ଭାରତରେ NCERTର ଅଷ୍ଟମ ଶ୍ରେଣୀର ଇତିହାସ ପୁସ୍ତକରେ ଆକବର ଓ ଔରଙ୍ଗଜେବଙ୍କ ଶାସନକାଳ ବିଷୟରେ ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇଛି, ଯାହା ଉପରେ ବିବାଦ ମଧ୍ୟ ଆରମ୍ଭ ହୋଇଛି । ପୁସ୍ତକରେ ଆକବରଙ୍କ ଶାସନକୁ ଅନ୍ୟ ଧର୍ମ ପ୍ରତି ନିଷ୍ଠୁରତା ଓ ସହିଷ୍ଣୁତାର ମିଶ୍ରଣ ବୋଲି ବର୍ଣ୍ଣନା କରାଯାଇଛି । ଆଉ ଔରଙ୍ଗଜେବଙ୍କୁ ଧାର୍ମିକ କଟ୍ଟର ନୀତି ଅବଲମ୍ବନ କରୁଥିବା ଶାସକ ବୋଲି କୁହାଯାଇଛି । ପାକିସ୍ତାନର ବିଦ୍ୟାଳୟ ପାଠ୍ୟପୁସ୍ତକରେ ଔରଙ୍ଗଜେବଙ୍କ ପ୍ରଶଂସା ହୁଏ, କିନ୍ତୁ ଆକବରଙ୍କୁ ନିନ୍ଦା କରାଯାଏ । ଅନ୍ୟପକ୍ଷରେ ବାଂଲାଦେଶରେ ଏହାର ଓଲଟା ଦେଖିବାକୁ ମିଳେ । ଆସନ୍ତୁ ଜାଣିବା ପାକିସ୍ତାନ ଓ ବାଂଲାଦେଶ ମୋଗଲ ଯୁଗର ଦୁଇ ଶାସକଙ୍କୁ ନେଇ କଣ ମନୋଭାବ ରଖନ୍ତି ?
NCERTର ଅଷ୍ଟମ ଶ୍ରେଣୀ ପୁସ୍ତକରେ ଆକବରଙ୍କ ଧାର୍ମିକ ସହିଷ୍ଣୁତା ନୀତି, ଯେପରିକି ଜଜିୟା କର ଉଠାଇ ଦେବା ଓ ଦୀନ-ଇ-ଇଲାହୀର ପ୍ରଚଳନ, ଉପରେ ଜୋର ଦିଆଯାଇଛି । ପୁସ୍ତକରେ ଔରଙ୍ଗଜେବଙ୍କୁ ଧାର୍ମିକ କଟ୍ଟର ଶାସକ ଭାବେ ବର୍ଣ୍ଣନା କରାଯାଇଛି ଏବଂ ଏହା ମଧ୍ୟ ଲେଖାଯାଇଛି ଯେ ସେ ଅଣମୁସଲିମମାନଙ୍କ ଉପରେ ଜଜିୟା କର ପୁନଃ ଲାଗୁ କରିଥିଲେ ଓ ଅନେକ ସହରରେ ମନ୍ଦିର, ଗୁରୁଦ୍ୱାର ଆଦି ଭାଙ୍ଗିଥିଲେ । ବାବର, ଆକବର, ଔରଙ୍ଗଜେବ ଭଳି ମୁଗଲ ଶାସକମାନଙ୍କର ନିଷ୍ଠୁରତା, ମନ୍ଦିର ଭାଙ୍ଗିବା, ଦମନକାରୀ ନୀତି ଓ ଯୁଦ୍ଧ ସମ୍ବନ୍ଧୀୟ ହିଂସା ବିଷୟରେ ବିସ୍ତୃତ ଭାବେ ଲେଖାଯାଇଛି ।
ଭାରତର ଅନେକ ଇତିହାସକାର ଓ ଶିକ୍ଷା ବିଶେଷଜ୍ଞ ଏହି ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି । ଗୋଟିଏ ପକ୍ଷ ମତ ଦିଅନ୍ତି ଯେ ପୁସ୍ତକରୁ ‘ମୋଗଲ’ ଓ ଦିଲ୍ଲୀ ସଲ୍ତନତ ସମ୍ବନ୍ଧୀୟ ଅଂଶ ହଟାଇବା ବା ବଦଳାଇବା ଦ୍ୱାରା ଇତିହାସର ଏକପାକ୍ଷିୟ ବା ରାଜନୈତିକ ବ୍ୟାଖ୍ୟା ପିଲାମାନଙ୍କୁ ଶିଖାଯାଉଛି । ଅନ୍ୟ ପକ୍ଷର ଯୁକ୍ତି ହେଉଛି ଯେ ଅତ୍ୟାଚାର ଓ ସହିଷ୍ଣୁତା ଦଇଟି ଗ୍ରହଣ କରି ପିଲାମାନଙ୍କୁ ଆଲୋଚନାତ୍ମକ ଚିନ୍ତନ ଶିଖାଇବାର ପ୍ରୟାସ କରାଯାଉଛି।
ପାକିସ୍ତାନର ବିଦ୍ୟାଳୟ ପାଠ୍ୟପୁସ୍ତକରେ ଔରଙ୍ଗଜେବଙ୍କୁ ନାୟକ ଭାବେ ପ୍ରତିଷ୍ଠା କରାଯାଇଛି । ତାଙ୍କୁ ‘ଇସଲାମର ରକ୍ଷକ’, ନ୍ୟାୟପରାୟଣ ଓ ଧାର୍ମିକ ବାଦଶାହ ଭାବେ ଦର୍ଶାଯାଇଛି । ତାଙ୍କୁ ହିନ୍ଦୁ ବିରୋଧୀ ନୁହେଁ ବରଂ ‘ଶୁଦ୍ଧ ଇସଲାମୀ ଶାସନ’ ପ୍ରତିଷ୍ଠା କରୁଥିବା ଶାସକ ବୋଲି କୁହାଯାଇଛି । ଜଜିୟା କରକୁ ‘ଇସଲାମୀ ପରମ୍ପରାର ପୁନଃସ୍ଥାପନ’ ଭାବେ ଦର୍ଶାଯାଇଛି ।
ପାକିସ୍ତାନର ଇତିହାସ ଲେଖନରେ ଔରଙ୍ଗଜେବଙ୍କୁ ‘ମୋଗଲ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ସୁନ୍ନୀ ଶାସକ’ ବୋଲି କୁହାଯାଇଛି । ତାଙ୍କୁ ଇସଲାମର ରକ୍ଷକ ଭାବେ ବର୍ଣ୍ଣନା କରାଯାଇଛି । ପାକିସ୍ତାନରେ ଇତିହାସକୁ ପ୍ରାୟତଃ ଇସଲାମୀ ଦୃଷ୍ଟିକୋଣରୁ ପଢ଼ାଯାଇଛି । ସେଠାକାର ପାଠ୍ୟପୁସ୍ତକରେ ଔରଙ୍ଗଜେବ ବିଷୟରେ ମୁଖ୍ୟ ବିଷୟଗୁଡ଼ିକ ହେଉଛି:
– ତାଙ୍କୁ ଏକ ପବିତ୍ର ଓ ସଚ୍ଚୋଟ ମୁସଲିମ ଶାସକ ଭାବେ ବର୍ଣ୍ଣନା କରାଯାଇଛି, ଯିଏ ଇସଲାମୀ ନିୟମ (ଶରିୟା) ଲାଗୁ କରିଥିଲେ।
– ତାଙ୍କ ସାଦାସିଧା ଜୀବନ ଓ ଧାର୍ମିକତା ଉପରେ ଜୋର ଦିଆଯାଇଛି (ଯେପରିକି ନିଜ ହାତରେ କୁରାନର ନକଲ କରି ଟଙ୍କା ରୋଜଗାର କରିବା)।
– ଜଜିୟା କର ଓ ମନ୍ଦିର ଭାଙ୍ଗିବା ଭଳି କାମକୁ ‘ଇସଲାମୀ ରାଷ୍ଟ୍ରର ନିୟମ ପାଳନ’ ବୋଲି ନ୍ୟାୟସଙ୍ଗତ କରାଯାଇଛି।
– ତାଙ୍କ ଦକ୍ଷିଣ ଭାରତ ବିଜୟକୁ ‘ଇସଲାମର ପ୍ରସାର’ ବୋଲି କୁହାଯାଇଛି, ଯଦିଓ ଏହି ଯୁଦ୍ଧଗୁଡ଼ିକ ମୁଗଲ ସାମ୍ରାଜ୍ୟକୁ ଦୁର୍ବଳ କରିଥିଲା।
ପାକିସ୍ତାନର ପାଠ୍ୟପୁସ୍ତକରେ ଆକବରଙ୍କୁ ଖଳନାୟକ ଭାବେ ଦର୍ଶାଯାଇଛି । ସେଠାକାର ପୁସ୍ତକରେ ଅକବରଙ୍କୁ ଧାର୍ମିକ ଦୃଷ୍ଟିକୋଣରୁ ନକାରାତ୍ମକ ଭାବେ ଚିତ୍ରିତ କରାଯାଇଛି । ଅକବରଙ୍କ ଦୀନ-ଇ-ଇଲାହୀକୁ ‘ଇସଲାମରୁ ବିଚ୍ୟୁତି’ ବୋଲି କୁହାଯାଇଛି । ତାଙ୍କୁ ‘ଧର୍ମନିରପେକ୍ଷ କିନ୍ତୁ ଅଣ-ଇସଲାମୀ’ ଶାସକ ବୋଲି କୁହାଯାଇଛି । ତାଙ୍କ ଧାର୍ମିକ ସହିଷ୍ଣୁତାକୁ ଅନେକ ସମୟରେ ଇସଲାମୀ ପରିଚୟକୁ କ୍ଷତି ପହଞ୍ଚାଉଥିବା ବୋଲି ବିବେଚନା କରାଯାଇଛି।
– ଦୀନ-ଇ-ଇଲାହୀକୁ ‘ଇସଲାମ ବିରୋଧୀ’ ବୋଲି କୁହାଯାଇଛି । ଆକବର ୧୫୮୨ରେ ଏକ ନୂଆ ଧାର୍ମିକ ଦର୍ଶନ ‘ଦୀନ-ଇ-ଇଲାହୀ’ ଆରମ୍ଭ କରିଥିଲେ, ଯାହା ଇସଲାମ, ହିନ୍ଦୁ, ଜୈନ, ଖ୍ରୀଷ୍ଟିଆନ ଆଦି ଧର୍ମର ତତ୍ତ୍ୱଗୁଡ଼ିକୁ ସାମିଲ କରୁଥିଲା । ପାକିସ୍ତାନର ପୁସ୍ତକରେ ଏହାକୁ ‘ବିଚ୍ୟୁତି’ ବା ‘ଭୁଲ’ ବୋଲି କୁହାଯାଇଛି ।
– ତାଙ୍କୁ ଏପରି ଶାସକ ଭାବେ ଦର୍ଶାଯାଇଛି ଯିଏ ‘କାଫିରମାନଙ୍କ ସହ ମିଶି ଇସଲାମକୁ ଦୁର୍ବଳ କରିଥିଲେ’।
– ଅକବରଙ୍କୁ ଇସଲାମୀ ପରିଚୟକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଶାସକ ବୋଲି କୁହାଯାଇଛି।
ପାକିସ୍ତାନର ପାଠ୍ୟପୁସ୍ତକରେ ଆକବରଙ୍କୁ ନିନ୍ଦା କରାଯାଇଛି, ଏହା କୁହାଯାଇଛି ଯେ ସେ ଇସଲାମକୁ ସମାପ୍ତ କରିବାକୁ ଚେଷ୍ଟା କରିଥିଲେ। ଆକବର ନମାଜ ପଢ଼ିବା ବନ୍ଦ କରିଦେଇଥିଲେ, ଇସଲାମୀ ନିୟମକୁ ଅଣଦେଖା କରିଥିଲେ ଏବଂ ଉଲେମାଙ୍କ ପରାମର୍ଶକୁ ଅସ୍ୱୀକାର କରିଥିଲେ।
ଆକବରଙ୍କ ରାଜପୂତମାନଙ୍କ ସହ ବୈବାହିକ ସମ୍ପର୍କ ଓ ହିନ୍ଦୁ ସରଦାରମାନଙ୍କୁ (ଯେପରିକି ରାଜା ମାନସିଂହ) ଉଚ୍ଚ ପଦ ଦେବା ଉପରେ ମଧ୍ୟ ସମାଲୋଚନା କରାଯାଇଛି। ଏହାକୁ ‘ଇସଲାମୀ ଶକ୍ତିର ଅପମାନ’ ଓ ‘ହିନ୍ଦୁମାନଙ୍କ ସହ ଅତ୍ୟଧିକ ବୁଝାମଣା ନୀତି’ ବୋଲି ଲେଖାଯାଇଛି। ତାଙ୍କୁ କଟ୍ଟରପନ୍ଥୀ ଶିକ୍ଷାରେ ‘ନରମ ଓ ଧର୍ମହୀନ’ ବୋଲି କୁହାଯାଇଛି। ଆକବର ଇସଲାମୀ କଟ୍ଟରପନ୍ଥକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିବାରୁ ଓ ‘ସାଂସ୍କୃତିକ ମିଶ୍ରଣ’ ଦ୍ୱାରା ଭାରତୀୟ ପରିଚୟକୁ ପ୍ରୋତ୍ସାହନ ଦେଇଥିବାରୁ ପାକିସ୍ତାନକୁ ପସନ୍ଦ ହେଉନଥିଲେ।
ପାକିସ୍ତାନର ନବମ ଓ ଦଶମ ଶ୍ରେଣୀର ପାକିସ୍ତାନ ଅଧ୍ୟୟନ ପୁସ୍ତକରେ ଅକବରଙ୍କୁ ‘ଭ୍ରାନ୍ତ ଓ ଧର୍ମରୁ ବିଚ୍ୟୁତ’ ବୋଲି କୁହାଯାଇଛି । ସିନ୍ଧ ବୋର୍ଡ ଓ ପଞ୍ଜାବ ବୋର୍ଡର ପୁସ୍ତକରେ ଲେଖାଯାଇଛି: “ଅକବର ଇସଲାମକୁ ଦୁର୍ବଳ କରିଥିଲେ । ଏକ ନୂଆ ଧର୍ମ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, ଯାହା ମୁସଲିମମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଥିଲା ।” ଅନ୍ୟ ଏକ ପାକିସ୍ତାନୀ ପାଠ୍ୟପୁସ୍ତକରେ କୁହାଯାଇଛି: “ସେ ଇସଲାମ ବିରୋଧରେ ନିଜର ମନର କଥା ପ୍ରଚାର କରିଥିଲେ ଓ ଦୀନ-ଇ-ଇଲାହୀ ଭଳି ବିଭ୍ରାନ୍ତି ସୃଷ୍ଟି କରିଥିଲେ।”
ବାଂଲାଦେଶର ପାଠ୍ୟପୁସ୍ତକରେ କ’ଣ ପଢ଼ାଯାଇଛି:
ଆକବର ବିଷୟରେ:
– ଆକବରଙ୍କୁ ଏକ ସହିଷ୍ଣୁ ଓ ଦକ୍ଷ ଶାସକ ଭାବେ ବର୍ଣ୍ଣନା କରାଯାଇଛି।
– ତାଙ୍କ ଧାର୍ମିକ ସହିଷ୍ଣୁତା (ସୁଲହ-ଇ-କୁଲ) ଓ ହିନ୍ଦୁ-ମୁସଲିମ ଐକ୍ୟକୁ ପ୍ରୋତ୍ସାହନ ଦେଉଥିବା ନୀତିର ପ୍ରଶଂସା କରାଯାଇଛି।
– ରାଜପୂତମାନଙ୍କ ସହ ସମ୍ପର୍କ ଓ ଦୀନ-ଇ-ଇଲାହୀ ଭଳି ନୀତିର ଉଲ୍ଲେଖ ରହିଛି।
– ବଙ୍ଗଳା (ସେତେବେଳେ ସୁବା)ରେ ତାଙ୍କ ପ୍ରଶାସନିକ ସୁଧାର, ଯେପରିକି ଟୋଡରମଲଙ୍କ ଭୂ-ରାଜସ୍ୱ ବ୍ୟବସ୍ଥା, ଗୁରୁତ୍ୱ ଦିଆଯାଇଛି।
ଔରଙ୍ଗଜେବଙ୍କ ସମାଲୋଚନା:
– ଔରଙ୍ଗଜେବଙ୍କୁ ଏକ କଟ୍ଟର ସୁନ୍ନୀ ମୁସଲିମ ଶାସକ ଭାବେ ଦର୍ଶାଯାଇଛି ।
– ତାଙ୍କ ଜଜିୟା କର ଓ ମନ୍ଦିର ଭାଙ୍ଗିବାର ସମାଲୋଚନା କରାଯାଇଛି ।
– କେତେକ ପାଠ୍ୟପୁସ୍ତକରେ ତାଙ୍କୁ କଠୋର ନ୍ୟାୟପରାୟଣ ଶାସକ ଭାବେ ମଧ୍ୟ ବର୍ଣ୍ଣନା କରାଯାଇଛି, କିନ୍ତୁ ତାଙ୍କ ଧାର୍ମିକ ନୀତିକୁ ପ୍ରାୟତଃ ଅସହିଷ୍ଣୁ ବୋଲି ବିବେଚନା କରାଯାଇଛି ।
ବାଂଲାଦେଶର ଇତିହାସରେ ଆକବରଙ୍କୁ ‘ମହାନ’ ବୋଲି ଗ୍ରହଣ କରାଯାଇଛି, କିନ୍ତୁ ଔରଙ୍ଗଜେବ ବିବାଦୀୟ। ଇସଲାମୀ ପରିଚୟ ହେତୁ ଔରଙ୍ଗଜେବଙ୍କୁ କେତେକ ଗ୍ରନ୍ଥରେ ଧାର୍ମିକ ଶାସକ ଭାବେ ଦର୍ଶାଯାଇଛି, ଯଦିଓ ତାଙ୍କ ନୀତିର ସମାଲୋଚନା ମଧ୍ୟ ହୁଏ।
