ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ାରେ ଗାଡ଼ି ଧକ୍କାରେ ମାଆ,ଝିଅଙ୍କ ମୃତ୍ୟୁ ଘଟଣାରେ ସ୍କର୍ପିଓ ଏବଂ ଥାର୍ ଗାଡ଼ି ମାଲିକ ଗିରଫ । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କଲା କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରୀପାଠୀ, ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ,ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ ବୋଲି ଜଣାପଡ଼ିଛି । ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ପଳାଇଯିବା ସହ ସେଠାରେ ବୁଲିଥିଲେ ବୋଲି ଜଣାପଡ଼ିଛି । ମନାଲିରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ ମାଡ଼ି ବସିଥିଲା କମିଶନରେଟ ପୋଲିସ ।
ଏହାସହ ପୋଲିସ କିଲର ସ୍କର୍ପିଓ ଜବତ କରିଛି । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗିରଫ ଭୟରେ ପଶ୍ଚିମ ବଙ୍ଗ, ହରିୟାଣା ତଥା ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ଘୁରି ବୁଲୁଥିଲେ । ଅଧିକ ତଦନ୍ତ କାଳରେ, ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ଚଢଉ ଜରିଆରେ ସମ୍ପୃକ୍ତ ସ୍କର୍ପିଓ ଚାଳକ ସୋହମରାଜ ତ୍ରିପାଠୀ ଓରଫ ଲିପୁନ ଏବଂ ସେଥିରେ ସବାର ଥିବା ସାନୁ ଓରଫ ରୋହନ ରଞ୍ଜନ ରାଉତଙ୍କୁ ପୁଲିସ ଦିଲ୍ଲୀରୁ ଗିରଫ କରିବାରେ ସକ୍ଷମ ହେବା ସହ ସେମାନଙ୍କ ହେପାଜତରୁ ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରିଥିଲେ । ତଦନ୍ତ ସମୟରେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ପୂର୍ବରୁ ସ୍କର୍ପିଓ ଡ୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ, ଏଯାବତ କିଲର୍ ଥାର୍ ମାଲିକ କିମ୍ବା ଡ୍ରାଇଭରଙ୍କ ପତ୍ତା ପାଇନି ପୋଲିସ। ଥାର୍ ମାଲିକଙ୍କୁ ଖସାଇବାରେ ସହାୟତା ପାଇଁ ଜଣେ ଗିରଫ ହୋଇଛି। ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି ।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୯ ତାରିଖ ଅର୍ଥାତ ରକ୍ଷୀପୂର୍ଣ୍ଣିମା ସନ୍ଧ୍ୟାରେ ସାଙ୍ଗରେ ୮ବର୍ଷର ଝିଅ ଓ ୨ବର୍ଷର ପୁଅକୁଧରି ମହିଳାଜଣଙ୍କ ପାତ୍ରପଡା ସ୍ଥିତ ଭି-୨ ନିକଟରେ ରାସ୍ତା ପାର ହେଉଥିବା ବେଳେ, ଭୁବନେଶ୍ବର ପାର୍ଶ୍ବରୁ ଦ୍ରୁତଗତିରେ ତଥା ବିପଦଜ୍ଜନକ ଭାବେ ମାଡି ଆସିଥିଲା ଥାର ଏବଂ ସ୍କର୍ପିଓ ଗାଡି । ସେମାନଙ୍କ ମଧ୍ୟରୁ ଥାର ଗାଡିଟି ମହିଳା ଏବଂ ଝିଅଟିକୁ ଧକା ଦେଇ କିଛି ବାଟ ଘୋଷାଡ଼ି ନେବା ସହ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଝିଅର ମୃତ୍ୟୁ ହୋଇଯାଇଥିବା ବେଳେ, ପତ୍ନୀ ଏବଂ ପୁଅକୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ଲାଗି ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଥିଲା । ହସ୍ପିଟାଲରେ ସିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ଦିନ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ନେଇ ରୋଡ଼ ବ୍ଲକ କରିଥିଲେ ଉତ୍ତ୍ୟକ୍ତ ଲୋକେ ।


