ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ତଥା ପାଟଣାଗଡ଼ ରାଜା କନକବର୍ଦ୍ଧନ ସିଂହଦେଓ ଏବେ ରାଜ୍ୟ ଶାସନରୁ ଦୂରେଇ ଗଲା ଭଳି ଜଣାପଡ଼ୁଛନ୍ତି। ଯଦିଓ ସେ ଉପ-ମୁଖ୍ୟମନ୍ତ୍ରୀ କିନ୍ତୁ ରାଜ୍ୟ ଶାସନରେ ଅନ୍ୟ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭଳି ଆଗୁଆ ନାହାନ୍ତି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେମିତି ପିତ୍ତଳ ଗିନା ସାଜି ସବୁ କାର୍ଯ୍ୟକ୍ରମର ମଙ୍ଗ ଧରୁଛନ୍ତି, କେଭିଙ୍କୁ ସେମିତି ଦେଖିବାକୁ ମିଳୁ ନାହିଁ। କେବଳ ନିଜ ବିଭାଗ ଭିତରେ ଯେମିତି ଆବଦ୍ଧ ହୋଇଯାଇଛନ୍ତି କନକବର୍ଦ୍ଧନ। କେମିତି, କାହିଁକି?
ଓଡ଼ିଶା ବିଜେପିର ବରିଷ୍ଠ ସଦସ୍ୟ, ୬ଥର ବିଧାୟକ, ପୂର୍ବତନ ମନ୍ତ୍ରୀ, ଏବେକାର ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଏକ ବଡ଼ ରାଜ ପରିବାରର ମୁଖିଆ ହେଉଛନ୍ତି କନକବର୍ଦ୍ଧନ ସିଂହଦେଓ ଓରଫ କେଭି। ଖାଲି ସେତିକି ନୁହେଁ, ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଏବେ ବଲାଙ୍ଗୀର ଲୋକସଭା ସାଂସଦ। ଏ ପରିବାରକୁ ବିଜେପିର ସମ୍ପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତେ ବରିଷ୍ଠ ହୋଇ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରେ ତାଙ୍କ ପଦବୀ ଜଣେ ନବାଗତ ପ୍ରଥମଥର ବିଧାୟକର ପଦବୀ ସହ ସମାନ।
ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କିନ୍ତୁ ଗୃହ ବା ଅର୍ଥ ଭଳି ପ୍ରଭାବଶାଳୀ ବିଭାଗ ତାଙ୍କ ପାଖରେ ନାହିଁ। ସେ ଉପମୁଖ୍ୟମନ୍ତ୍ରୀ କିନ୍ତୁ ବିଭାଗ ବାହାରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଏ ନାହିଁ। ସେ ଜଣେ ବରିଷ୍ଠ ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି କିନ୍ତୁ ଦଳ, ସଂଗଠନ ବା କୌଣସି ଏକ ସରକାରୀ କାର୍ଯ୍ୟକ୍ରମରେ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସଦସ୍ୟଙ୍କୁ ଏକାଠି କରିବାର ଅଧିକାର ରଖି ନାହାନ୍ତି। ଅର୍ଥାତ୍ ସେ ପଞ୍ଜୁରୀରେ ଥିବା ପରକଟା ଚଢ଼େଇଟିଏ ଭଳି କେବଳ ଉପ-ମୁଖ୍ୟମନ୍ତ୍ରୀଟିଏ ସାଜିଛନ୍ତି।
ଉପ-ମୁଖ୍ୟମନ୍ତ୍ରୀ ପଦବୀ ପାଇଥିଲେ ବି ମୋହନ ମାଝୀଙ୍କ କ୍ୟାବିନେଟରେ କେଭି ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ। ବାସ୍ ସେତିକିରେ ତାଙ୍କ ଭୂମିକା ସୀମିତ। ବର୍ଷେ ପୂର୍ବରୁ ଯେତେବେଳେ କେଭିଙ୍କୁ ଉପ-ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରାଗଲା ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ସମୟରେ ତାଙ୍କୁ ସାଧାରଣ ଜନସଭାରେ ଦେଖିବାକୁ ମିଳୁଥିଲା। ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ ରାଜ୍ୟର ଏହି ଯୋଡ଼ିଙ୍କୁ ଆରାଧ୍ୟ ତିନି ଠାକୁରଙ୍କ ଭଳି ବୋଲି କହିଥିଲେ। ହେଲେ ବଡ଼ଭାଇ କେଭିଙ୍କୁ ଛାଡ଼ି ଦେଇ ଦୁଇ ଭାଇଭଉଣୀ ମୋହନ ଓ ପ୍ରଭାତୀ କେମିତି ଆଗକୁ ଯିବାକୁ ପସନ୍ଦ କଲେ? ଏହା କ’ଣ ଜଗନ୍ନାଥ ସଂସ୍କୃତି? ମୁଁ ଏ କଥା କହିବାର କାରଣ ହେଉଛି କିଛିଦିନ ହେଲା ଶ୍ରୀ ସିଂହଦେଓ ହଜିଗଲା ଭଳି ଲାଗୁଛନ୍ତି। କେବଳ କୃଷି ବିଭାଗର କାର୍ଯ୍ୟକ୍ରମ ଓ ପ୍ରେସ୍ ରିଲିଜରେ ହିଁ ସୀମିତ ରହୁଛି ତାଙ୍କ ଉପସ୍ଥିତି। କିନ୍ତୁ କହିଁକି?
ଅନ୍ୟଜଣେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତ ରାଜ୍ୟ ଶାସନର ପ୍ରତିଟି କୋଣରେ ରହିଛନ୍ତି। ବିଭିନ୍ନ ଯୋଜନାରେ ତାଙ୍କ ନାଁ ଦେଖିବାକୁ ମିଳୁଛି। ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଫଟୋ ଦେଖିବାକୁ ମିଳୁଛି। କେଭି କାହିଁକି ବିଭାଗର ଚାରି କାନ୍ଥରେ ଆବଦ୍ଧ ରହୁଛନ୍ତି? କାହିଁକି ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭଳି ସଭା ସମିତିରେ ଦେଖିବାକୁ ମିଳୁ ନାହିଁ? କାହିଁକି ନିଜ ବିଭାଗ ଛଡ଼ା ତାଙ୍କୁ ଅନ୍ୟ କୌଣସି ଦାୟିତ୍ୱ ଦିଆଯାଉନାହିଁ? ଏତେ ଅଭିଜ୍ଞତା ସମ୍ପନ୍ନ ହେଲେ ବି କାହିଁକି କୋଣଠେସା ହୋଇଛନ୍ତି କେଭି? ଏହା କ’ଣ ବିଜେପିର ନୀତି ନା ମୋହନଙ୍କ ଶକ୍ତିବୃଦ୍ଧିର ପ୍ରମାଣ।
ମିଳିଥିବା ସୂଚନା ଅନୁସାରେ ମୋହନ କୁଆଡ଼େ କେଭିଙ୍କୁ ପସନ୍ଦ କରୁନାହାନ୍ତି। କେବଳ ସେତିକି ନୁହେଁ, କେଭିଙ୍କର ଲୋକପ୍ରିୟତା ବଢ଼ିଲେ ମୋହନଙ୍କର ଲୋକପ୍ରିୟତା ସଙ୍କୁଚିତ ହେବାର ଆଶଙ୍କା ରହିଥିବା ଆକଳନ କରାଯାଉଛି। ଏଣୁ ତାଙ୍କ ବିରୋଧରେ ସମାନ୍ତରାଳ ସଂଗଠନ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଥିବା ଚର୍ଚ୍ଚା ହୋଇଛି। ସେଥିପାଇଁ ବଲାଙ୍ଗୀରରେ ବି କେଭିଙ୍କୁ ପ୍ରବଳ ପ୍ରଶାସନିକ ଅସହଯୋଗର ସମ୍ମୁଖୀନ ହେଉଥିବା ନେଇ ଚର୍ଚ୍ଚା ହେଉଛି।
ଏକ ସୂଚନା ଅନୁସାରେ କେଭିଙ୍କ ସାଂସଦ ପତ୍ନୀ ସଙ୍ଗୀତା କୁଆଡ଼େ ନିକଟରେ ବଲାଙ୍ଗୀରରେ ଏକ ଜିଲ୍ଲାସ୍ତରୀୟ ବୈଠକ ଡାକିଥିଲେ। ହେଲେ ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲୋଇସିଂହାର ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଡକାଯାଇନଥିଲା। ଏଥିରେ ଅଭିମାନ କରି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଷୟ ଜାଣିବା ପରେ ମୁଖ୍ୟମନ୍ତ୍ରୀ କୁଆଡ଼େ ଉତ୍କ୍ଷିପ୍ତ ହୋଇଥିବା ନେଇ ଆଲୋଚନା ହେଉଛି। ଏପରିକି କେଭିଙ୍କୁ ଡକାଇ ଆଲୋଚନା କରିବା ପରିବର୍ତ୍ତେ ସ୍ଥାନୀୟ ଅଧିକାରୀଙ୍କୁ ଅସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ହୋଇଥିବା କୁହାଯାଉଛି। ଖାଲି ସେତିକି ନୁହେଁ ସାଂସଦଙ୍କ ଦ୍ୱାରା ଡକାଯାଉଥିବା ବୈଠକରେ ମଧ୍ୟ ଯୋଗ ଦେବାକୁ ବାରଣ କରାଯାଉଛି।
ଏହା କେତେଦୂର ସତ୍ୟ ବା ଏହା ଏକ ସାଧାରଣ କଥା ତାହାର କୌଣସି ପ୍ରମାଣ ନାହିଁ। କିନ୍ତୁ ଏହା ପରଠାରୁ କେଭି ଯେ ଏକଘରକିଆ ହୋଇଯାଇଛନ୍ତି ତାହାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଥିବା କାର୍ଯ୍ୟକ୍ରମରେ ପ୍ରଭାତୀଙ୍କୁ ଯେମିତି ବାରମ୍ବାର ଦେଖିବାକୁ ମିଳୁଛି କେଭିଙ୍କୁ ସେ ସମ୍ମାନ ମିଳିପାରୁନାହିଁ। କେଭି ବି ଏ କଥାକୁ ଗୁରୁତ୍ୱ ଦେଉନାହାନ୍ତି। ଜଣେ ପରିପକ୍ୱ ରାଜନେତାଭାବେ ସ୍ଥିତପ୍ରଜ୍ଞ ରହି ସେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନିଜ ବିଭାଗକୁ ପରିଚାଳନା କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି କେଭି। ତାଙ୍କ ବିଭାଗ ଧାନକିଣାକୁ ନିୟନ୍ତ୍ରଣ କରୁଛି। ଏ ବର୍ଷ ରବି ଋତୁରେ ୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅଧିକ କିଣି ଓଡ଼ିଶା ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ତାହା ପୁଣି କ୍ୱିଣ୍ଟାଲ୍ ପିଛା ୩୧୦୦ ଟଙ୍କା ଦରରେ। ଏହାକୁ ଏକ ରେକର୍ଡ କ୍ରୟ ବୋଲି ସରକାର ପ୍ରଚାର କରୁଛନ୍ତି।
କେଭିଙ୍କ ସମର୍ଥକମାନେ କହୁଛନ୍ତି, ଏଗୁଡ଼ିକ ତାଙ୍କ ଆଗରେ ଛୋଟିଆ କଥା। ପୂର୍ବରୁ ଏମିତି କେତେ ଢେଉ ଆସିଛି। କିନ୍ତୁ ସମୟକ୍ରମରେ ସବୁକିଛି ତାଙ୍କ ପକ୍ଷଭୁକ୍ତ ହୋଇଛନ୍ତି। ରାଜ ପରିବାରରୁ ଆସି ଓଡ଼ିଶା ରାଜନୀତିକ ଜୀବନରେ ପିଢ଼ି ପରେ ପିଢ଼ି ଅକ୍ତିଆର ହାସଲ କରିଥିବା ସିଂଦେଓ ବଂଶର ଏହି ଉତ୍ତରାଧିକାରୀଙ୍କୁ କେବେ ଏମିତି ଆଉ ଏକ ଲହଡ଼ି ବିଚଳିତ କରିପାରିବ ନାହିଁ। ଏଣୁ କେବଳ ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
Also readhttps://purvapaksa.com/arvinds-adani-love/
