ରାଜ୍ୟରେ ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖଉଛି, ବିଜୁ ଜନତା ଦଳ ସେତିକି ଦୁର୍ବଳ ହେବାରେ ଲାଗିଛି। ଖାଲି ସେତିକି ନୁହେଁ ଏହାର ନେତାମାନେ ଯେ ପ୍ରତ୍ୟକ୍ଷ ବା ପରୋକ୍ଷରେ ବିଜେପିର ଏଜେଣ୍ଟ ସାଜିଛନ୍ତି ତାହାକୁ ପ୍ରମାଣିତ କରୁଛି। ଏହି ତାଲିକାରେ ଖାଲି ତୃତୀୟ ଧାଡ଼ିର କି ପ୍ରଥମ ଧାଡ଼ିର ନେତା ନୁହଁନ୍ତି ଖୋଦ୍ ସଭାପତି ବି ନାଁ ଲେଖାଇଛନ୍ତି। ଫଳରେ ନୂଆପଡ଼ା ଏବେଠାରୁ ଆଉ ବିଜେଡିର ହୋଇ ରହିନାହିଁ ତାହା ସ୍ପଷ୍ଟ କରୁଛି। କେହି କେହି ଗଣମାଧ୍ୟମ ଏହାକୁ ବିଜେପି ବିଜେଡି ମଧ୍ୟରେ ଡିଲ ବୋଲି କହୁଛନ୍ତି କିନ୍ତୁ ବାସ୍ତବରେ ଏହା ବିଜେଡିର ଆତ୍ମସମର୍ପଣ ଆଡ଼କୁ ଅଗ୍ରସର ହେଉଛି।
ବିଜେପି ନିକଟରେ ବିଜେଡିର ଆତ୍ମସମର୍ପଣ
ଦିନେ ମେଣ୍ଟ କରି ରାଜ୍ୟ ରାଜନୀତିରେ ବିଜେପି ସହ ପ୍ରବେଶ କରିଥିବା ବିଜୁ ଜନତା ଦଳ ଆଜି ଆତ୍ମସମର୍ପଣ ରାସ୍ତାରେ। ମାତ୍ର ଗୋଟିଏ ନିର୍ବାଚନର ଫଳାଫଳ ବିଜେଡିକୁ ଏମିତି ଦୁର୍ବଳ କରିଦେବ ବୋଲି ଭାବିପାରୁନାହାନ୍ତି। ଏହାର ପଛରେ ବିଜୁ ଜନତା ଦଳର ସଂଗଠନର ବିଫଳତା ନୁହେଁ, ବରଂ ଖୋଦ୍ ସଭାପତି ଓ ତାଙ୍କ ସହଯୋଗୀ ଏବଂ ସହଯୋଗୀଙ୍କ ସହଚରମାନେ ରହିଛନ୍ତି। ବର୍ତ୍ତମାନର ରାଜନୀତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏହି ଆତ୍ମସମର୍ପଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୁଏ।
ନୂଆପଡ଼ାରୁ ବିଜେଡି ନେତାଙ୍କ ଛତ୍ରଭଙ୍ଗ
ମୁଁ ଏଠି ଆପଣଙ୍କୁ ନୂଆପଡ଼ା ଉପ ନିର୍ବାଚନର ପୃଷ୍ଠଭୂମିରେ ଏ ବିଷୟକୁ କହିବାକୁ ଚାହୁଁଛି। ଏ ନିର୍ବାଚନ ଲାଗି ଆଉ ଗୋଟିଏ ମାସରୁ କମ୍ ସମୟ ରହିଛି। କିନ୍ତୁ ବିଜେଡିର ସଂଗଠନ ଭୁଶୁଡ଼ିବାରେ ଲାଗିଛି। ଯେଉଁମାନକୁ ଦଳ ସେଠାରେ ସଂଗଠନ ସମ୍ଭାଳିବାକୁ ଦେଇଥିଲା ସେମାନେ ଛତ୍ରଭଙ୍ଗ ଦେଲେଣି। ଏପରିକି ପ୍ରାର୍ଥୀ କରିବାକୁ ଯାହାଙ୍କୁ ଦଳ ଭାବୁଥିଲା ସେ ବି ଅନ୍ୟ ଦଳକୁ ଡିଆଁ ମାରିଛନ୍ତି।
ଏହା ପ୍ରମାଣିତ କରୁଛି ଯେ ବିଜେଡିରେ ସବୁକିଛି ଠିକ ଚାଲି ନାହିଁ। ବିଜେଡି ଅତ୍ୟନ୍ତ ଭଙ୍ଗୁର, ଆସ୍ଥାହୀନ, ବିଶୃଙ୍ଖଳିତ ଦଳରେ ପରିଣତ ହୋଇଛି। ଏହାର ସଭାପତି ଓ ତାଙ୍କ ସହଯୋଗୀଙ୍କୁ ନେଇ ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିଲା ତାହା ବାସ୍ତବରେ ସତ୍ୟ ବୋଲି ପ୍ରମାଣିତ ହେଉଛି। କିନ୍ତୁ କାହିଁକି ଏପରି ଅଚଳାବସ୍ଥା? କାହିଁକି ଦଳର ଏତେ ବଡ଼ ସଂଗଠନ ଆତ୍ମସମର୍ପଣକୁ ବାଛି ନେଇଛି? କାହିଁକି ଲୋକଙ୍କ ନଜରରେ ତଳକୁ ଖସୁଛନ୍ତି ଦଳର ସଭାପତି ତଥା ୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତା ଭୋଗ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?
ବିଜେଡିର ଚିନ୍ତା; ପାଣ୍ଡିଆନ୍ଙ୍କ ସୁରକ୍ଷା
ଏ ସବୁର କାରଣ ଯଦି ଖୋଜା ଯାଏ ତାହାର ମୂଳରେ ରହିଛି ପାଣ୍ଡିଆନ୍ଙ୍କ ସୁରକ୍ଷା ଏବଂ ବିଜେଡିର ପରାଜୟ ଭୟ। ବିଜେପି ଆଗରେ ନୂଆପଡ଼ାକୁ ଯୁଦ୍ଧ ପୂର୍ବରୁ ସମର୍ପଣ କରିବାର ଏ ଦୁଇଟି କାରଣକୁ ଆପଣଙ୍କ ଆଗରେ ସ୍ପଷ୍ଟ ଭାବେ ଗୋଟି ଗୋଟି କରି ବୁଝାଇବାକୁ ଚାହିଁବି। ପ୍ରଥମେ ପାଣ୍ଡିଆନ୍ଙ୍କ ସୁରକ୍ଷା ପ୍ରସଙ୍ଗ।
ପାଣ୍ଡିଆନ୍ କିଏ ବୋଲି ପରିଚୟ ଦେବା ଓଡ଼ିଶାରେ ଆବଶ୍ୟକ ନାହିଁ। ଏବେ ବିଜେଡିର ପର୍ଦ୍ଦାପଛର ନାୟକ ଭୂମିକାରେ ରହିଛନ୍ତି ଏହି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ଅଭିଯୋଗ ହେଉଛି ପାଣ୍ଡିଆନ୍ ସନ୍ନ୍ୟାସ ନେଇ ନାହାନ୍ତି ବରଂ ଭଣ୍ଡ ସନ୍ନ୍ୟାସ ଭଳି ଆଚରଣ କରୁଛନ୍ତି। ଏବେବି ବିଜୁ ଜନତା ଦଳର ସବୁକିଛି ସେ ନିଷ୍ପତ୍ତି ନେଉଛନ୍ତି। ଆଉ ଦଳର ପାହ୍ୟା ପ୍ରାପ୍ତ ସଭାପତି ତଥା ପ୍ରତିଷ୍ଠାତା ତାଙ୍କୁ ସୁରକ୍ଷା ଦେଉଛନ୍ତି। ଏଠି ପ୍ରଶ୍ନ ଉଠିପାରେ, ଯେ ଯଦି ନବୀନ ତାଙ୍କୁ ସୁରକ୍ଷା ଦେଉଛନ୍ତି ତେବେ ପାଣ୍ଡିଆନ୍ ଅସୁରକ୍ଷିତ କିଭଳି?
ଜୟଙ୍କ ବିଜେପିରେ ମିଶିବା ନିଷ୍ପତ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କର!
ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ନବୀନ ସରକାରଙ୍କ ସମୟରେ ସବୁ ନୀତି ଓ ନିଷ୍ପତ୍ତିର ମୂଳରେ ଥିଲେ। ତାଙ୍କ ବିନା ହସ୍ତକ୍ଷେପରେ ନବୀନ ଶାସନରେ ପତ୍ର ବି ହଲୁ ନ ଥିଲା। ଏପରିକି ସଭାପତି ବି କୁର୍ସିରୁ ଉଠିପାରୁନଥିଲେ ବୋଲି ଅଭିଯୋଗ ହୁଏ। ସେ ସମୟରେ ଅନେକ ଦୁର୍ନୀତି ହୋଇଥିବା ନେଇ ଆଲୋଚନା ହୋଇଛି।
ଫାଇଭ୍ ଟି ନାମରେ ଯେତେବି ପ୍ରକଳ୍ପ ସେ ଖଣିଜ ଅଞ୍ଚଳର ବିକାଶ ହେଉ ବା ଶିକ୍ଷା, ଜଳସେଚନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାସ୍ତା ନିର୍ମାଣ ସବୁଥିରେ ଦୁର୍ନୀତି ରହିଥିବା ପୂର୍ବରୁ ବିଜେପି ଅଭିଯୋଗ କରି ଆସିଛି। ତାଙ୍କ ନିଜ ଦଳର ନେତାମାନେ ବି ଏ କଥା କହି ଦଳରୁ ବାହାରିଛନ୍ତି। କିନ୍ତୁ ନବୀନଙ୍କ ନାଁରେ କାର୍ତ୍ତିକେୟନନଙ୍କର କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ସମ୍ପର୍କ ତାଙ୍କ କୁର୍ସିକୁ ଏ ଯାଏ ବଞ୍ଚାଇ ଚାଲିଛି।
ଏଭଳି ଏକ ମୁହୂର୍ତ୍ତରେ ନୂଆପଡ଼ା ନିର୍ବାଚନରେ ବିଜେଡିକୁ ମିଳିବାକୁ ଥିବା ଅନୁକମ୍ପାମୂଳକ ଭୋଟ୍କୁ ନିଜ ଆଡ଼କୁ ଆଣିବା ଲାଗି ବିଜେପି ବିଜେଡିର ପ୍ରାର୍ଥୀଙ୍କୁ ନିଜ ଦଳକୁ ଆଣିବା ଲାଗି ଡିଲ କରିଥିବା ଚର୍ଚ୍ଚା ହେଉଛି। ଅର୍ଥାତ୍ ଦିବଂଗତ ବିଧାୟକ ରାଜେନ୍ଦ୍ର ଡୋଲକିଆଙ୍କ ପୁଅ ଜୟଙ୍କ ବିଜେପିରେ ମିଶିବା ନିଷ୍ପତ୍ତି ତାଙ୍କ ନିଜସ୍ୱ ନୁହେଁ, ବରଂ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ନିଷ୍ପତ୍ତି।
ଆଉ ନିଜର ଗୁମର ଲୁଚାଇବାକୁ ଏପରି ଏକ ନିଷ୍ପତ୍ତି ସେ ନେଇଥିବା କୁହାଯାଏ। ସ୍ପଷ୍ଟ ଭାବେ କହିବାକୁ ଗଲେ ପାଣ୍ଡିଆନ୍ ଆଉ ବିଜେଡିକୁ ବଞ୍ଚାଇବା ପାଇଁ ନୁହେଁ ବରଂ ବିଜେପିର ଏଜେଣ୍ଟ ସାଜିଥିବା ଅଭିଯୋଗ ହେଉଛି।
ବିଜେଡି ନେତାଙ୍କୁ ଶିଶୁପାଳ କଲେ ଜୟ
କିନ୍ତୁ ଏହାକୁ ରାଜନୀତିକ ଢଙ୍ଗରେ ଅତ୍ୟନ୍ତ ସନ୍ତର୍ପଣର ସହ ପରିଚାଳନା କରିବା ପାଇଁ ଉଦ୍ୟମ ହୋଇଛି। ଜୟଙ୍କ ବିଜେପିରେ ମିଶ୍ରଣ ଦିନରୁ ଏହା ଅଧିକ ସ୍ପଷ୍ଟ ହେଲା ଯେତେବେଳେ ଜୟଙ୍କୁ ଶୋଭାଯାତ୍ରା ପାଇଁ ଅପେକ୍ଷା କରିଥିବା ବିଜେଡିର ବରିଷ୍ଠ ନେତମାନେ ନିଜର ଅସହାୟତା ପ୍ରକାଶ କଲେ। ଅର୍ଥାତ୍ ଦେବୀ ମିଶ୍ରଙ୍କ ଭଳି ଦଳର ଉପସଭାପତି ବି ଜାଣିପାରିଲେ ନାହିଁ ଯେ, ଜୟ ଆଉ ତାଙ୍କ ପାଖରେ ନାହାନ୍ତି। ସେ ଗଣମାଧ୍ୟମକୁ ସାକ୍ଷାତ୍କାରରେ ଏ କଥା ବି କହିଛନ୍ତି। ସଂକ୍ଷେପରେ କହିଲେ ସେମାନଙ୍କୁ ଶିଶୁପାଳ କରିଦିଆଗଲା।
ବିଜେପିର ସହାୟତା ଆଶା କରି ଦଳର ଭୋଟ୍ ବ୍ୟାଙ୍କ ଭାଙ୍ଗୁଛନ୍ତି ପ୍ରତାପ
ଖାଲି ସେତିକି ନୁହେଁ, ଯେତେବେଳେ ଜନତା ବିଜେଡିର ଏହି ଗୋଟି ଚାଳନାକୁ ପ୍ରତ୍ୟକ୍ଷ ଅନୁଭବ କଲେ, ସେତେବେଳେ ବିଜେଡି ପକ୍ଷରୁ ଜୟ ଢୋଲକିଆଙ୍କୁ ଅପମାନୀତ କରିବାର ଚେଷ୍ଟା ବି କରାଯାଇଥିଲା। ତାଙ୍କୁ ରାଜେନ୍ଦ୍ରଙ୍କ ନିଜ ରକ୍ତ ନୁହେଁ ବୋଲି ପ୍ରଚାର କରାଗଲା। ଆଉ ଏହି ପ୍ରଚାର ପୁଣି ଯାହାଙ୍କ ମାଧ୍ୟମରେ କରାଗଲା ସେ ଜଣେ ସ୍ୱଚ୍ଛ ପ୍ରତିଚ୍ଛବି ନ ଥିବା ନେତା। ସେ ନେତାଙ୍କ ପାଇଁ ବିଜେଡି ଓ ପାଣ୍ଡିଆନ୍ଙ୍କ ଆଶୀର୍ବାଦର ଆବଶ୍ୟକତା ଯଥେଷ୍ଟ ରହିଛି।
ପୁଣି ସେ ବିଜେପିର ବି ସହାୟତା ଆଶା କରୁଛନ୍ତି। ଅର୍ଥାତ୍ ସଂକ୍ଷେପରେ କହିଲେ ବିଜେଡି ନେତା ପ୍ରତାପ ଜେନା ତାଙ୍କ ସୁରକ୍ଷା ପାଇଁ ଜୟଙ୍କୁ ରାଜେନ୍ଦ୍ରଙ୍କ ନିଜ ରକ୍ତର ନୁହନ୍ତି ବୋଲି କହିଛନ୍ତି। ଏ ସୁରକ୍ଷା କ’ଣ? ବିଜେପି ତାଙ୍କୁ ଏ ବାବଦରେ କିପରି ସହାୟକ ହେବ? ସେ କ’ଣ କହିଛନ୍ତି; ଶୁଣନ୍ତୁ…
ନୂଆପଡ଼ାବାସୀ ଦେଖୁଛନ୍ତି, ବିଜେପି ନିକଟରେ ଜୟ ଢୋଲକିଆ ଟଙ୍କାରେ ବିକ୍ରି ହୋଇଗଲେ। ଏହି ମିଶ୍ରଣ ପର୍ବର କୈାଣସି ପ୍ରଭାବ ରହିବ ନାହିଁ।
ଆଜି ଯଦି ରାଜେନ୍ଦ୍ର ଭାଇ ଢୋଲକିଆ ବଞ୍ଚିଥାନ୍ତେ ତାହେଲେ କେବେ ମଧ୍ୟ ଏହାକୁ ପସନ୍ଦ କରିନଥାନ୍ତେ।
ଠିକ୍ ସମୟରେ ଜବାବ ଦେବେ ନୂଆପଡ଼ାବାସୀ।#BJDWithOdisha #BJD4Odisha #BJD4Nuapada pic.twitter.com/sr0XwaIObw
— Biju Janata Dal (@bjd_odisha) October 11, 2025
ପ୍ରତାପ ଜେନାଙ୍କ ଏପରି ଆକ୍ଷେପକୁ ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯଦି ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ ବୋଲି ପ୍ରତାପ ଜେନା କହୁଛନ୍ତି, ତାହାଲେ ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି, ତାଙ୍କର ଆଦେଶ ମାନୁଛନ୍ତି? ରାଜନୀତି କରନ୍ତୁ, କିନ୍ତୁ ପଶ୍ଚିମ ଓଡିଶାର ଟାଣୁଆ ନେତା,ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ କି ତାଙ୍କର ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ। ମାନବିକତା, ରାଜନୀତିରୁ ଉର୍ଦ୍ଧ୍ୱରେ। ଓଡ଼ିଆ ସଂସ୍କୃତି ଆମକୁ ଏହି ଶିକ୍ଷା ଦିଏ।
ଆପଣମାନେ ଜାଣନ୍ତି ଯେ, ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଅଭିଯୋଗ ମାମଲା ହାଇକୋର୍ଟରେ ଚାଲିଛି। ବିଜେପି ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ନେଇ ତାଙ୍କୁ ଅଭିଯୁକ୍ତ କରାଯାଇଛି। ସେଥିଲାଗି ସେ ନିର୍ବାଚନ ଲଢ଼ିପାରିନଥିଲେ। ଯଦି ସରକାରୀ ଓକିଲ କୋହଳ ହୋଇଯାଆନ୍ତି ତେବେ ତାଙ୍କର ମାମଲାରୁ ଖସିଯିବାଟା ଅତ୍ୟନ୍ତ ସହଜ ହେବ। ସେଥିଲାଗି ବିଜେପିକୁ ସୁହାଇବା ଭଳି ମନ୍ତବ୍ୟ ପ୍ରତାପ ଦେଇଥିବା କୁହାଯାଏ।
ଜାତି ଭାବନାଠୁ ଉର୍ଦ୍ଧ୍ୱରେ ଥିଲେ ରାଜେନ୍ଦ୍ର ଢୋଲକିଆ
ଏବେ ବିଜେଡିକୁ ବିଜିତ ନୂଆପଡ଼ା ହରାଇବାର ଭୟ କିପରି ଘାରିଛି ସେ କଥା ବିଷୟରେ ଆଲୋଚନା କରିବା। ଆପଣମାନେ ଜାଣନ୍ତି ରାଜେନ୍ଦ୍ର ଢୋଲକିଆ ଜଣେ ଦରଦୀ ଓ ସାମାଜିକ କଲ୍ୟାଣରେ ବ୍ୟସ୍ତ ଥିବା ନେତା ଥିଲେ। ଦଳୀୟ ରାଜନୀତି ଅପେକ୍ଷା ସେ ସମାଜସେବାକୁ ଅଧିକ ଗୁରୁତ୍ୱ ଦେଇ ଆସୁଥିଲେ। ସେଥିଲାଗି ୨୦୦୪ ନିର୍ବାଚନରେ ସେ କୌଣସି ଦଳୀୟ ଟିକଟ ବିନା ନିର୍ଦ୍ଦଳୀୟ ପ୍ରାର୍ଥୀଭାବେ ଜିତିଥିଲେ।
ଜଣେ ଅଣ ଆଦିବାସୀ ତଥା ଓଡ଼ିଶାରେ ରହୁଥିବା ଗୁଜରାଟି ସମ୍ପ୍ରଦାୟର ହୋଇଥିଲେ ବି ସେ ଜିତିବାରେ ସକ୍ଷମ ହୋଇଥିଲେ। ଏହାପରେ ତାଙ୍କ ଭିତରେ ଥିବା ସକ୍ଷମତାକୁ ଦେଖି ୨୦୦୯ ନିର୍ବାଚନରେ ବିଜେଡି ତାଙ୍କୁ ଟିକଟ ଦେଇଥିଲା। ସେ ବର୍ଷ ବିଧାୟକ ହେଲେ, ୨୦୧୯ ବିଧାୟକ ହେଲେ ଆଉ ୨୦୨୪ରେ ମଧ୍ୟ ବିଜେଡିରୁ ବିଧାୟକ ହୋଇପାରିଥିଲେ। ଏହାର ଅର୍ଥ ରାଜେନ୍ଦ୍ରଙ୍କ ଲୋକପ୍ରିୟତା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ ଭିତରେ ଅନେକ ରହିଥିଲା। ଯାହାଦ୍ୱାରା ସେମାନେ ଜାତି ଭାବନାଠୁ ଉର୍ଦ୍ଧ୍ୱକୁ ଉଠି ରାଜେନ୍ଦ୍ରଙ୍କୁ ଭୋଟ୍ ଦେଇଥିଲେ।
ନୂଆପଡ଼ାରେ ଦାଦନ ମତଦାତା ନିର୍ଣ୍ଣାୟକ ହେବେ!
ଏବେ ନୂଆପଡ଼ାରେ ସମୁଦାୟ ଭୋଟ୍ରଙ୍କ ସଂଖ୍ୟା ହେଉଛି ୨ଲକ୍ଷ ୪୮ ହଜାର ୨୫୬। ଏଥିରୁ ପ୍ରାୟ ୩୩% ଅନୁସୂଚିତ ଜନଜାତି ଭେଟର ହୋଇଥିବାବେଳେ ପ୍ରାୟ ୧୩% ଅନୁସୂଚିତ ଜାତି ଏବଂ ପ୍ରାୟ ୪୫ ପ୍ରତିଶତ ହେଉଛନ୍ତି ଅନ୍ୟ ପଛୁଆ ଜାତି। ସାଧାରଣ ବର୍ଗ କହିଲେ ମାତ୍ର ୫-୭%। ପୁଣି ନିର୍ବାଚନମଣ୍ଡଳିର ଭୋଟ୍ରଙ୍କ ଏକ ବଡ଼ ଭାଗ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଦାଦନ ଖଟିବା ଲାଗି ଯାଇଥାଆନ୍ତି। ଏମାନଙ୍କ ହାରାହାରି ସଂଖ୍ୟା ମୋଟ୍ ଭୋଟ୍ରଙ୍କ ୧୦-୧୨% ହେବ।
ଏହି ଭୋଟ୍ରଙ୍କୁ ନିଜ ଖର୍ଚ୍ଚରେ ଏଠାକୁ ଆଣି ସେମାନଙ୍କ ଖାତିରଦାରି କରି ତାଙ୍କ ଭୋଟ୍କୁ ନିଜ ପକ୍ଷରେ କରାଇ ପୁଣି ଫେରାଇବା ଏକ ବଡ଼ କାର୍ଯ୍ୟ ହୋଇଥିଲେ ବି ସଫଳତା ଆଣିଥାଏ। ବିଜେଡି ସରକାରରେ ଥିବା ସମୟରେ ଏ କାର୍ଯ୍ୟକୁ ବେଶ୍ ଭଲ ଭାବେ ରୂପାୟନ କରି ଆସୁଥିଲା। ଏବେ ସରକାରରୁ ବିରୋଧୀ ଦଳକୁ ଯାଇଥିବାରୁ କ୍ଷମତାରେ ଥିବା ବିଜେପି ଏ ପ୍ରକ୍ରିୟାକୁ ହାତେଇବାରେ ଶ୍ରମ ନିବେଶ କରିଛି। ଏଣୁ ବିଜେଡି ପାଖରେ ପ୍ରାର୍ଥୀ ଓ ନିଶ୍ଚିତ ୮ରୁ ୧୦ ହଜାର ଭୋଟ୍ ଖସିଯିବାର ଆଶଙ୍କା ରହିଛି।
ଆଉ ଗତ ନିର୍ବାଚନରେ ବିଜୟର ମାର୍ଜିନ ୧୦ ହଜାରରୁ ସାମାନ୍ୟ ଅଧିକ ଥିଲା। ଅନ୍ୟ ଭାଷାରେ କହିଲେ ବିଜେଡି ଜାଣିଛି ଯେ ଏହି ଦାଦନଙ୍କ ଭୋଟ୍ ଯଦି ନ ଆସେ ତେବେ ନୂଆପଡ଼ା ଜିତିବା କାଠିକର ପାଠ ହେବ। ଏଣୁ ବିଜେପିକୁ ଏ ଯୁଦ୍ଧଭୂମି ସମର୍ପିତ କରିଦେଲେ ଆଗକୁ ହେବାକୁ ଥିବା ବିଭିନ୍ନ ରାଜନୀତିକ ରଣଭୂମିରେ ବିଜେଡିକୁ ଫାଇଦା ମିଳିପାରେ।
ଏଣୁ ପାଣ୍ଡିଆନ୍ ଏବଂ ତାଙ୍କ ସହଯୋଗୀ ଏଭଳି ଏକ ଡିଲ୍ ବିଜେଡି ପକ୍ଷରୁ କରିବା ପାଇଁ ସଭାପତିଙ୍କୁ ବୁଝାଇବାରେ ସଫଳ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସଭାପତି ମଧ୍ୟ ନିଜର ଦୃଢ଼ ସମର୍ଥକ ପାଣ୍ଡିଆନ୍ ଓ ତାଙ୍କ ଟିମ୍ର ସୁରକ୍ଷା ପାଇଁ ଏହି ପ୍ଲାନକୁ ହଁ କରିଥିବା କୁହାଯାଉଛି।
ତେବେ ପ୍ରଶ୍ନ ଏ ସମର୍ପଣ ବିଜେଡିକୁ ଶକ୍ତି ଦେବ ନା ଅଧିକ ଦୁର୍ବଳ କରିବ? କେତେଦିନ କେନ୍ଦ୍ରୀୟ ବିଜେପି ନେତାଙ୍କ ଶରଣରେ ବିଜେଡି ନିଜର ଶକ୍ତିକୁ ସମର୍ପଣ କରି ଚାଲିବ? ଏହାଦ୍ୱାରା ଓଡ଼ିଶା ଗଢ଼ିଥିବା ଏକ ଆଞ୍ଚଳିକ ଦଳ ଆଗକୁ ମାଟିରେ ନିଶ୍ଚିହ୍ନ ହୋଇଯିବନି ତ?
Also readhttps://purvapaksa.com/girls-are-not-out-at-night/
Girls are not out at night… ।। ରାତିରେ ଝିଅମାନେ ବାହାରକୁ ଯାଆନ୍ତୁ ନାହିଁ
