ବ୍ୟକ୍ତିତ୍ୱ ଅଧିକାର କ’ଣ ? ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ପରେ ଆଶା ଭୋଁସଲେ ଯାହାକୁ ନେଇ ଅଦାଲତରେ ପହଞ୍ଚିଲେ ଅମିତାବ ବଚ୍ଚନ । ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଭଳି ଅଭିନେତାମାନଙ୍କ ପରେ ବର୍ତ୍ତମାନ ଗାୟିକା ଆଶା ଭୋଁସଲେ ମଧ୍ୟ ସେହି ଲୋକମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଯେଉଁମାନେ ପର୍ସନାଲିଟି ରାଇଟ୍ସ ବା ବ୍ୟକ୍ତିତ୍ୱ ଅଧିକାରକୁ ନେଇ କୋର୍ଟରୁ ସହାୟତା ମାଗିଛନ୍ତି । ଆଶା ଭୋଁସଲେଙ୍କ ଆବେଦନ ଉପରେ ବମ୍ବେ ହାଇକୋର୍ଟ ତାଙ୍କ ନାମ ସ୍ୱର ଏବଂ ପରିଚୟର ଅନୁମତି ବିନା ବ୍ୟବହାର ଉପରେ ରୋକ ଲଗାଇଛି । ବର୍ତ୍ତମାନ କୌଣସି ଏଆଇ ପ୍ଲାଟଫର୍ମ ଇ-କମର୍ସ୍ ସାଇଟ୍ ଏବଂ ଅନ୍ୟ ଲୋକମାନେ ଅନୁମତି ବିନା ଏଗୁଡ଼ିକର ବ୍ୟବହାର କରିପାରିବେ ନାହିଁ । ଆସନ୍ତୁ ଜାଣିବା ପର୍ସନାଲିଟି ରାଇଟ୍ସ ଉପରେ ଆଇନ କଣ କହୁଛି? ଏହାକୁ ନେଇ କେଉଁଭଳି ଭାବେ କ୍ଷତିପୁରଣ ନିର୍ଦ୍ଧାରଣ ହୁଏ?
ଅନେକ ସ୍ଥାନରେ ତାଙ୍କ ନାମ ଏବଂ ପରିଚୟର ଆପତିଜନକ ବ୍ୟବହାର ବିନା ଅନୁମତି ହେଉଥିବା କାରଣରୁ ଆଶା ଭୋଁସଲେ ଅଦାଲତର ଦ୍ୱାରସ୍ତ ହୋଇଥିଲେ । ତାଙ୍କ ଅଭିଯୋଗରେ ଏଆଇ କମ୍ପାନୀ ମାୟକ୍ (ମେୟକ୍), ଇ-କମର୍ସ୍ ୱେବସାଇଟ୍ ଆମଜନ୍ , ଫ୍ଲିପକାର୍ଟ୍, ସର୍ଚ୍ ଇଞ୍ଜିନ୍ ଗୁଗଲ୍ ଏବଂ ଏକ ସ୍ୱତନ୍ତ୍ର କଳାକାରଙ୍କୁ ସାମିଲ କରାଯାଇଥିଲା । ଏହା ଉପରେ ବମ୍ବେ ହାଇକୋର୍ଟ କହିଥିଲା ଯେ ଏଆଇ ଟୁଲ ଗୁଡ଼ିକର ବ୍ୟବହାର କରି ସେଲିବ୍ରିଟିଙ୍କ ନକଲ କରିବା ତାଙ୍କ ପର୍ସନାଲିଟି ରାଇଟ୍ସର ଉଲ୍ଲଙ୍ଘନ । ଏହି ଟୁଲ ଗୁଡ଼ିକର ଅନୁମତି ବିନା ତାଙ୍କ ସ୍ୱରକୁ ବଦଳାଇ ପାରନ୍ତି ଏବଂ ପୁନରାବୃତ୍ତି କରିପାରନ୍ତି । ଏହି ସ୍ୱର ସେଲିବ୍ରିଟିଙ୍କ ସାର୍ବଜନିକ ଏବଂ ବ୍ୟକ୍ତିଗତ ଆଇଡେଣ୍ଟିଟିର ଗୁରୁତ୍ୱପୂର୍ଣ୍ଣ ଅଂଶ ।
ପର୍ସନାଲିଟି ରାଇଟ୍ସ କଣ?
ପର୍ସନାଲିଟି ରାଇଟ୍ସ ପ୍ରକୃତରେ କୌଣସି ବ୍ୟକ୍ତିଙ୍କ ନିଜସ୍ୱ କିମ୍ବା ସମ୍ପତ୍ତିର ଅଧିକାର ଅଧୀନରେ ତାଙ୍କ ପର୍ସନାଲିଟି (ବ୍ୟକ୍ତିତ୍ୱ)ର ସୁରକ୍ଷା କରିବାର ଅଧିକାର ସହ ଜଡ଼ିତ । ଏହି ଅଧିକାର ଜଣାଶୁଣା ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ କମ୍ପାନୀଗୁଡ଼ିକ ନିଜର ବିକ୍ରୟକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ବିଜ୍ଞାପନରେ ତାଙ୍କ ନାମ, ଫଟୋ/ଚିତ୍ର ଏବଂ ଏମିତିକି ସ୍ୱରର ମଧ୍ୟ ସହଜରେ ଦୁର୍ବ୍ୟବହାର କରିପାରନ୍ତି । ତେଣୁ ପ୍ରସିଦ୍ଧ ଲୋକମାନଙ୍କୁ ନିଜର ପର୍ସନାଲିଟି ରାଇଟ୍ସର ସୁରକ୍ଷା ପାଇଁ ପଞ୍ଜୀକରଣ କରାଇବା ଆବଶ୍ୟକ ହୋଇଯାଏ ।
ଦୁଇ ପ୍ରକାରର ଅଧିକାର
ପର୍ସନାଲିଟି ରାଇଟରେ ଦୁଇ ପ୍ରକାରର ଅଧିକାର ସାମିଲ । ପ୍ରଥମ ହେଉଛି ପ୍ରଚାରର ଅଧିକାର କିମ୍ବା ଅନୁମତି ବିନା କିମ୍ବା ଚୁକ୍ତିବଦ୍ଧ କ୍ଷତିପୂରଣ ବିନା ଚିତ୍ର ଏବଂ ବ୍ୟକ୍ତିତ୍ୱକୁ ବ୍ୟବସାୟିକ ଶୋଷଣରୁ ବଞ୍ଚାଇବାର ଅଧିକାର । ଏହା ଟ୍ରେଡମାର୍କ୍ର ବ୍ୟବହାର ଭଳି କିନ୍ତୁ ଦୁହେଁ ସମାନ ନୁହଁନ୍ତି । ଦ୍ୱିତୀୟ ହେଉଛି ନିଜସ୍ୱ ଅଧିକାର କିମ୍ବା କୌଣସିଙ୍କ ବ୍ୟକ୍ତିତ୍ୱକୁ ଅନୁମତି ବିନା ସାର୍ବଜନିକ ଭାବେ ପ୍ରଦର୍ଶନ ନକରିବାର ଅଧିକାର।
ଭାରତର ପର୍ସନାଲିଟି ରାଇଟ୍ ଆଇନ କଣ?
ଏଠାରେ ପର୍ସନାଲିଟି ରାଇଟ୍ସ ପାଇଁ ଅଲଗା କୌଣସି ଆଇନ ଏପର୍ଯ୍ୟନ୍ତ ପ୍ରଣୟନ ହୋଇନାହିଁ । ଏହାର ସୁରକ୍ଷା ଭାରତୀୟ ସଂବିଧାନର ଅନୁଚ୍ଛେଦ ୨୧ରେ ନିହିତ, ଯାହା ଗୋପନୀୟତା ଏବଂ ନିଜତ୍ୱର ଅଧିକାର ସହ ଜଡ଼ିତ । ଏହା ବ୍ୟତୀତ କପିରାଇଟ୍ ଆଧିନିୟମ ୧୯୫୭ ଅଧୀନରେ ମଧ୍ୟ ପର୍ସନାଲିଟି ରାଇଟ୍ସର ସୁରକ୍ଷା ହୁଏ । ଏହି ଅଧିନିୟମ ଅନୁଯାୟୀ ନୈତିକ ଅଧିକାର କେବଳ ଲେଖକ ଏବଂ କଳାକାରମାନଙ୍କୁ ମିଳେ ଯେଉଁମାନଙ୍କ ମଧ୍ୟରେ ଅଭିନେତା, ଗାୟକ, ସଙ୍ଗୀତକାର ଏବଂ ନର୍ତ୍ତକ ସାମିଲ।
ଏହି ଅଧିନିୟମରେ ପ୍ରାବଧାନ କରାଯାଇଛି ଯେ ଲେଖକ ଏବଂ କଳାକାରମାନଙ୍କୁ ନିଜର କାର୍ଯ୍ୟର ଶ୍ରେୟ ନେବା କିମ୍ବା ଲେଖକତ୍ୱର ଦାବି କରିବାର ଅଧିକାର ଅଛି । ଏହା ସହିତ ନିଜର କାର୍ଯ୍ୟକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇବାରୁ ଅନ୍ୟମାନଙ୍କୁ ରୋକିବାର ମଧ୍ୟ ଅଧିକାର ଅଛି । ଏହା ସହ ଭାରତୀୟ ଟ୍ରେଡମାର୍କ୍ ଅଧିନିୟମ, ୧୯୯୯ର ଧାରା-୧୪ ମଧ୍ୟ ବ୍ୟକ୍ତିଗତ ଅଧିକାରଗୁଡ଼ିକର ସୁରକ୍ଷା କରେ । ଏହା ବ୍ୟକ୍ତିଗତ ନାମ ଏବଂ ଆବେଦନଗୁଡ଼ିକର ବ୍ୟବହାରକୁ ରୋକେ । ମୋଟାମୋଟି ଭାରତରେ ପର୍ସନାଲିଟି ରାଇଟ୍ସର ସୁରକ୍ଷା ଭାରତୀୟ ସଂବିଧାନର ଅନୁଚ୍ଛେଦ ୨୧ (ନିଜତ୍ୱର ଅଧିକାର), କପିରାଇଟ୍ ଅଧିନିୟମ ୧୯୫୭ ଏବଂ ରାଇଟ୍ ଅଫ୍ ପବ୍ଲିସିଟି (ପ୍ରଚାରର ଅଧିକାର) ଭଳି ଆଇନଗୁଡ଼ିକ ମାଧ୍ୟମରେ କରାଯାଏ । ଏଗୁଡ଼ିକର କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ନାମ, ଚିତ୍ର, ସ୍ୱର, ହସ୍ତାକ୍ଷର ଏବଂ ଅନ୍ୟ ପରିଚୟ ସାମିଲ । ଏହି ଆଇନଗୁଡ଼ିକ ମାଧ୍ୟମରେ ଏଗୁଡ଼ିକର ଅନଧିକୃତ ବ୍ୟବସାୟିକ ବ୍ୟବହାରରୁ ସୁରକ୍ଷିତ କରାଯାଏ ।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବଢ଼ୁଥିବା ଦୁର୍ବ୍ୟବହାର ପରେ ଜଣାଶୁଣା ବିଶିଷ୍ଟ ବ୍ୟକ୍ତିବିଶେଷ ରାଇଟ୍ସକୁ ସୁରକ୍ଷିତ କରୁଛନ୍ତି। ଏହି ନିୟମଗୁଡ଼ିକର ଉଲ୍ଲଙ୍ଘନ ହେଲେ କୋର୍ଟ ନିଷେଧାଜ୍ଞା ଜାରି କରିପାରେ ଏବଂ କ୍ଷତିପୁରଣ-ଦଣ୍ଡର ମଧ୍ୟ ଆଦେଶ ଦେଇପାରେ। ଅର୍ଥାତ୍ ଯଦି କୌଣସି ବ୍ୟକ୍ତିଙ୍କ ନାମର ବ୍ୟବସାୟୀକ ବ୍ୟବହାର ଅନୁମତି ବିନା କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ। ସେହିପରି କୌଣସି ବ୍ୟକ୍ତିଙ୍କ ଚିତ୍ରର ଅନୁମତି ବିନା ବିଜ୍ଞାପନ କିମ୍ବା ଅନ୍ୟ ପ୍ରଚାର ସାମଗ୍ରୀରେ ବ୍ୟବହାର କରାଯାଇପାରିବ ନାହିଁ। ସେହିପରି କାହାରି ସ୍ୱର କିମ୍ବା ହସ୍ତାକ୍ଷରର ମଧ୍ୟ ବ୍ୟବସାୟିକ ଲାଭ ପାଇଁ ବ୍ୟବହାର କରାଯାଇପାରିବ ନାହିଁ। କୌଣସି ବ୍ୟକ୍ତିଙ୍କ ବିଶେଷ ହାଭଭାବ ଏବଂ କହିବାର ଶୈଳୀ ଆଦି ମଧ୍ୟ ଅନୁମତି ବିନା ବ୍ୟବହାର କରିବା ଉପରେ ଦଣ୍ଡ ଆଦି ହୋଇପାରେ।
କ୍ଷତିପୁରଣ କିପରି ନିର୍ଦ୍ଧାରିତ ହୁଏ ?
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଗୁଗଲ୍ ଏବଂ ଅନ୍ୟ କମ୍ପାନୀଗୁଡ଼ିକଠାରୁ ୪ କୋଟି ଟଙ୍କାର କ୍ଷତିପୁରଣ ଦାବି କରିଛନ୍ତି। କ୍ଷତିପୁରଣ (ଡ୍ୟାମେଜ୍)ର କୌଣସି ନିର୍ଦ୍ଧାରିତ ମାନଦଣ୍ଡ ନାହିଁ। ଏହା ନ୍ୟାୟାଳୟର ବିବେଚନା ଉପରେ ନିର୍ଦ୍ଧାରଣ ହୁଏ। ଏହା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ଭିନ୍ନ ରାଶି ହୋଇପାରେ। ଅଦାଳତ ଦେଖେ ଯେ ବ୍ୟକ୍ତିଙ୍କ ପରିଚୟର ଅନୁମତି ବିନା ବ୍ୟବହାର କେଉଁ ଉଦ୍ଦେଶ୍ୟରେ କରାଯାଇଥିଲା, ସେଥିରୁ ଆବେଦକଙ୍କୁ କେତେ ଅର୍ଥନୈତିକ କ୍ଷତି ହୋଇଥିଲା, ଏବଂ ଉଲ୍ଲଙ୍ଘନକାରୀଙ୍କୁ କେତେ ଅନୁଚିତ ଲାଭ ମିଳିଥିଲା। ଏହି ତଥ୍ୟଗୁଡ଼ିକ ଆଧାରରେ ନ୍ୟାୟାଳୟ ଉଚିତ ଅର୍ଥନୈତିକ କ୍ଷତିପୂରଣ ନିର୍ଦ୍ଧାରଣ କରେ।
ଏହି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ କୋର୍ଟର ଆଶ୍ରୟ ନେଇଛନ୍ତି
୨୦୨୨ ନଭେମ୍ବରରେ ଅମିତାବ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ପର୍ସନାଲିଟି ରାଇଟ୍ସ ପାଇଁ ଆବେଦନ ଦାଖିଲ୍ କରିଥିଲେ। ସେପ୍ଟେମ୍ବର ୨୦୨୩ରେ ଅନିଲ୍ କପୂର ଏବଂ ମେ ୨୦୨୪ରେ ଜ୍ୟାକି ଶ୍ରଫ୍ ମଧ୍ୟ ଦିଲ୍ଲୀ ହାଇକୋର୍ଟର ଆଶ୍ରୟ ନେଇଥିଲେ। ସେପ୍ଟେମ୍ବର ୨୦୨୫ରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ମଧ୍ୟ ନିଜର ପର୍ସନାଲିଟି ରାଇଟ୍ସ ପାଇଁ କୋର୍ଟରେ ଯାଚିକା ଦାଖିଲ୍ କରିଥିଲେ। ଏଗୁଡ଼ିକୁ କୋର୍ଟ ମାଧ୍ୟମରେ ସହାୟତା ମିଳିଛି।
ଏଗୁଡ଼ିକ ବ୍ୟତୀତ ସମୟ-ସମୟରେ ଭିନ୍ନ ଭିନ୍ନ କୋର୍ଟ ପ୍ରଶିଦ୍ଧ ବ୍ୟକ୍ତିମାନଙ୍କୁ ନିଜର ନାମ ଆଦିର ଅବୈଧ ବ୍ୟବହାର ରୋକିବାକୁ ଅନୁମତି ପ୍ରଦାନ କରିଛି। ୨୦୧୦ରେ ଦଲେର ମେହନ୍ଦୀଙ୍କ କମ୍ପାନୀ ଡିଏମ୍ ଇଣ୍ଟରଟେନ୍ମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ବେବି ଗିଫ୍ଟ୍ ହାଉସ୍ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ବିଜୟ ପ୍ରାପ୍ତ କରିଥିଲା। ଅଭିଯୋଗ ଥିଲା ଯେ ବେବି ଗିଫ୍ଟ୍ ହାଉସ୍ ଏଭଳି ଡଲ୍ ବିକ୍ରି କରୁଛି, ଯାହା ଦଲେର ମେହନ୍ଦୀଙ୍କ ଭଳି ଦେଖାଯାଏ ଏବଂ ତାଙ୍କ ଗୀତ ଗାଏ। ଏହା ଉପରେ କୋର୍ଟ ଦଲେର ମେହନ୍ଦୀଙ୍କ ଅନୁମତି ବିନା ବ୍ୟବସାୟିକ ବ୍ୟବହାର ଉପରେ ରୋକ ଲଗାଇଥିଲା।
ଦିଲ୍ଲୀ ହାଇକୋର୍ଟ ୨୦୧୧ର ଅରୁଣ ଜେଟଲି ବନାମ୍ ନେଟୱର୍କ୍ ସୋଲ୍ୟୁସନ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ମାମଲାରେ ନିର୍ଣ୍ଣୟ ଦେଇଥିଲା ଯେ କୌଣସି ବ୍ୟକ୍ତିଙ୍କ ଲୋକପ୍ରିୟତା କିମ୍ବା ପ୍ରସିଦ୍ଧି ବାସ୍ତବତାର ତୁଳନାରେ ଇଣ୍ଟରନେଟରେ ଅଧିକ ନୁହେଁ। କୋର୍ଟ ଏହା ମଧ୍ୟ କହିଥିଲା ଯେ ଏହି ନାମ ସେହି କ୍ୟାଟେଗୋରୀରେ ମଧ୍ୟ ଆସେ, ଯେଉଁଥିରେ ବ୍ୟକ୍ତିଗତ ନାମ ବ୍ୟତୀତ ଏହା ନିଜର ନିଜର ବିଶିଷ୍ଟତା ମଧ୍ୟ ପ୍ରାପ୍ତ କରିଛି।
ALSO READ https://purvapaksa.com/how-do-we-compete-with-a-powerful-china-at-sea/
