ମଣିଷ ଇତିହାସରୁ ଶିକ୍ଷା ଲାଭ କରେ । କିନ୍ତୁ ରାଜ୍ୟରେ ବଷର୍କ ତଳେ କ୍ଷମତାକୁ ଆସିଥିବା ବିଜେପି ସରକାରର ମନ୍ତ୍ରୀମାନେ ଗର୍ବରେ ଏତେ ଫାଟି ପଡ଼ୁଛନ୍ତି ଯେ ଇତିହାସରୁ କିଛି ଶିକ୍ଷା ଲାଭ କରିବାକୁ ଉଚିତ ମନେ କରୁନାହାନ୍ତି । ଯାହାଫଳରେ ଲୋକଙ୍କ ସେବା ପାଇଁ ଚାକିରି କରିଥିବା କର୍ମଚାରୀଙ୍କ ହାତରେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ଏବେ ଅଫିସରଙ୍କ ହାତରେ କଣ୍ଢେଇ ସାଜିବାକୁ ପସନ୍ଦ କରୁଛନ୍ତି ।
୨୦୦୬ରେ ବିଜେଡି-ବିଜେପି ମେଂଟ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ବିଜେପି ନେତା ସମୀର ଦେ । ସେତେବେଳେ ରାଜ୍ୟର ଯେଉଁ କଲେଜରେ ଓଡ଼ିଆ ବିଭାଗରେ ଛାତ୍ର ନାମ ଲେଖାଉନଥିଲେ ସେହି କଲେଜର ଓଡ଼ିଆ ବିଭାଗ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀ ସମୀର ଦେଙ୍କୁ ପରାମର୍ଶ ଦେଇଥିଲେ । ଏ କଥା ପ୍ରଘଟ ହେବା ପରେ କଳିଙ୍ଗ ସେନାର କର୍ମକର୍ତ୍ତାମାନେ ସଚିବାଳୟରେ ପଶି ମନ୍ତ୍ରୀ ସମୀର ଦେଙ୍କ ଉପରେ ଆକ୍ରମଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଭାଗ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।
ଏହି ଘଟଣାର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ସେଭଳି ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି । ଅତୀତ ଘଟଣାରୁ ବର୍ତ୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ କିଛି ଶିକ୍ଷା ଲାଭ କରିଥିବା ଭଳି ମନେ ହୁଏନାହିଁ । ବିଜେପିର ମୋହନ ସରକାରଙ୍କୁ ବଦନାମ୍ କରିବା ପାଇଁ ବିଜେଡି ର୍ମାକା ଅଫିସରମାନେ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି ସେଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୋହରା ସାଜିଛନ୍ତି । ଘଟଣାଟି ଏହିପରି । ଏବେ ରାଜ୍ୟର କଲେଜଗୁଡ଼ିକରେ ଅଧ୍ୟାପକ ନାହାନ୍ତି କି ନିଯୁକ୍ତ ମଧ୍ୟ ନାହିଁ । ଅଧ୍ୟାପକ ନ ଥିବାରୁ ପାଠପଢ଼ା ହେଉନଥିବାରୁ ଛାତ୍ରଛାତ୍ରୀମାନେ କଲେଜମାନଙ୍କରେ ପାଠପଢ଼ିବାକୁ ମନ ବଳାଉନାହାନ୍ତି । ଏଭଳି ସ୍ଥିତିରେ ବିଜେପି ସରକାର ଅଧ୍ୟାପକ ନିଯୁକ୍ତି ନ କରି ଛାତ୍ର ନାମଲେଖାରେ ଦୀର୍ଘକାଳୀନ ହ୍ରାସ ସହିତ ଖରାପ ପ୍ରଦର୍ଶନ କରୁଥିବା କଲେଜ ଏବଂ ପାଠ୍ୟକ୍ରମଗୁଡ଼ିକୁ ବନ୍ଦ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।
ଜୁନ୍ ୧୧ ଏବଂ ୧୨ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଅନୁଷ୍ଠିତ ହାଇ-ପାୱାର କମିଟି (ଏଚପିସି)ର ଏକ ବୈଠକରେ କଲେଜ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ଉନ୍ନତ କରିବା ଆଳରେ ଏଭଳି ସୁପାରିଶ କରିଛି । ରିପୋର୍ଟ ଅନୁଯାୟୀ, ଗତ ତିନିରୁ ଚାରିବର୍ଷ ମଧ୍ୟରେ ଯେଉଁ ପାଠ୍ୟକ୍ରମ କିମ୍ବା କଲେଜରେ ସିଟ୍ ଖାଲି ରହିଛି କିମ୍ବା ପ୍ରବେଶ ସର୍ବନିମ୍ନ ରହିଛି, ପ୍ରାୟତଃ କେବଳ ଚାରି କିମ୍ବା ପାଂଚଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ, ସେଗୁଡ଼ିକୁ ଚିହ୍ନଟ କରି ବନ୍ଦ କରିବା ପାଇଁ ଏଚପିସି କର୍ତ୍ତୃପକ୍ଷଙ୍କୁ ନିର୍ଦେ୍ଦଶ ଦେଇଛି ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ବୈଠକର କାର୍ଯ୍ୟପନ୍ଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଆଂଚଳିକ ଶିକ୍ଷା ନିର୍ଦେ୍ଦଶକ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ସହିତ ଆଲୋଚନା କରାଯାଇଥିଲା ।
ଏଚପିସି ମଧ୍ୟ କେନ୍ଦୁଝର, ବଲାଙ୍ଗିର ଏବଂ କୋରାପୁଟ ଜିଲ୍ଲାରେ ତିନିଟି ଘରୋଇ ଏବଂ ସ୍ୱୟଂ-ଅର୍ଥନୈତିକ କଲେଜ ଏବଂ ଅନ୍ୟ ତିନିଟି ପ୍ରତିଷ୍ଠାନରେ କିଛି ପାଠ୍ୟକ୍ରମକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲା, ଯାହା ଅବ୍ୟବହାର୍ଯ୍ୟ ଶିକ୍ଷାଗତ ଏବଂ ଆର୍ଥିକ ପରିସ୍ଥିତି ଦର୍ଶାଇଛି । ଯଦି ଉଚ୍ଚଶିକ୍ଷା ବିଭାଗ ଓ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟରେ ଶିକ୍ଷା ବାତାବରଣକୁ ସୁସ୍ଥ କରିବା ପରିବର୍ତେ୍ତ ଅଫିସରଙ୍କ ହାତରେ କଣେ୍ଢଇ ସାଜି ଏଭଳି କଲେଜଗୁଡ଼ିକୁ ବନ୍ଦ କରନ୍ତି ତେବେ ଘରୋଇ କଲେଜଗୁଡ଼ିକଦ୍ୱାରା ରାଜ୍ୟର ଗରିବ ଛାତ୍ରମାନେ ଶୋଷଣର ଶିକାର ହୋଇ ଶିକ୍ଷା ଅଧିକାରରୁ ବଂଚିତ ହେବେ ।
ALSO READ https://purvapaksa.com/sanjeeb-panda-appointed-as-new-adg-of-anti-naxal-operations/
