ରକ୍ତାଭାବ ହେଉଛି ବିଶ୍ୱର ଏକ ବଡ଼ ସମସ୍ୟା । ଏହା ହେତୁ ବିଶ୍ୱରେ ବହୁ ସଂଖ୍ୟାରେ ମୃତ୍ୟୁ ଘଟୁଛି । କିନ୍ତୁ ଏବେ ଏହା ଆଉ ହେବ ନାହିଁ, କାରଣ ଜାପାନ ଏପରି ଏକ ବାଇଗଣି ରଙ୍ଗର କୃତ୍ରିମ ରକ୍ତ ତିଆରି କରିଛି, ଯାହା ଗେମ ଚେଞ୍ଜର ସାବ୍ୟସ୍ତ ହେବ । କହିହେବ ଯେ ଜାପାନ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଯୁଗର ଆୟାରମ୍ଭ କରିଛି, ଯାହା ଗେମ ଚେଞ୍ଜର ହେବ ।
ଏହି କୃତ୍ରିମ ରକ୍ତକୁ ହିମୋଗ୍ଲୋବିନ ଭେସିକଲସ (ଏଚବିଭିଏସ) ନାମରେ ଜଣାଯାଏ । ଏହି ରକ୍ତର ଅନେକ ବିଶେଷତ୍ୱ ରହିଛି । ଏହା ଏକ ଏପରି କୃତ୍ରିମ ରକ୍ତ, ଯାହା ପ୍ରକୃତ ରକ୍ତ ପରି ଅମ୍ଳଜାନକୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ପହଞ୍ଚାଇବାରେ ସକ୍ଷମ । ଏହା ହିମୋଗ୍ଲୋବିନ ଉପରେ ଆଧାରିତ, ଯାହା ଲାଲ ରକ୍ତ କଣିକାର ସେହି ଅଂଶ ଯାହା ଅମ୍ଳଜାନକୁ ବାନ୍ଧି ନେଇଯାଏ ।
ଜାପାନର ଏହି ପ୍ରଯୁକ୍ତିରେ ଲିପିଡ ମେମ୍ବ୍ରେନରେ ଆବୃତ ନାନୋ ଆକାରର ହିମୋଗ୍ଲୋବିନ କଣିକାର ବ୍ୟବହାର କରାଯାଏ, ଯାହା ୨୫୦ ନାନୋମିଟର ଆକାରର ଛୋଟ କୃତ୍ରିମ ଲାଲ ରକ୍ତ କଣିକା ଭାବେ କାର୍ଯ୍ୟ କରେ । ଏହାର ବାଇଗଣୀ ରଙ୍ଗ ଏହାକୁ ସାଧାରଣ ରକ୍ତଠାରୁ ଅଲଗା କରେ, ଯାହା ଲାଲ ରଙ୍ଗର ହୋଇଥାଏ ।
ଏହି ରକ୍ତ ଯେ କାହାକୁ ମଧ୍ୟ ଦିଆଯାଇପାରେ
ଏହା ଏକ ସାର୍ବଜନୀନ ରକ୍ତ ହେବ । ଏହାକୁ ଯେକୌଣସି ରକ୍ତ ଗ୍ରୁପ (ଏ, ବି, ଏବି, ଓ) ଥିବା ବ୍ୟକ୍ତିଙ୍କୁ ଦିଆଯାଇପାରିବ, କାରଣ ଏଥିରେ ରକ୍ତ ଗ୍ରୁପ ମାର୍କର ନଥାଏ । ଏହା ଦ୍ୱାରା ରକ୍ତ ଗୋଷ୍ଠୀ ମେଳାଇବାର ଆବଶ୍ୟକତା ଶେଷ ହୋଇଯିବ। ଏହା ଭାଇରସ ମୁକ୍ତ ହେବ, ତେଣୁ ଏଥିରୁ ଏଚଆଇଭି, ହେପାଟାଇଟିସ ଭଳି ଭାଇରସର ବିପଦ ରହିବ ନାହିଁ ।
ଏହା କେତେ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ
ଏହି ରକ୍ତର ଆୟୁଷ ଦୀର୍ଘ । ଏହାକୁ ଘରୋଇ ତାପମାତ୍ରାରେ ୨ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରାଯାଇପାରିବ, ଯେତେବେଳେ ସାଧାରଣ ରକ୍ତ ମାତ୍ର ୪୨ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିଥାଏ । ଏହାକୁ ପୁରୁଣା କିମ୍ବା ମିଆଦ ପୂର୍ଣ୍ଣ ହୋଇଯାଇଥିବା ଦାନ କରାଯାଇଥିବା ରକ୍ତରୁ ତିଆରି କରାଯାଇପାରିବ, ଯାହା ରକ୍ତର ଅପଚୟ କମାଇବ । ଏହା ପ୍ରାକୃତିକ ରକ୍ତ ପରି ଅମ୍ଳଜାନକୁ ଶରୀରରେ ପ୍ରଭାବଶାଳୀ ଭାବେ ପହଞ୍ଚାଇଥାଏ ।
ଏହା କିପରି ତିଆରି କରାଯାଇଛି
ଜାପାନର ନାରା ମେଡିକାଲ ୟୁନିଭରସିଟିରେ ଏହାକୁ ପ୍ରୋଫେସର ହିରୋମି ସାକାଇ ଓ ତାଙ୍କ ଦଳ ତିଆରି କରିଛନ୍ତି । ଏହା ତିଆରି ପାଇଁ ଏକ ଅନନ୍ୟ ପ୍ରକ୍ରିୟା ଗ୍ରହଣ କରାଯାଇଛି । ପୁରୁଣା କିମ୍ବା ମିଆଦ ପୂର୍ଣ୍ଣ ହୋଇଯାଇଥିବା ଦାନ କରାଯାଇଥିବା ରକ୍ତରୁ ହିମୋଗ୍ଲୋବିନ ବାହାର କରାଯାଏ । ତା’ପରେ ହିମୋଗ୍ଲୋବିନକୁ ନାନୋ ଆକାରର ଲିପିଡ ମେମ୍ବ୍ରେନରେ ଆବୃତ କରାଯାଏ, ଯାହା ଏହାକୁ ସ୍ଥିରତା ଓ କାର୍ଯ୍ୟକ୍ଷମତା ପ୍ରଦାନ କରେ ।
ଏଥିରେ ୨୫୦ ନାନୋମିଟର ଆକାରର କୃତ୍ରିମ କଣିକା ତିଆରି କରାଯାଏ, ଯାହା ପ୍ରାକୃତିକ ଲାଲ ରକ୍ତ କଣିକା ପରି କାର୍ଯ୍ୟ କରେ । ଉତ୍ପାଦନ ପ୍ରକ୍ରିୟାରେ ଉଚ୍ଚ ସ୍ତରୀୟ ଶୁଦ୍ଧିକରଣ ପ୍ରଯୁକ୍ତିର ବ୍ୟବହାର କରାଯାଏ, ଯାହା ଏହାକୁ ସମ୍ପୂର୍ଣ୍ଣ ନିରାପଦ କରିଥାଏ ।
ଏହି କୃତ୍ରିମ ରକ୍ତ କାହିଁକି ଗେମ-ଚେଞ୍ଜର
୧. ରକ୍ତାଭାବକୁ ପୂରଣ କରେ
ବିଶ୍ୱବ୍ୟାପୀ ରକ୍ତାଭାବ ଏକ ଗମ୍ଭୀର ସମସ୍ୟା। ଡବ୍ଲୁଏଚଓ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୧୧.୨ କୋଟି ୟୁନିଟ ରକ୍ତ ଦାନ କରାଯାଏ, କିନ୍ତୁ ଏହା ଚାହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ ଖାସ କରି ଜରୁରୀ ପରିସ୍ଥିତିରେ ଯେପରିକି ଅସ୍ତ୍ରୋପଚାର, ଦୁର୍ଘଟଣା କିମ୍ବା ପ୍ରସବ ସମୟରେ ରକ୍ତାଭାବ ହେତୁ ଅନେକ ଲୋକଙ୍କ ଜୀବନ ଚାଲିଯାଏ। ଏହି କୃତ୍ରିମ ରକ୍ତ ଏହି ଅଭାବକୁ ପୂରଣ କରିପାରେ, କାରଣ ଏହାକୁ ବଡ଼ ପରିମାଣରେ ତିଆରି କରାଯାଇପାରିବ। ଯେକୌଣସି ରକ୍ତ ଗ୍ରୁପ ପାଇଁ ଏହାର ବ୍ୟବହାର କରାଯାଇପାରିବ।
୨. ଜରୁରୀ ପରିସ୍ଥିତିରେ ଜୀବନ ରକ୍ଷାକାରୀ
ଏହି କୃତ୍ରିମ ରକ୍ତକୁ ଘରୋଇ ତାପମାତ୍ରାରେ ସଂରକ୍ଷିତ କରି ଦୂରଦୂରାନ୍ତ ଅଞ୍ଚଳକୁ ସହଜରେ ନିଆଯାଇପାରିବ। ଏହାର ଏହି ବିଶେଷତ୍ୱ ସେନା, ବିପର୍ଯ୍ୟୟ ରିଲିଫ ଟିମ ଓ ମୋବାଇଲ ହସପିଟାଲ ପାଇଁ ଏକ ଆଦର୍ଶ ସମାଧାନ।
୩. ରକ୍ତ ଗୋଷ୍ଠୀ ମେଳାଇବାର ଆବଶ୍ୟକତା ନାହିଁ
ବର୍ତ୍ତମାନରେ ଯଦି କାହାକୁ ରକ୍ତ ଦେବାକୁ ହୁଏ, ତେବେ ପ୍ରଥମେ ଦାତାର ରକ୍ତ ନେଇ ଯାଞ୍ଚ କରାଯାଏ, ରକ୍ତ ଗ୍ରୁପ୍ ଦେଖାଯାଏ। ଏହା ଦେଖାଯାଏ ଯେ ତାଙ୍କ ରକ୍ତ ଯେଉଁ ବ୍ୟକ୍ତିଙ୍କୁ ଦିଆଯାଉଛି, ତାହା ସେହି ବ୍ୟକ୍ତିଙ୍କ ସହ କେତେ ମେଳ ଖାଉଛି କି ନାହିଁ। ରକ୍ତ ଗ୍ରୁପ୍ ମେଳାଇବା ଏକ ଜଟିଳ ପ୍ରକ୍ରିୟା। ଭୁଲ ରକ୍ତ ଗ୍ରୁପ୍ ଦେଲେ ଗମ୍ଭୀର ପରିସ୍ଥିତି ହୋଇପାରେ, ସ୍ୱାସ୍ଥ୍ୟ ବିଗିଡ଼ି ଯାଇପାରେ।
କୃତ୍ରିମ ରକ୍ତରେ ଏହି ସମସ୍ୟା ନାହିଁ, କାରଣ ଏହା ସାର୍ବଜନୀନ। ଏହା ଚିକିତ୍ସକମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବା ଓ ଚିକିତ୍ସା ଆରମ୍ଭ କରିବାରେ ସୁବିଧା ଦେଇଥାଏ।
୪. ଅସ୍ତ୍ରୋପଚାର ଓ ଚିକିତ୍ସାରେ ବ୍ୟବହାର
ଅସ୍ତ୍ରୋପଚାର, ବିଶେଷ କରି ହୃଦ୍ ଅସ୍ତ୍ରୋପଚାର, ଅଙ୍ଗ ପ୍ରତିରୋପଣ କିମ୍ବା ବଡ଼ ପରିମାଣରେ ରକ୍ତସ୍ରାବ ହେଉଥିବା ମାମଲାରେ ରକ୍ତର ଆବଶ୍ୟକତା ହୋଇଥାଏ। କୃତ୍ରିମ ରକ୍ତ ଏହି ପରିସ୍ଥିତିରେ ତୁରନ୍ତ ଉପଲବ୍ଧ ହୋଇପାରେ, ଯାହା ରୋଗୀଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ।
୫. ଭାଇରସ ଓ ସଂକ୍ରମଣରୁ ମୁକ୍ତି
ପାରମ୍ପରିକ ରକ୍ତରେ ଭାଇରସ କିମ୍ବା ବ୍ୟାକ୍ଟେରିଆର ବିପଦ ରହିଥାଏ, କିନ୍ତୁ କୃତ୍ରିମ ରକ୍ତର ଉତ୍ପାଦନ ପ୍ରକ୍ରିୟା ଏହାକୁ ସମ୍ପୂର୍ଣ୍ଣ ନିରାପଦ କରିଥାଏ। ଏହା ସେହି ଅଞ୍ଚଳଗୁଡ଼ିକରେ ବିଶେଷ ଭାବେ ଉପଯୋଗୀ, ଯେଉଁଠାରେ ରକ୍ତର ଶୁଦ୍ଧତା ସୁନିଶ୍ଚିତ କରିବା କଷ୍ଟକର।
ମୂଷାଠାରୁ ମଣିଷ ପର୍ଯ୍ୟନ୍ତ ପରୀକ୍ଷଣ
ଜାପାନରେ ଏହି କୃତ୍ରିମ ରକ୍ତର ଅନେକ ସ୍ତରରେ ପରୀକ୍ଷଣ କରାଯାଇଛି। ମୂଷାଙ୍କ ଉପରେ କରାଯାଇଥିବା ପ୍ରାରମ୍ଭିକ ପରୀକ୍ଷଣରେ ୯୦% ରକ୍ତକୁ ଏହି କୃତ୍ରିମ ରକ୍ତ ସହ ବଦଳାଯାଇଥିଲା। ସେମାନଙ୍କର ରକ୍ତଚାପ, ଅମ୍ଳଜାନ ସ୍ତର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ସାଧାରଣ ରହିଥିଲା।
୨୦୨୦ରେ ଜାପାନରେ ୧୦ ମିଲି, ୫୦ ମିଲି ଓ ୧୦୦ ମିଲି ଡୋଜ ସହ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ୨୦୨୫ ପର୍ଯ୍ୟନ୍ତ ୧୦୦-୪୦୦ ମିଲି ଡୋଜ ସହ ଆଉ ପରୀକ୍ଷଣ କରାଯାଇଥିଲା, ଯେଉଁଥିରେ କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିଲା।
ଏବେ ଆଗକୁ କ’ଣ ହେବ ?
୨୦୩୦ ସୁଦ୍ଧା ଏହାର ବଡ଼ ପରିମାଣରେ ଉତ୍ପାଦନ ଆରମ୍ଭ ହେବ। ଏହାକୁ ସମଗ୍ର ବିଶ୍ୱରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯିବ।
ଏଥିରେ କ’ଣ ଅସୁବିଧା ?
ଏହାର ମୂଲ୍ୟ ଏବେ ବେଶ ମହଙ୍ଗା। ବଡ଼ ପରିମାଣରେ ଉତ୍ପାଦନ ପାଇଁ ମୂଲ୍ୟ କମାଇବା ଆବଶ୍ୟକ, ଯାହା ଦ୍ୱାରା ଏହା ବିକାଶଶୀଳ ଦେଶଗୁଡ଼ିକରେ ମଧ୍ୟ ସୁଲଭ ହୋଇପାରିବ। ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ନିୟାମକ ସଂସ୍ଥାଗୁଡ଼ିକରୁ ଅନୁମୋଦନ ପାଇବା ଏକ ଜଟିଳ ପ୍ରକ୍ରିୟା ହେବ। ଦୀର୍ଘ ସମୟ ବ୍ୟବହାରର ପ୍ରଭାବ ବୁଝିବା ପାଇଁ ଆହୁରି ଗବେଷଣାର ଆବଶ୍ୟକତା ରହିଛି।
ଯଦି ଏହା ସଫଳ ହୁଏ ତେବେ କ’ଣ ହେବ ?
– ରକ୍ତ ବ୍ୟାଙ୍କ ଉପରେ ନିର୍ଭରଶୀଳତା କମିବ। ରକ୍ତ ଦାନର ଅଭାବ ହେତୁ ହେଉଥିବା ସମସ୍ୟାଗୁଡ଼ିକ କମିବ।
– ବିକାଶଶୀଳ ଦେଶଗୁଡ଼ିକରେ, ଯେଉଁଠାରେ ରକ୍ତାଭାବ ଏକ ବଡ଼ ସମସ୍ୟା, ସେଠାରେ ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିପାରିବ।
– ଅସ୍ତ୍ରୋପଚାର, ଜରୁରୀ ଚିକିତ୍ସା ଓ ସୈନ୍ୟ ଚିକିତ୍ସାରେ ଏହାର ବ୍ୟବହାର ଚିକିତ୍ସା ସେବାକୁ ଦ୍ରୁତ ଓ ଅଧିକ ପ୍ରଭାବଶାଳୀ କରିବ।
ALSO READ https://purvapaksa.com/odisha-bandh-disrupts-normal-life-in-bhubaneswar-cuttack-twin-city/
