ଶେଷ ହୋଇଛି ଚଳିତବର୍ଷର ରଥଯାତ୍ରା । ରତ୍ନସିଂହାସନରେ ବିଜେ କରିସାରିଛନ୍ତି ମହାପ୍ରଭୁ । ହେଲେ ଏଥର ରଥଯାତ୍ରା ଅନେକ ଘଟଣା, ଦୁର୍ଘଟଣା ଓ ବିଭ୍ରାଟର ମୂକସାକ୍ଷୀ ପାଲଟିଛି । ଅର୍ଥାତ୍ ଘୋଷଯାତ୍ରା ଆରମ୍ଭରୁ ଶେଷ ଯାଏ ବିଶୃଙ୍ଖଳା ଓ ବିଭ୍ରାଟକୁ ନେଇ ଚର୍ଚ୍ଚାରେ ରହିଥିଲା । ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥରର ରଥଯାତ୍ରା ଐତିହାସିକ ଏବଂ ସ୍ମରଣୀୟ ହେବ ବୋଲି କହିଥିଲେ । ଏଥିପାଇଁ ଘନଘନ ବୈଠକ ବସିବା ସହ ଶୃଙ୍ଖଳିତ ରଥଯାତ୍ରାର ବ୍ଲୁ-ପ୍ରିଣ୍ଟ ବି ପ୍ରସ୍ତୁତ ହୋଇଥିଲା । କିନ୍ତୁ ଠିକଣା ବେଳକୁ ସବୁ ଫେଲ୍ ମାରିଲା । ତେଣୁ ବିଭ୍ରାଟକୁ ନେଇ ଏଥର ରଥଯାତ୍ରା ସ୍ମରଣୀୟ ରହିବ ବୋଲି ବୁଦ୍ଧିଜୀବୀମହଲରେ ଚର୍ଚ୍ଚା, ଆଲୋଚନା ହେଉଛି ।
ଚଳିତବର୍ଷ ରଥଯାତ୍ରାକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ବହୁ ବୈଠକ ବସିଥିଲା । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆର୍ଡିସି, ଆଇନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସମୀକ୍ଷା ବୈଠକ । ଏପରିକି, ମନ୍ତ୍ରୀସ୍ତରୀୟ କମିଟି ଏକାଧିକଥର ସମୀକ୍ଷା କରିଥିବା ବେଳେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ମାନସମନ୍ଥନ ବି ହୋଇଥିଲା । ମୁଖ୍ୟମନ୍ତ୍ରୀ ବି ଏଥର ତ୍ରୁଟିଶୂନ୍ୟ ଏବଂ ଦିବ୍ୟ ରଥଯାତ୍ରା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ହେଲେ ଠିକଣା ବେଳକୁ ସବୁ ପ୍ରସ୍ତୁତି, ସବୁ ଯୋଜନା ଫେଲ୍ ମାରିଥିଲା । ରଥ ନିର୍ମାଣଠାରୁ ହିଁ ବିଶୃଙ୍ଖଳା ଆରମ୍ଭ ହୋଇଥିଲା।ପ୍ରଥମେ ରଥ ନିର୍ମାଣ ଲାଗି କାଠର ଅଭାବକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ନିର୍ମାଣକାରୀ । ପରେ ସେମାନଙ୍କୁ ଆବଶ୍ୟକ କାଠ ଯୋଗାଇ ଦିଆଯାଇଥିଲା । ସେହିପରି ମହାପ୍ରଭୁଙ୍କ ସୁସ୍ଥ ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି ଘଟଣା ସମସ୍ତଙ୍କୁ ମର୍ମାହତ କରିଥିଲା ।
ଠାକୁରମାନଙ୍କୁ ଲାଗି କରିବା ପୂର୍ବରୁ କେହି ଜଣେ ନେଇଯାଇଥିଲା ୭୦ ମୋଦକ । ସେହିଦିନ ନନ୍ଦିଘୋଷ ରଥ ତଳେ ଜଣେ ମହିଳା ନମାଜ ପାଠ କରୁଥିଲେ । ବର୍ଷା ହେବାରୁ ନନ୍ଦିଘୋଷ ରଥ ତଳେ ଅନେକ ଶ୍ରଦ୍ଧାଳୁ ଆଶ୍ରୟ ନେଇଥିଲେ। ହେଲେ ମୁସଲିମ ମହିଳା ନମାଜ ପାଠ କରୁଥିବା ବେଳେ ଏହାକୁ ନେଇ ସେଠାରେ କିଛି ସମୟ ରତ୍ତେଜନା ପ୍ରକାଶ ପାଇଥିଲା।
ରଥଯାତ୍ରା ଦିନ ସନ୍ଧ୍ୟା ସମୟରେ ନନ୍ଦିଘୋଷ ରଥ କର୍ଡନ୍ ପାଖରେ ଠେଲାପେଲା ଘଟି ବହୁ ରକ୍ତ ତଳେ ପଡ଼ି ଆହତ ହୋଇଥିଲେ । ମୋଦକ କଥା ଆଉ ଟିକିଏ ଦେଖାଯାଉ। ମାରା ମୋଦକ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯାଇଥିଲା ।ମାରା ମୋଦକ ଲାଗି କରାଯାଇଥିବାରୁ ଠାକୁରମାନେ ସୁସ୍ଥ ହେଲେ କିପରି ବୋଲି ଅନେକ ପ୍ରଶ୍ନ ଉଠାଇଥିଲେ ।ସେହିପରି ରଥଯାତ୍ରା ଦିନ ରଥଟଣାରେ ଦେଖା ଦେଇଥିଲା ବିଭ୍ରାଟ। ନିର୍ଘଣ୍ଟ ସମୟରେ ନୀତିକାନ୍ତି ସତ୍ତ୍ବେ ଗୋଟିଏ ବି ରଥ ଶରଧାବାଲି ଛୁଇଁପାରି ନ ଥିଲା । ତାଳଧ୍ଵଜ ରଥ ବଳଗଣ୍ଡିରେ ଏବଂ ଦର୍ପଦଳନ ରଥ ମରୀଚିକୋଟରେ ଅଟକି ରହିଥିବା ବେଳେ ନନ୍ଦିଘୋଷ ରଥ ପାହୁଣ୍ଡେ ଗଢ଼ି ସିଂହଦ୍ଵାର ଆଗରେ ଠିଆ ହୋଇଥିଲା।
ଆଉ ଏକ ଅସୁବିଧା ସୃଷ୍ଟି କରିଥିଲେ ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର । ତାଙ୍କ ଦଦେଇଙ୍କ ପରଲୋକର ୬ଦିନରେ ସେ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀଙ୍କ ସହିତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଯାହାକୁ ନେଇ ବେଶ୍ ହୋ ହଲ୍ଲା ଦେଇଥିଲା । କଡ଼ା କଟକଣା ସତ୍ତ୍ଵେ ରଥ ଉପରକୁ ମୋବାଇଲ ଫୋନ ନେବା, ବାହୁଡ଼ା କର୍ଡନ ଭିତରେ ପୁଲିସକୁ ସେବାୟତଙ୍କ ତାଗିଦ ଭଳି ଅନେକ ବିବାଦୀୟ ସ୍ଥିତିର ମୂକସାକ୍ଷୀ ରହିଛି ଚଳିତବର୍ଷର ରଥଯାତ୍ରା।
ଏବର୍ଷ ଘୋଷଯାତ୍ରାର ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗ ରହିଥିଲା ଶରଧାବାଲିରେ ଦଳାଚକଟା। ନବଦିନାତ୍ମକ ଯାତ୍ରାରେ ଆସିଥିବା ଶ୍ରୀଜୀଉମାନେ ରଥ ଉପରେ ଥିବା ବେଳେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟି ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ରଥଯାତ୍ରା ଅଧାରୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କର ବଦଳି କରାଯାଇଥିବା ବେଳେ ଦୁଇଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଗଲା । ଏପରିକି, ରଥଯାତ୍ରା ମଝିରେ ମୁଖ୍ୟମନ୍ତ୍ରୀ ପୁରୀ ଆସି ପୁଣି ପ୍ରସ୍ତୁତିର ସମୀକ୍ଷା କଲେ। ସେହିପରି ସୁନାବେଶରେ ବି ଅଘଟଣ ଘଟିଲା। ସିଂହବାର ସମ୍ମୁଖ ରାଧାବଲ୍ଲର ମଠରୁ ଜଗତ୍ସିଂହପୁର ଜିଲ୍ଲା ପାଟେଳା ଗାଁର ବାବାଜୀ ବେହେରାଙ୍କର ମୃତ୍ୟୁ ହୋଇଥିଲା। ଅସୁସ୍ଥ ଏବଂ ଆହତଙ୍କ ସଂଖ୍ୟା ଏଥର ରେକର୍ଡ କରିଥିବା ବେଳେ ଏ ବର୍ଷ ରଥଯାତ୍ରାର ଟ୍ରାଫିକ ବ୍ୟବସ୍ଥା ସବୁଠୁ ବିପର୍ଯ୍ୟସ୍ତ ରହିଥିଲା।
ଦୀର୍ଘ ୮/୯ ଦିନ ଧରି ଶରଧାବାଲି ସଂଲଗ୍ନ ପୁରାବାସୀ ଏକପ୍ରକାର ବନ୍ଦୀ ଜୀବନ କାଟିଥିଲେ। ଘରୁ ବାଇକ୍ ବାହାର କଲେ, ସେମାନଙ୍କୁ ପୁଲିସର ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ମୋଟାମୋଟି ଭାବେ ଚଳିତବର୍ଷ ରଥଯାତ୍ରା ବିବାଦ, ବିଶୃଙ୍ଖଳା ଓ ବିଭ୍ରାଟ ବହୁଳ ଥିଲା ଏଥିରେ ଦ୍ଵିମତ ନାହିଁ।
ALSO READ https://purvapaksa.com/tv-news-channels-favorite-villain-the-muslim-is-back/
