପିରୁ। ଏଇଠି ଆରମ୍ଭ ହୋଇଛି ଅସଲ ରାଜନୀତି। ଏହାକୁ କେନ୍ଦ୍ର କରି ହିଁ ନୂଆପଡ଼ାରେ ସଂଗଠିତ ହେଉଛି ରାଜନୀତିକ ପରିବେଶ। ଅନୁକମ୍ପାମୂଳକ ଭୋଟ ପାଇବ ବୋଲି ବିଜେପି ଆଶା ରଖି ତାଙ୍କୁ ବିଜେଡି ଶିବିରରୁ ଉଠାଇ ନେଇଛି। ଏହାକୁ ବିଜେଡି ସମର୍ଥକମାନେ ‘ପ୍ରାର୍ଥୀ ଚୋରି’ ବୋଲି କହୁଛନ୍ତି। ବିଜେପି ଏହାକୁ ଖଣ୍ଡନ କରି ଜୟ କେବେ ବିଜେଡିର ନ ଥିଲେ ବୋଲି କହିଛନ୍ତି। କିନ୍ତୁ ଅପରପକ୍ଷେ ପ୍ରଶ୍ନ ହେଉଛି ଜୟ କେବେ ବିଜେପିର ବି ସଦସ୍ୟ ନ ଥିଲେ, ଏବେ କାହିଁକି? ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ ତାହା ହେଲା ବିଜେଡିର ଭୋଟ ବିଭାଜନ।
ବିଜେପି ଆଗରେ ଆହ୍ୱାନ
ଗତ ନିର୍ବାଚନରେ ବିଜେପି ତିନି ନମ୍ବର ଦଳ ସାବ୍ୟସ୍ତ ହୋଇଥିଲା। ୧୭ ହଜାରରୁ ଅଧିକ ଭୋଟରେ ବିଜେଡିଠୁ ପଛରେ ରହିଥିଲା। ଆଜି ପୁଣିଥରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ କିନ୍ତୁ ବିଜେପି ଏକ ନମ୍ବର ରହିବାକୁ ଚେଷ୍ଟା କରୁଛି। ବିଜେପି ଏହି ସମୟରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ଅନୁକମ୍ପାମୂଳକ ଭୋଟ ହାସଲ କରିବା ପାଇଁ ନିଜ ଦଳରୁ ପ୍ରାର୍ଥୀ କରୁଛି। ଯଦି ଏହି ନିର୍ବାଚନ ବିଜେପି ଜିତେ ତେବେ ଏହା ଦଳ ପାଇଁ ବିଜେଡି ପରୀକ୍ଷଣର ସଫଳ ରୂପାୟନ ହେବ। କାରଣ ପୂର୍ବରୁ କ୍ଷମତାସୀନ ବିଜେଡି ଏହିପରି ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀଙ୍କୁ ନିଜ ଦଳକୁ ଆଣି ସେଠାରେ ଭୋଟ ଅକ୍ତିଆର କରିଛି। କାକଟପୁରର ତୁଷାରକାନ୍ତି ବେହେରା କୁହନ୍ତୁ କି ବିଜେପୁରର ରୀତା ସାହୁ, ଆନନ୍ଦପୁରର ଭାଗିରଥି ସେଠୀ ପ୍ରଭୃତିଙ୍କୁ ରାତାରାତି ବିଜେଡି ଆଣି ନିଜର ପ୍ରାର୍ଥୀ କରି ସଫଳ ହୋଇଥିଲା। ଏପରିକି ତତ୍କାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହଙ୍କୁ ଆଣି କଂଗ୍ରେସ ଏକ ଦୁର୍ବଳ ଦଳ ବୋଲି ପ୍ରମାଣିତ କରିଥିଲା। ଆଜି ସେହି ପରୀକ୍ଷଣକୁ ବିଜେପି ଆପଣାଇଛି। ଯେହେତୁ ଏଠାରେ ବିଜେଡି ଅପେକ୍ଷା ଢୋଲକିଆଙ୍କ ପ୍ରଭାବ ଥିଲା, ଏଣୁ ଢୋଲକିଆଙ୍କୁ ସାଙ୍ଗରେ ନେଇଛି ବିଜେପି।
ରଣାଙ୍ଗନରେ ବିଜେଡିର ନ୍ୟାରେସନ୍ ପହଞ୍ଚି ସାରିଛି
ହେଲେ ସାଧାରଣ ଜନତା, ଭୋଟର କ’ଣ କହୁଛନ୍ତି? ଏହି ପ୍ରଶ୍ନକୁ ଯେତେବେଳେ ପଚରା ଯାଇଛି ଏକ ମିଶ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁ ଲୋକଙ୍କ ଛାତ ଉପରେ ବିଜେପି ପତକା ଶୋଭା ପାଉଛି ସେମାନେ ଦେଇଥିବା ମତାମତକୁ ଆଧାର କରି ପ୍ରତିକ୍ରିୟାକୁ ଯାଞ୍ଚ କରାଯାଇପାରେ। ଏହି ସମୟରେ ଏହି ବ୍ୟକ୍ତିମାନେ ବି ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି କହିଥିଲେ। ଏପରିକି ଜୟ ଢୋଲକିଆ କ’ଣ ରାଜୁ ଢୋଲକିଆର ପୁଅ ବୋଲି ପ୍ରଶ୍ନ କରିଥିଲେ? ଅର୍ଥାତ୍ ରଣାଙ୍ଗନରେ ବିଜେଡିର ନ୍ୟାରେସନ୍ ପହଞ୍ଚି ସାରିଛି।
ରାଜେନ୍ଦ୍ର ଢୋଲକିଆ କାହାର
ଅପରପକ୍ଷେ ଜୟଙ୍କ ଭାବଭଙ୍ଗୀ ଓ ଲୋକଙ୍କ ସହ ସେ ମିଶି ପାରୁନଥିବା ଅଭିଯୋଗ ହୋଇଛି। ବାପା ଯେମିତି ନମ୍ର, ଧୀର ଓ ଧୈର୍ଯ୍ୟର ସହ ଲୋକଙ୍କ କଥା ଶୁଣୁଥିଲେ ତାହା ଜୟଙ୍କ ପାଖରେ ଅଭାବ ଥିବା କୁହାଯାଉଛି। ତଥାପି କ୍ଷମତାକୁ ଆସିଲେ ସେ ରାଜୁଙ୍କ ଭଳି ଲୋକଙ୍କ ସେବାରେ ରହିବେ ବୋଲି ଯୁକ୍ତି ବାଢ଼ୁଛନ୍ତି।
କିଛିଦିନ ପୂର୍ବରୁ ଉଭୟ ବିଜେଡି ଓ ବିଜେପି ରାଜୁ ଢୋଲକିଆଙ୍କ ଫଟୋକୁ ନେଇ ଅନେକ ବିତର୍କ ସୃଷ୍ଟି ହୋଇଥିଲା। ହେଲେ ଏବେ ନିର୍ବାଚନ ଅଧିକାରୀଙ୍କ ଆଦେଶ କ୍ରମେ ବିଜେଡି ତାହାଙ୍କୁ ହଟାଇଛି। ହେଲେ ଭାଷଣରେ କେବେ ରାଜୁ ଢୋଲକିଆ ହଟି ନାହାନ୍ତି। ଅର୍ଥାତ୍ ଉଭୟ ଦଳ ଢୋଲକିଆ ନାଁକୁ ବ୍ୟବହାର କରି ତାଙ୍କ ନାଁରେ ଥିବା ଭୋଟକୁ ବିଭାଜନ କରିବାକୁ ଚାହୁଁଛନ୍ତି। ଏହି ବିଭାଜନରୁ ଯଦି ବିଜେପି ୨୦ ହଜାର ପାଖାପାଖି ଭୋଟକୁ ନିଜେ ଅକ୍ତିଆର କରି ନିଏ ତେବେ ବିଜେଡି ନିଜ ଆସନ ବଜାୟ ରଖିବା ଅସମ୍ଭବ ହୋଇପାରେ।
ଛାଡ଼ି ନାହିଁ ବିଜେଡି ଆତ୍ମବଡ଼ିମା
ବିଜେଡି ନିଜ ସଂଗଠନର ମାର୍କା ମରା ଭୋଟ ସହ ଅନୁସୂଚିତ ଜାତି ଓ ମହିଳାଙ୍କୁ ଏକାଠି କରି ନିଜର କ୍ଷତିପୂରଣ କରିବାକୁ ଚାହୁଁଛନ୍ତି। ଏଥିଲାଗି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଅନୁସୂଚିତ ଜାତି ଓ ମହିଳା ବର୍ଗଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ଏଣୁ ଯେତିକି ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କଠାରୁ ସେ ଭିନ୍ନ। ପୁଣି ପ୍ରଚାର ଲାଗି ରାଜ୍ୟର ବିଭିନ୍ନ କୋଣରୁ ନେତା ଓ ବିଧାୟକମାନେ ଏକାଠି ହୋଇଛନ୍ତି। ନୂଆପଡ଼ା, କୋମନା, ସିନାପାଲୀକୁ ଛାଡ଼ିଦେଲେ ଖଡ଼ିଆଳରେ ମଧ୍ୟ ନେତାଙ୍କ ଗାଡ଼ି ମାଳମାଳ ଯାଉଛି ଆସୁଛି। ଏହା ପ୍ରମାଣିତ କରୁଛି ଯେ, ଦଳ ଉପରମୁଣ୍ଡରେ ଅନେକ ସଚେତନ ରହିଛି। କିନ୍ତୁ ତଳ ମୁଣ୍ଡରେ ଯେଉଁ ରୂପାୟନ ହେଉଛି ତାହା ଭୋଟରଙ୍କୁ ପ୍ରଭାବିତ କରିପାରେ। କାରଣ ଛୋଟ ଛୋଟ ଗାଁ ଓ ଓ୍ୱାର୍ଡ଼ର ସରୁଆ ଗଳିରେ ଏତେ ବଡ଼ ବଡ଼ ଗାଡ଼ିର ମାଳା ବିଚରଣ କରିବା ଦଳର ଅହଙ୍କାରକୁ ଲୋକଙ୍କ ସାମ୍ନାରେ ଆଣୁଛି। ଏପରିକି ବଡ଼ ଗାଡ଼ିରେ ବସୁଥିବା ଆତ୍ମବଡ଼ା ବିଜେଡି ନେତା ଓ ନେତ୍ରୀମାନେ ଗଳିରେ ପ୍ରବେଶ କଲେ ମଧ୍ୟ ସେଠାରୁ ଓହ୍ଲାଇବାକୁ ଚାହୁଁ ନାହାନ୍ତି। ଏପରି ବ୍ୟବହାର କେବଳ ଭୋଟରଙ୍କ ମନରେ ଅସନ୍ତୋଷ ଛଡ଼ା ଆଉ କିଛି ସୃଷ୍ଟି କରିବ ନାହିଁ। ଏହା ଭୋଟ ହ୍ରାସ କରିବାରେ ସହାୟକ ହୋଇପାରେ।
ସେହିପରି ଯେଉଁ ନେତାମାନେ ବାହାରୁ ଆସି ସେଠାରେ କ୍ୟାମ୍ପ ପକାଇଛନ୍ତି ସେମାନଙ୍କ ଆୟୋଜନ କେବଳ ଅର୍ଥ ପରିଚାଳିତ ଭଳି ମନେ ହେଉଛି। କୌଣସି ପ୍ରକାରେ ଆନ୍ତରିକତା ରହୁ ନାହିଁ। ଯଦି ଶେଷ ମୁହୂର୍ତ୍ତରେ ଏହାକୁ ପରିଚାଳନା ନ କରାଯାଏ ତେବେ ଦଳ ପାଇଁ ଏହା ଅନେକ ଆଘାତ ସୃଷ୍ଟି କରିବ।
ଯାଦବ, ଜାତି ଓ ମହିଳା ଭୋଟକୁ ବିଜେଡି ନଜର
ପୁଣି ପ୍ରାର୍ଥୀ ସ୍ନୋହାଙ୍ଗିନୀଙ୍କୁ ଭୋଟର ବାହାରି ନେତା ବୋଲି କହୁଛନ୍ତି। ସେ ନୂଆପଡ଼ାକୁ ମାମୁଘର ବୋଲି କହୁଥିଲେ ମଧ୍ୟ ଏହି ବାହାରି ନେତା ସମ୍ବୋଧନ ଦଳୀୟ ସଂଗଠନକୁ ପ୍ରଭାବିତ କରିପାରେ। ଯଦି ଏ ପ୍ରଭାବକୁ ଦଳ ମୁକାବିଲା କରିଦେବ ତେବେ ଦଳୀୟ ସଂଗଠନ, ଅନୁସୂଚିତ ଜାତି, ଯାଦବ ସମ୍ପ୍ରଦାୟର ଭୋଟ, ମହିଳା ଓ ବିଭାଜିତ ଆଦିବାସୀ ଭୋଟ ବିଜେଡିକୁ ଆଶୀର୍ବାଦ ହୋଇପାରେ। ବିଜେଡିର ନେତାମାନେ ନୂଆପଡ଼ାକୁ ଏକ ଆହ୍ୱାନ ଭାବେ ନେଇଥିବା କହୁଛନ୍ତି ।
କ୍ଷତିଗ୍ରସ୍ତ ହୋଇପାରନ୍ତି ଘାସିରାମ ମାଝୀ
ଅପରପକ୍ଷେ କଂଗ୍ରେସ ଏହି ନିର୍ବାଚନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଅବଶ୍ୟ ଗତ ୨୦୨୪ ନିର୍ବାଚନରେ କଂଗ୍ରେସର କ୍ଷତି ଅଦ୍ଭୁତ ଥିଲା। ବିଜେତା ପ୍ରାର୍ଥୀଙ୍କଠାରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସର ସଭାପତି ପ୍ରାର୍ଥୀ ଶରତ ଶରତ ପଟ୍ଟନାୟକ ୪୬୩୨୧ ଭୋଟ ପଛରେ ପଡ଼ି ଶୋଚନୀୟ ପରାସ୍ତ ହୋଇଥିଲେ। ଭୋଟ ୭ ଜଣ ପ୍ରାର୍ଥୀଙ୍କ ଭିତରେ କଂଗ୍ରେସର ସ୍ଥାନ ଥିଲା ୪ର୍ଥ ସ୍ଥାନରେ। ପ୍ରଥମରେ ଥିଲେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଦ୍ୱିତୀୟ ହୋଇଥିଲେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ତୃତୀୟରେ ଥିଲେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା।
ସିନାପାଲୀରେ କଂଗ୍ରେସ ସୀମିତ!
ଏଥର ଅଭିନନ୍ଦନ ବା ତାଙ୍କ ପରିବାରର କୌଣସି ସମ୍ପର୍କ ନିର୍ବାଚନ ସହ ଦେଖିବାକୁ ମିଳୁ ନାହିଁ। ଯଦିଓ ଦଳୀୟ ଚାପରେ ଅଭିନନ୍ଦନଙ୍କ ବାପା ବସନ୍ତ ପଣ୍ଡା ଦଳର ପ୍ରଚାର ପାଇଁ ଗଣମାଧ୍ୟମକୁ କହୁଛନ୍ତି କିନ୍ତୁ ତାଙ୍କର ଅନ୍ତର୍ଭୁକ୍ତି ଆଗାମୀ ସମୟରେ ଅନ୍ତର୍ଘାତୀ ବି ପାଲଟିପାରେ ବୋଲି କୁହାଯାଉଛି। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କୌଣସି ଜାତୀୟସ୍ତରର ନେତା ନ ଆସିବା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରଛଡ଼ା ଦେବା ବସନ୍ତଙ୍କ ପରି ତାଙ୍କ ସମର୍ଥକଙ୍କୁ ଭୋଟ ବିଭାଜନରେ ବି ସହାୟକ ହୋଇପାରେ।
ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥାଇ ଟକ୍କର ଦେଇଥିବା ଆଦିବାସୀ ନେତା ଘାସିରାମ ଏଥର କଂଗ୍ରେସ ପ୍ରାର୍ଥୀ। ନିଜର ବ୍ୟକ୍ତିଗତ ଲୋକପ୍ରିୟତା ଏବଂ କଂଗ୍ରେସ ସଂଗଠନ ତାଙ୍କୁ ବିଜେତା କରିବ ବୋଲି ସେ ଆଶା କରିଛନ୍ତି। ହେଲେ କଂଗ୍ରେସ ତିନିଟି ବ୍ଲକ୍ ଭିତରୁ କେବଳ ସିନାପାଲି ବ୍ଲକରେ ସୀମିତ ଥିବା ପରି ଜଣାପଡ଼ୁଛି। ତାଙ୍କର ଅଧିକ ପ୍ରଚାର ସିନାପାଲିରେ ହେଉଛି। ଯେହେତୁ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କୁ ଏ ଅଞ୍ଚଳ ନଗନ୍ୟ ଭୋଟ ଦେଉଥିଲା ତାହାର ପ୍ରଭାବ ଏବେ ଘାସିରାମଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି। ଅର୍ଥାତ୍ ଘାସିରାମଙ୍କ ଭୋଟ କଟିପାରେ। ଏଣୁ ଦ୍ୱିତୀୟ ସ୍ଥାନ ବଜାୟ ରଖିବା ଘାସିରାମଙ୍କୁ କଷ୍ଟକର ହୋଇପାରେ। ଯଦି ବିଜେପିରେ ଗୋଷ୍ଠୀ ବିବାଦ ଉଗ୍ର ହୁଏ ତେବେ ହୁଏତ ଘାସିରାମଙ୍କୁ ତାହାର ଫାଇଦା ମିଳିବ ବୋଲି କୁହାଯାଉଛି।
ALSO READ https://purvapaksa.com/from-bali-yatra-to-odishas-economy/
From Bali Yatra to Odisha’s economy || ବାଲିଯାତ୍ରାରୁ ଓଡ଼ିଶାର ଅର୍ଥନୀତି ପର୍ଯ୍ୟନ୍ତ


