ଅସୁରକ୍ଷିତ ଜଳଯାତ୍ରା କାରଣରୁ ବଢୁଛି ଦୁର୍ଘଟଣା। ଦେଶୀ ଓ ହୁଳି ଡଙ୍ଗାରେ ଜଳଭଣ୍ଡାକୁ ଯାଉଥିବା ବେଳେ ଅନେକଙ୍କ ଜୀବନ ଯାଉଛି। ଜଳପ୍ରପାତ ନିକଟରେ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଗତ ୫ବର୍ଷରେ ପାଣିରେ ବୁଡ଼ି ୩୭୧ ଜଣଙ୍କ ମୃତ୍ୟୁ ହେଲାଣି। ସୁରକ୍ଷିତ ଜଳଯାତ୍ରା ପାଇଁ ଅବଶ୍ୟକ ମୋଟର ବୋଟ୍ ଜଳଭଣ୍ଡାର ପାର୍ଶ୍ଵବର୍ତୀ ଗ୍ରାମକୁ ମିଳିନି । ଜଳପ୍ରପାତ ମଧ୍ୟକୁ ଯିବା ପାଇଁ ମଧ୍ୟ କୌଣସି ମୋଟର ବୋଟ୍, ସୁରକ୍ଷା ପାଚେରି ନଥିବାରୁ ବଢ଼ୁଛି ଅଘଟଣ। ପଦକ୍ଷେପ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାମାଜିକକର୍ମୀ ।
ସୂଚନା ଅନୁଯାୟୀ, ୨୦୨୧ରେ ପାଣିରେ ବୁଡ଼ି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୨୨ରେ ୯୩, ୨୦୨୩ରେ ୨୦, ୨୦୨୪ରେ ୭୫ ଓ ୨୦୨୫ ଅକ୍ଟୋବର ୮ ତାରିଖ ସୁଦ୍ଧା ୬୩ ଜଣଙ୍କ ମୃତ୍ୟୁ ହେଲାଣି । କୋଲାବ ଜଳଭଣ୍ଡାର, କୋଲାବ ନଦୀ, ଜଲାପୁଟ ଜଳଭଣ୍ଡାର, ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ କୁକୁମା ଜଳପ୍ରପାତ, ମୁଜାନ ନଦୀରେ ବୁଡ଼ି ଅଧିକାଂଶଙ୍କ ମୃତ୍ୟୁ ହୋଇଛି । ମାଛକୁଣ୍ଡ ଓ ଡୁଡୁମା ଜଳପ୍ରପାତରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବହୁବାର ଦାବି ହୋଇଥିଲେ ମଧ୍ୟ କେହି ଶୁଣୁନଥିବାରୁ ବୁଡ଼ି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି ।

କୋରାପୁଟ ଜିଲ୍ଲାରେ ମୌସୁମୀ ବର୍ଷା ଜୁନରୁ ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ଲାଗି ରହିଥାଏ। ନଭେମ୍ବର ପହିଲାରୁ ଶୀତ ଆରମ୍ଭ ହେଉଥିବାରୁ ଦେଶ, ବିଦେଶର ପର୍ଯ୍ୟଟନ କୋରାପୁଟର ମନଲୋଭା ଦୃଶ୍ୟକୁ ଦେଖିବାକୁ ଗସ୍ତ କରିଥାନ୍ତି। କୋରାପୁଟ ଶାବର ଶ୍ରୀକ୍ଷେତ୍ର, ଆଦିବାସୀ ସଂଗ୍ରହାଳୟ, ବୈପାରିଗୁଡାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର, ସୁନାବେଡା ହାଲ୍ ମ୍ୟୁଜିୟମ୍, ନନ୍ଦପୁର ବତିଶ ସିଂହାସନ, ରାଣୀ କୁକୁମା ଜଳପ୍ରପାତ, ସୁବାଇ ଜୈନ ମନ୍ଦିର, ଲମତାପୁଟ ବ୍ଲକର କୁରୁମା, ଜଲାପୁଟ ଜଳପ୍ରାପତ, ପଟାଙ୍ଗି ବ୍ଲକରେ ଥିବା ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି, କୋରାପୁଟ ବ୍ଲକର ବାସ୍ନା ଜଳପ୍ରାପତି, କୋଲାବ ଜଳଭଣ୍ଡାର, କେଚିଲା, କୋଟପାଡ଼ ବ୍ଲକର ଗୁଲମି ଜଳପ୍ରପାତକୁ ଅଧିକ ପର୍ଯ୍ୟଟକ ବୁଲି ଦେଖିଥାନ୍ତି। ୨୦୨୫ ମେରୁ ସେପ୍ଟେମ୍ବର ମଧ୍ୟରେ କୋରାପୁଟ ଜିଲ୍ଲାକୁ ୭ ଲକ୍ଷ ପର୍ଯ୍ୟଟକ ଆସିଲେଣି।
ସେଥି ମଧ୍ୟରୁ ସର୍ବାଧିକ ଗୁପ୍ତେଶ୍ୱରକୁ ୨ଲକ୍ଷ ୪୨ ହଜାର, ଦେଓମାଳିକୁ ୧ଲକ୍ଷ ୩୪ ହଜାର ଏବଂ ମାଛକୁଣ୍ଡର ଡୁଡୁମା ଜଳପ୍ରପାତକୁ ୧ ଲକ୍ଷ ୧୦ ହଜାର ପର୍ଯ୍ୟଟକ ଗସ୍ତ କରିଛନ୍ତି। ମାଛକୁଣ୍ଡ ସ୍ଥିତ ଡୁଡୁମା ଜଳପ୍ରପାତ ସୁରକ୍ଷିତ ନଥିବାରୁ କିଛି ଦିନ ତଳେ ୨ ପର୍ଯ୍ୟଟକ ଭାସି ଯାଇ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ସଂଖ୍ୟା ବହୁଥିବାରୁ ଠୋସ୍ ପଦକ୍ଷେପ ନେବାକୁ ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । କିନ୍ତୁ ପର୍ଯ୍ୟଟନ ଅଧିକାରୀ ତଲିନା ପ୍ରଧାନୀ କହିଛନ୍ତି, ପର୍ଯ୍ୟଟକ କଟକ ନ ମାନି ଜଳପ୍ରପାତ ଓ ନଦୀ ମଧ୍ୟକୁ ଯାଉଥିବାରୁ ଅଘଟଣ ବଢ଼ୁଛି ବୋଲି ସେ କହିଛନ୍ତି।
also read https://purvapaksa.com/sc-orders-cbi-investigation-into-karur-stampede/

