ଯେକୌଣସି ସଂସଦୀୟ ଗଣତନ୍ତ୍ରରେ ବିଧାନସଭା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସାଧାରଣ ଲୋକଙ୍କ ସମସ୍ୟା ଓ ଆହ୍ୱାନକୁ ଆଲୋଚନା କରି ଏକ ଭବିଷ୍ୟଦ୍ରଷ୍ଟା ସମାଧାନର ବାଟ କାଢ଼ିବା ଲାଗି ଏହା ଉତ୍କୃଷ୍ଟ ପ୍ଲାଟଫର୍ମ। କିନ୍ତୁ ଦିନକୁ ଦିନ ଏହି ପ୍ଲାଟଫର୍ମ ସଙ୍କୁଚିତ ହେଉଥିବା ଭଳି ମନେହେଉଛି। ବିଶେଷକରି ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରଠାରୁ ଗୃହରେ ବିରୋଧୀ ଦଳ ଆଲୋଚନା କରିବା ଅପେକ୍ଷା ହୋ ହଲ୍ଲା ଅଧିକ କରୁଛନ୍ତି। ଫଳରେ ସରକାରୀ ଦଳର କାର୍ଯ୍ୟ ତ ହୋଇଯାଉଛି କିନ୍ତୁ ସରକାରଙ୍କ ଉପରେ ସାମ୍ବିଧାନିକ ଭାବେ ଅଙ୍କୁଶ ଲଗାଇବାରେ ବିଫଳ ହେଉଛି ବିରୋଧୀ ଦଳ। ଗତକାଲି ଶେଷ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନ ବି ଅନୁରୂପ ଯୁକ୍ତିକୁ ପ୍ରମାଣିତ କରିଛି। କିନ୍ତୁ ଦୀର୍ଘ ବର୍ଷ ପରେ ଏକ ବଳଶାଳୀ ବିରୋଧୀ ଦଳ ପାଇଥିବା ରାଜ୍ୟରେ କାହିଁକି ଏ ପରିସ୍ଥିତି? ଏଭଳି ଦୁର୍ବଳ ବିରୋଧୀ କ’ଣ ବିଜେପିକୁ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇପାରିବ?
ପ୍ରଶ୍ନବାଚୀରେ ବିରୋଧୀଦଳର ଭୂମିକା

ବୁଧବାର ବିଳମ୍ବିତ ସନ୍ଧ୍ୟାରେ ହଠାତ୍ ବନ୍ଦ ହୋଇଯାଇଥିବା ବିଧାନସଭା ରାଜ୍ୟରେ ଚାଲିଥିବା ରାଜନୀତିକ ଘର୍ଷଣକୁ ମଧ୍ୟ ଆକସ୍ମିକ ବିରାମ ଦେଇଛି। ଗଣମାଧ୍ୟମଠାରୁ ସରକାରୀ ଦପ୍ତର, ଟେଲିଭିଜନଠାରୁ ସୋଶାଲ୍ ମିଡିଆରେ ଏଥିପାଇଁ ବିରୋଧୀ ଦଳର ଦୁର୍ବଳତାକୁ ଅଧିକ ଚିତ୍ରଣ କରାଯାଉଛି। ଏଥିପାଇଁ ସଂଖ୍ୟା ଗରିଷ୍ଠତା ନୁହେଁ ବରଂ ବିରୋଧୀ ଦଳର ଏକତା, ଦାୟିତ୍ୱବୋଧ, ନୈତିକତା ଆସିଛି ପ୍ରଶ୍ନବାଚୀ ଭିତରକୁ। ଗଲା ଚାରିଦଶନ୍ଧିର ତଥ୍ୟକୁ ଯଦି ଉପସ୍ଥାପନ କରାଯାଏ ତେବେ ପରିସଖ୍ୟାନ ଦର୍ଶାଉଛି ଯେ, ଏଥର ବିରୋଧୀ ଦଳ ସବୁଠାରୁ ଅଧିକ ସଂଖ୍ୟା ଲାଭ କରିଛି। ୨୦୨୪ ନିର୍ବାଚନରେ ଯେତେବେଳେ ୬୯ ଆସନରେ ବିରୋଧୀ ଓ ୭୮ ଆସନରେ ଶାସକ ବସିଲେ ସେତେବେଳେ ରାଜ୍ୟ ଶାସନ ପ୍ରକ୍ରିୟାରେ ଏକ ଦାୟିତ୍ୱବାନ, ସ୍ୱଚ୍ଛ ଏବଂ ସମ୍ବେଦନଶୀଳ ସରକାର ସୃଷ୍ଟି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଗତ ୧୫ ମାସ ଭିତରେ ବିଧାନସଭାରେ ବିରୋଧୀ ଦଳ ଯେଉଁଭଳି ପ୍ରଦର୍ଶନ ଦେଖାଉଛି ତାହା ସରକାରଙ୍କୁ ଏକଛତ୍ରବାଦୀ ହେବାକୁ ପ୍ରଶ୍ରୟ ଦେଉଛି। ନା ବିଧାନସଭା ନିର୍ଦ୍ଧାରିତ ଦିନ ଯାଏ ବସିପାରୁଛି ନା ଏକ ସ୍ୱାଭାବିକ ଅଧିବେଶନ ରାଜ୍ୟରେ ଦେଖିବାକୁ ମିଳୁଛି। ଗତ ବଜେଟ୍ ଅଧିବେଶନ ଅନେକ ହୋ ହଲ୍ଲା ଓ ବିଶୃଙ୍ଖଳା ଭିତରେ ଦୁଇଦିନ ଆଗୁଆ ରାତି ଅଧରେ ମୁଲତବୀ ହୋଇଥିଲା ଆଉ ଗତକାଲି ମଧ୍ୟ ବିଳମ୍ବିତ ସନ୍ଧ୍ୟାରେ ଗୋଟିଏ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ ବାଚସ୍ପତି।
କାହିଁକି ବିରୋଧୀଦଳ ସୁଯୋଗକୁ ହାତଛଡ଼ା କରୁଛି
ମୋଟା ମୋଟି ଭାବେ ବିଜେଡି ସରକାର ସମୟରେ ଯେମିତି ବିଧାନସଭାର କାର୍ଯ୍ୟବିଧି ଅନୁସାରେ ବର୍ଷକୁ ୬୦ ଦିନ ଅଧିବେଶନ ବସା ଯାଉନଥିଲା, ସେହି ଧାରାକୁ ବିଜେପି ସରକାର ପ୍ରଥମରୁ ଆପଣାଇଛନ୍ତି।
ତେବେ କାହିଁକି? ବିଧାନସଭା ଚାଲିଲେ ରାଜ୍ୟର ଅନେକ ପ୍ରସଙ୍ଗ ଆଲୋଚନା ହେବା ସହ ଉଭୟ ସରକାର ଓ ବିରୋଧୀଙ୍କୁ ନିଜ ନିଜର ରାଜନୀତିକ ଶକ୍ତିକୁ ସୁଦୃଢ଼ କରିବାକୁ ସୁଯୋଗ ମିଳେ। କାହିଁକି ରାଜ୍ୟରେ ଏ ସୁଯୋଗକୁ ଉଭୟ ଦଳ ହାତଛଡ଼ା କରୁଛନ୍ତି?
ବିଧାନସଭା ଚଳାଇବାକୁ କେହି ରାଜି ନୁହନ୍ତି

ଗତକାଲି ଶେଷ ହୋଇଥିବା ବିଧାନସଭା ଅଧିବେଶନକୁ ଯଦି ଉଦାହରଣ ଭାବେ ନିଆଯାଏ ତେବେ ଏ ପଛରେ ତିନିଟି ପ୍ରମୁଖ କାରଣ ମିଳେ। ପ୍ରଥମତଃ ମୁଖ୍ୟ ବିରୋଧୀ ଦଳର ନେତା ଅଧିବେଶନରୁ ଉଭାନ ରହିବା। ଦ୍ୱିତୀୟରେ ମୁଖ୍ୟ ବିରୋଧୀ ଦଳର ନେତାଙ୍କ ଭିତରେ ସମନ୍ୱୟ ଅଭାବ ରହିବା ଏବଂ ତୃତୀୟରେ ଦୁଇ ବିରୋଧୀ ଦଳ ଭିତରେ ଗୃହକୁ ଅଚଳ କରିବାର ପ୍ରତିଦ୍ୱନ୍ଦ୍ୱତା। ଏହି ତିନିଟି ମୁଖ୍ୟ କାରଣ ଭିତରେ ଆଉ ଏକ ବଡ଼ କାରଣ ହେଉଛି ଶାସକ ଦଳର ଗୃହ ଚଳାଇବା ପାଇଁ ଅନିଚ୍ଛା ଓ ଅପ୍ରସ୍ତୁତି।
ଅନେକ ପ୍ରସଙ୍ଗ ହରାଇଲେ ବିରୋଧୀ
ନିଜ ଭିତରେ ଆତ୍ମ ବିଶ୍ୱାସ ହରାଇବା ପରି ଜଣାପଡ଼ୁଥିବା ରାଜ୍ୟ ମନ୍ତ୍ରିମଣ୍ଡଳ ଏଥର ମୌସୁମୀ ଅଧିବେଶନକୁ ଅତ୍ୟନ୍ତ ସ୍ୱଳ୍ପକାଳୀନ କରିଥିଲା। ଆଶଙ୍କା ଥିଲା ଏହି ୭ ଦିନ ବି ସରକାରୀ ଦଳ ଓ କଳ ପାଇଁ ଏକ ବିଷମ ପରିସ୍ଥିତି ସୃଷ୍ଟି କରିବ। କାରଣ ରାଜ୍ୟରେ ପ୍ରସଙ୍ଗ ମାଳ ମାଳ ରହିଥିଲା। ହେଲେ ମନ୍ତ୍ରିମଣ୍ଡଳରେ ସମନ୍ୱୟ ନ ଥିଲା। ନିର୍ବାଚନ ପ୍ରତିଶ୍ରୁତିକୁ ପାଳନ କରିବା ପରିବର୍ତ୍ତେ ଚିରାଚରିତ ଢାଞ୍ଚାକୁ ସରକାର ଆପଣାଇଥିଲେ। ଏପରିକି ବିଧାନସଭା ଅଧିବେଶନର ପ୍ରଶ୍ନୋତ୍ତର କାଳ ପାଇଁ ଯେଉଁସବୁ ପ୍ରଶ୍ନ ବିଧାୟକମାନେ ପଚାରିଥିଲେ ତାହା ସୁଚିନ୍ତିତ ଢଙ୍ଗରେ ମୋହନଚରଣ ମାଝୀ ନେତୃତ୍ୱାଧୀନ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇବ ବୋଲି ପୂର୍ବାଭାସ ଦେଉଥିଲା। ରାଜ୍ୟରେ ଅଫିସର ରାଜ ବଢ଼ିଥିବା ଅଭିଯୋଗ ରାଜ୍ୟର ନେତାଙ୍କ ଅପାରଗତାକୁ ସାମ୍ନାକୁ ଆଣୁଥିଲା। ପୁଣି ସାର ଅଭାବ ନେଇ ମିଡିଆରେ ବାଜୁଥିବା ଘନ ଘନ ଅଭିଯୋଗ ମଧ୍ୟ ସରକାରୀ କଳର ବାସ୍ତବ ସ୍ଥିତିକୁ ବୟାନ କରୁଥିଲା।
ସରକାରଙ୍କୁ ବିରୋଧୀ ସହାୟକ ହେଲେ
ଠିକ୍ ସେହିପରି ଏହି ଅଧିବେଶନ ପୂର୍ବରୁ ରାଜ୍ୟରେ ଘଟିଥିବା ଛାତ୍ରୀ ଆତ୍ମହତ୍ୟା, ମହିଳାଙ୍କ ଉପରେ ବଢ଼ୁଥିବା ନିର୍ଯାତନା, ଡ୍ରଗ୍ସ କାରବାର, ଆଇନ ଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି, ଚାଷୀ ପାଇଁ ସାର ଅଭାବ, ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ବିଧ୍ୱସ୍ତ ଶିକ୍ଷା ବ୍ୟବସ୍ଥା, ପିଇବା ପାଣି ସମସ୍ୟା ପ୍ରଭୃତି ଅନେକ ପ୍ରସଙ୍ଗ ରହିଥିଲା। ଏସବୁ ସରକାରଙ୍କୁ ଅଡ଼ୁଆରେ ପକାଇବ ବୋଲି ସରକାର ବି ଗୁଇନ୍ଦା ସୂତ୍ରରୁ ଜାଣିଥିଲେ। ଏହି ପ୍ରସଙ୍ଗଗୁଡ଼ିକ ଯେମିତି ଯଥା ସମ୍ଭବ କମ୍ ହେବ ସେଥିଲାଗି ଅଧିବେଶନ ସମୟକୁ ସ୍ୱଳ୍ପ ଦିନରେ ସୀମିତ ରଖିବା ଲାଗି ସୁଚିନ୍ତିତ ଯୋଜନା ହୋଇଥିଲା। ଆଉ ଏଥିରେ ସରକାର ବି ଦୁଇଟି ବିଧେୟକ, ଗୋଟିଏ ଅଧ୍ୟାଦେଶକୁ ପାରିତ କରିବାର ଲକ୍ଷ୍ୟ ରଖିଥିଲେ।
ବିଧାନସଭାରେ କଂଗ୍ରେସ-ବିଜେଡି ଲଢ଼େଇ

ଅଧିବେଶନ ଆରମ୍ଭ ଦିନରୁ ହିଁ ପରିସ୍ଥିତି ସରଗରମ ହେବ ବୋଲି ଆଶା ଥିଲା। ହେଲେ ପରମ୍ପରା ଅନୁସାରେ ଶୋକ ପ୍ରସ୍ତାବ ଆଗତ କରି ବିଧାନସଭାକୁ ମୁଲତବୀ କରିଥିଲେ ବାଚସ୍ପତି। ଦ୍ୱିତୀୟ ଦିନରୁ ଆରମ୍ଭ ହୋଇଥିଲା ବିରୋଧୀ-ବିରୋଧୀ ଲଢ଼େଇ। ଯେଉଁ ଗୃହ ସରକାର-ବିରୋଧୀଙ୍କ ଭିତରେ କମରକସାକୁ ଅପେକ୍ଷା କରିଥିଲା ସେଥିରେ ଦୁଇ ବିରୋଧୀ ନିଜ ଭିତରେ ଲଢ଼େଇ କରିବାକୁ ପ୍ରସ୍ତୁତ ଥିଲେ। ପ୍ରକୃତ ବିରୋଧୀ କିଏ ହେବ ତାହାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। କଂଗ୍ରେସର ପ୍ରତିବାଦକୁ ଦେଖି ବିଜେଡି ଉତ୍ସାହିତ ହୋଇଥିଲା। ଗତ ବିଧାନସଭା ଅଧିବେଶନରେ କଂଗ୍ରେସ ଅଧିକ ଚର୍ଚ୍ଚିତ ହୋଇଥିବାରୁ ଏଥର ବିଜେଡି ବି କଂଗ୍ରେସ ରଣନୀତିକୁ ଆପଣାଇଥିଲା। ଫଳରେ ପ୍ରତିଦିନ ପ୍ରଥମ ଭାଗଟି ଗୃହର ମଧ୍ୟ ଭାଗରେ ରହିଥିଲେ ବିରୋଧୀ। କେତେବେଳେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଚେଷ୍ଟା କରୁଥିଲେ ତ ଆଉ କେତେବେଳେ ବିଜେଡିର ବିଧାୟକମାନେ ବାଚସ୍ପତିଙ୍କୁ କହିବାକୁ ବି ସୁଯୋଗ ଦେଉନଥିଲେ। ମନ୍ତ୍ରୀଙ୍କ ଉତ୍ତରକୁ ବିଧାନସଭାରେ ଲାଗିଥିବା ମାଇକ୍ରୋଫୋନ ବି ସ୍ପଷ୍ଟ ଭାବେ ସଂଗ୍ରହ କରିବାକୁ ସକ୍ଷମ ହୋଇପାରୁନଥିଲା।
ବାଚସ୍ପତିଙ୍କୁ ସୁଯୋଗ ମିଳିଲା

ଏହାର ଫାଇଦା ନେବାକୁ ଯାଇ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ ବାଚସ୍ପତି କରିଥିବା ଦେଖିବାକୁ ମିଳିଥିଲା। ଗୃହକୁ ଅଧଘଣ୍ଟା ବା ଘଣ୍ଟାଟିଏ ବା ପ୍ରଥମାର୍ଦ୍ଧ ମୁଲତବୀ କରିବା ବଦଳରେ ଏକାଥରକେ ୫ ଘଣ୍ଟାରୁ ଅଧିକ ସମୟ ମୁଲତବୀ କରିବା ଦେଖିବାକୁ ମିଳିଲା। ଅର୍ଥାତ୍ ଆଲୋଚନା ଲାଗି ଆଉ ସମୟ ରହିଲା ନାହିଁ। ଅପରାହ୍ଣ ସମୟରେ କେବଳ ସରକାରୀ କାର୍ଯ୍ୟକୁ ଯଥାକଥାରେ କରିବା ପାଇଁ ଚେଷ୍ଟା କରିଥିଲେ ଶାସକ ଦଳ।
କ୍ଷତିରେ ବିଜେଡି

ମୁଖ୍ୟ ବିରୋଧୀ ବିଜେଡିର ଏହି ଆଚରଣକୁ ଅନେକ ସମାଲୋଚନା କରାଯାଇଛି। ଗୃହରେ ଆଲୋଚନା କରିବା ଲାଗି ତାଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏହାକୁ ଉପଯୋଗ କରିବାରେ ଦଳ ବିଫଳ ହୋଇଛି ବୋଲି ଆଲୋଚନା ହେଉଛି। ଆଜି ବିଭିନ୍ନ ଗଣମାଧ୍ୟମରେ ବିଜେଡିର ରଣନୀତିକୁ ସମାଲୋଚନା କରାଯାଇଛି। ଗୃହରେ କଂଗ୍ରେସ ଆଣିଥିବା ଅନାସ୍ଥା ହୁଏତ ସଂଖ୍ୟା ଦୃଷ୍ଟିରୁ ଏକ ନିଶ୍ଚିତ କାଟ ଖାଇବା ପ୍ରସ୍ତାବ ଥିଲା କିନ୍ତୁ ଏହି ସମୟରେ ଗୃହରେ ବିଜେଡି ଉଠାଉଥିବା ଚାଷୀ, ପଞ୍ଚାୟତିରାଜରେ କ୍ଷମତା ସଙ୍କୋଚନ, ଅଫିସର ରାଜ ଭଳି ପ୍ରସଙ୍ଗ ଉଠିପାରିଥାଆନ୍ତା। ଅପରପକ୍ଷେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଲୋଚନା ଘୋମାଘୋଟ ହୋଇପାରିଥାଆନ୍ତା। କିନ୍ତୁ ବିଜେଡି କଂଗ୍ରେସର ଏ ପ୍ରସ୍ତାବକୁ ସମର୍ଥନ ତ କରିନଥିଲା; ଏହାସହ ଗୃହକୁ ମୁଲତବୀ କରି ପ୍ରସ୍ତାବ ଆଗତ କରିବାକୁ ଦେଇନଥିଲା। ବାଚସ୍ପତି ନିୟମ ଅନୁସାରେ ଏହାକୁ ପରବର୍ତ୍ତୀ ସମୟରେ ଖାରଜ କରିଦେଇଥିଲେ।
ବିଧାନସଭା ପାଇଁ ବିଜେଡି ଅପ୍ରସ୍ତୁତ
ଠିକ୍ ସେହିଭଳି ରାଜ୍ୟରେ ସାର ଅଭାବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା। ଏହାକୁ ନେଇ ଆଲୋଚନା ହେବ ବୋଲି ଚାଷୀକୂଳ ଆଶା କରିଥିଲେ। ଏଥିଲାଗି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆସିଥିଲା, ତାହାକୁ ଆଳୋଚନା କରିବା ପାଇଁ ଗୃହ ପ୍ରସ୍ତୁତ ଥିଲା। କିନ୍ତୁ ବିଜୁ ଜନତା ଦଳ ଏହାକୁ କଂଗ୍ରସର ଶ୍ରେୟ ବୋଲି ଭାବି, ପ୍ରସଙ୍ଗକୁ ନିଜ ଅଧୀନକୁ ଆଣିବାକୁ ଚାହିଁଲେ। ଗୃହରେ ଏହି ଆଲୋଚନା ସ୍ୱଳ୍ପକାଳ ନୁହେଁ ବରଂ ଦୀର୍ଘ ସମୟ ଆଲୋଚନା ଲାଗି ଦାବି କଲେ। ପ୍ରଶ୍ନୋତ୍ତର କାଳ ବନ୍ଦ କରି ଆଲନ୍ଦୋଳନ ଲାଗି କହିଲେ। ଏହା ସମ୍ଭବ ହେଲା ନାହିଁ। ଫଳରେ ଆଲୋଚନା ହୋଇପାରିଲା ନାହିଁ। ଏହା ପ୍ରମାଣିତ କରୁଛି ଯେ ବିଜେଡି ଏହି ଅଧିବେଶନ ଲାଗି ପ୍ରସ୍ତୁତ ନ ଥିଲା। ଆଉ ଦୁଇ ବିରୋଧୀ ଭିତରେ ଲଢ଼େଇ ସରକାରଙ୍କୁ ବେଶ୍ ଫଳପ୍ରଦ ହୋଇଥିଲା।
ବିଜେଡି ବିଧାୟକ ଚୁପ୍
ବିଜୁ ଜନତା ଦଳର ଆଭ୍ୟନ୍ତରୀଣ କନ୍ଦଳ ଏହି ଭଳି ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି। ଯେହେତୁ ନେତା ଓ ମୁଖ୍ୟ ସେବକ ତଥା କଣ୍ଟ୍ରୋଲର ରାଜ୍ୟରେ ନାହାନ୍ତି ଏବଂ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ୁଛି, ଏଣୁ ବିଧାୟକମାନେ ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି। ଅପରପକ୍ଷେ ବରିଷ୍ଠ ବିଧାୟକଙ୍କୁ ଚୁପ୍ ରହିବାକୁ ଅଘୋଷିତ ନିର୍ଦ୍ଦେଶ ଥିବାରୁ ଦଳର ଆଧିପତ୍ୟ ଦିନକୁ ଦିନ କମିବାରେ ଲାଗିଛି। ପୁଣି କେନ୍ଦ୍ରରେ ବିଜେପି-ନବୀନ ସମ୍ପର୍କ ଗଭୀର ଥିବାରୁ ରାଜ୍ୟରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି।
ଏଭଳି ମୁହୂର୍ତ୍ତରେ ବିଜେପି ଲାଗି ରାଜ୍ୟରେ ଏକ ପାଖିଆ ଶାସନ କରିବା ଲାଗି ଏକ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଏହି ସହଜ ମାର୍ଗକୁ ଆପଣାଇଲେ ୨୦୨୯ ନିର୍ବାଚନ ବିଜେପି ପାଇଁ କଣ୍ଟକିତ ଶଯ୍ୟ ସୃଷ୍ଟି କରିବ ନାହିଁ ତ?
Also readhttps://purvapaksa.com/cag-exposes-the-truth-about-6-model-degree-colleges/
CAG exposes the truth about 6 model degree colleges ।। ୬ଟି ମଡେଲ ଡିଗ୍ରୀ କଲେଜର ସତ ଧରାଇଦେଲା ସିଏଜି

