ବିଜୁ ଜନତା ଦଳ ସରକାରରେ ଥିବା ସମୟରେ ହକି ଖେଳକୁ ନେଇ ବଡ଼ ଉତ୍ସାହ ସୃଷ୍ଟି କରିଥିଲେ । ହକି ଖେଳକୁ ନେଇ ବିଶ୍ଵରେ ନିଜର ପ୍ରଚାର କରିବା ପାଇଁ ନବୀନ ପଟ୍ଟନାୟକ ମଧ୍ୟ ବ୍ୟସ୍ତ ଥିଲେ । ସେତେବେଳେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥାତ ଡିଏମଏଫର ସମସ୍ତ ନିୟମ କାନୁନକୁ ମୋଡି ମକଚି ଦେଇଥିଲା ବିଜେଡି । ଯାହାର ପରିଣାମ ଏବେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ କୋଇଡା ଖଣି ଅଞ୍ଚଳର ନିରିହ ଶିଶୁମାନେ ଭୋଗିବାକୁ ବାଧ୍ୟ ହୋଇଛନ୍ତି । ଏବେ ରାଜ୍ୟରେ କୋଇଡା ଦ୍ୱତୀୟ ନଗଡା ଭାବେ ଉଭା ହୋଇଛି।
ଘଟଣାଟି କିଛି ଏହିପରି । ୨୦୨୧ ମସିହାରେ ହକି ବିଶ୍ୱକପ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ପୁନଃ ନିର୍ମାଣ ସହିତ ରାଉରକେଲାରେ ଏକ ନୁତନ ହକି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ସେତେବେଳେ ସୁନ୍ଦରଗଡ ଜିଲ୍ଲାପାଳ ଥିବା ନିଖିଲ ପବନ କଲ୍ୟାଣ ବିଜେଡି ସରକାରର ମୁଖିଆମାନଙ୍କୁ ଖୁସି କରିବା ପାଇଁ ଡିଏମଏଫ ପାଣ୍ଠିକୁ ଏହି ଷ୍ଟାଡିୟମ ନିର୍ମାଣରେ ଲଗାଇଦେଇଥିଲେ । ଡିଏମଏଫ ପାଣ୍ଠିର ମୂଳ ଉଦ୍ଦେଶ୍ୟ ଥିଲା ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ । କିନ୍ତୁ ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଖଣି ଅଞ୍ଚଳରେ ଖର୍ଚ୍ଚ ନକରି ବିଜେଡି ସରକାରର ପ୍ରଚାର ପ୍ରସାରକୁ ଅଧିକ ଗୁରୁତ୍ୱ ଦେଇଥିଲେ ।
ଅଫିସରମାନଙ୍କର ଏଭଳି ଅପରିଣାମଦର୍ଶୀ କାମ ପାଇଁ କୋଇଡା ଅଞ୍ଚଳର ଶିଶୁମାନେ ଏବେ ଅପପୃଷ୍ଟିର ଶିକାର ହୋଇଛନ୍ତି । ଏ ସର୍ମ୍ପକରେ ମିଳିଥିବା ତଥ୍ୟ ଅନୁସାରେ କୋଇଡା ବ୍ଲକର ୩ ହଜାର ୬୩୩ ଜଣ ଶିଶୁ ପୃଷ୍ଟିକର ଖାଦ୍ୟ ଅଭାବରୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ଏବେ କୋଇଡା ଅଞ୍ଚଳକୁ ରାଜ୍ୟର ଦ୍ୱିତୀୟ ନଗଡ଼ା ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ କୋଇଡା ଅଞ୍ଚଳର ଚିହ୍ନଟ ହୋଇଥିବା ୩ ହଜାର ୬୩୩ ଜଣ ଶିଶୁ ମଧ୍ୟରୁ ୨୩୧ ଜଣ ଏହି ଅପପୃଷ୍ଟି ସମସ୍ୟାରେ ସବୁଠାରୁ ଅଧିକ ପ୍ରଭାବିିତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୮ ହଜାର ୩୫୭ ଜଣ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ବେଳେ ୬୩୩ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଅଛନ୍ତି ।
୨୦୨୪ ମସିହାରେ ୧୩୦ ଜଣ ଅପପୃଷ୍ଟିର ଶିକାର ହୋଇଥିବା ବେଳେ ୨୦୨୫ରେ ଅଦ୍ୟାବିଧି ୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହି ଅଞ୍ଚଳରେ ରାଜ୍ୟ ସରକାର ମାସକୁ ୨ କୋଟି ୧୨ ଲକ୍ଷ ଟଙ୍କା ପୃଷ୍ଟିସାର ଖାଦ୍ୟ ଯୋଗାଇବା ପାଇଁ ବେୟ ହେଉଥିବା ଦାବୀ କରୁଛନ୍ତି । କିନ୍ତୁ ଏହାପରେ ବି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶିଶୁମାନଙ୍କ ପାଇଁ ଅଣ୍ଡା , ଛତୁଆ, ଓ ମାଣ୍ଡିଆ ଲଡୁ ମିଳୁ ନଥିବା ଲୋକମାନେ ଅଭିଯୋଗ କରୁଛନ୍ତି ।
କୋଇଡା ଖଣି ଅଞ୍ଚଳରୁ ରାଜ୍ୟ ଓ କେନ୍ଦ୍ର ସରକାରା ପ୍ରତି ବର୍ଷ ଶହ ଶହ କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ସେହି ଅଞ୍ଚଳର ଲୋକମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବା ବଡ ଦୁଖଃର ବିଷୟ । ଜିଲ୍ଲା ପ୍ରଶାସନର ଏଭଳି ଖିଆଲି ମନଭାବ ବିରୋଧରେ କୋଇଡା ଅଞ୍ଚଳର ଲୋକମାନେ ନକ୍ସଲ ସଂଗଠନରେ ଯୋଗ ଦେଉଛନ୍ତି ବୋଲି ଆଲୋଚନା ହେଉଛି। ଯଦି ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଏହା ମୁଣ୍ଡ ବିନ୍ଧାର କାରଣ ହେବ ଏଥିରେ ସନ୍ଦେହ ନାହିଁ ।
Also Readhttps://purvapaksa.com/what-is-the-impact-of-25-percent-tariff-on-indian-economy/


