ଭାରତୀୟ ସଶସ୍ତ୍ର ବାହିନୀ ଚଳିତ ବର୍ଷ ମେ’ ମାସରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ବିରୋଧରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କୀ ହମଲାର ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। କିନ୍ତୁ ପାକିସ୍ତାନୀ ସେନାର ପାଲଟା ହମଲା ପରେ ଏହା ଏକ ସାମରିକ ସଂଘର୍ଷରେ ପରିଣତ ହୋଇଥିଲା। ଏହା ପରେ ଯାହା ହେଲା, ତାହା ପାକିସ୍ତାନ ପାଇଁ କେବେ ନ ଭୁଲିବା ଭଳି ଶିକ୍ଷା । ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ୧୧ଟି ସାମରିକ ବିମାନଘାଟିକୁ ନିଶାନା କରିଥିଲା । ସାମରିକ ବିଶେଷଜ୍ଞମାନେ ଭାରତର ଏହି ଅପରେସନ୍କୁ ୧୯୭୧ ପରେ ସବୁଠାରୁ ବଡ଼ ବିଜୟ ବୋଲି ଅଭିହିତ କରିଛନ୍ତି ।
ଭାରତର ସାମରିକ ଇତିହାସ ଉପରେ ଯେତେବେଳେ ଦୃଷ୍ଟି ଦିଆଯିବ, ୧୯୭୧ର ଯୁଦ୍ଧ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ଏହି ଯୁଦ୍ଧରେ ଭାରତୀୟ ବାହିନୀ ପାକିସ୍ତାନୀ ସେନାକୁ ନିଷ୍ପତ୍ତିମୂଳକ ଭାବେ ପରାସ୍ତ କରିଥିଲା, ଯାହା ଫଳରେ ବାଂଲାଦେଶ ନାମକ ଏକ ନୂତନ ଦେଶର ଉଦୟ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ତାନର ୯୦,୦୦୦ରୁ ଅଧିକ ସୈନିକ ଆତ୍ମସମର୍ପଣ କରିଥିଲେ, ଯାହା ବିଶ୍ୱ ସାମରିକ ଇତିହାସରେ ସବୁଠାରୁ ବଡ଼ ଆତ୍ମସମର୍ପଣ ମଧ୍ୟରୁ ଗୋଟିଏ। କିନ୍ତୁ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ଏପରି କିଛି କଲା, ଯାହା ୧୯୭୧ ଯୁଦ୍ଧରେ ମଧ୍ୟ ହୋଇନଥିଲା।
ପାକିସ୍ତାନର ଗଡ଼ରେ ପଶିଲା ଭାରତ:
ଯୁରେସିଆନ୍ ଟାଇମ୍ସରେ ପ୍ରକାଶିତ ଏକ ଲେଖରେ ସାମରିକ ବିଶେଷଜ୍ଞ ଲେଫ୍ଟିନାଣ୍ଟ ଜେନେରାଲ ରାଜ ଶୁକ୍ଳା (ଅବସରପ୍ରାପ୍ତ) ଓ ଜନ୍ ସ୍ପେନ୍ସର କହିଛନ୍ତି ଯେ ୧୯୭୧ ଯୁଦ୍ଧରେ ଭାରତ ଗୋଟିଏ ଜିନିଷ କରିପାରିନଥିଲା। ଏହା ପଶ୍ଚିମ ମୋର୍ଚ୍ଚାରେ ଆଗକୁ ବଢ଼ିପାରିନଥିଲା, ପାକିସ୍ତାନର ଗଡ଼ରେ ପଶିପାରିନଥିଲା ଓ ରାୱଲପିଣ୍ଡିର ସାମରିକ ପ୍ରାଧାନ୍ୟକୁ ଦୋହଲାଇ ପାରିନଥିଲା। କିନ୍ତୁ ଅପରେସନ୍ ସିନ୍ଦୂର ଏହି ସମୀକରଣକୁ ବଦଳାଇ ଦେଇଛି। ମାତ୍ର ଚାରି ଦିନର ସାମରିକ ସଂଘର୍ଷରେ ଭାରତ କେବଳ ସୀମା ଅତିକ୍ରମ କରି ଆତଙ୍କବାଦୀ ହମଲାର ଜବାବ ଦେଇନଥିଲା, ବରଂ ପାକିସ୍ତାନର ପଶ୍ଚିମ ସାମରିକ କୋର୍ରେ ଗଭୀର ଆଘାତ ଦେଇଥିଲା।
ପାକିସ୍ତାନୀ ସେନାର ସମ୍ମାନ ଧୂଳିସାତ୍
ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ଯୁଦ୍ଧ ବିମାନ ରାୱଲପିଣ୍ଡିରେ ପାକିସ୍ତାନୀ ସେନାର ଜେନେରାଲ ହେଡକ୍ୱାର୍ଟର (ଜିଏଚ୍କ୍ୟୁ) ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଉଡ଼ିଥିଲା ଓ ନୂର ଖାନ ଏୟାରବେସ (ଚକଲାଲା) ଉପରେ ସଠିକ ହମଲା କରିଥିଲା। ଭାରତୀୟ ମିସାଇଲ ପଞ୍ଜାବରେ ପ୍ରମୁଖ ସାମରିକ ଆଡ୍ଡାଗୁଡ଼ିକୁ ନିଶାନା କରିଥିଲା। ଏହି ହମଲା ପାକିସ୍ତାନର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା । ଭାରତ ବାୟୁ ପ୍ରାଧାନ୍ୟ ସ୍ଥାପନ କରିଥିଲା ଓ ପାକିସ୍ତାନୀ ବାୟୁସେନା ଆକାଶରେ ମୁକାବିଲା କରିବାରେ ବିଫଳ ହୋଇଥିଲା।
୧୦ ମେ’ ସକାଳେ ଭାରତ ଯାହା କଲା, ତାହା ପାକିସ୍ତାନର ବଳକା ସାମରିକ ପ୍ରତିଷ୍ଠାକୁ ଧୂଳିସାତ୍ କରିଦେଇଥିଲା । ପାକିସ୍ତାନର ୧୧ଟି ଏୟାରବେସ ଉପରେ ହମଲା ଭାରତୀୟ ସାମରିକ କ୍ଷମତାର ପ୍ରମାଣ ଦେଉଥିଲା । ଯାହା ସାମ୍ନାକୁ ଆସିଲା, ତାହା କେବଳ ସାମରିକ ପ୍ରାଧାନ୍ୟ ନଥିଲା, ବରଂ ଆଧୁନିକ ଯୁଦ୍ଧ ପାଇଁ କରାଯାଇଥିବା ପ୍ରସ୍ତୁତି, ନବୋନ୍ମେଷ ଓ ଦୀର୍ଘକାଳୀନ ସାମରିକ ନିବେଶର ସଫଳତାର ପୁଷ୍ଟି ଥିଲା ।
ପାକିସ୍ତାନକୁ ଭାରତର ସ୍ପଷ୍ଟ ସନ୍ଦେଶ:
ଭାରତ ଅପରେସନ୍ ସିନ୍ଦୂର ଦ୍ୱାରା ଏକ ସ୍ପଷ୍ଟ ସନ୍ଦେଶ ଦେଇଥିଲା । ୧୯୭୧ ଯୁଦ୍ଧର ବିପରୀତ ଭାବେ ଏଥର ଭାରତ ପାକିସ୍ତାନର ସାମରିକ ଭିତ୍ତିଭୂମିର ମୂଳ କେନ୍ଦ୍ରକୁ ହମଲା କରିଥିଲା । ବିଶେଷ କଥା ହେଲା, ଏହା ସମ୍ପୂର୍ଣ୍ଣ ଯୁଦ୍ଧ ଆରମ୍ଭ କରିନଥିଲା କିମ୍ବା ଆନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ କରିନଥିଲା । ଯୁରେସିଆନ୍ ଟାଇମ୍ସର ଲେଖରେ ଏହାକୁ ଏକ ଆଧୁନିକ ଯୁଦ୍ଧ ବୋଲି ବର୍ଣ୍ଣନା କରାଯାଇଛି, ଯାହା ଭାରତୀୟ ପ୍ଲାଟଫର୍ମ, ଭାରତୀୟ ସିଦ୍ଧାନ୍ତ ଓ ଭାରତୀୟ ସଂକଳ୍ପ ସହିତ ସମ୍ପନ୍ନ ହୋଇଥିଲା । ଏହି ସାମରିକ ସଂଘର୍ଷ ପାକିସ୍ତାନର ପରମାଣୁ ଧମକର ମଧ୍ୟ ପର୍ଦାଫାସ କରିଥିଲା ଓ ତା’ର ଏହି ଢାଲ ବିଫଳ ହୋଇଥିଲା ।
