ଉଚ୍ଚ ଶିକ୍ଷାନୁଷ୍ଠାନର ପରିସରରେ ବା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । କାହିଁକି ଏଭଳି ଘଟଣା ଘଟୁଛି, କିଭଳି ରୋକାଯାଇ ପାରିବ ଓ କ’ଣ ପଦକ୍ଷେପ ନିଆଯିବ ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କଫୋର୍ସ ବା ଏନଟିଏଫ ଗଠନ କରିବା ସହିତ ଉଭୟ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାର ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀ ଆଇଆଇଟିର ୨ଜଣ ଛାତ୍ର, ଖଡଗପୁର ଆଇଆଇଟିର ଜଣେ ଏବଂ ରାଜସ୍ଥାନ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ଅଭିଭାବକଙ୍କ ପକ୍ଷରୁ କରାଯାଇଥିବା ମାମଲା ଉପରେ ସୁପ୍ରିମକୋର୍ଟ ସାରା ଦେଶରେ ଘଟୁଥିବା ଏଭଳି ଘଟଣାକୁ ବିଚାରକୁ ନେଇଛନ୍ତି । ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତ୍ତି ଏସ. ରବୀନ୍ଦ୍ର ଅଧ୍ୟକ୍ଷତାରେ କରାଯିବ ବୋଲି ଜଣାଯାଇଛି । ସୁପ୍ରିମକୋର୍ଟରେ ବିଚାରପତି ଜଷ୍ଟିସ ଜେ.ବି. ପାରଦିୱାଲ ଏବଂ ଆର, ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପାହ୍ୟାରୁ ଉର୍ଦ୍ଧ୍ୱ ପାହ୍ୟାର ଜଣେ ଜଣେ ଅଫିସରଙ୍କୁ ଏଥିପାଇଁ ନୋଡାଲ ଅଫିସରଭାବେ ନିଯୁକ୍ତ କରିବେ ଓ ଟାସ୍କଫୋର୍ସ ମାଗୁଥିବା ସମସ୍ତ ତଥ୍ୟ ଯୋଗାଇ ଦେବେ । କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ଥିତି କ’ଣ ରହୁଛି ଓ ସେମାନେ କାହିଁକି ଆତ୍ମହତ୍ୟା ବା ଆତ୍ମାହୂତି ଭଳି ନିଷ୍ପତ୍ତି ନେଉଛନ୍ତି ସେଥିନେଇ ଟାସ୍କଫୋର୍ସ ଅନୁଧ୍ୟାନ କରିବ ।
କ୍ୟାମ୍ପସରେ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ତା’ର ପୂର୍ଣାଙ୍ଗ ରିପୋର୍ଟ ଦେବାକୁ ମଧ୍ୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)କୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ଏନେଇ ବରିଷ୍ଠ ଆଡଭୋକେଟ ଅପର୍ଣ୍ଣା ଭଟ୍ଟଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତି କରିଛନ୍ତି । ଆସନ୍ତା ୨୧ ତାରିଖକୁ ପରବର୍ତ୍ତୀ ଶୁଣାଣି ରହିଛି।
