( ଭାସ୍କର ପରିଚ୍ଛା )
ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣକୁ ସଫଳତାର ସହ ସମାପ୍ତ କରିବା ବ୍ୟତୀତ ହରେକୃଷ୍ଣ ମହତାବଙ୍କ ସବୁଠାରୁ ବଡ଼ ସଫଳତା ଥିଲା ହୀରାକୁଦ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ । ସମ୍ବଲପୁରର ବୁର୍ଲା ନିକଟରେ ହୀରାକୁଦ ଠାରେ ମହାନଦୀ ଉପରେ ଏକ ଡ୍ୟାମ୍ ନିର୍ମାଣର ଆରମ୍ଭ ଏବଂ ଅନୁମୋଦନ ଥିଲା। ଇଂରେଜମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମହାନଦୀ ଉପତ୍ୟକା ପ୍ରକଳ୍ପ ପାଇଁ ସର୍ବେକ୍ଷଣ କାର୍ଯ୍ୟକୁ ପ୍ରକୃତରେ ଡ ମହତାବ ହିଁ ତ୍ୱରାନ୍ୱିତ କରିଥିଲେ। ୧୯୪୬ ମସିହା ମାର୍ଚ୍ଚ ୧ ତାରିଖରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ସାର୍ ହାଥୋର୍ନ୍ ଲୁଇସ୍ ଏହି ଡ୍ୟାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୩୭ ରେ ପ୍ରଥମ କଂଗ୍ରେସ ମନ୍ତ୍ରଣାଳୟ ସମୟରେ, ମହାନଦୀ ଜଳ ପ୍ରବାହକୁ ନିୟନ୍ତ୍ରଣ କରିବାର ପ୍ରସ୍ତାବର ସମ୍ଭାବନା ଯାଞ୍ଚ କରିବାକୁ ବିଶିଷ୍ଟ ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟାଙ୍କୁ କୁହାଯାଇଥିଲା।
ଏହି ପ୍ରକଳ୍ପ ପାଇଁ ଆକାଶ ମାର୍ଗରୁ ସର୍ଭେ କରାଯାଇଥିଲା। ଆମେରିକାର ଟେନେସି ଉପତ୍ୟକା ବହୁମୁଖୀ ପ୍ରକଳ୍ପ ଢାଞ୍ଚାରେ ଏହାକୁ ମଡେଲ୍ କରାଯାଇଥିଲା।ମହତାବ ଗୁଜରାଟର ଜଣେ ବିଶିଷ୍ଟ ଗାନ୍ଧୀବାଦୀ ସାମାଜିକ କର୍ମୀ ଠକ୍କର ବାପା (ଅମୃତଲାଲ ବିଟ୍ଠଲଦାସ ଠକ୍କର) ଙ୍କୁ ଏହି ପ୍ରସଙ୍ଗ ପ୍ରଚାର କରିବାକୁ କହିଥିଲେ। ଡ ମହତାବ ତତ୍କାଳୀନ କେନ୍ଦ୍ରୀୟ ଶ୍ରମ କମିଟିର ସଦସ୍ୟ ଡକ୍ଟର ବି. ଆର. ଆମ୍ବେଦକର ଏବଂ ଭାରତ ସରକାରଙ୍କ ମୁଖ୍ୟ ଇଞ୍ଜିନିୟର ତଥା କେନ୍ଦ୍ରୀୟ ଜଳ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଡକ୍ଟର ଆୟୋଧ୍ୟନାଥ ଖୋସଲାଙ୍କ ସହ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଖୋସଲା ପରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ।
ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟାଙ୍କ ଉପରେ ଅପରାଜିତ ରାମନାଥଙ୍କ ୭୪୦ ପୃଷ୍ଠାର ଏକ ଇଂରାଜୀ ଜୀବନୀ ପ୍ରକାଶ ପାଇଛି (ପେଙ୍ଗୁଇନ-ଭାଇକିଂ)। ଏଥିରେ ହୀରାକୁଦ ବନ୍ଧ କଥା ଉଲ୍ଲେଖ ଅଛି। ଓଡ଼ିଶାରେ ବାରମ୍ବାର ବନ୍ୟା ଆସୁଥିବାରୁ ୧୯୩୭ରେ ମହାତ୍ମାଗାନ୍ଧୀ ବିଶେଶ୍ୱରାୟାଙ୍କୁ ନୂତନ ଭାବେ ଗଠିତ କଂଗ୍ରେସ ସରକାରଙ୍କୁ ଏନେଇ ସାହାଯ୍ୟ କରିବା ପାଇଁ କହିବା ପରେ ସେ ହଁ କଲେ ଏବଂ ଯେତେସବୁ ସେନ୍ସସ ଡାଟା ଓ ଗେଜେଟିୟର ଥିଲା ତାହାକୁ ଅନୁଧ୍ୟାନ କଲେ।୧୯୩୭ରେ ସେ ଏକ ପ୍ରାଥମିକ ରିପୋର୍ଟ ଦେଲେ ଯେଉଁଥିରେ ବ୍ୟାପକ ହସ୍ତକ୍ଷେପର ଆବଶ୍ୟକତା ଥିବା କଥା କୁହାଯାଇଥିଲା। ତା ପୂର୍ବରୁ ୧୯୨୮ରେ ବ୍ରିଟିଶ ସରକାରଙ୍କ ଏକ କମିଟି ରିପୋର୍ଟ ଦେଇଥିଲା ଯେ ଓଡ଼ିଶାର ନଦୀଗୁଡ଼ିକ ଉପରେ ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ ନିର୍ମାଣ ସମ୍ଭବ ନୁହେଁ। ବିଶ୍ୱେଶ୍ୱରାୟା କିନ୍ତୁ ପରାମର୍ଶ ଦେଲେ ଯେ ବନ୍ୟା ନିୟନ୍ତ୍ରଣ ସାଙ୍ଗକୁ ବିଦ୍ୟୁତ୍ ଶକ୍ତି ଓ ଜଳସେଚନ ସକାଶେ ଏକ ବହୁମୁଖୀ ବନ୍ଧ ନିର୍ମାଣ ସମ୍ଭବ।
ବିଶ୍ୱେଶ୍ୱରାୟା ଓହାଇଓ ତଥା ମିସିସିପି ନଦୀ ବନ୍ଧର ଉଦାହରଣ ଦେଇଥିଲେ ଯାହା କି ସେତେବେଳେ ଆରମ୍ଭ ହୋଇଥିଲା। ସେ ୧୯୩୯ ଏପ୍ରିଲ ମାସରେ ନିଜେ ଆସି ମହାନଦୀ ଡେଲ୍ଟା ବୁଲି ଦେଖିଥିଲେ। ଦଶ ଦିନ ଓଡ଼ିଶାରେ ରହିବା ପରେ ସେ ଦ୍ଵିତୀୟ ରିପୋର୍ଟ ଦେଇଥିଲେ। କିନ୍ତୁ ୧୯୨୮ର କମିଟି ପୁଣି କହିଲା ଯେ କମ ଖର୍ଚ୍ଚର ବିକଳ୍ପ ଖୋଜାଯାଉ।ଏହି ପ୍ରସଙ୍ଗଟି ଶେଷରେ ସେଣ୍ଟ୍ରାଲ ୱାଟରୱେର ଅଧ୍ୟକ୍ଷ ଆଯୋଧ୍ୟାନାଥ ଖୋସଲାଙ୍କ ପାଖକୁ ଗଲା ଓ ପରିଶେଷରେ ହୀରାକୁଦରେ ଏକ ବହୁମୁଖୀ ନଦୀ ବନ୍ଧର ଶିଳାନ୍ୟାସ ପଡ଼ିଲା।୧୯୪୬ରେ ବିଧିବଦ୍ଧ ଭାବେ ଏହାର କାର୍ଯ୍ୟ ଆରମ୍ଭ ହେଲା।
ସେତେବେଳର ବଡଲାଟ ମଧ୍ୟ ଏହି ପ୍ରକଳ୍ପକୁ ସମର୍ଥନ କରିଥିଲେ। ଏହି ପ୍ରସ୍ତାବ ରାଜ୍ୟ ସଚିବଙ୍କ ନିକଟକୁ ପଠାଯାଇଥିଲା ଏବଂ ଅନୁମୋଦିତ ବି ହୋଇଥିଲା। ଦାମୋଦର ନଦୀ ଉପତ୍ୟକାର ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟ ମହତାବଙ୍କୁ ପ୍ରଭାବିତ କରିଥିଲା। ପ୍ରାୟ ୨୬କିଲୋମିଟର ବ୍ୟାପୀ ବନ୍ଧ ନିର୍ମାଣ ବାସ୍ତବରେ ଏକ ଅନନ୍ୟ ପଦକ୍ଷେପ ଥିଲା।
ପାଖାପାଖି ୨୫୦ଟି ଗାଁ ଜଳମଗ୍ନ ହେବାର ଆଶଙ୍କା ଥିଲା। ପ୍ରାୟ ୨୭ ହଜାର ପରିବାର ସବୁଦିନ ପାଇଁ ବିସ୍ଥାପିତ ହେବାର ଆଶଙ୍କା ବି ରହିଥିଲା। ଅନ୍ୟ ସ୍ଥାନରେ ବସବାସ କରିବା ପାଇଁ ସେମାନଙ୍କୁ ନିଜ ଗାଁ ଛାଡ଼ିବାକୁ ପଡ଼ିଥିଲା। କେନ୍ଦ୍ରୀୟ ଜଳ ନିୟନ୍ତ୍ରଣ ବୋର୍ଡ ହୀରାକୁଦ ଠାରେ ଏହି ବନ୍ଧ ନିର୍ମାଣ ଆରମ୍ଭ କଲା। ବୁର୍ଲାରେ ବିଦ୍ୟୁତ ସଂଗ୍ରହ ପାଇଁ ଏକ କାରଖାନା ପ୍ରତିଷ୍ଠା କରାଗଲା। ହୀରାକୁଦ ବନ୍ଧର ପ୍ରାରମ୍ଭିକ ମୂଲ୍ୟ ୧୦୦ କୋଟି ଟଙ୍କା ଥିଲା। ଉଚ୍ଚତା ଥିଲା ୧୯୬ ମିଟର । ଶିଳ୍ପପତି ଜୟଦୟାଲଜୀ ଡାଲମିଆଁଙ୍କୁ ଆବଶ୍ୟକ ହେଉଥିବା ବିଶାଳ କଂକ୍ରିଟ୍ ନିର୍ମାଣ କାର୍ଯ୍ୟ ପାଇଁ ରାଜଗାଙ୍ଗପୁରରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବାକୁ କୁହାଗଲା।
୧୯୪୮ମସିହା ଏପ୍ରିଲ ୧୨ ତାରିଖରେ ନେହେରୁ ହୀରାକୁଦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହୀରାକୁଦ ଡ୍ୟାମରେ ତିନୋଟି କେନାଲ ଥିଲା : ବରଗଡ ମୁଖ୍ୟ କେନାଲ, ସାସନ କେନାଲ ଏବଂ ସମ୍ବଲପୁର କେନାଲ। ହୀରାକୁଦ ବନ୍ଧ ପ୍ରତିଷ୍ଠା ପଶ୍ଚିମ ଓଡିଶାର ଜିଲ୍ଲାଗୁଡ଼ିକରେ ସେହି ସବୁ କେନାଲ ମାଧ୍ୟମରେ କୃଷିର ବିକାଶରେ ସହାୟକ ହୋଇଥିଲା। ହୀରାକୁଦ ଦ୍ଵାରା ବରଗଡ ଏବଂ ସମ୍ବଲପୁରର ପ୍ରମୁଖ ଅଞ୍ଚଳଗୁଡ଼ିକ ଉପକୃତ ହୋଇପାରିବ ବୋଲି ଆକଳନ କରାଯାଇଥିଲା।
କିନ୍ତୁ ହୀରାକୁଦ ପ୍ରକଳ୍ପ ପଶ୍ଚିମ ଓଡ଼ିଶାର ରାଜାମାନଙ୍କୁ କଂଗ୍ରେସ ଏବଂ ଏହାର ନେତାମାନଙ୍କ ବିରୁଦ୍ଧରେ ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥିଲା । ବୋଧରାମ ଦୁବେ, ଲକ୍ଷ୍ମୀନାରାୟଣ ମିଶ୍ର, ଶ୍ରଦ୍ଧାକର ସୁପକାର ଆଦି ନେତା ଏହି ପ୍ରକଳ୍ପର ବଡ ସମାଲୋଚକ ହୋଇ ବାହାରିଲେ, ଯଦିଓ ସେମାନେ କଂଗ୍ରେସ ଦଳରେ ହିଁ ଥିଲେ।
କ୍ରମଶଃ, ଡ୍ୟାମ୍ ବିରୋଧୀ ଆନ୍ଦୋଳନ ଆୟୋଜନ କରାଗଲା । ଫଳରେ ପ୍ରଧାନମନ୍ତ୍ରୀ ମହତାବ ଏବଂ ରାଜସ୍ୱ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ପାଇଁ ଗଲେ। ଏକ ଶକ୍ତିଶାଳୀ କଂଗ୍ରେସ ବିରୋଧୀ ଆନ୍ଦୋଳନର ସଂଭାବନା ବିଷୟରେ ନେହେରୁ ମହତାବଙ୍କୁ ଚେତାବନୀ ଦେଲେ। ନିର୍ବାଚନ ପୃଷ୍ଠଭୂମିରେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ନେହେରୁ ମହାତାବଙ୍କୁ ତାଗିଦ କରିଥିଲେ। ଏହାର ଜବାବରେ ମହତାବ କହିଥିଲେ, “ଏହି ପ୍ରକଳ୍ପର ସମ୍ଭାବନା, ଉପଯୋଗିତା ଏବଂ ଅର୍ଥବ୍ୟବସ୍ଥା ସମ୍ବଲପୁର ଏବଂ ଓଡ଼ିଶାର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଚାର କରାଯିବା ଉଚିତ। ନିହିତ ସ୍ୱାର୍ଥକୁ ଦେଶର ପ୍ରକଳ୍ପ ମାର୍ଗରେ ପ୍ରତିବନ୍ଧକ ହେବାକୁ ଦିଆଯିବା ଉଚିତ ନୁହେଁ।”
ତେଣେ କିନ୍ତୁ ସମ୍ବଲପୁରର ନେତାମାନେ କଂଗ୍ରେସ ସରକାରଙ୍କୁ `କଟକୀ ସରକାର’ ବା `ଉପକୂଳିଆ ସରକାର’ ବୋଲି ଦୋଷାରୋପ କରୁଥିଲେ। ପ୍ରକଳ୍ପ ବିରୋଧୀଙ୍କ ଅଭିଯୋଗ ଥିଲା ଯେ ଉପକୂଳ ଅଞ୍ଚଳର ନେତାମାନେ ସମ୍ବଲପୁର ସମେତ ପଶ୍ଚିମ ଭାଗର ଲୋକଙ୍କ ଦୁଃଖ ଶୁଣୁ ନାହାଁନ୍ତି। ତେବେ ହୀରାକୁଦ ବନ୍ଧର ବାସଚ୍ୟୁତଙ୍କ ପୁନର୍ବାସ ପାଇଁ ତତ୍କାଳୀନ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିଲେ।
ହୀରାକୁଦ ଡ୍ୟାମ ବିରୋଧୀ କମିଟି ଗଠନ ହେବା ପରେ ଆନ୍ଦୋଳନ ତୀବ୍ରତର ହୋଇଥିଲା। ସରକାର ନିଷେଧାଦେଶ ମଧ୍ୟ ଜାରି କଲେ। ଡ୍ୟାମ୍ ବିରୋଧୀ ଆନ୍ଦୋଳନର ନେତାମାନଙ୍କ ଉପରେ କଟକଣା ଲାଗୁ କରାଗଲା। ଏପରିକି ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ବି ପଡିଥିଲା।
କେବଳ ହୀରାକୁଦକୁ ବିରୋଧ କରିବା ନୁହେଁ ,ପଶ୍ଚିମ ଓଡ଼ିଶାର ନେତାମାନେ ଚାହୁଁଥିଲେ ଯେ ଓଡ଼ିଶା ସରକାର ସମ୍ବଲପୁର ଅଞ୍ଚଳକୁ ଓଡ଼ିଶାଠାରୁ ଅଲଗା କରିବା ପାଇଁ ସମ୍ବିଧାନ ସଭାକୁ ଚିଠି ଲେଖନ୍ତୁ। ସମ୍ବଲପୁର ପାଇଁ ଏକ ଆଞ୍ଚଳିକ ମନ୍ତ୍ରଣାଳୟ ବା ଜୋନାଲ ମିନିଷ୍ଟ୍ରି ଗଠନ କରିବାକୁ ମଧ୍ୟ ସେମାନେ ଦାବି କରିଥିଲେ। ତେବେ ୧୯୪୭ ମସିହା ଅଗଷ୍ଟ ୨୮ତାରିଖରେ ଓଡ଼ିଶା ବିଧାନସଭା ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବକୁ ଗ୍ରହଣ କରିନେଲା। ନଭେମ୍ବର ୧୯୪୭ରେ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା ଯାହାରି ଫଳରେ ରାଜ୍ୟ ସରକାରଙ୍କୁ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ରାଶି ସୁଧ ସହିତ ଫେରସ୍ତ କରିବାକୁ ପଡିଥିଲା।
ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗଟି ସେତେବେଳେ ସହଜ ନଥିଲା କି ଏବେ ବି ନିର୍ବିବାଦୀୟ ହୋଇ ରହିନାହିଁ। ବାସଚ୍ୟୁତଙ୍କ ସମସ୍ୟା ରହିଛି। ସେହିଭଳି ‘କଟକୀ’ ଦୁର୍ଭାବନା ଆଜି ବି ଅଳ୍ପ ବହୁତ ରହିଛି।। ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବୀ ତ ମଝିରେ ମଝିରେ ଉଠୁଛି ହିଁ।
ALSO READ https://purvapaksa.com/time-to-decriminalise-defamation-supreme-court/
