ରାଜ୍ୟ ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୁର୍ଥ ଦିନରେ ଗୃହ ଚାଲିପାରି ନାହିଁ। ସମ୍ପୂର୍ଣ୍ଣ ପ୍ରଥମାର୍ଦ୍ଧ ଧୋଇଯାଇଛି । ରାଜ୍ୟ ସରକାର ସମସ୍ତ ପ୍ରସଙ୍ଗକୁ ଶୁଣି ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହୁଥିଲେ ମଧ୍ୟ ବିରୋଧୀଙ୍କ ସହଯୋଗ ପାଉ ନଥିବା ଅଭିଯୋଗ କରିଛନ୍ତି। ଏପରି ଆରୋପ ପ୍ରତ୍ୟାରୋପ ଭିତରେ ଆଜି ଗୃହ ମାତ୍ର ୭ ମିନିଟ ଚାଲିପାରିଛି। ଏହି ସମୟରେ ଅସ୍ୱଭାବିକ ପରିସ୍ଥିତି, ପ୍ଲାକାର୍ଡ ପ୍ରଦର୍ଶନ, ନାରାବାଜୀ ଏବଂ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ଉପସ୍ଥିତିକୁ ଦେଖି ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ସାଢେ ୪ଟା ଯାଏଁ ମୁଲତବୀ ରଖିଛନ୍ତି।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ନାରାବାଜି କରିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ କୁଠାରଘାତ ଚଳିବ ନାହିଁ ନାରା ଦେଇ ବିଜେଡି ସଦସ୍ୟ ଗୃହ କମ୍ପାଇଥିଲେ । ବଞ୍ଚାୟତରେ ବିଡିଓଙ୍କ କ୍ଷମତାକୁ ୨ ଲକ୍ଷ ଟଙ୍କା ଯାଏ ବୃଦ୍ଧି କରିଥିବାରୁ ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଥିଲେ ବିରୋଧୀ ଦଳ ବିଜେଡି। ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତା ସଙ୍କୁଚିତ କରିବା ଲାଗି ଏହା ଏକ ଉଦ୍ୟମ ବୋଲି ବିଜେଡି ଅଭିଯୋଗ କରି ଏ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଓ ସ୍ଲୋଗାନ ପକାଇଥିଲା। ବାଚସ୍ପତିଙ୍କୁ ଆଲୋଚନା ଲାଗି ଅନୁରୋଧ କରିଥିଲା।
ଅନ୍ୟପଟେ କଂଗ୍ରେସ ସଦସ୍ୟ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଗୃହ ନଚାଲିବା ପଛରେ ବିଜେପି – ବିଜେପିକୁ ଦାୟୀ କରି କଂଗ୍ରେସ ସଦସ୍ୟ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ବିଜେଡି-ବିଜେପି ଭାଇ ଭାଇ ବୋଲି କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା କଂଗ୍ରେସର କଣ୍ଠରୋଧ କରାଯାଉଛି ବୋଲି କହିଥିଲେ। ସେମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବି ତାହାକୁ ଆଲୋଚନା କରାଯାଉ ନାହିଁ ବୋଲି କହିଥିଲେ। ଏପରିକି ବିରୋଧୀ ଦଳ ନେତା ବିଜେଡିକୁ ସମ୍ଭାଳିପାରୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ।
ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟରେ ସହଯୋଗ ପାଇଁ ବାରମ୍ବାର ଅନୁରୋଧ କରିଥିଲେ । ବାଚସ୍ପତି କହିଥିଲେ ଯେ ପବିତ୍ର ଗୃହ ଚଳାଇବା ସମସ୍ତଙ୍କ ଦାୟିତ୍ଵ ଅଟେ । ଏହି ଦାୟିତ୍ଵ ନିର୍ବାହ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଆପଣମାନେ ଗୃହ ମଧ୍ୟକୁ ଆସିଲେ ଗୃହ କିପରି ଚାଲିବ । ବିଧାନସଭାରେ ପ୍ରଶ୍ନୋତ୍ତର କାଳ ମୂଲ୍ୟବାନ ସମୟ ଅଟେ । ଏହାକୁ ବାରମ୍ବାର ବନ୍ଦ କରିବା ଉଚିତ ନୁହେଁ । ତେଣୁ ସମସ୍ତେ ନିଜ ନିଜ ଆସନକୁ ଯାଆନ୍ତୁ ବୋଲି ଅନୁରୋଧ କରିଥିଲେ ବାଚସ୍ପତି । ମାତ୍ର ବିରୋଧୀ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ଯାଏଁ ମୁଲତବୀ ରଖିଛନ୍ତି। ଏହି ୪ ଦିନ ଭିତରୁ କୌଣସି ଦିନ ଗୃହ କାର୍ଯ୍ୟ ସ୍ୱଭାବିକ ହୋଇ ପାରି ନାହିଁ। ସବୁଦିନ ପ୍ରଶ୍ନକାଳରେ ଆଲୋଚନା ହୋଇପାରୁ ନାହିଁ। ସମୁଦାୟ ୪ ଦିନ ଭିତରେ ୩୧ ମିନିଟ ଗୃହ କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି।
