ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ଘଟଣା ସ୍ଥଳକୁ ଭଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ୍ ଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସପ୍ତାହକ ପରେ ପୁଣିଥରେ କନ୍ଧମାଳ ଜିଲ୍ଲାର ଜୀବନରେଖା ଜି.ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ସୋମବାର ମଧ୍ୟାହ୍ନରେ ଭୂସ୍ଖଳନ ହୋଇଛି । ଜିଲ୍ଲାବ୍ୟାପି ଅନବରତ ପ୍ରବଳ ବର୍ଷା ହୋଇଛି । କଳିଙ୍ଗା ଘାଟିରେ ବାଦଲଫଟା ବର୍ଷା ହେବାରୁ ଗତ ୧୬ତାରିଖରେ ଘାଟିର ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଥିଲା ସେଠାରୁ ପୁନର୍ବାର ମାଟି ଅତଡା ଧସିଛି । ବଡବଡ ପଥର ପାହାଡରୁ ଖସି ଆସିଛି । ଗତ ୫ଦିନ ଧରି ଯାହା କିଛି ମରାମତି ହୋଇଥିଲା ତାହା ମଧ୍ୟ ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି ।
ବିଗତ ୧୫ ଦିନ ମଧ୍ୟରେ କଳିଙ୍ଗା ଘାଟିରୁ ୫ରୁ ଅଧିକ ଥର ପଥର ଖସିଲାଣି। ଗତ ୧୬ ତାରିଖରେ ବଡ଼ ଧରଣର ଭୂସ୍ଖଳନ ହୋଇ ପାହାଡ ଉପରୁ ଝରଣାରେ ଗଡି ଗଡ଼ି ବଡ ପଥରମାନ ପାହାଡ ତଳକୁ ଆସିଥିଲା। ଫଳରେ ଭଞ୍ଜନଗର ଫୁଲବାଣୀ ଜାତୀୟ ରାଜପଥର ଏକାଧିକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ତେଣୁ ଆଜକୁ ଏକ ସପ୍ତାହ ହେବ ଜାତୀୟ ରାଜପଥ ଉପରେ ଯାତାୟତ ବନ୍ଦ ଅଛି । ଆଗକୁ ରାସ୍ତା ସ୍ବଭାବିକ ହେବାକୁ ବହୁତ ଦିନ ଲାଗିଯିବ ବୋଲି ଜଣାପଡ଼ିଛି ।
ବର୍ତ୍ତମାନ ରାସ୍ତା ସ୍ବଭାବିକ ପାଇଁ କାମ ଜୋରଦାର ଚାଲିଛି। କିନ୍ତୁ ବର୍ଷା କାରଣରୁ କାର୍ଯ୍ୟ ପ୍ରଭାବିତ ହେଉଛି । ଯେଉଁ ପଥର ଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ଅଛି ତାହା ଖସୁଛି। ସୋମବାର ଦିନକ ମଧ୍ୟରେ ୩ ଥର ପଥର ଖସିଛି। ଖବର ପାଇ ସନ୍ଧ୍ୟାରେ ଭଞ୍ଜନଗର ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
https://purvapaksa.com/kalinga-ghati-closed-till-september-30-due-to-landslide/
