ସ୍ୱାଧିନତାର ଦିନ ଯେତେ ପାଖେଇ ଆସୁଥିଲା,ଭାରତୀୟ ଉପମହାଦେଶରେ ହିଂସା ସେତିକି ବଢ଼ିବାରେ ଲାଗିଥିଲା । ବଢୁଥିବା ହିଂସା ମଧ୍ୟରେ ମହମ୍ମଦ ଅଲୀ ଜିନ୍ନା ଶାନ୍ତି ପାଇଁ ଏକ ମିଳିତ ଆହ୍ୱାନ ଜାରି କରିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଥିଲେ । ତାଙ୍କୁ ଏଥିପାଇଁ ରାଜି କରାଇବାକୁ ଦୁଇ ଦିନ ଲାଗିଥିଲା । ପରେ ତିନି ଦିନ ଏହି ବିଷୟରେ ଆଲୋଚନାରେ ବିତିଗଲା ଯେ ମୁସଲିମ ଲୀଗର ଅଧ୍ୟକ୍ଷ ଜିନ୍ନା କଂଗ୍ରେସର ଅଧ୍ୟକ୍ଷ କୃପଲାନୀଙ୍କ ସହ ଏହି ଆହ୍ୱାନ ଜାରି କରିବେ ନାହିଁ। ତାଙ୍କ ପାଇଁ ମହାତ୍ମା ଗାନ୍ଧୀ ବ୍ୟତୀତ ଅନ୍ୟ କେହି ସହି ସ୍ୱାକ୍ଷର ପାଇଁ ଗ୍ରହଣୀୟ ନଥିଲେ। ମହାତ୍ମା ଗାନ୍ଧୀ ତୁରନ୍ତ ଏଥିପାଇଁ ରାଜି ହେଲେ। ତା’ପରେ ଆହ୍ୱାନର ରୀତିନୀତି ପୂରଣ ହେଲା। ଧାର୍ମିକ ଆଧାରରେ ହୋଇଥିବା ଏହି ବିଭାଜନରେ ହିଂସା ମାନବିକତାର ସୀମା ଅତିକ୍ରମ କରିଥିଲା। ଏହା ମାନବତାର ଇତିହାସରେ ଏକ ଲଜ୍ଜାଜନକ ଅଧ୍ୟାୟ ।
ମାନବିକତାର ଇତିହାସରେ ଏକ ଲଜ୍ଜାଜନକ ଅଧ୍ୟାୟ
ପାକିସ୍ତାନର ଅସ୍ତିତ୍ୱ ଆସିବାକୁ ଆହୁରି କିଛି ସମୟ ବାକି ଥିଲା। କିନ୍ତୁ ବଙ୍ଗଳାରୁ ପଞ୍ଜାବ ପର୍ଯ୍ୟନ୍ତ ଅନେକ ପ୍ରଦେଶ ହିଂସାର ନିଆଁରେ ଜଳୁଥିଲା। ଜିନ୍ନାଙ୍କର “ଡାଇରେକ୍ଟ ଆକ୍ସନ” ନାରା (୧୬ ଅଗଷ୍ଟ ୧୯୪୬) ସହିତ ପରିସ୍ଥିତି ଆହୁରି ଅନିୟନ୍ତ୍ରିତ ହେଲା। ଅନ୍ତରୀଣ ସରକାରରେ ସାମିଲ ରହି ମଧ୍ୟ ମୁସଲିମ ଲୀଗର ଅଭିଯୋଗ ଜାରି ରହିଥିଲା। ଏବେ ସେମାନେ କେବଳ କଂଗ୍ରେସକୁ ନୁହେଁ, ପଞ୍ଜାବର ଇଂରେଜ ଗଭର୍ଣ୍ଣର ସାର ଇଭାନ ଜେଙ୍କିନ୍ସଙ୍କୁ ମଧ୍ୟ ଅଭିଯୋଗର ଘେରାକୁ ଆଣିଥିଲେ। ଅର୍ଥମନ୍ତ୍ରୀ ଲିୟାକତ ଅଲୀ ଖାନ ୧୫ ଅପ୍ରେଲ ୧୯୪୭ରେ ମାଉଣ୍ଟବାଟେନଙ୍କୁ ଚିଠି ଲେଖି ଜେଙ୍କିନ୍ସଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଯେ ସେ ପଞ୍ଜାବର ବହୁସଂଖ୍ୟକ ମୁସଲିମ ଜନତାକୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେଉ ନାହାନ୍ତି । ମୁସଲିମ୍ ଲିଗ ପାଖରେ ସଂଖ୍ୟାଗରିଷ୍ଠତା ଥିଲେ ମଧ୍ୟ ସେ ତାଙ୍କ ଦଳକୁ ସରକାର ଗଠନ କରିବାକୁ ଡାକୁ ନାହାନ୍ତି ।
ଇଂରେଜ ଗଭର୍ଣ୍ଣର ହିଂସା ପାଇଁ ଲୀଗକୁ ଦାୟୀ କରିଥିଲେ
ଉତ୍ତରରେ ଗଭର୍ଣ୍ଣର ଜେଙ୍କିନ୍ସ ମାଉଣ୍ଟବାଟେନଙ୍କୁ ଏକ ଦୀର୍ଘ ନୋଟ ଲେଖି ପଞ୍ଜାବରେ ହିଂସାର ମୂଳ କାରଣ ମୁସଲିମ ଲୀଗର “ଡାଇରେକ୍ଟ ଆକ୍ସନ” ଯୋଜନା ବୋଲି କହିଥିଲେ। ଗଭର୍ଣ୍ଣରଙ୍କ କହିବା ମୁତାବକ, ଲୀଗର ଏହି ଆକ୍ସନ ପଞ୍ଜାବରେ ହିଂସା ଓ ଆତଙ୍କକୁ ପ୍ରୋତ୍ସାହିତ କରିଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ସରକାର ଭାଙ୍ଗିବା ।
ପାକିସ୍ତାନୀ ରାଜନୀତିବିଦ ଓ ପ୍ରସିଦ୍ଧ ଲେଖକ ଇଶ୍ତିୟାକ ଅହମଦ ତାଙ୍କ ପୁସ୍ତକ “୧୯୪୭ରେ ପଞ୍ଜାବର ବିଭାଜନ: ଏକ ତ୍ରାସଦୀ ହଜାର କାହାଣୀ”ରେ ଜେଙ୍କିନ୍ସ ବ୍ରିଟିଶ ସରକାରଙ୍କୁ ପଠାଉଥିବା ରିପୋର୍ଟକୁ ଉଦ୍ଧୃତ କରିଛନ୍ତି। ରିପୋର୍ଟରେ ଲେଖା ଯାଇଛି, “ରାଓଲପିଣ୍ଡି ଓ ଅଟକ ଜିଲ୍ଲାରେ ଏବଂ ପରେ ଝେଲମର କିଛି ଅଂଶରେ ଅଣ-ମୁସଲିମମାନଙ୍କର ଏକପାଖୀୟ ନରସଂହାର ହୋଇଥିଲା।
ଅନେକ ଗାଁରେ ହିନ୍ଦୁଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା। ଅନେକ ଶିଖଙ୍କର କେଶ ଓ ଦାଢ଼ି କଟାଯାଇଥିଲା ଏବଂ କିଛି ମାମଲାରେ ଜବରଦସ୍ତୀ ସୁନ୍ନତ କରାଯାଇଥିଲା। ନରସଂହାରରୁ ବଞ୍ଚିଯାଇଥିବା ଅନେକ ମହିଳାଙ୍କୁ ଅପହରଣ କରାଯାଇଥିଲା।”
ଏକ-ଛ’ର ଅନୁପାତ
ସେହି ସମୟର ଭୟଙ୍କର ପରିସ୍ଥିତି ଏବଂ ମୁସଲିମ ଲୀଗର କାର୍ଯ୍ୟକଳାପ ଜେଙ୍କିନ୍ସଙ୍କ ରିପୋର୍ଟ ଦ୍ୱାରା ଉଜାଗର ହୋଇଥିଲା। ସେ ଲେଖିଥିଲେ ଯେ ଗ୍ରାମାଞ୍ଚଳରେ ହୋଇଥିବା ଅତ୍ୟାଚାର ଓ ଲୀଗର ବେପରୱାହୀ ତାଙ୍କୁ ଗଭୀର ଆଘାତ ଦେଇଛି। ମୁସଲିମ ଲୀଗ ଶାନ୍ତି ବଜାୟ ରଖିବା ପାଇଁ କୌଣସି ପ୍ରୟାସ କରିନଥିଲା।
ମୃତ୍ୟୁ ସଂଖ୍ୟାର ସଠିକ ତଥ୍ୟ ଜଣା ନଥିଲା। ସାମ୍ପ୍ରତିକ ଆକଳନ ତିନି ହଜାରରୁ କମ ଥିଲା ଏବଂ ମୋର ବିଶ୍ୱାସ ଯେ ଅନ୍ତିମ ସଂଖ୍ୟା ତିନି ହଜାର ହୋଇପାରେ। ସାମ୍ପ୍ରଦାୟିକ ଅନୁପାତ ସଠିକ ଭାବେ ଜଣାଯାଇ ନଥିଲା, କିନ୍ତୁ ମୁଁ କହିବା ଉଚିତ ଯେ ମୃତକଙ୍କ ମଧ୍ୟରେ ଜଣେ ମୁସଲିମଙ୍କ ତୁଳନାରେ ଛଅ ଜଣ ଅଣ-ମୁସଲିମ ଥିଲେ।”
ପ୍ରଶାସନ ଭୁଷୁଡ଼ି ପଡ଼ିଥିଲା
ପଞ୍ଜାବରେ ହିଂସାର ନିଆଁରେ ପ୍ରଶାସନ ଓ ପୋଲିସର ଢାଞ୍ଚା ଭାଙ୍ଗି ପଡ଼ିଥିଲା। ଲୀଗର ଅଭିଯୋଗ ଥିଲା ଯେ ବ୍ରିଟିଶ ଅଧିକାରୀମାନେ ମୁସଲିମମାନଙ୍କ ପ୍ରତି ଶତ୍ରୁତା ରଖିଛନ୍ତି। ସେମାନେ ସେନ୍ସରସିପ୍କୁ ମଧ୍ୟ ଏହା ସହ ଯୋଡ଼ିଥିଲେ। ବ୍ରିଟିଶ ଅଧିକାରୀମାନଙ୍କ ଉପରେ ଅରାଜକତା ସୃଷ୍ଟି କରିବାର ଅଭିଯୋଗ ମଧ୍ୟ ଲାଗିଥିଲା। ଅନ୍ୟପକ୍ଷରେ, ପ୍ରଶାସନ ମଧ୍ୟରେ ଅସ୍ତବ୍ୟସ୍ତ ପରିସ୍ଥିତି ଥିଲା ଯେ ବ୍ରିଟିଶ ଅଧିକାରୀମାନେ ଭାରତ ଛାଡ଼ିବାକୁ ତୁରନ୍ତ ଚାହୁଁଥିଲେ।
ମୁସଲିମ ଅଧିକାରୀମାନେ ହିନ୍ଦୁସ୍ତାନରେ ରହୁଥିବା ଅଞ୍ଚଳରୁ ପାଲାଇବାକୁ ଚାହୁଁଥିଲେ। ପାକିସ୍ତାନୀ ଅଞ୍ଚଳର ହିନ୍ଦୁ ଅଧିକାରୀମାନେ ନିଜର ଓ ପରିବାରର ଜୀବନ ରକ୍ଷାରୁ ଚିନ୍ତିତ ଥିଲେ।
ହିନ୍ଦୁମାନଙ୍କୁ ପାକିସ୍ତାନ ଛାଡ଼ିବାକୁ ଜିନ୍ନା ଉତ୍ସାହିତ କରୁଥିଲେ
ହିଂସାର ଜ୍ୱାଳା ତୀବ୍ର ଥିଲା। ବ୍ରିଟିଶ ଅଧିକାରୀମାନେ ଏବେ ଦିନ ଗଣୁଥିଲେ। ସେମାନେ ମାନି ନେଇଥିଲେ ଯେ ପରିସ୍ଥିତି ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଜେଙ୍କିନ୍ସ ୧୬ ଅପ୍ରେଲରେ ଲେଖିଥିଲେ ଯେ ଯଦି ପଞ୍ଜାବର ବିଭାଜନ ଅପରିହାର୍ଯ୍ୟ, ତେବେ ପ୍ରଥମେ ଘୋଷଣା କରାଯାଉ ଯେ ଏହାର ଏକ ଅଂଶ ମୁସଲିମ ବହୁସଂଖ୍ୟକ ଜିଲ୍ଲା ଓ ଅନ୍ୟ ଅଂଶ ଅଣ-ମୁସଲିମ ବହୁସଂଖ୍ୟକ ହେବ। ୧ ମଇ ୧୯୪୭ରେ ଜେଙ୍କିନ୍ସ ମାଉଣ୍ଟବାଟେନଙ୍କୁ ଏକ ଦୀର୍ଘ ଚିଠିରେ ଲେଖିଥିଲେ ଯେ ପଞ୍ଜାବର ଶାନ୍ତିପୂର୍ଣ୍ଣ ବିଭାଜନ ସମ୍ପୂର୍ଣ୍ଣ ଅସମ୍ଭବ।
ଅନ୍ୟପକ୍ଷରେ, ଜିନ୍ନା ଜନସଂଖ୍ୟା ବିନିମୟକୁ ପ୍ରୋତ୍ସାହିତ କରୁଥିଲେ। ୧ ମଇ ୧୯୪୭ରେ “ଡନ” ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଜିନ୍ନା ପଞ୍ଜାବ ଓ ବଙ୍ଗଳାର ବିଭାଜନର ଦାବି ଉପରେ ଆପତ୍ତି କରିଥିଲେ, କହିଥିଲେ ଯେ ଏହି ପ୍ରଦେଶମାନଙ୍କର ହିନ୍ଦୁ ଅଲ୍ପସଂଖ୍ୟକମାନେ ନିଜକୁ ଦୁଇ ଭାଗରେ ବାଣ୍ଟିବାକୁ ଚାହୁଁଛନ୍ତି। ଜିନ୍ନା ଆହୁରି କହିଥିଲେ, “ଏହା ସ୍ପଷ୍ଟ ଯେ ଯଦି ପାକିସ୍ତାନର ହିନ୍ଦୁ ଅଲ୍ପସଂଖ୍ୟକମାନେ ଏହି ଦେଶ ଛାଡ଼ି ନିଜର ମାତୃଭୂମି ହିନ୍ଦୁସ୍ତାନକୁ ଯିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ଏବଂ ସେହିପରି ଯେଉଁ ମୁସଲିମମାନେ ହିନ୍ଦୁସ୍ତାନ ଛାଡ଼ି ପାକିସ୍ତାନକୁ ଆସିବାକୁ ଚାହୁଁଛନ୍ତି, ସେମାନେ ତାହା କରିପାରିବେ। ଏବେ କିମ୍ବା ପରେ ଜନସଂଖ୍ୟା ବିନିମୟ କରାଯିବାକୁ ପଡ଼ିବ।” କାଏଦ-ଏ-ଆଜମଙ୍କ ଏହି ବାର୍ତ୍ତା ସହିତ ତାଙ୍କ ସମର୍ଥକମାନେ ନିଜ ଅଞ୍ଚଳରୁ ହିନ୍ଦୁ ଓ ଶିଖମାନଙ୍କୁ ନିର୍ମୂଳ କରିବାରେ ଆହୁରି ତୀବ୍ର ହେଲେ।
ଶିଖମାନଙ୍କୁ ନିଜ ପଟେ ରଖିବାକୁ ଜିନ୍ନାଙ୍କର ଇଚ୍ଛା
ଜିନ୍ନାଙ୍କର ପାକିସ୍ତାନର ଦୃଢ଼ତା ପୂରଣ ହେବାକୁ ଥିଲା, କିନ୍ତୁ କଂଗ୍ରେସ ଉପରେ ତାଙ୍କର ଆକ୍ରମଣ ଆହୁରି ତୀବ୍ର ହେଲା। ଶିଖମାନଙ୍କୁ ନିଜ ପାଳରେ ରଖିବା ପାଇଁ ତାଙ୍କର ପ୍ରୟାସ ମଧ୍ୟ ଜାରି ରହିଥିଲା। ବ୍ରିଟିଶ ସରକାସମାନେ ହିଂସା ପାଇଁ ଲୀଗକୁ ଦାୟୀ କରୁଥିଲେ, କିନ୍ତୁ ଜିନ୍ନାଙ୍କର ଅଭିଯୋଗ ଥିଲା ହିଂସା ପଛରେ କଂଗ୍ରେସ ଅଛି । ସେମାନେ ବଙ୍ଗଳାରେ ହିନ୍ଦୁ ମହାସଭା ଓ ପଞ୍ଜାବରେ ଶିଖମାନଙ୍କୁ ଉତ୍ତେଜିତ କରିଛନ୍ତି।
ବିଭାଜନ ଦ୍ୱାରା ଶିଖମାନଙ୍କ ପାଇଁ କିଛି ଲାଭ ହେବ ନାହିଁ, ବରଂ ସେମାନେ ଦୁଇ ଭାଗରେ ବିଭକ୍ତ ହେବେ। ସେମାନଙ୍କ ଜନସଂଖ୍ୟାର ଅଧାରୁ ଅଧିକ ପାକିସ୍ତାନରେ ରହିବାକୁ ପଡ଼ିବ। ଅନ୍ୟପକ୍ଷରେ, ଯେପରି ମୁସଲିମ ଲୀଗ ପ୍ରସ୍ତାବ ଦେଇଛି, ପଞ୍ଜାବ ବିଭାଜିତ ନ ହେଲେ ସେମାନେ ଏକ ଦୃଢ଼ ଅଲ୍ପସଂଖ୍ୟକ ଅଂଶ ହେବେ ଏବଂ ଏକ ବଡ଼ ଭୂମିକା ପାଳନ କରିବେ। ଆମେ ସର୍ବଦା ସେମାନଙ୍କ ସହ ମିଳିବା ପାଇଁ ସମସ୍ତ ଯଥାଯଥ ଉପାୟରେ ଇଚ୍ଛୁକ।”
ଶାନ୍ତିର ଆହ୍ୱାନ ଉପରେ ମଧ୍ୟ ଅନିଚ୍ଛା
ହତ୍ୟା, ଲୁଟ ମାନବିକତାର ସୀମା ଅତିକ୍ରମ କରୁଥିବା ଘଟଣାଗୁଡ଼ିକ ମଧ୍ୟରେ ପ୍ରଶାସନ, ପୋଲିସ ଓ ବାଉଣ୍ଡାରୀ ଫୋର୍ସ ସମସ୍ତେ ବିଫଳ ପ୍ରମାଣିତ ହୋଇଥିଲେ । ମାଉଣ୍ଟବାଟେନ ଜିନ୍ନା ଓ ଗାନ୍ଧୀଙ୍କୁ ନିଜ ପ୍ରଭାବ ବ୍ୟବହାର କରି ଶାନ୍ତିର ଏକ ମିଳିତ ଆହ୍ୱାନ ଜାରି କରିବାକୁ ଅନୁରୋଧ କରିଥିଲେ, ଯାହା ଦ୍ୱାରା ଉତ୍ତେଜନା କମିବ। ଦୁଇ ଦିନର ପ୍ରୟାସ ପରେ ମାଉଣ୍ଟବାଟେନ ଜିନ୍ନାଙ୍କୁ ରାଜି କରାଇବାରେ ସଫଳ ହେଲେ। ଗାନ୍ଧୀ ତୁରନ୍ତ ରାଜି ହେଲେ। ଯେହେତୁ ଏହି ଆହ୍ୱାନ ମୁସଲିମ ଲୀଗ ଓ କଂଗ୍ରେସ ପକ୍ଷରୁ ଜାରି କରାଯାଉଥିଲା, ତେଣୁ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଜେ.ବି. କୃପଲାନୀ ଓ ଲୀଗ ପକ୍ଷରୁ ଜିନ୍ନାଙ୍କ ସ୍ୱାକ୍ଷର କଥା ହେଲା। ଜିନ୍ନା ପୁଣି ନିଜ ଜିଦ ଧରିଥିଲେ । ସେ କୃପଲାନୀଙ୍କ ସହିତ ଶାନ୍ତି ଅପିଲ କରିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଗାନ୍ଧିଙ୍କ ସହିତ ଶାନ୍ତି ଅପିଲରେ ତାଙ୍କ ସ୍ୱାକ୍ଷର ରହିବ ବୋଲି ସେ ଜିଦ ଧରିଥିଲେ । ପରବର୍ତୀ ତିନି ଦିନ ଏହି ବିଷୟରେ ଆଲୋଚନା ଚାଲିଥିଲା। ତା’ପରେ ଗାନ୍ଧୀଙ୍କ ସହ ଜିନ୍ନାଙ୍କ ସ୍ୱାକ୍ଷରରେ ଆହ୍ୱାନ ଜାରି ହେଲା। ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ହିଂସାର ଜ୍ୱାଳା ଆହୁରି ତୀବ୍ର ହେଲା।
ବିଭାଜନର ବଡ଼ ମୂଲ୍ୟ !
ବିଭାଜନର ଏତେ ବଡ଼ ମୂଲ୍ୟ ଦେବା କଂଗ୍ରେସ ନେତାମାନଙ୍କୁ ଆଶା ନ ଥିଲା। ମୃତ୍ୟୁ ସଂଖ୍ୟା ଦଶ ଲକ୍ଷରୁ ତିନି କୋଟି ମଧ୍ୟରେ ଆକଳନ କରାଯାଇଥିଲା। ପ୍ରାୟ ଦେଢ଼ କୋଟି ଜନସଂଖ୍ୟା ବିସ୍ଥାପିତ ହୋଇଥିଲେ। ସେହି ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ହୋଇଥିବା ଅମାନୁଷିକ ଅତ୍ୟାଚାରର କାହାଣୀ ଆଜି ମଧ୍ୟ ଶୁଣିଲେ ଦେହ ଶିତେଇ ଉଠେ ।
ସରଦାର ପଟେଲ କହିଥିଲେ, “ଆମେ ବିଷକୁ ଅଲଗା କରି ଦେଇଛୁ।” କିନ୍ତୁ କଥା ଅଲଗା ଯେ ଦେଶର ସବୁଠାରୁ ଦୃଢ଼ଚିତ୍ତ, ଦୂରଦୃଷ୍ଟିସମ୍ପନ୍ନ ଓ ବାସ୍ତବବାଦୀ ନେତା ପଟେଲଙ୍କର ଏହି ଆକଳନ ଭୁଲ ପ୍ରମାଣିତ ହେଲା। ଏହି ବିଷ ପାକିସ୍ତାନର ଅସ୍ତିତ୍ୱ ଆସିବା ପରେ ଭାରତ ପାଇଁ ନିରନ୍ତର ସମସ୍ୟା ସୃଷ୍ଟି କରୁଛି। ମାଉଣ୍ଟବାଟେନଙ୍କର ଭାରତ ତ୍ୟାଗ ସମୟରେ ନେହରୁ କହିଥିଲେ, “ଆମେ କ’ଣ କରିଛୁ, ତାହାର ସଠିକ ଆକଳନ କରିବା କଷ୍ଟକର। ଆମେ ଘଟଣାଗୁଡ଼ିକରୁ ବହୁତ ନିକଟତର ଅଛୁ। ହୁଏତ ଆମେ ବହୁତ ଭୁଲ କରିଛୁ।
ଏକ ବା ଦୁଇ ପିଢ଼ି ପରେ ଇତିହାସକାରମାନେ ନିଷ୍ପତ୍ତି ନେବେ ଯେ ଆମେ କ’ଣ ଠିକ୍ କରିଛୁ ଓ କ’ଣ ଭୁଲ। ବିଶ୍ୱାସ କରନ୍ତୁ ଆମେ ଠିକ୍ କରିବାକୁ ଚେଷ୍ଟା କରିଛୁ ଏବଂ ତେଣୁ ଆମର ଅନେକ ଭୁଲ କ୍ଷମା ହେବ।” କିନ୍ତୁ ୯ ଜୁଲାଇ ୧୯୪୮ରେ ନେହରୁଙ୍କର ନବାବ ଭୋପାଳଙ୍କୁ ଲେଖିଥିବା ଚିଠି ଦୁଃଖ, ଚିନ୍ତା, ନିରାଶା ଓ ପଶ୍ଚାତାପରେ ଭରା ଥିଲା।
ସେ ଲେଖିଥିଲେ, “ଏହା ଆମର ଦୁର୍ଭାଗ୍ୟ… ଭାରତ ଓ ପାକିସ୍ତାନର ଦୁର୍ଭାଗ୍ୟ… ଯେ ଖରାପ ପ୍ରବୃତ୍ତି ଜିତି ଗଲା… ମୁଁ ମୋର ବୟସ୍କ ଜୀବନର ଅଧିକାଂଶ ସମୟ କିଛି ଆଦର୍ଶର ପଛରେ ଚାଲିଛି ଓ ତାହାକୁ ଗ୍ରହଣ କରିଛି… କିନ୍ତୁ ତିରିଶ ବର୍ଷରୁ ଅଧିକ ସମୟ ଧରି ମୋର ନିରନ୍ତର ପ୍ରୟାସ ପରେ ମଧ୍ୟ ସଫଳତା ମିଳି ନାହିଁ, ତେଣୁ ମୋତେ ଯେଉଁ ଦୁଃଖ ହେଉଛି, ତାହାର କଳ୍ପନା କରି ପାରିବେ କି?
ମୁଁ ଜାଣିଛି ଯେ ଅନେକ ମାମଲାରେ ଦୋଷ ଆମ ଉପରେ ଅଛି। ବିଭାଜନ ହେଲା ଏବଂ ଆମେ ସମସ୍ତେ ତାହାକୁ ଗ୍ରହଣ କରିଲୁ, କାରଣ ଆମେ ଭାବିଲୁ ଯେ ଏହି ଉପାୟରେ, ଯଦିଓ ଏହା ବେଦନାଦାୟକ ହେଉଛି, ଆମେ କିଛି ଶାନ୍ତି ପାଇପାରିବୁ। ହୁଏତ ଆମେ ଭୁଲ ପଥରେ କାମ କରିଛୁ। ଏବେ ଏହା ନିଷ୍ପତ୍ତି ନେବା କଷ୍ଟକର। କିନ୍ତୁ ଏହି ବିଭାଜନର ପରିଣାମ ଏତେ ଭୟଙ୍କର ହୋଇଛି ଯେ ଜଣେ ଏହା ବିଚାର କରିବାକୁ ବାଧ୍ୟ ହୁଏ ଯେ ଅନ୍ୟ କୌଣସି ଉପାୟରେ ସମାଧାନ କିମ୍ବା ଆଲୋଚନାକୁ ଅଗ୍ରାଧିକାର ଦେଇ ହେବ।”
ALSO READ https://purvapaksa.com/one-million-deaths-83000-rapes-the-cost-of-the-india-pakistan-partition/
