ଉତ୍ତର ପ୍ରଦେଶରେ ଯେପରି ଜାଠ୍ ଭୋଟରଙ୍କ ଉପରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି ) ଭରିଷା କରି ରାଜନୀତି କରୁଛି ସେହିପରି ଓଡ଼ିଶାରେ ଓବିସିର ସବୁଠାରୁ ବଡ଼ ବର୍ଗ କୁହାଯାଉଥିବା ଯାଦବମାନଙ୍କ ଉପରେ ନଜର ପାକଇଛି । ଏଥିପାଇଁ ଓଡ଼ିଶାରେ ପ୍ରଥମ ଥର ଆରଏଲଡି ନିଜର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଜଣେ ଯୁବ ଯାଦବ ନେତାଙ୍କୁ ଏହାର ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି ।
ରାଜ୍ୟରେ ଓବିସି ଭୋଟରଙ୍କ ସଂଖ୍ୟା ୫୪ପ୍ରତିଶତ କୁହାଯାଉଥିବା ବେଳେ ଏହାର ସିଂହଭାଗ ହେଉଛନ୍ତି ଯାଦବ ଭୋଟର । ଏମାନଙ୍କ ସଂଖ୍ୟା ପ୍ରାୟ ୨୨ ପ୍ରତିଶତ ବୋଲି କୁହାଯାଉଛି । ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୩୫ଟି ଆସନରେ ଏହି ଜାତିର ଭୋଟରଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଥିବା ବେଳେ ଆଉ ୨୦ଟି ଆସନରୁ ୩୦ରୁ ୫୦ ପ୍ରତିଶତ ଭୋଟର ଅଛନ୍ତି । ଯଦି ଭୋଟରଙ୍କୁ ଧ୍ରୁବିକାରଣ କରାଯାଏ ତେବେ ରାଜ୍ୟ ରାଜନୀତିରେ ଏହି ଜାତିର ନେତାମାନେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆରଏଲଡି ନେତା ଜୟନ୍ତ ଚୈାଧୁରୀ ଆକଳନ କରିଛନ୍ତି । ଏଥିପାଇଁ ସେ ଯୁବ ଯାଦବ ନେତା ଜିତେନ୍ଦ୍ର କୁମାର ହାତୀକୁ ରାଜ୍ୟ ସଭାପତିଭାବେ ଦାୟିତ୍ୱ ଦେଇଛନ୍ତି ।
ଜିତେନ୍ଦ୍ର କୁମାର ହାତୀ ଏକ ରାଜନୈତିକ ପରିବାରୁ ଆସିଛନ୍ତି ।
ତାଙ୍କ ବାପା ଶିବେନ୍ଦ୍ର କୁମାର ହାତୀ ଦୀର୍ଘ ଦିନ ଧରି ରାଜ୍ୟ ସେବା ଦଳର ମୁଖିଆ ଥିଲେ । ତେଣୁ ଜିତେନ୍ଦ୍ର ରାଜନୀତିକୁ ଅତି ନିକଟରୁ ଦେଖିବା ସହ ଜାତି ରାଜନୀତି ସମ୍ପର୍କରେ ସଚେତନ ଅଛନ୍ତି । ସବୁଠାରୁ ବଡ଼ କଥା ହେଲା ଜିତେନ୍ଦ୍ରଙ୍କ ପୂର୍ବ ପୁରୁଷ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରି ଜିଲ୍ଲାର । ପଶ୍ଚିମ ଓଡ଼ିଶାରେ ପ୍ରାୟ ୨୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ଯାଦବ ଭୋଟରଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ଏମାନଙ୍କୁ ଆରଏଲଡି ସର୍ମଥକ କରିବାରେ ଜିତେନ୍ଦ୍ର ସକ୍ଷମ ହେବେ ବୋଲି କେନ୍ଦ୍ରୀୟ ନେତା ଆକଳନ କରିଛନ୍ତି । ସଭାପତି ହେବା ପରେ ଜିତେନ୍ଦ୍ର କୁମାର ହାତୀ ସୂଚନା ଦେଇ କହିଛନ୍ତି ଯେ ଖୁବ ଶୀଘ୍ର ସେ ରାଜ୍ୟ କମିଟି ଗଠନ କରିବା ସହିତ ରାଜନୈତିକ କାର୍ଯ୍ୟକ୍ରମ ଗଠନ କରିବେ ।
