ପୁଣି ରାଜ୍ୟରେ ନିଆଁ ସହ ହେଲା ଖେଳ। ପେଟ୍ରୋଲ ଦିଆସିଲି ଜାଳିଲା ଆଉ ଗୋଟିଏ ଝିଅର ଶରୀର । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବର ଗାଁରୁ ଆସିଲା ମହିଳା ନିର୍ଯାତନାର ଆଉ ଏକ ଛାତିଥରା ଘଟଣା । ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାକୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ଛାନ ଭିନ୍ କରୁଛି। କିଏ ଏମିତି କଲା ଓ କାହିଁକି କଲା ତଦନ୍ତ କରୁଛି ପୁଲିସ । ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ନିମାପଡ଼ାର ଏ ଘଟଣା ରାଜ୍ୟରେ ନାରୀ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିପିଲି ମେଡିକାଲରୁ ଏମ୍ସକୁ ସ୍ଥାନାନ୍ତର ହୋଇଛନ୍ତି ଛାତ୍ରୀ । ଝିଅଟି ୬୦% ପୋଡି ଯାଇଥିବା ଡାକ୍ତର କହିଛନ୍ତି।
ତେବେ ଏହି ଘଟଣା ନେଇ ବଡ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା । ଏହାସହ ଏମ୍ସରେ ନାବାଳିକାର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା। ତେବେ ଏମ୍ସ ଯାଇ ଆଜି ପୀଡ଼ିତାଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ । ତେବେ ଏହି ଘଟଣା ପଛର ମୂଳ କାରଣ କଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ।
ସୂଚନା ଅନୁଯାୟୀ, ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ଏବେ ମହିଳା ଆଉ ଝିଅ କେତେ ସୁରକ୍ଷିତ? ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ସରକାରଙ୍କ ଉପରେ ଚାପି ସୃଷ୍ଟି କରୁଛି ବୋଲି କୁହାଯାଉଛି। ତେବେ ଦେଖାଯାଉ ଏହି ମାମଲାର ପର୍ଦ୍ଦାଫାସ କେବେ ହେଉଛି।
Also Readhttps://purvapaksa.com/modi-is-still-visible-for-15-20-years-bjp-mp/
