ପୂର୍ବରୁ ଜଗନ୍ନାଥଙ୍କ ପରମଭକ୍ତ ଶ୍ରେଣୀରେ ଆସୁଥିଲେ ଭକ୍ତକବି ବଳରାମ ଦାସ , ଯବନ କବି ସାଲବେଗ, ଦାସିଆ ବାଉରୀ, ବିଶର ମହାନ୍ତି ଏବଂ ଆହୁରି କେତେ । ଏମିତି ବହୁ ଭକ୍ତଙ୍କ କଥା ବି ଉଲ୍ଲେଖ ଅଛି । ଆମେ ବି ସେମାନଙ୍କ ନାଁ ପଡ଼ିଲେ ହାତ ଯୋଡ଼ି ଦେଉ । ଶ୍ରଦ୍ଧାରେ ମୁଣ୍ଡ ନଇଁଯାଏ । ମହାପ୍ରଭୁ ଜଗନ୍ନାଥଙ୍କ କଥା ଉଠିଲେ ଏହି ପରମଭକ୍ତଙ୍କ କଥା ଛାଏଁ ମନକୁ ଆସିଯାଏ । ଆହେ ନୀଳଶୈଳ ପ୍ରବଳ ମତ୍ତ ବାରଣ ଗୀତ ମନେପଡ଼ି ଗଲେ ଦେହ ଶିହିରି ଉଠେ।
କିନ୍ତୁ ଏବେ ଜଗନ୍ନାଥଙ୍କ ପରମ ଭକ୍ତ ଉପାଧି ଅଫିସରମାନେ ଦେଉଛନ୍ତି । ଟିକେ ପଛକଥା ମନେ ପକେଇବା ପୂର୍ବରୁ ନବୀନ ବାବୁଙ୍କୁ ତାଙ୍କ ସଚିବ ଆଇଏଏସ୍ ଅଫିସର ପାଣ୍ଡିଆନ ବାବୁ ଉପାଧି ଦେଲେ ପରମ ଭକ୍ତ । କାରଣ ପୁରୀ ଗଲାବେଳେ ରାସ୍ତାରେ ଯେଉଁ ହୋର୍ଡିଂରେ ଜଗାର ଫଟୋ ଥାଏ ନବୀନ ବାବୁ କୁଆଡେ଼ କାର ଭିତରେ ବସି ହାତଯୋଡ଼ି ଜୁହାର ହୁଅନ୍ତି । ୟା’କୁ ପାଣ୍ଡିଆନ ବାବୁ ଲକ୍ଷ୍ୟ କରିଥିଲେ । ମନ ଭିତରେ ଆସିଲା ଯେ, କୋଟିଏ ଭକ୍ତ ଥାଇପାରନ୍ତି ଜଗନ୍ନାଥଙ୍କର । କିନ୍ତୁ ଜଣେ ପରମଭକ୍ତ ସିଏ ହେଲେ ନବୀନ ପଟ୍ଟନାୟକ । ବିଜେଡି ନେତାମାନେ ପ୍ରତିଯୋଗିତା କରି ତାରିଫ କଲେ ପାଣ୍ଡିଆନଙ୍କୁ ।
ପରେ ପରମ ଭକ୍ତିଙ୍କ କାମ କିଏ ନ ଦେଖିଛି ଆପଣ କୁହନ୍ତୁତ ? ଜଗନ୍ନାଥଙ୍କୁ ଅଟୋଡାଲାରେ ରଖି ଅର୍ପଣ ରଥ କହି ବସେଇ ନ ଥିଲେ କି ନବୀନ ବାବୁ ? ଘରଘର ବୁଲି ଏଜାତିର ଦେବତା ଗୁଆ ଓ ଅରୁଆ ଚାଉଳ ମାଗିନଥିଲେ କି ? ତେବେ ସେ ଯାହାହଉ ମଠ ଧ୍ୱଂସ କରି ପରିକ୍ରମା ପ୍ରକଳ୍ପ କରିଥି ବାରୁ ନବୀନ ବାବୁ ପରମଭକ୍ତ ।
ଏଥର ଆଉ ଜଣେ ଆଇଏଏସ୍ ଅଫିସରଙ୍କ ପାଳି ପଡ଼ିଛି । ସିଏ ହେଲେ ସୋସିଆଲ ମିଡ଼ିଆ ବିଶାରଦ ଅରବିନ୍ଦ ପାଢ଼ୀ । କିନ୍ତୁ କାହାକୁ ସେ ବଡ଼ ଭକ୍ତ କହିଲେ ଲୋକମାନେ ଜାଣି ପାରିନଥିଲେ । ପରେ କିନ୍ତୁ ଜାଣିଲେ ଯେ, ଜଗନ୍ନାଥଙ୍କ ବଡ଼ ଭକ୍ତ ହେଉଛନ୍ତି ଗୌତମ ଆଦାନୀ । ଏହି ବଡ଼ଭକ୍ତ ଆଦାନୀଙ୍କ ପାଇଁ ରଥଯାତ୍ରା ଦିନ ନନ୍ଦିଘୋଷ ଗଡ଼ିଲା ନାହିଁ । ଶୁଣିଥିଲୁ ବଳରାମ ଦାସ ଯୋଜନ ଦୂରରେ ଥାଇ ‘ମୁଁ ଯିବା ଯାଏଁ ରଥ ଥି୍ବ ରହି’ ପ୍ରାର୍ଥନା କରିବାରୁ ନନ୍ଦିଘୋଷ ଚାଲିନଥିଲା । ଗୌତମ ଆଦାନୀ ହେଲେ ଏଯୁଗର ଆଧୁନିକ ବଳରାମ ଦାସ । ତାଙ୍କ ଭକ୍ତି ଭାବକୁ ବୋଧହୁଏ ପାଢ଼ୀ ମହୋଦୟ ଜାଣିପାରିଲେ । କିନ୍ତୁ ଏକଥା କହି ପୂରା ସରକାରକୁ ବଦନାମ କରିଦେଲେ ଏହି ଆଇଏଏସ ଅଫିସର । କେମିତି ତାଙ୍କୁ ମୋହନ ବାବୁ ବରଦାସ୍ତ କରୁଛନ୍ତି କେଜାଣି ?
ବର୍ଷେ ତଳେ ପୂର୍ବ ସରକାର ସମୟରେ ପାଣ୍ଡିଆନ ଦମ୍ପତିଙ୍କ ରାଜ ଚାଲିଥିବା ବେଳେ ଏବେ ବିଜେପି ସରକାରରେ ପାଢୀ ଦମ୍ପତିଙ୍କ ରାଜ ଚାଲିଥିବା ଚର୍ଚ୍ଚା ହେଉଛନ୍ତି । ଏହି ପାଢୀ ଦମ୍ପତି ହେଉଛନ୍ତି ଅରବିନ୍ଦ ପାଢୀ ଉଷା ପାଢୀ । ନିକଟରେ ଉଷା ପାଢୀ ମନ୍ତ୍ରୀ ମାନଙ୍କ ଉପରେ ରାଗ ଝାଡିଥିବା ଖବର ଆଲୋଚନା ହେଉଥିବା ବେଳେ ଏବେ ଅବରବିନ୍ଦ ପାଢି ରଥଯାତ୍ରାରେ ଘଟଥିବା ବିଶୃଙ୍ଖଳାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖାଲି ଏତିକି ନୁହେଁ ରବିବାର ଦିନ ପୁରୀରେ ଭକ୍ତଙ୍କ ମୃତ୍ୟୁ ପରେ ବି ତାଙ୍କୁ କେହିବି ଅଙ୍ଗୁଳି ନିଦ୍ଦେଶ କରିପାରୁ ନାହାଁନ୍ତି । କାର ତାଙ୍କ ପଛରେ କାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳ୍ରରେ ଜଣେ ପ୍ରଭାବଶାଳୀ ଅଫିସରଙ୍କ ହାତ ଥିବା କ୍ଷମତା କରିଡରରେ ଚର୍ଚ୍ଚାହେଉଛି । ଏହା ପରେବି ଅରବିନ୍ଦ ଏବେ ବଡ ଦୁଃଖରେ ଅଛନ୍ତି କାରଣ ସେ ଆଶାକରୁଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ହୋଇ ପାଣ୍ଡିଆନଙ୍କ ଭଳି କ୍ଷମତା ଉପଭୋଗ କରିବେ । କିନ୍ତୁ ଜଗନ୍ନାଥ ତାଙ୍କ ଗର୍ବକୁ ସହ୍ୟ କରିପାରି ନାହାଁନ୍ତି । ପାଢୀଙ୍କ ଭାଷାରେ ଜଗନ୍ନାଥଙ୍କ ଲୀଳାରେ ଶାଶ୍ୱତ ମିଶ୍ର । ତେଣୁ ଅରବିନ୍ଦ ଏବେ ମୁହଁ ଲୁଚାଇ କାନ୍ଦୁଛନ୍ତି । ତେବେ ଲୋକେ କେବଳ ସରକାର ପରିବର୍ତନ କରିଥାଇ ପାରନ୍ତି ହେଲେ ବ୍ୟବସ୍ଥା ସମାନ ରହିଛି କି ନାହିଁ ଆପଣ କୁହନ୍ତୁ ।
ALSO READ https://purvapaksa.com/chief-minister-mohan-majhi-in-chakravyuh/
Chief Minister Mohan Majhi in Chakravyuh ।। ଚକ୍ରବ୍ୟୁହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
