ଗତକାଲି ସଭାପତି ଆସନ ପକ୍କା କରିବା ପରେ ଆଜି ସରକାରରେ ପରିବର୍ତ୍ତନ ଇଙ୍ଗିତ କରିଛନ୍ତି ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ । ଉପଯୁକ୍ତ ସମୟ ଆସିଲେ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ବଢ଼ିବ । ଏଥିଲାଗି ସବୁ ଆଲୋଚନା ଚାଲିଛି । ଖୁବ ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଖାଲି ମନ୍ତ୍ରିମଣ୍ଡଳ ନୁହେଁ ରାଜ୍ୟରେ ଖାଲିପଡ଼ିଥିବା ନିଗମ ଅଧ୍ୟକ୍ଷ ଭାବେ ମଧ୍ୟ ବିଜେପିର ଟାଣୁଆ ନେତାଙ୍କୁ ଦାୟିତ୍ୱ ମିଳିବ ବୋଲି କହିଛନ୍ତି ମନମୋହନ । ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବା ଅବସରରେ ଶ୍ରୀ ସାମଲ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଯୋଜନା ଚାଲିଛି । ଏହା ଖୁବ୍ ଶୀଘ୍ର ହେବ । ଉପଯୁକ୍ତ ସମୟରେ ଉପଯୁକ୍ତ ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ । ଖାଲି ସେତିକି ନୁହେଁ ରାଜ୍ୟରେ ଥିବା ବିଭିନ୍ନ ନିଗମ ଏବଂ ବୋର୍ଡ ପୁନର୍ଗଠନ କରାଯିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ୧୬ଜଣ ସଦସ୍ୟ ରହିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ସର୍ବାଧିକ ୨୨ଜଣ ମନ୍ତ୍ରୀ ରହିପାରିବେ । ଏଣୁ ରାଜ୍ୟରେ ଖାଲିପଡ଼ିଥିବା ୬ ମନ୍ତ୍ରୀଙ୍କ ଦାୟିତ୍ୱ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ତୁଲାଉଛନ୍ତି । ଏହାଦ୍ୱାରା ସେମାନଙ୍କ ଉପରେ ଚାପ ବଢ଼ୁଛି ଏବଂ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଠିକଣା ଭାବେ ଆଗକୁ ପରିଚାଳିତ ହୋଇପାରୁନାହିଁ । ସେଥିଲାଗି ଅନେକ ସମୟରେ ଳଗଣମାଧ୍ୟମରେ ସରକାରଙ୍କୁ ସମାଲୋଚନା କରାଯାଇଛି । ଏପରିକି ବିରୋଧି ଦଳ ମଧ୍ୟ ସମାଲୋଚନା କରିଛି। ଦଳରେ ବି ଅସନ୍ତୋଷ ବଢ଼ୁଥିବା ଖବର ମିଳିଛି । ଆଗକୁ ସମୟ କମୁଥିବାରୁ ଖୁବ୍ ଶୀଘ୍ର ଏ ଦିଗରେ ସରୀକାରଙ୍କ ଉପରେ ଚାପ ପକାଇବା ଲାଗି ଅନେକ ନେତା ମଧ୍ୟ ଆଲୋଚନା କରିଛନ୍ତି । ଏଣୁ ମନମୋହନଙ୍କ ଏହି ମନ୍ତବ୍ୟ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଲାଗି ବାଟ ଫିଟାଇବା ସହ ନେତାମାନଙ୍କ ମଧ୍ୟରେ ମଧ୍ୟ ନୂଆ ଆଶା ସଞ୍ଚାର କରିଛି ।
ମଙ୍ଗଳବାର ମନମୋହନ ସାମଲ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । ଏହା ପୂର୍ବରୁ ମନମୋହନ ୨୦୨୩ ମାର୍ଚ୍ଚ ମାସରୁ ସଭାପତି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କରି ନେତୃତ୍ୱରେ ଦଳ ନିର୍ବାଚନ ଜିତି ସରକାର ଗଠନ କରିଛି । ଏଣୁ କେନ୍ଦ୍ରୀୟ ନେତୃତ୍ୱ ତାଙ୍କ ପଦବୀରେ ପରିବର୍ତ୍ତନ କରିବାକୁ ଚାହିନାହାନ୍ତି । ଆଜି ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ଅବସରରେ ସେ କହିଛନ୍ତି ଯେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ଆମେ କାମ କରୁଛୁ । ଏଥିପାଇଁ ଲିଙ୍ଗରାଜଙ୍କ ଆଶିଷ କାମନା କରିବାକୁ ଆସିଥିଲି । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି । ନିଶ୍ଚିତଭାବେ ଓଡ଼ିଶା ଆଗକୁ ଯାଇପାରିବ ଏବଂ ଦେଶରେ ଏକ ନମ୍ବର ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ସାମଲଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ ।
ALSO READ https://purvapaksa.com/mahanadi-swells-in-odisha/
