ଓଡ଼ିଶା ପାଲଟିଛି ତାଲିବାନ ଆଉ ଏଠି ପ୍ରେମ କରିବା ମହାପାପ । ପ୍ରେମ କରିବ ତ ବଳଦ ହେବ, ହଳ କରିବ ଆଉ ଗାଁରୁ ବାଛନ୍ଦ ହୋଇ ରହିବ। ଆମେ ଏମିତି କାହିଁକି କହୁଛୁ ଆପଣ ଏହି ଆଲେଖ୍ୟ ପଢିବା ପରେ ଜାଣିପାରିବେ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କଞ୍ଜାମଯୋଡି ଗାଁରେ ପ୍ରେମୀ ଯୁଗଳଙ୍କ କାନ୍ଧରେ ଜୁଆଳି ପକାଇ ଜମିରେ ହଳ କରିବା ଘଟଣାର ଦୁଇଦିନ ପରେ କୋରାପୁଟ ନାରାୟଣପାଟଣାରୁ ସମାନ ଘଟଣା ସାମ୍ନାକୁ ଆସିଛି । ଦେଖିବାକୁ ମିଳିଛି ପ୍ରେମୀ ଯୁଗଳଙ୍କ ଉପରେ ତାଲିବାନୀ ଶାସନର ଆଉ ଏକ ଝଲକ । ବେକରେ ଶକ୍ତ ଜୁଆଳିର ବୋଝ ବୋହି ଲଙ୍ଗଳ ଧରି ଟାଣି ଟାଣି ନେଇଛନ୍ତି ଯୁବକ ଯୁବତୀ। ପ୍ରେମୀ ଯୁଗଳଙ୍କ କାନ୍ଧରେ ପଶୁଭଳି ଜୁଆଳି ପକେଇ ବୁଲେଛନ୍ତି ଗାଁ ଲୋକେ। ତିନି ଦିନ ବ୍ୟବଧାନରେ ଏଭଳି ଦୁଇ ଦୁଇ ଟି ଅମାନବୀୟ ଘଟଣା ପ୍ରମାଣ କରିଦେଉଛି ଓଡ଼ିଶାରେ ଏବେ ତାଲିବାନୀ ଶାସନ ଚାଲିଛି ଆଉ ଏହାର ପ୍ରଥମ ଶିକାର ପ୍ରେମୀ ଯୁଗଳ ହେଉଛନ୍ତି। କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବୋରିଗି ପଞ୍ଚାୟତର ପେଦାଇଟିକି ଗ୍ରାମରେ ସମ୍ପର୍କୀୟ ଭାଇ-ଭଉଣୀଙ୍କ ପ୍ରେମ ସମ୍ପର୍କକୁ ପରମ୍ପରାର ବିରୋଧାଚରଣ କୁହାଯାଇଛି। ରିଷ୍ଟ ଖଣ୍ଡନ ପାଇଁ ପ୍ରେମୀଯୁଗଳଙ୍କ କାନ୍ଧରେ ଯୁଆଳି ପକେଇ ଦେବୀ ପୀଠ ଆଗରେ ଘେରା ବୁଲାଇବା ସହ ଆମ୍ବପତ୍ର ପାଣି ସିଞ୍ଚି ଦୋଷମୁକ୍ତ କରାଯାଇଛି। ଏହାସହ ସେମାନଙ୍କୁ ଗ୍ରାମବାସୀ ସ୍ବାମୀସ୍ତ୍ରୀ ଭାବେ ସ୍ବୀକୃତି ଦେଇଛନ୍ତି।
ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ପେଦାଇଟିକି ଗ୍ରାମର ଘଟଣାରେ ପୀଡିକା ସାଙ୍ଗିଆଧାରୀ ଜଣେ ଯୁବତୀଙ୍କ ସହ ସମାନ ସାଙ୍ଗିଆଧାରୀ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ତେଣୁ ଏଭଳି ଦଣ୍ଡ ପାଇଲେ। ଯେଉଁମାନେ ହେଉଛନ୍ତି ପେଦାଇଟିକିର ନରେନ୍ଦ୍ର ପୀଡିକା (୨୨) ଏବଂ ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ନଦୀମିଟିକି ଗ୍ରାମର ଅଶାନ୍ତି ପୀଡିକା (୨୧), ଉଭୟ ସାବାଳକ ମଧ୍ୟ। ଉଭୟ ରଥଯାତ୍ରା ଦିନ ଗାଁ ବାହାରକୁ ଚାଲିଯାଇଥିଲେ, କେହି କେହି କହୁଛନ୍ତି ଦୁଇଜଣ ଯାକ ଆନ୍ଧ୍ରପ୍ରଦେଶ ପଳେଇ ଯାଇଥିଲେ। ଏବଂ ସେମାନେ ଘଟଣା ଘଟିବାର ଦୁଇଦିନ ଆଗରୁ ଗାଁକୁ ଫେରିଥିଲେ। ଏହାକୁ ନେଇ ରବିବାର ଅପରାହ୍ନରେ ଦୁଇ ଗାଁର ଭଦ୍ରଲୋକ ଓ ପରିବାର ଲୋକଙ୍କୁ ଡକେଇ ବୈଠକ ବସେଇଥିଲେ । ପ୍ରେମୀଯୁଗଳ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମର ଇଷ୍ଟ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟଙ୍କୁ ବଳଦ ଭଳି ଦଣ୍ଡ ଦେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରେମୀଯୁଗଳଙ୍କ ବେକରେ ଶକ୍ତ ଜୁଆଳିର ବୋଝ ସାଙ୍ଗକୁ ଲଙ୍ଗଳ ଜୋଚି ଗାଁ ଇଷ୍ଟ ଦେବୀଙ୍କ ମନ୍ଦିର ଆଗରେ ବୁଲାଇଥିଲେ ଏବଂ ଆମ୍ବ ପତ୍ର ପାଣି ପକେଇ ଦୋଷ ମୁକ୍ତ କରିଥିଲେ। ଏହାପରେ ଉଭୟଙ୍କୁ ସ୍ୱୀକୃତି ମିଳିବା ସହ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ନେଇ ନିଜ ଘରକୁ ଫେରି ଯାଇଥିଲେ। ତେବେ କନ୍ଧ ସମ୍ପ୍ରଦାୟରେ ସମ୍ପର୍କୀୟ ବା ନିଜ ଗୋତ୍ରରେ ବିବାହ ପାପ ବୋଲି ଧରାଯାଏ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଘଟଣାର ପଛରେ ରହିଛି ଆଦିବାସୀ ସମାଜର ପୁରାତନ ପରମ୍ପରା। ପରମ୍ପରା ଅନୁସାରେ, ଗୋଟିଏ ବଂଶ ବା ଜାତିରେ ପ୍ରେମ ବିବାହ ହେଲେ ଗାଁରେ ଫସଲ ନଷ୍ଟ ହେବ, ଚାଷ ଉଜୁଡ଼ି ଯିବ, ବର୍ଷା ନହେବା ସହ ରୋଗବ୍ୟାଧି ଓ ଅଶାନ୍ତି ଦେଖାଦେବାର ବିଶ୍ୱାସ ରହିଛି। ଏହାକୁ ରୋକିବା ନିମନ୍ତେ ଗାଁ ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ବଳଦ ଦଣ୍ଡ ଦିଆଯାଇ ପ୍ରେମୀଯୁଗଳଙ୍କୁ ଗାଁରେ ପ୍ରବେଶ ଅନୁମତି ଦିଆଯିବାର ବିଧି ରହିଛି। ତେବେ ସ୍ଥାନୀୟ ୱାର୍ଡ ମେମ୍ବର ଗୁମ୍ଫା ହୁଇକା ମଧ୍ୟ ସମାନ ଭାବନାକୁ ପ୍ରତିଫଳିତ କରିଥିଲେ ଏବଂ ଏହାକୁ ଏକ ‘ପାରମ୍ପରିକ ଶୁଦ୍ଧିକରଣ ପ୍ରକ୍ରିୟା’ ବୋଲି କହିଥିଲେ ଯାହା ମାଧ୍ୟମରେ ଦମ୍ପତି ବଡ଼ମାନଙ୍କଠାରୁ କ୍ଷମା ମାଗନ୍ତି। ତେବେ ଏଭଳି ପରମ୍ପରାକୁ ସାଧାରଣରେ ମାନବାଧିକାର ଉଲ୍ଲଙ୍ଘନ ବୋଲି ମତ ପ୍ରକାଶ ପାଇବା ସହ ସାମଜିକ କର୍ମୀ ଏହାକୁ ନିନ୍ଦା କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପାଇ ପୁଲିସ ପେଡାଇଟିକି ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ପଚରାଉଚରା ଚଳାଇଛି। ରାୟଗଡା ଓ କୋରାପୁଟ ଜିଲ୍ଲାର ଏହି ଅମାନୁଷିକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
Also Readhttps://purvapaksa.com/if-not-aadhar-what-documents-are-valid-proof-of-indian-citizenship/
